Unknown

 

 

 

 

 

 

 

 

 

ସ୍ୱାଧୀନତାର କାହାଣୀ

 

ଲେଖକ

ଶ୍ରୀ କୃଷ୍ଣଚନ୍ଦ୍ର କର

ଶ୍ରୀ ଭଗବାନ ପତି

 

ସୂଚିପତ୍ର

 

୧.

ହିନ୍ଦୁ ଭାରତର ଶେଷ ଶିଖା

୨.

ସ୍ୱଦେଶବତ୍ସଳ ହାମୀର

୩.

ମିବାରଗୌରବ ପ୍ରତାପ

୪.

ଶୌର୍ଯ୍ୟବତୀ ଦୁର୍ଗାବତୀ

୫.

ବୀର ପିତାର ବୀର ପୁତ୍ର

୬.

ଇଂରେଜବୈରୀ ସିରାଜ

୭.

ପାଇକନେତା ବକ୍ସି ଜଗବନ୍ଧୁ

୮.

ସହିଦ୍ ମଙ୍ଗଳ ପାଣ୍ଡେ

୯.

ମୁକ୍ତିସୈନିକ ନାନାସାହେବ

୧୦.

ବିପ୍ଳବିନୀ ଲକ୍ଷ୍ମୀବାଈ

୧୧.

ସୁଚତୁର ସେନାପତି ତାତିଆ

୧୨.

ବୀର ବାଘା ଯତୀନ୍

୧୩.

ସ୍ୱାଧୀନ ଭାରତର ଜ୍ୱଳନ୍ତ ଶିଖା

Image

 

ହିନ୍ଦୁ ଭାରତର ଶେଷ ଶିଖା

 

ପାଣ୍ଡବଚୂଡ଼ାମଣି ଯୁଧିଷ୍ଠିରଙ୍କ ଇନ୍ଦ୍ରପ୍ରସ୍ଥ ରାଜ୍ୟ ଏକାଦଶ ଶତାବ୍ଦୀ ବେଳକୁ ଦିଲ୍ଲୀ ନାମରେ ପରିଚିତ ହେଉଥିଲା ଏବଂ ତୋମରବଂଶର ଶେଷ ରାଜା ଅନଙ୍ଗପାଳ ସେତେବେଳେ ସେଠାରେ ରାଜପଣ କରୁଥିଲେ । କେବଳ ଦୁଇଟି କନ୍ୟା ଛଡ଼ା ତାଙ୍କର କୌଣସି ପୁତ୍ରସନ୍ତାନ ନ ଥିବାରୁ କନିଷ୍ଠ ଦୌହିତ୍ର ଆଜମିରର ଯୁବରାଜ ଚୌହାନବଂଶୀୟ ପୃଥ୍ୱୀରାଜଙ୍କ ହସ୍ତରେ ସେ ଦିଲ୍ଲୀ ସିଂହାସନ ଅର୍ପଣକରି ବାନପ୍ରସ୍ଥ ବ୍ରତାଚରଣପାଇଁ ବଦରିକାଶ୍ରମକୁ ଚାଲିଗଲେ । ଏହି ଘଟନାରେ ଜ୍ୟେଷ୍ଠ ଦୌହିତ୍ର କାନ୍ୟକୁବ୍‍ଜର ରାଠୋରରାଜ ଜୟଚନ୍ଦ୍ର ବିଶେଷ କ୍ଷୁଣ୍ଣ ହେଲେ ଏବଂ ମନେମନେ ପୃଥ୍ୱୀରାଜଙ୍କପ୍ରତି ଅସୁୟାପରବଶ ହୋଇ ତାଙ୍କର ଅନିଷ୍ଟ ଚିନ୍ତା କରିବାକୁ ଲାଗିଲେ ।

 

ଘୋର ରାଜ୍ୟର ଅମିର ଗୁପ୍ତଚରମାନଙ୍କ ମୁଖରୁ ଏ ସମ୍ୱାଦ ପାଇବାମାତ୍ରେ ଏହାକୁ ଭାରତ-ଆକ୍ରମଣର ଉପଯୁକ୍ତ ଅବସର ମନେକଲେ । କାବୁଲ ଓ କାନ୍ଦାହାରର ମଧ୍ୟବର୍ତ୍ତୀ ଗଜନୀ ରାଜ୍ୟକୁ ଧ୍ୱଂସକରି ସେତେବେଳକୁ ସେ ଅତି ପ୍ରତାପଶାଳୀ ହୋଇ ଉଠିଥାନ୍ତି ଏବଂ ପଞ୍ଜାବରେ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳପର୍ଯ୍ୟନ୍ତ ସମସ୍ତ ଭାରତୀୟ ଅଞ୍ଚଳ ନିଜ ଅଧିକାରଭୁକ୍ତ କରିଥାନ୍ତି । ତେଣୁ ସାହାବୁଦ୍ଦିନ୍ ଘୋରୀନାମରେ ନିଜର ଜଣେ ଭାଇକୁ ସେନାପତି କରି ସେ ବହୁ ସୈନ୍ୟସାମନ୍ତ ସହ ଭାରତ ଆକ୍ରମଣ ପାଇଁ ପଠାଇଦେଲେ ।

 

ଭାରତୀୟ ଗୁପ୍ତଚରମାନଙ୍କ ତତ୍ପରତାରୁ ସାହାବୁଦ୍ଦିନଙ୍କର ଏହି ଆକ୍ରମଣ ସମ୍ୱାଦ ଉତ୍ତର ଭାରତର ରାଜାମାନଙ୍କ କର୍ଣ୍ଣଗୋଚର ହେଲା । ପୃଥ୍ୱୀରାଜଙ୍କ ନେତୃତ୍ୱରେ ସେମାନେ ନିଜନିଜର ସୈନ୍ୟବାହିନୀ ଘେନି ପଞ୍ଜାବ-ସୀମାନ୍ତରେ ସମବେତ ହେଲେ ଏବଂ ଯୁଦ୍ଧ-ପ୍ରତୀକ୍ଷାରେ ପ୍ରସ୍ତୁତ ହୋଇ ରହିଲେ ।

 

ସାହାବୁଦ୍ଦିନ୍ ଯେପରି କୌଶଳୀ ସେହିପରି କୁଚକ୍ରୀ । କାଳେ କେତେବେଳେ ସେ ଛଦ୍ମବେଶରେ ଭାରତ ଭିତରକୁ ପଶିଆସିବେ, ସେଥିପାଇଁ ପୃଥ୍ୱୀରାଜ ଘାଟୀମାନଙ୍କରେ ପ୍ରତିରକ୍ଷାବ୍ୟୂହମାନ ଗଢ଼ି ଶତ୍ରୁର ସମ୍ମୁଖୀନ ହେବାପାଇଁ ଅପେକ୍ଷା କରି ରହିଲେ ।

 

ଏହିପରି କେତେ ଦିନର ଅପେକ୍ଷା ପରେ ହଠାତ୍ ଦିନେ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇଗଲା । ହିନ୍ଦୁ ସୈନ୍ୟମାନେ ପୃଥ୍ୱୀରାଜଙ୍କ ନେତୃତ୍ୱରେ ସିଂହବିକ୍ରମରେ ମାତିଉଠିଲେ । ରକ୍ତାକ୍ତ ସଂଗ୍ରାମରେ ଉଭୟ ପକ୍ଷର ବହୁ ସୈନ୍ୟ ମୃତାହତ ହେଲେ ଏବଂ ଯୁଦ୍ଧଭୂମି କର୍ଦମାକ୍ତ ହୋଇଉଠିଲା । ସନ୍ଧ୍ୟାସମୟକୁ ଶତ୍ରୁପକ୍ଷର ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ ଓ ଆତ୍ମରକ୍ଷା ଉଦ୍ଦେଶ୍ୟରେ ଯୁଦ୍ଧଭୂମି ତ୍ୟାଗକରି ପଳାୟନ କଲେ ।

 

ଦ୍ୱିତୀୟ ଦିନ ପ୍ରଭାତରୁ ହିନ୍ଦୁ ସୈନ୍ୟମାନଙ୍କ ପକ୍ଷରୁ ପ୍ରଥମେ ଆକ୍ରମଣ ଆରମ୍ଭ ହେଲା । ‘ଆଲ୍ଲା ହୋ ଆକବର’ ଓ ‘ହର ହର ମହାଦେବ’ ଶବ୍ଦରେ ଗଗନପବନ ପ୍ରକମ୍ପିତ ହୋଇଉଠିଲା । ପୃଥ୍ୱୀରାଜଙ୍କ ନିର୍ଦେଶ ଓ ଉତ୍ସାହବଳରେ ବୀର ରାଜପୁତ ସର୍ଦ୍ଦାରମାନେ ଶତ ଶତ ଶତ୍ରୁସୈନ୍ୟ ନିପାତ କରି ଅଗ୍ରସର ହେଲେ । ସନ୍ଧ୍ୟାପୂର୍ବରୁ ଦେଖାଗଲା ଯେ, ଅର୍ଦ୍ଧାଧିକ ଶତ୍ରୁସୈନ୍ୟ ଯୁଦ୍ଧଭୂମିରେ ଚିରନିଦ୍ରା ଭଜିଛନ୍ତି ।

 

ଚତୁର ସାହାବୁଦ୍ଦିନ୍ ଆତ୍ମପକ୍ଷର ଏ ବିପୁଳ କ୍ଷତିରେ ଧୈର୍ଯ୍ୟ ହରାଇ ପୃଷ୍ଠଭଙ୍ଗ ଦେବାକୁ ବାଧ୍ୟ ହେଲେ । ଏତିକିବେଳେ ପୃଥ୍ୱୀରାଜଙ୍କ ପରମ ମିତ୍ର ଓ ଅମିତବିକ୍ରମୀ ବୀରଚାନ୍ଦ ବରଦାଇଙ୍କ ନିର୍ଦେଶରେ ଦଳେ ରାଜପୁତ ଅଶ୍ୱାରୋହୀ ତାଙ୍କର ଅନୁଧାବନ କଲେ । ସେମାନେ ବହୁ ଶତ୍ରୁସୈନ୍ୟଙ୍କ ମୁଣ୍ଡ କାଟି ଭୂମିରେ ଲୋଟାଇଦେଲେ । ସାହାବୁଦ୍ଦିନ୍ ପାଞ୍ଚ ଜଣ ମାତ୍ର ବିଶ୍ୱସ୍ତ ଅନୁଚରଙ୍କ ସହ ଜୀବନ ଘେନି କୌଣସିମତେ ନିଜ ଶିବିରକୁ ପଳାୟନ କଲେ । ସେଠାରେ ମଧ୍ୟ ତାଙ୍କୁ ନିସ୍ତାର ମିଳିଲା ନାହିଁ । ଶେଷରେ ସେ ଭାରତ ଛାଡ଼ି କାବୁଲ ଫେରିଯିବାକୁ ବାଧ୍ୟ ହେଲେ ।

 

ସାହାବୁଦ୍ଦିନଙ୍କର ଏହି ପରାଜୟ ଫଳରେ ପୃଥ୍ୱୀରାଜଙ୍କ ବୀରତ୍ୱର ପ୍ରଶଂସା ଓ ଖ୍ୟାତି ଚତୁର୍ଦ୍ଦିଗରେ ଦାବାନଳ ପରି ବ୍ୟାପିଗଲା । ବିଜୟ-ଉଲ୍ଲାସରେ ପୃଥ୍ୱୀରାଜ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ରାଜ୍ୟର ଶାସନସଂସ୍କାର ଦିଗରେ ମନଧ୍ୟାନ ଦେଲେ । ପ୍ରଜାସାଧାରଣଙ୍କ ସୁଖସମୃଦ୍ଧି ଓ ଶାସନର ସୁପରିଚାଳନା ପାଇଁ ନୂତନ ଯୋଗ୍ୟ ରାଜକର୍ମଚାରୀମାନେ ନିଯୁକ୍ତ ହେଲେ ଏବଂ ମନ୍ତ୍ରୀମଣ୍ଡଳରେ ମଧ୍ୟ କେତେକ ପରିବର୍ତ୍ତନ କରାଗଲା । ଏଥିରେ କତିପୟ ରାଜକର୍ମଚାରୀଙ୍କ ସ୍ୱାର୍ଥ କ୍ଷୁଣ୍ଣ ହେବାରୁ ସେମାନେ ଅସହିଷ୍ଣୁ ହୋଇଉଠିଲେ ଏବଂ କାନ୍ୟକୁବ୍‍ଜର ରାଜା ଜୟଚନ୍ଦ୍ରଙ୍କ ସଙ୍ଗେ ପୃଥ୍ୱୀରାଜଙ୍କ ବିରୁଦ୍ଧରେ ଗୋପନ ଷଡ଼ଯନ୍ତ୍ର ଆରମ୍ଭ କଲେ ।

 

ଜୟଚନ୍ଦ୍ର ଏହିଭଳି ଏକ ସୁଯୋଗର ଅପେକ୍ଷାରେ ଥିଲେ । ତେଣୁ ଦିଲ୍ଲୀ ଦରବାରର ପଦଚ୍ୟୁତ ରାଜକର୍ମଚାରୀମାନଙ୍କ ସଙ୍ଗେ ଷଡ଼ଯନ୍ତ୍ରରେ ଯୋଗଦେବାକୁ ସେ ତିଳେହେଲେ ପଶ୍ଚାତ୍‍ପଦ ହେଲେ ନାହିଁ । ଅଧିକନ୍ତୁ ପୃଥ୍ୱୀରାଜଙ୍କ ବିରୁଦ୍ଧରେ ଆକ୍ରମଣ କରିବାକୁ ସାହାବୁଦ୍ଦିନଙ୍କ ନିକଟକୁ ସ୍ୱତନ୍ତ୍ର ଦୂତହସ୍ତରେ ପତ୍ର ପ୍ରେରଣ କଲେ । ପୂର୍ବ ପରାଜୟର ପ୍ରତିଶୋଧ ନେବାପାଇଁ ସାହାବୁଦ୍ଦିନ୍ ଅବିଳମ୍ୱେ ଦିଲ୍ଲୀ ଅଭିଯାନରେ ପୁଣି ବାହାରି ପଡ଼ିଲେ ।

 

ପଞ୍ଜାବ ସେତେବେଳେ ଦିଲ୍ଲୀର ଏକ ସୀମାନ୍ତ ଅଞ୍ଚଳରୂପେ ବିବେଚିତ ହେଉଥିଲା । ବର୍ଣ୍ଣିତ ସମୟରେ ଚଣ୍ଡପୁଣ୍ଡୀର ନାମରେ ଜଣେ ରାଜପୁତ ସର୍ଦ୍ଦାର ସେଠାରେ ଶାସନକର୍ତ୍ତା ଥିଲେ । ସେ ସାହାବୁଦ୍ଦିନ୍‍ଙ୍କ ଆକ୍ରମଣର ସନ୍ଧାନ ପାଇ ସଙ୍ଗେ ସଙ୍ଗେ ଉକ୍ତ ସମ୍ୱାଦ ପୃଥ୍ୱୀରାଜଙ୍କ ନିକଟକୁ ଦୂତଯୋଗେ ପଠାଇଦେଲେ ଏବଂ ନିଜେ ମଧ୍ୟ ଶତ୍ରୁ-ଆକ୍ରମଣର ଆଶୁ ପ୍ରତିରୋଧ ପାଇଁ ପ୍ରସ୍ତୁତ ହୋଇ ରହିଲେ ।

 

ଦୂତମୁଖରୁ ଆକ୍ରମଣର ସମ୍ୱାଦ ପାଇବାମାତ୍ରେ ପୃଥ୍ୱୀରାଜ ସ୍ୱୀୟ ଭଗିନୀପତି ଚିତୋରର ରାଣା ସଂଗ୍ରାମ ସିଂହଙ୍କୁ ସାହାଯ୍ୟ ପାଇଁ ଅନୁରୋଧପତ୍ର ଲେଖି ନିଜେ ସୀମାନ୍ତ ଅଭିମୁଖରେ ଯାତ୍ରା କଲେ । ସେଠାରେ ଉପସ୍ଥିତ ହୋଇ ସେ ଶୁଣିଲେ ଯେ, ସାହାବୁଦ୍ଦିନ୍ ସୀମାନ୍ତର ପାଞ୍ଚକ୍ରୋଶ ଦୂରରେ ଶିବିର ସ୍ଥାପନ କରିଛନ୍ତି । ତାଙ୍କ ସୈନ୍ୟସମାବେଶ ସମ୍ପର୍କରେ ସମସ୍ତ ଗୁପ୍ତତଥ୍ୟ ସଂଗ୍ରହ କରି ପୃଥ୍ୱୀରାଜ ନିଜ ସୈନ୍ୟବାହିନୀଙ୍କୁ ଯୁଦ୍ଧ ପାଇଁ ସଜ୍ଜିତ କରିବାରେ ଲାଗିଲେ । ଏହି ସମୟରେ ରାଣା ସଂଗ୍ରାମ ସିଂହ ମଧ୍ୟ ନିଜ ସୈନ୍ୟସାମନ୍ତ ଘେନି ପୃଥ୍ୱୀରାଜଙ୍କ ସଙ୍ଗେ ଯୋଗ ଦେଲେ ।

 

ଚୌହାନ୍ ବଂଶର ସର୍ଦ୍ଦାରମାନଙ୍କ ସହିତ ଯେଉଁ ରାଜପୁତ ସର୍ଦ୍ଦାରମାନେ ସେଠାରେ ସମବେତ ହୋଇଥିଲେ, ସମସ୍ତଙ୍କ ପରାମର୍ଶକ୍ରମେ ରାଣା ସଂଗ୍ରାମ ସିଂହଙ୍କୁ ସେନାପତି ପଦରେ ବରଣ କରାଗଲା । ଦେଶ ଓ ଜାତିର ସ୍ୱାଧୀନତା ରକ୍ଷା ନାମରେ ପ୍ରତ୍ୟେକ ସର୍ଦ୍ଦାର ଓ ପ୍ରତ୍ୟେକ ସୈନିକ ନିଜନିଜର ରକ୍ତରେ ଯୁଦ୍ଧ ପାଇଁ ଶପଥ ଗ୍ରହଣ କଲେ ।

 

ପରଦିନ ପ୍ରଭାତରୁ ଉଭୟ ପକ୍ଷ ମଧ୍ୟରେ ତୁମୂଳ ଯୁଦ୍ଧ ଆରମ୍ଭ ହୋଇଗଲା । ରାଣା ସଂଗ୍ରାମ ଶତ୍ରୁସୈନ୍ୟଙ୍କୁ ପରାଜିତ କରିବା ଉଦ୍ଦେଶ୍ୟରେ ନିଜ ସୈନ୍ୟମାନଙ୍କୁ ଶ୍ୟେନପକ୍ଷୀ ଆକାରରେ ସଜ୍ଜିତ କରି ଏକ ଶ୍ୟେନବ୍ୟୂହ ରଚନା କଲେ । ଏ ପ୍ରକାର ବ୍ୟୂହରଚନା ଓ ବ୍ୟୂହଯୁଦ୍ଧରେ ସେତେବେଳେ ରାଣା ସଂଗ୍ରାମ ଭାରତରେ ଅଦ୍ୱିତୀୟ ଥିଲେ । ବ୍ୟୂହର ଚଞ୍ଚୁ ଓ ଦୁଇ ପକ୍ଷଦେଶରେ ପ୍ରବଳପରାକ୍ରାନ୍ତ ରାଜପୁତ ସର୍ଦ୍ଦାରମାନଙ୍କୁ ନିଯୁକ୍ତ କରାଗଲା । ଫଳରେ ସମଗ୍ର ଦିବସ ପ୍ରାଣମୂର୍ଚ୍ଛା ସଂଗ୍ରାମ କରି ସୁଦ୍ଧା ସାହାବୁଦ୍ଦିନ୍ କୌଣସିମତେ ବ୍ୟୂହ ଭେଦ କରିପାରିଲେ ନାହିଁ-। କ୍ରମେ ସନ୍ଧ୍ୟା ଉପସ୍ଥିତ ହେବାରୁ ସେ ଦିନର ଯୁଦ୍ଧ ବନ୍ଦ ହେଲା ।

 

ଦ୍ୱିତୀୟ ଦିନ ପ୍ରଭାତରୁ ଦୁଇ ପକ୍ଷ ମଧ୍ୟରେ ପୁନର୍ବାର ଯୁଦ୍ଧ ଆରମ୍ଭ ହେଲା । ଏ ଦିନ ମଧ୍ୟ କୌଣସି ପକ୍ଷର ଜୟ ପରାଜୟ ଘଟିଲା ନାହିଁ । ତୃତୀୟ ଦିନ ନିଜେ ସାହାବୁଦ୍ଦିନ୍ ସେନାପତିବେଶରେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ଯୁଦ୍ଧରେ ଉଭୟ ପକ୍ଷର ହତାହତଙ୍କ ସଂଖ୍ୟା ଦୃଷ୍ଟିରୁ ଏ ଦିନର ଦୃଶ୍ୟ ଅତି ଭୟାବହ ବିବେଚିତ ହେଲା । ପୃଥ୍ୱୀରାଜ ଓ ସାହାବୁଦ୍ଦିନ୍ ପରସ୍ପର ସମ୍ମୁଖୀନ ହୋଇ ଦୁଇଟି ମତ୍ତ ଦନ୍ତାବଳ ସଦୃଶ ଯୁଦ୍ଧରେ ବ୍ୟାପୃତ ହେଲେ । କିନ୍ତୁ ପରିଶେଷରେ ଚାମୁଣ୍ଡ ରାୟ ନାମରେ ଜଣେ ରାଜପୁତସର୍ଦାର ହସ୍ତରେ ସାହାବୁଦ୍ଦିନ୍ ବନ୍ଦୀ ହୋଇ ଦିଲ୍ଲୀ କାରାଗାରକୁ ପ୍ରେରିତ ହେଲେ ।

 

ସାହାବୁଦ୍ଦିନ୍‍ଙ୍କ ସେନାପତି ତାତାର ଖାଁ ସ୍ୱପକ୍ଷର ପଳାତକ ସୈନ୍ୟଦଳ ସହ ଶିବିରରେ ଆତ୍ମଗୋପନ କରି ନିଜ ପ୍ରଭୁଙ୍କ ମୁକ୍ତି ପାଇଁ ଦିଲ୍ଲୀକୁ ଦୂତ ପ୍ରେରଣ କଲେ । ପୃଥ୍ୱୀରାଜ ସାହାବୁଦ୍ଦିନ୍‍ଙ୍କୁ ମୁକ୍ତି ଦେବାପାଇଁ ପ୍ରଥମେ ସମ୍ମତ ହୋଇ ନ ଥିଲେ; କିନ୍ତୁ ତାତାର ଖାଁଙ୍କ ବାରମ୍ୱାର କାକୁତିମିନତି ଫଳରେ ସେ ଶେଷକୁ ମତ ପରିବର୍ତ୍ତନ କଲେ ।

 

ଦିଲ୍ଲୀ କାରାଗାରରେ ଏକମାସ ତିନି ଦିନ ବନ୍ଦୀ ରହିବା ପରେ ସାହାବୁଦ୍ଦିନ୍ ମୁକ୍ତିଲାଭ କଲେ । ଏଥିପାଇଁ କେତୋଟି ଆରବୀ ଅଶ୍ୱ, ଷାଠିଏଟି ହସ୍ତୀ, ସିରାଜ କପଡ଼ାରେ ପ୍ରସ୍ତୁତ କେତୋଟି ଦରି ଓ ଅଜସ୍ର ଅର୍ଥ ତାଙ୍କୁ ଦଣ୍ଡସ୍ୱରୂପ ଦେବାକୁ ହେଲା ।

 

ଏହି ଶୋଚନୀୟ ପରାଜୟରେ ବିପୁଳ ଧନଜନ କ୍ଷତି ସ୍ୱୀକାର କରି ଏବଂ ନିନ୍ଦା ଓ ଅପମାନରେ ମ୍ରିୟମାଣ ହୋଇ ସାହାବୁଦ୍ଦିନ୍ ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ କାବୁଲରେ ନୀରବଭାବରେ କାଳଯାପନ କଲେହେଁ ଭାରତ ଆକ୍ରମଣର ସ୍ୱପ୍ନ ଛାଡ଼ିପାରି ନ ଥିଲେ । ଏଥିମଧ୍ୟରେ ଗୁଜୁରାଟର ରାଜା ଭୀମଦେବ ଓ କାନ୍ୟକୁବ୍‍ଜର ରାଜା ଜୟଚନ୍ଦ୍ରଙ୍କ ସଙ୍ଗେ ଯୁଦ୍ଧରେ ଲିପ୍ତ ରହିବା ଯୋଗୁଁ ପୃଥ୍ୱୀରାଜଙ୍କର ପ୍ରଭୂତ ଶକ୍ତିକ୍ଷୟ ଘଟିଥିଲା । ଏହି ଅବସ୍ଥାର ସୁଯୋଗ ନେଇ ସାହାବୁଦ୍ଦିନ୍ ଭାରତ ବିରୁଦ୍ଧରେ ନିଜର ଶେଷ ଅଭିଯାନ ପାଇଁ କୃତସଂକଳ୍ପ ହେଲେ । ସେ ତିରିଶ ହଜାର ସୈନ୍ୟ ଘେନି ଆକସ୍ମିକଭାବରେ ଭାରତ ସୀମାରେ ଉପସ୍ଥିତ ହେଲେ ସେତେବେଳେ ହାଡ଼ୁଲି ରାୟ ନାମରେ ଜେଣ ବିଚକ୍ଷଣ ବୀର ଦିଲ୍ଲୀର ସେନାପତି ପଦରେ ପ୍ରତିଷ୍ଠିତ ଥିଲେ । ଶାସନସଂକ୍ରାନ୍ତ କେତେକ ବ୍ୟାପାରରେ ପୃଥ୍ୱୀରାଜଙ୍କ ସଙ୍ଗେ ତାଙ୍କର ମତଭେଦ ଘଟିବାରୁ ସେ ସାହାବୁଦ୍ଦିନଙ୍କ ସଙ୍ଗେ ଯୋଗଦେଲେ । ଏ ସମ୍ୱାଦ ଦିଲ୍ଲୀ, କାନ୍ୟକୁବ୍‍ଜ ଓ ରାଜପୁତାନାର ଚତୁର୍ଦ୍ଦିଗରେ ବ୍ୟାପିଯିବାମାତ୍ରେ ଜନସାଧାରଣ ପ୍ରମାଦ ଗଣନା କଲେ ଏବଂ ଏଥର ଯେ ଦିଲ୍ଲୀର ପତନ ଘଟିବ, ଏଥିରେ କାହାରି ସନ୍ଦେହ ରହିଲା ନାହିଁ ।

 

ସାହାବୁଦ୍ଦିନଙ୍କ ଏ ତୃତୀୟ ଆକ୍ରମଣର ସମ୍ୱାଦ ପାଇ ରାଣା ସଂଗ୍ରାମ ସିଂହ ଅଗଣିତ ସୈନ୍ୟସାମନ୍ତ ସହ ଯଥାସମୟରେ ଦିଲ୍ଲୀରେ ଉପଗତ ହେଲେ । ତେଣୁ ଜୟଚନ୍ଦ୍ର ମଧ୍ୟ ନିଜର ସୈନ୍ୟସାମନ୍ତ ଘେନି ସାହାବୁଦ୍ଦିନଙ୍କ ସଙ୍ଗେ ଯୋଗଦେଲେ । ଦିନେ ପୃଥ୍ୱୀରାଜଙ୍କ ଚୌହାନବାହିନୀରେ ମହାପରାକ୍ରମୀ ଚଉଷଠିଟି ସର୍ଦ୍ଦାର ଥିଲେ । ବର୍ତ୍ତମାନ କିନ୍ତୁ ସେମାନଙ୍କମଧ୍ୟରୁ ତିନି ଜଣ ମାତ୍ର ଅବଶିଷ୍ଟ ଅଛନ୍ତି । ତଥାପି ସାହସ ନ ହରାଇ ସେମାନଙ୍କ ନେତୃତ୍ୱରେ ଚୌହାନବାହିନୀକୁ ଯୁଦ୍ଧପାଇଁ ପ୍ରସ୍ତୁତ ହେବାକୁ ପଡ଼ିଲା ।

 

ସାହାବୁଦ୍ଦିନ୍ ପୂର୍ବରୁ ଯୁଦ୍ଧପାଇଁ ସମସ୍ତପ୍ରକାର ପ୍ରସ୍ତୁତି ଶେଷକରି ଆସିଥିଲେ । ସେ ଦିଲ୍ଲୀର ଚୌହାନବାହିନୀକୁ ପ୍ରସ୍ତୁତି ପାଇଁ ଅଧିକ ସମୟ ନ ଦେଇ ହଠାତ୍ ଆକ୍ରମଣ ଆରମ୍ଭ କରିଦେଲେ । ଦୀପଶିଖା ନିର୍ବାଣୋନ୍ମୁଖ ହେବା ସମୟରେ ଅଧିକ ତେଜରେ ପ୍ରଜ୍ଜ୍ୱଳିତ ହେଲାପରି ଚୌହାନବାହିନୀ ଯୁଦ୍ଧକ୍ଷେତ୍ରରେ ଯେଉଁ ଅମିତବିକ୍ରମ ଓ ରଣକୌଶଳ ଦେଖାଇଲେ, ସେଥିରେ ଯବନବାହିନୀ ଅତୀତର ପରାଜୟ କଥା ସ୍ମରଣ କରି ଆତଙ୍କିତ ହୋଇଉଠିଲେ ଏବଂ ବହୁ କ୍ଷତି ସ୍ୱୀକାର କରି ପ୍ରଥମ ଦିନର ଯୁଦ୍ଧ ବିଭୀଷିକାରୁ କୌଣସିମତେ ଆତ୍ମରକ୍ଷା କଲେ । ସନ୍ଧ୍ୟାଗମରେ ଏଣେ ଚୌହାନ ଶିବିରରେ ଦେଖାଗଲା ଯେ, ପ୍ରାୟ ଅର୍ଦ୍ଧାଧିକ ସୈନ୍ୟ ସେ ଦିନର ଯୁଦ୍ଧରେ ପ୍ରାଣ ବିସର୍ଜନ କରିଛନ୍ତି ।

 

ଦ୍ୱିତୀୟ ଦିନର ଯୁଦ୍ଧ ଅତି ଭୀଷଣ ଆକାର ଧାରଣ କଲା ଏବଂ ସହସ୍ର ସହସ୍ର ଯବନ ଓ ରାଠୋରସେନା ଧରାଶାୟୀ ହେଲେ । ତଥାପି ହତୋତ୍ସାହ ନ ହୋଇ ଘୋରୀ ସେନାପତି ତାତାର ଖାଁ ରାଣା ସଂଗ୍ରାମଙ୍କ ସହିତ ଯୁଦ୍ଧରେ ଲିପ୍ତ ହେଲେ ଏବଂ ଦୈବକ୍ରମେ ସୁବିଧା ପାଇ ତାଙ୍କ ପୃଷ୍ଠଦେଶରେ ଅସ୍ତ୍ରାଘାତ କଲେ । ଏଇ ଦାରୁଣ ଆଘାତରେ ସଙ୍ଗେ ସଙ୍ଗେ ରାଣା ଧରାଶାୟୀ ହେଲେ । ସେନାପତିଙ୍କ ପତନରେ ହିନ୍ଦୁସେନାଙ୍କ ଭିତରେ ହାହାକାର ପଡ଼ିଗଲା । ପୃଥ୍ୱୀରାଜ ଏ ଘଟନାରେ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ । ଏହିରୂପେ ଦ୍ୱିତୀୟ ଦିନର ଯୁଦ୍ଧ ଶେଷ ହେଲା ।

 

ତୃତୀୟ ଦିନ ପୁଣି ପୂର୍ବପରି ରଣତାଣ୍ଡବ ଆରମ୍ଭ ହେଲା । ଦେଶଦ୍ରୋହୀ ହାଡ଼ୁଲି ରାୟ ଓ ଜୟଚନ୍ଦ୍ରଙ୍କୁ ଯୁଦ୍ଧଭୂମିରେ ଦେଖି ପୃଥ୍ୱୀରାଜ ସିଂହ ପରି ଗର୍ଜିଉଠିଲେ ଏବଂ ସର୍ଦ୍ଦାର ଚାମୁଣ୍ଡ ରାୟଙ୍କ ସହିତ ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଶରାଘାତରେ ହାଡ଼ୁଲି ରାୟଙ୍କ ବକ୍ଷ ବିଦୀର୍ଣ୍ଣ ହୋଇଗଲା ଏବଂ ଚାହୁଁ ଚାହୁଁ ସେ ଯୁଦ୍ଧଭୂମିରେ ଢଳିପଡ଼ିଲେ, କିନ୍ତୁ ତା ଆଗରୁ ତାଙ୍କ ତରବାରୀ-ଆଘାତରେ ଚାମୁଣ୍ଡ ରାୟଙ୍କ ମସ୍ତକ ସ୍କନ୍ଧଚ୍ୟୁତ ହୋଇସାରିଥିଲା । ପୃଥ୍ୱୀରାଜ ଓ ସାହାବୁଦ୍ଦିନ୍ ଦୁହେଁ ହସ୍ତୀଉପରେ ଚଢ଼ି ପରସ୍ପର ଯୁଦ୍ଧ କରୁଥାନ୍ତି । ଉଭୟ ପକ୍ଷର ସୈନ୍ୟବଳ କ୍ରମେ କ୍ଷୀଣ ହୋଇଆସୁଥାଏ । ଏ ସମୟରେ ଜଣେ ହିନ୍ଦୁ ସୈନିକ ସାହାବୁଦ୍ଦିନଙ୍କ ହସ୍ତୀର ଏବଂ ଜଣେ ମୁସଲମାନ ସୈନିକ ପୃଥ୍ୱୀରାଜଙ୍କ ହସ୍ତୀର ଶୁଣ୍ଢ କାଟିଦେବାରୁ ସେ ଦୁଇଟି ଯୁଦ୍ଧକ୍ଷେତ୍ରରେ ଟଳିପଡ଼ିଲେ ।

 

ଏହାପରେ ଯାନବାହନ ଶୂନ୍ୟହୋଇ ଦୁଇ ପଦାତିତ ସୈନ୍ୟ ଭଳି ଦୁହେଁ ଧନୁ ଧରି ସଂଗ୍ରାମରେ ମାତିଲେ । ସବ୍ୟସାଚୀ ଅର୍ଜୁନଙ୍କ ପରି ପୃଥ୍ୱୀରାଜ ଏଭଳି ଯୁଦ୍ଧରେ ସେ ଯୁଗରେ ଅତି ଧୂରନ୍ଧର ଥିଲେ; କିନ୍ତୁ କ୍ରୋଧାନ୍ଧ ହୋଇ ସାହାବୁଦ୍ଦିନଙ୍କ ଉଦ୍ଦେଶ୍ୟରେ ଧନୁରେ ସେ ଶର ସନ୍ଧାନ କଲାବେଳେ ଗୁଣକୁ ଆକର୍ଣ୍ଣ ଟାଣିଆଣିବା ଫଳରେ ଦୁର୍ଭାଗ୍ୟବଶତଃ ଧନୁଟି ଭାଙ୍ଗିଗଲା । ତଥାପି ଏଥିରେ ଧୈର୍ଯ୍ୟ ନ ହରାଇ ତରବାରୀ ଘେନି ସେ ପୁଣି ଶତ୍ରୁସୈନ୍ୟଙ୍କୁ ନିପାତ କରିକରି ସାହାବୁଦ୍ଦିନଙ୍କ ଆଡ଼କୁ ଅଗ୍ରସର ହେଲେ ଏବଂ ଚାହୁଁ ଚାହୁଁ ଯବନସୈନ୍ୟଙ୍କ ବ୍ୟୂହ ଭିତରକୁ ପଶିଗଲେ । ଏତକିବେଳେ ସାହାବୁଦ୍ଦିନଙ୍କର ଜଣେ ସେନାପତି ତାଙ୍କୁ ତରବାରୀରେ ଆଘାତ କଲା-। ସେହି ଆଘାତରେ ସେ ଗୁରୁତର ଭାବରେ ଆହତ ହୋଇ ଭୂତଳଶାୟୀ ହେଲେ ।

 

ସ୍ୱାଧୀନ ଭାରତର ଶେଷ ଦୀପଶିଖା ଏହିରୂପେ କ୍ରୁର ନିୟତିର ଫୁତ୍କାରରେ ନିର୍ବାପିତ ହୋଇଗଲା । ଜୟଚନ୍ଦ୍ର ଏହି ଘଟନାରେ ସାହାବୁଦ୍ଦିନଙ୍କ ସଙ୍ଗେ କଣ୍ଠ ମିଳାଇ ହର୍ଷରୋଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ । ଦିଲ୍ଲୀ, ଆଜମିର, ଗୁଜୁରାଟ ଓ ରାଜପୁତାନା ଆଦି ଉତ୍ତର-ଭାରତର ବଡ଼ ବଡ଼ ରାଜ୍ୟର ବୀରମାନେ ଦେଶ ଓ ଜାତିର ସ୍ୱାଧୀନତା ରକ୍ଷାପାଇଁ ଏହି ଯୁଦ୍ଧରେ ପ୍ରାଣ ଦେଇ ବୀରଧାମ ଲାଭକଲେ ସତ୍ୟ କିନ୍ତୁ ସେମାନଙ୍କ ଉତ୍ତରପୁରୁଷଗଣ ଯେଉଁ ରତ୍ନ ହରାଇଲେ, ତାହାର ଅଭାବରେ ଦୀର୍ଘ ଏକ ସହସ୍ର ବର୍ଷ ଏ ଦେଶ ଓ ଜାତିର ଭବିଷ୍ୟତକୁ ଅକଥନୀୟ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଲା ।

Image

 

ସ୍ୱଦେଶବତ୍ସଳ ହାମୀର

 

ବିଜାତୀୟମାନଙ୍କ ଆକ୍ରମଣରେ ଭାରତର ବହୁ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ଓ ବିଲୁଣ୍ଠିତ ହୋଇ ପରାଧୀନତା-ପାଶରେ ଆବଦ୍ଧ ହୋଇଥିଲେ ସୁଦ୍ଧା ଚିତୋର ଅନେକ ଦିନ ପର୍ଯ୍ୟନ୍ତ ସ୍ୱାଧୀନତାର ସ୍ୱର୍ଣ୍ଣ-ବୈଜୟନ୍ତୀ ଉଡ଼ାଇ ନିଜର ପୂର୍ବଗୌରବ ରକ୍ଷାକରି ପାରିଥିଲା । କିନ୍ତୁ ଦିଲ୍ଲୀର ପଠାଣସମ୍ରାଟ ଆଲ୍ଲାଉଦ୍ଦିନ୍ ଯେଉଁଦିନ ତାଙ୍କର ଲୋଲୁପଦୃଷ୍ଟି ଏ ରାଜ୍ୟ ଉପରେ ପକାଇଲେ, ସେହି ଦିନ ତାର ଭାଗ୍ୟାକାଶରେ ସତେ ଯେପରି ଗୋଟାଏ ଧୂମକେତୁର ଉଦୟ ଘଟିଲା । ରାଣା ଲକ୍ଷ୍ମଣ ସିଂହ ସେତେବେଳେ ସିଂହାସନରେ ଅଭିଷିକ୍ତ ହୋଇଥିଲେହେଁ ଅପ୍ରାପ୍ତବୟସ୍କ ହୋଇଥିବାରୁ ତାଙ୍କ ପିତୃବ୍ୟ ଭୀମ ସିଂହ ତାଙ୍କପାଇଁ ରାଜକାର୍ଯ୍ୟ ପରିଚାଳନା କରୁଥିଲେ । ସିଂହଳ-ରାଜକୁମାରୀ ପଦ୍ମିନୀଙ୍କୁ ସେ ବିବାହ କରିଥିଲେ । ଅପୂର୍ବ ରୂପଲାବଣ୍ୟ ଓ ଆଲୋକସାମାନ୍ୟ ଗୁଣାବଳୀ ଯୋଗୁଁ ପଦ୍ମିନୀ ଜନସାଧାରଣଙ୍କ ଚକ୍ଷୁରେ ଅଶେଷ ଭକ୍ତି ଓ ସମ୍ମାନର ପାତ୍ରୀ ହୋଇଥିଲେ ।

 

କୁସୁମର ସୌରଭ ପରି ରୂପର ଆଲୋକ ଲୋକଲୋଚନର ଅଗୋଚରରେ ଆଦୌ ରହିପାରେ ନାହିଁ । ଜନମୁଖରେ ପ୍ରଚାରିତ ହୋଇ କ୍ରମେ ପଦ୍ମିନୀଙ୍କ ଅପରୂପ ସୌନ୍ଦର୍ଯ୍ୟ କଥା ସୁଦୂର ଦିଲ୍ଲୀରେ ଆଲ୍ଲାଉଦ୍ଦିନ୍‍ଙ୍କ କର୍ଣ୍ଣଗୋଚର ହେଲା । ଚିତୋର ବିଜୟ-ବାସନା ଅପେକ୍ଷା ପଦ୍ମିନୀଙ୍କୁ ଲାଭକରିବାର ପିପାସା ତାଙ୍କର ଅଧିକତର ହୋଇଥିଲେହେଁ ପ୍ରଥମଟିର ଅଭାବରେ ଦ୍ୱିତୀୟଟି ଚରିତାର୍ଥ ହେବାର କୌଣସି ଆଶା ନ ଦେଖି ଶେଷରେ ସେ ଚିତୋରନଗରୀ ଆକ୍ରମଣ କଲେ । ଏହି ଆକ୍ରମଣର ବିଚିତ୍ର ବୃତ୍ତାନ୍ତ ମିବାର ଇତିହାସର ଏକ ଗୌରବମୟ ଅଧ୍ୟାୟ ।

 

ପଠାଣବାହିନୀ ବହୁ ଦିନ ପର୍ଯ୍ୟନ୍ତ ନଗରୀଟିକୁ ଅବରୋଧ କରିସୁଦ୍ଧା ବିଜୟର କୌଣସି ଆଶା ନ ଦେଖିବାରୁ ଶେଷରେ ଆଲ୍ଲାଉଦ୍ଦିନ୍ ଘୋଷଣା କଲେ ଯେ ପଦ୍ମିନୀଙ୍କୁ ପାଇଲେ କେବଳ ଚିତୋର ନୁହେଁ, ସଙ୍ଗେ ସଙ୍ଗେ ଭାରତଭୂମି ମଧ୍ୟ ପରିତ୍ୟାଗ କରି ସେ ସ୍ୱଦେଶକୁ ଫେରିଯିବେ ।

 

ଏ ଘୋଷଣା ଶେଷରେ ନିଷ୍ଫଳ ହେବାରୁ ଚକ୍ଷୁକର୍ଣ୍ଣର ବିବାଦଭଞ୍ଜନ ପାଇଁ ଆଲ୍ଲାଉଦ୍ଦିନ୍ ଥରେମାତ୍ର ପଦ୍ମିନୀଙ୍କ ପ୍ରତିବିମ୍ୱ ଦର୍ପଣରେ ଦେଖିଲେ ଅବରୋଧ ତ୍ୟାଗକରି ଫେରିଯିବେ ବୋଲି ପ୍ରଚାର କଲେ । ରାଜପୁତ ବୀରମାନଙ୍କର ବହୁ ବିରୋଧ ସତ୍ତ୍ୱେ ରାଣା ଭୀମ ସିଂହ ଏହି ଶେଷୋକ୍ତ ପ୍ରସ୍ତାବରେ ସମ୍ମତ ହେଲେ । ଦର୍ପଣରେ ପଦ୍ମିନୀଙ୍କ ପ୍ରତିବିମ୍ୱ ଦର୍ଶନ କରି ଆଲ୍ଲାଉଦ୍ଦିନ୍ ଫେରିଲାବେଳେ ରାଣା ଭୀମ ସିଂହ ଶିଷ୍ଟାଚାର ପ୍ରଦର୍ଶନ ପାଇଁ ଦୁର୍ଗରୁ ବାହାରି ତାଙ୍କ ସଙ୍ଗେ କିଛି ଦୂର ଆସିଲେ । ଏହି ସୁଯୋଗରେ ଦଳେ ଅଶ୍ୱାରୋହୀ ପଠାଣସେନା ଅତର୍କିତଭାବରେ ଆସି ତାଙ୍କୁ ଆକ୍ରମଣ କଲେ । ଏ ଘଟଣା ପଛେ ପଛେ ଆଲ୍ଲାଉଦ୍ଦିନ୍ ଘୋଷଣା କଲେ ଯେ, ପଦ୍ମିନୀଙ୍କୁ ନ ପାଇଲେ ସେ ରାଣା ଭୀମ ସିଂହଙ୍କୁ ମୁକ୍ତି ଦେବେନାହିଁ ।

 

ଏ ଘୃଣ୍ୟ ବିଶ୍ୱାସଘାତକତାରେ ସାରା ଚିତୋର ନଗରୀରେ ଚାଞ୍ଚଲ୍ୟର ଏକ ଉଚ୍ଛ୍ୱାସ ଖେଳିଗଲା । ରାଜପୁତ ବୀରମାନେ ଏଥିରେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ । ଲୋକମୁଖରୁ ପଦ୍ମିନୀ ଏ ପ୍ରସ୍ତାବ ଶୁଣିପାରି ଅତି ଅଳ୍ପ ସମୟମଧ୍ୟରେ ତାର ସମାଧାନ କରିଦେଲେ । ଅନ୍ୟ କେହି ଅନୁରୋଧ କରିବା ପୂର୍ବରୁ ସେ ପ୍ରକାଶ୍ୟରେ ଘୋଷଣା କଲେ ଯେ, ସ୍ୱାମୀଙ୍କ ମୁକ୍ତି ପାଇଁ ନିଜକୁ ଯବନହସ୍ତରେ ଅର୍ପଣ କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ ।

 

ଏ ଘୋଷଣାରେ ସମସ୍ତେ ବିସ୍ମିତ ହେଲେ ସତ୍ୟ, କିନ୍ତୁ ପଦ୍ମିନୀ କାହାରି କଥାପ୍ରତି ଭ୍ରୂକ୍ଷେପ ନ କରି ଗୋଟିଏ ନିଭୃତ କକ୍ଷରେ ଗୋରା ଓ ବାଦଲ ନାମକ ନିଜର ପିତୃରାଜ୍ୟବାସୀ ଦୁଇ ଜଣ ଆତ୍ମୀୟଙ୍କ ସଙ୍ଗେ ମନ୍ତ୍ରଣା କରିବାକୁ ଲାଗିଲେ ।

 

ଏହି ମନ୍ତ୍ରଣାର ତାତ୍ପର୍ଯ୍ୟ ଅନ୍ୟ କେହି ବୁଝିଲେ ନାହିଁ କିମ୍ୱା କଳ୍ପନା କରିପାରିଲେ ନାହିଁ । କାଳ ବିଳମ୍ୱ ନ କରି ଆଲ୍ଲାଉଦ୍ଦିନଙ୍କୁ ଜଣାଇ ଦିଆଗଲା ଯେ, ପଦ୍ମିନୀ ରାଜକୁମାରୀ ଓ ରାଜମହିଷୀ; ତେଣୁ ଯଥୋଚିତ ସମ୍ମାନ ସହ ସେ ଯବନଶିବିରରେ ପ୍ରବେଶ କରିବେ ଏବଂ ଅତି ଅନ୍ତରଙ୍ଗ ସହଚରୀମାନେ ତାଙ୍କ ସହିତ ଯାଇ ସଙ୍ଗିନୀରୂପେ ତାଙ୍କ ନିକଟରେ ରହିବେ ।

 

ଆଲ୍ଲାଉଦ୍ଦିନ୍ ଅତି ଆନନ୍ଦରେ ଏହି ପ୍ରସ୍ତାବରେ ସମ୍ମତ ହେଲେ ଏବଂ ଅବରୋଧକାରୀ ସୈନ୍ୟଙ୍କୁ ଉଠାଇଆଣିଲେ । ପ୍ରାୟ ସାତ ଶହ ଶିବିକା ପଟ୍ଟାବୃତ ହୋଇ ଯବନ ଶିବିରାଭିମୁଖରେ ପ୍ରେରିତ ହେଲା । ପ୍ରତ୍ୟେକ ଶିବିକରେ ଚିତୋରର ଜଣେ ଜଣେ ପ୍ରସିଦ୍ଧ ବୀର ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଅବସ୍ଥାନ କଲେ ଏବଂ ଗୁପ୍ତାସ୍ତ୍ରଧାରୀ ଅନ୍ୟ ଛଅ ଜଣ ଲେଖାଏଁ ଯୋଦ୍ଧା ବାହକ ବେଶରେ ସେଗୁଡ଼ିକୁ ବହନ କରି ନେଲେ ।

 

ସାତଶହ ଶିବିକା ଯବନଶିବିରରେ ଉପସ୍ଥିତ ହେଲା । ପଦ୍ମିନୀଙ୍କ ଅନୁରୋଧକ୍ରମେ ଭୀମ ସିଂହଙ୍କଠାରୁ ଶେଷ ବିଦାୟ ଆଣିବା ପାଇଁ ଆଲ୍ଲାଉଦ୍ଦିନ୍ ତାଙ୍କୁ ଅନୁମତି ଦେଲେ ।

 

ପଦ୍ମିନୀଙ୍କ ଶିବିକା ଭୀମ ସିଂହଙ୍କ ନିକଟରେ ଉପସ୍ଥିତ ହେବାମାତ୍ରେ ଛଦ୍ମବେଶୀ ରାଜପୁତ ବୀରମାନେ ତାଙ୍କୁ ଅନ୍ୟ ଗୋଟିଏ ଶିବିକାରେ ବସାଇ ଚିତୋର ଅଭିମୁଖରେ ଧାବମାନ ହେଲେ । ଏହା ପଛେ ପଛେ ଆଉ କେତେ ଖଣ୍ଡ ଶିବିକା ମଧ୍ୟ ତାଙ୍କର ଅନୁଗମନ କଲା ।

 

ବହୁସମୟ ପର୍ଯ୍ୟନ୍ତ ପଦ୍ମିନୀ ଭୀମ ସିଂହଙ୍କ ନିକଟରୁ ଫେରି ନ ଆସିବାରୁ ଆଲ୍ଲାଉଦ୍ଦିନ୍‍ଙ୍କ ମନରେ ସନ୍ଦେହ ଜାତ ହେଲା । ସେ ଶିବିରସ୍ଥ ଅବଶିଷ୍ଟ ଶିବିକାଗୁଡ଼ିକର ପଟ୍ଟାବରଣ ଉନ୍ମୋଚନ କରିବାକୁ ଆଦେଶ ଦେଲେ । ସେତେବେଳେ ଦେଖାଗଲା ଯେ, କୌଣସି ଶିବିକାରେ ଭୀମ ସିଂହ ନାହାନ୍ତି କି ପଦ୍ମିନୀ ନାହାନ୍ତି; ତାଙ୍କ ପରିବର୍ତ୍ତରେ ବହୁ ସଶସ୍ତ୍ର ଯୋଦ୍ଧା ଜଣ ଜଣ ହୋଇ ବୀରବିକ୍ରମରେ ଶିବିକାଗୁଡ଼ିକରୁ ବାହାରି ଆସୁଛନ୍ତି । ଚାହୁଁ ଚାହୁଁ ପଠାଣସେନା ଉପରେ ସେମାନେ ଆକ୍ରମଣ ଆରମ୍ଭ କରିଦେଲେ । ଉଭୟ ପକ୍ଷ ମଧ୍ୟରେ ତୁମୂଳ ଯୁଦ୍ଧ ଲାଗିଗଲା-

 

ଭୀମ ସିଂହ ଓ ପଦ୍ମିନୀଙ୍କୁ ଘେନି ଯେଉଁ ଶିବିକାଦ୍ୱୟ ଚିତୋର ଅଭିମୁଖରେ ଯାଉଥିଲା, ତାହାର ପଥରୋଧ କରିବା ପାଇଁ ଦଳେ ଯବନସେନା ଧାବିତ ହେଲେ; କିନ୍ତୁ ମାର୍ଗମଧ୍ୟରେ ବାଧା ପାଇ ରାଜପୁତ ବୀରମାନଙ୍କ ସହିତ ଘୋର ଯୁଦ୍ଧରେ ପ୍ରବୃତ୍ତ ହେଲେ । ଏହି ଅବସରରେ ଭୀମ ସିଂହ ଓ ପଦ୍ମିନୀ ବେଗଗାମୀ ଅଶ୍ୱପୃଷ୍ଠରେ ଆରୋହଣ କରି ଚିତୋର ଦୁର୍ଗରେ ପ୍ରବେଶ କଲେ । ଯବନସେନା ଦୁର୍ଗଦ୍ୱାର ପର୍ଯ୍ୟନ୍ତ ଅଗ୍ରସର ହେବାର ଦେଖି ଗୋରା ଓ ବାଦଲ ସିଂହ ବିକ୍ରମରେ ସେମାନଙ୍କର ସମ୍ମୁଖୀନ ହେଲେ । ଅଳ୍ପ ସମୟ ମଧ୍ୟରେ ଯବନସେନା ପରାସ୍ତ ହୋଇ ପଳାୟନ କଲେ । ଏଥର ନିରାଶ ହୋଇ ଆଲ୍ଲାଉଦ୍ଦିନ୍ ଚିତୋର ପରିତ୍ୟାଗ କରି ସ୍ୱ ରାଜ୍ୟକୁ ଫେରିଯିବା ପାଇଁ ବାଧ୍ୟ ହେଲେ ।

 

ଏ ଘଟନାର କେତେ ବର୍ଷ ପରେ ୧୩୦୩ ରେ ପୁଣି ସମୟ ଓ ସୁଯୋଗ ପାଇ ଆଲ୍ଲାଉଦ୍ଦିନ୍ ଚିତୋର ଆକ୍ରମଣ କଲେ । ପୂର୍ବ ଆକ୍ରମଣବେଳେ ଅଗଣିତ ରାଜପୁତ ବୀର ଯୁଦ୍ଧକ୍ଷେତ୍ରରେ ପ୍ରାଣ ଦେଇଥିଲେହେଁ ଯେଉଁମାନେ ଅବଶିଷ୍ଟ ଥିଲେ, ସେମାନେ ଅତୁଳବିକ୍ରମରେ ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହେଲେ । ନଗରୀର ଦକ୍ଷିଣପାର୍ଶ୍ୱସ୍ଥ ଏକ ପର୍ବତଶ୍ରେଣୀ ଅଧିକାର କରି ଯବନସେନା ସେଠାରୁ ଯେଉଁ ଆକ୍ରମଣ କଲେ, ସେଥିରେ ଚିତୋରର ରାଜପୁତ ବୀରମାନେ ଗୋଟି ଗୋଟି ହୋଇ ଧରାଶାୟୀ ହେଲେ । ଦୀର୍ଘକାଳପର୍ଯ୍ୟନ୍ତ ଯୁଦ୍ଧ ଚାଲିବାରୁ ଚିତୋର କ୍ରମେ ବୀରଶୂନ୍ୟ ହୋଇଆସିଲା । ରାଣା ଭୀମ ସିଂହଙ୍କ ପତନରେ ସତୀଶିରୋମଣି ପଦ୍ମିନୀ ସହଚରମାନଙ୍କ ସହିତ ସ୍ୱାମୀଙ୍କ ଚିତାନଳରେ ପ୍ରବେଶ କ ଲେ । ରାଣା ଲକ୍ଷ୍ମଣଙ୍କ ଦ୍ୱାଦଶ ପୁତ୍ର ମଧ୍ୟରୁ ଦ୍ୱିତୀୟ ଅଜୟ ସିଂହଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଜଣ ଜଣ ହୋଇ ଏହି ସର୍ବଗ୍ରାସୀ ଯୁଦ୍ଧରେ ଜୀବନ ଦେଲେ । ଶେଷରେ ରାଣା ଲକ୍ଷ୍ମଣ ମଧ୍ୟ ମାତୃଭୂମିର ସ୍ୱାଧିନତା ପାଇଁ ଯୁଦ୍ଧ ଯଜ୍ଞରେ ନିଜକୁ ପୂର୍ଣ୍ଣାହୁତି ପ୍ରଦାନ କରି ଅମର ଯଶ ଅର୍ଜନ କଲେ ।

 

ଏହିରୂପେ ଗୌରବମୟୀ ଚିତୋରନଗରୀର ପତନ ହେଲା ସତ୍ୟ, କିନ୍ତୁ ଆଲ୍ଲାଉଦ୍ଦିନ୍ ତନ୍ମଧ୍ୟରେ ପ୍ରବେଶ କରି ଦେଖିଲେ ଯେ ତାହା ଶ୍ମଶାନରେ ପରିଣତ ହୋଇଛି । ବିପୁଳ ଧନ ଜନ କ୍ଷୟ କରି ସେ ଯେଉଁ ବିଜୟ ଲାଭକଲେ, ତାହା ତାଙ୍କୁ ଅତି ଅସାର ବୋଧହେଲା । ଗଭୀର ନୈରାଶ୍ୟ ଓ ଦୁଃଖରେ ସେ ପୁତ୍ର ଖିଜିର ଖାଁଙ୍କୁ ବିଜିତ ଚିତୋରର ଶାସନକର୍ତ୍ତାରୂପେ ନିଯୁକ୍ତ କରି ରାଜଧାନୀ ଦିଲ୍ଲୀକୁ ପ୍ରତ୍ୟାଗମନ କଲେ ।

 

କିନ୍ତୁ ପରାଧୀନତାର ଏ ନାଗପାଶ ଚିତୋରକୁ ଚିରଦିନ ଆବଦ୍ଧ କରି ରଖିପାରିଲା ନାହିଁ । ରାଣା ଲକ୍ଷ୍ମଣଙ୍କ ଦ୍ୱିତୀୟ ପୁତ୍ର ଅଜୟ ସିଂହ ପିତାଙ୍କ ପରାମର୍ଶକ୍ରମେ ଯୁଦ୍ଧର ଶେଷ ପର୍ଯ୍ୟାୟରେ ଅଳ୍ପ କେତେକ ବିଶ୍ୱସ୍ତ ଅନୁଚରଙ୍କ ସହ ଶତ୍ରୁଶିବିର ଅତିକ୍ରମ କରି କୈଲବାରା ପ୍ରଦେଶକୁ ଚାଲିଯାଇଥିଲେ । ମିବାର ରାଜ୍ୟର ପୂର୍ବ ଦିଗରେ ଆରାବଳୀ ପର୍ବତମାଳାର ମଧ୍ୟଭାଗରେ ଏହି କ୍ଷୁଦ୍ର ଅଞ୍ଚଳଟି ବିଦ୍ୟମାନ । ସେଠାରେ ଅବସ୍ଥାନ କରି ପିତୃରାଜ୍ୟର ଉଦ୍ଧାରକଳ୍ପେ ସେ ଉଦ୍ୟମ ଆରମ୍ଭ କଲେ; କିନ୍ତୁ ସଫଳକାମ ହେବାରେ ନାନା ବାଧାବିଘ୍ନ ଉପସ୍ଥିତ ହେଲା । କୈଲବାରାର ଯେଉଁ ପାର୍ବତ୍ୟ ସର୍ଦ୍ଦାରମାନେ ଏ କାର୍ଯ୍ୟରେ ତାଙ୍କର ସହାୟକ ହୋଇଥାନ୍ତେ, ସେମାନଙ୍କ ସଙ୍ଗେ ଅନବରତ ସଂଘର୍ଷ ଲାଗିରହିବା ଫଳରେ ସେ ନିଜକୁ ବଡ଼ ଅସହାୟ ମନେକଲେ । ଏହି ଦୁଃସମୟରେ ଚିତୋର ଯୁଦ୍ଧରେ ନିହତ ତାଙ୍କ ଜ୍ୟେଷ୍ଠଭ୍ରାତା ଅରିସିଂହଙ୍କ ବୀରପୁତ୍ର ହାମୀର ଦେଖାଦେଲେ । ଯବନ ଆକ୍ରମଣରେ ଚିତୋରନଗରୀ ବିପର୍ଯ୍ୟସ୍ତ ହେଉଥିବାବେଳେ ସେ ମାତୁଳାଳୟରେ ଅବସ୍ଥାନ କରୁଥିଲେ । ସେତେବେଳେ ତାଙ୍କର ବୟସ ଦ୍ୱାଦଶ ବର୍ଷ ମାତ୍ର; ତେଣୁ ଯୁଦ୍ଧକ୍ଷେତ୍ରରେ ପିତା ଅରି ସିଂହଙ୍କର ପତନ ପରେ ସେ ମାତୃଭୂମିର ଗୌରବ ରକ୍ଷାପାଇଁ ବିଶେଷ କିଛି କରିପାରି ନ ଥିଲେ । ପିତୃବ୍ୟ ଅଜୟ ସିଂହଙ୍କ ସହିତ କୈଲବାରାରେ ମିଳିତହୋଇ ସେ ଦେଖିଲେ ଯେ, ପାର୍ବତୀୟ ସର୍ଦ୍ଦାରମାନେ ତାଙ୍କ ସଙ୍ଗେ ଘୋର ଶତ୍ରୁତାଚରଣ କରୁଛନ୍ତି ।

 

ଅଜୟ ସିଂହଙ୍କର ଦୁଇପୁତ୍ର ଥିଲେହେଁ ସେମାନେ ଏ ଦୁର୍ଦ୍ଧର୍ଷ ପାର୍ବତ୍ୟ ସର୍ଦ୍ଦାରମାନଙ୍କ ଦମନରେ ସମର୍ଥ ହେଉ ନ ଥାନ୍ତି । ଏଥିରେ ବିଚଳିତ ନ ହୋଇ ତରୁଣ ହାମୀର ସଙ୍ଗେ ସଙ୍ଗେ ଅସ୍ତ୍ର ଧାରଣ କଲେ ଏବଂ ପାର୍ବତ୍ୟ ସର୍ଦ୍ଦାରମାନଙ୍କୁ ଦମନ କରି ସେମାନଙ୍କ ନେତାର ଛିନ୍ନମସ୍ତକ ଆଣି ପିତୃବ୍ୟଙ୍କ ଚରଣତଳେ ଉପହାର ଦେଲେ । ଅଜୟ ସିଂହ ହାମୀରଙ୍କ ଏ ବୀରତ୍ୱ ଦର୍ଶନରେ ଏତେ ପ୍ରୀତ ହେଲେ ଯେ, ସଙ୍ଗେ ସଙ୍ଗେ ସେହି ଛିନ୍ନମସ୍ତକରୁ ରକ୍ତ ଆଣି ତାଙ୍କ ଲଲାଟରେ ରାଜଟୀକା ଲଗାଇଦେଲେ ଏବଂ ସିଂହାସନର ଉତ୍ତରାଧିକାର ତାଙ୍କ ହସ୍ତରେ ଅର୍ପଣ କଲେ ।

 

ଏହି ଘଟନାର ଅଳ୍ପ କେତେ ବର୍ଷ ପରେ ଅଜୟ ସିଂହଙ୍କର ପରଲୋକ ହେଲା । ହାମୀର କୈଲବାରା ସିଂହାସନ ଆରୋହଣ କଲାମାତ୍ରେ ପୈତୃକ ରାଜ୍ୟ ଚିତୋରର ଉଦ୍ଧାରସାଧନରେ ବ୍ରତୀ ହେଲେ । ସେତେବେଳେ ଦିଲ୍ଲୀ ସିଂହାସନର ବାହୁଛାୟାତଳେ ଏବଂ ଯବନସେନାର ବଳବିକ୍ରମ ସାହାଯ୍ୟରେ ମାଳଦେବ ମିବାରରେ ରାଜତ୍ୱ କରୁଥିଲେ । ହାମୀର ଦେଖିଲେ ଯେ, ସମ୍ମୁଖ ସମରରେ ଯବନ ସେନାର ବାହୁବଳକୁ ଖର୍ବକରି ମିବାର ରାଜ୍ୟର ଉଦ୍ଧାର ସାଧନ କରିବା ଅସମ୍ଭବ ନ ହେଲେହେଁ ଅତୀବ କଷ୍ଟକର । ତେଣୁ ସେ ନଗରମାନ ଆକ୍ରମଣ ନ କରି ପ୍ରଥମେ ଜନବସତିପୂର୍ଣ୍ଣ ଅଞ୍ଚଳମାନଙ୍କରେ ଅଗ୍ନିକାଣ୍ଡ ଓ ଲୁଣ୍ଠନ ଚଳାଇ ଜନସାଧାରଣଙ୍କ ଭିତରେ ବିଶୃଙ୍ଖଳା ସୃଷ୍ଟିକଲେ । ପରେ ଏକ ଘୋଷଣାରେ ସମସ୍ତଙ୍କୁ ଜଣାଇ ଦିଆଗଲା—ଯେଉଁମାନେ ହାମୀରଙ୍କ ପ୍ରଭୁତ୍ୱ ସ୍ୱୀକାର କରନ୍ତି, ସେମାନେ ମିବାରର ପୂର୍ବ ଓ ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ପାର୍ବତ୍ୟ କୈଲବାରା ଅଞ୍ଚଳରେ ତାଙ୍କ ଆଶ୍ରୟରେ ସପରିବାର ବାସକରନ୍ତୁ । ଏ ଆଦେଶ ଯେଉଁମାନେ ଅବଜ୍ଞା କରିବେ, ଭବିଷ୍ୟତରେ ସେମାନଙ୍କୁ ଘୋର ବିପଦର ସମ୍ମୁଖୀନ ହେବାକୁ ପଡ଼ିବ; କାରଣ ପିତୃରାଜ୍ୟର ଉଦ୍ଧାର ସାଧନ ପାଇଁ ହାମୀର ଦୃଢ଼ ପ୍ରତିଜ୍ଞା ।

 

ଏହି ଘୋଷଣାଫଳରେ ବିଶାଳ ମିବାର ରାଜ୍ୟର ଅଗଣିତ ନରନାରୀ ପୈତୃକ ବାସସ୍ଥାନ ଛାଡ଼ି ସେହି ପାର୍ବତ୍ୟ କୈଲବାରା ପ୍ରଦେଶରେ ବସତି ସ୍ଥାପନ କଲେ । ଚତୁର୍ଦ୍ଦିଗରେ ଗିରିମାଳାପରିବେଷ୍ଟିତ ହୋଇ ଏହା ଏକ ଦୁର୍ଗସଦୃଶ ଶତ୍ରୁର ଅଭେଦ୍ୟ ହୋଇଥାଏ । ଏହିଠାରେ ନବାଗତମାନଙ୍କ ଭିତରୁ ନୂତନ ସୈନ୍ୟ ସଂଗ୍ରହ କରି ହାମୀର ନିଜର ସାମରିକଶକ୍ତି ବୃଦ୍ଧିକଲେ ଏବଂ ମିବାର ଉପରେ ଚରମ ଅଭିଯାନପାଇଁ ପ୍ରସ୍ତୁତ ହେଲେ ।

 

ଏହି ସମୟରେ ଏକ ଅପ୍ରତ୍ୟାଶିତ ଘଟନା ଘଟିଲା । ମାଳଦେବଙ୍କ ନିର୍ଦେଶରେ ଚିତୋରରୁ ଜଣେ ରାଜଦୂତ ରାଜକୁମାରୀଙ୍କ ବିବାହ ପ୍ରସ୍ତାବ ଘେନି ହାମୀରଙ୍କ ନିକଟରେ କୈଲବାରାରେ ଉପସ୍ଥିତ ହେଲା । ଏହି ପ୍ରସ୍ତାବରେ ଅସମ୍ମତି ଜଣାଇବାପାଇଁ ପାତ୍ରମନ୍ତ୍ରୀମାନେ ଯେଉଁ ପରାମର୍ଶ ଦେଲେ, ହାମୀର ତାହା ଯୁକ୍ତିଯୁକ୍ତ ମନେକଲେ ନାହିଁ । ଏ ସମ୍ୱନ୍ଧ ବିଧିପ୍ରେରିତ ଓ ଏହା ଯୋଗେ ପୈତୃକ ରାଜ୍ୟର ଉଦ୍ଧାର ସାଧନ ସୁଗମ ହେବ ଯୁକ୍ତି ଦେଖାଇ ସେ ଏହି ପ୍ରସ୍ତାବଟି ଗ୍ରହଣ କଲେ ।

 

ଯଥାସମୟରେ ଶୁଭବିବାହ ସମ୍ପାଦିତ ହେଲା ଏବଂ ହାମୀରଙ୍କ ଅନୁରୋଧକ୍ରମେ ମାଳଦେବ ନିଜର ବିଶ୍ୱସ୍ତ ଓ ପ୍ରବୀଣ ରାଜକର୍ମଚାରୀ ‘ଜାଲ’ଙ୍କୁ ଯୌତୁକସ୍ୱରୂପ କନ୍ୟା ସହିତ କୈଲବାରାକୁ ପଠାଇଲେ । ଏହି ବିବାହର ଦୁଇବର୍ଷପରେ ହାମୀର ଗୋଟିଏ ପୁତ୍ରସନ୍ତାନ ଲାଭକଲେ । ମାଳଦେବ ଏଥିରେ ପ୍ରୀତ ହୋଇ ଦୌହିତ୍ରର ଜନ୍ମୋତ୍ସବ ଉପଲକ୍ଷରେ ନିଜ ଅଧିକୃତ ପାର୍ବତ୍ୟ ପ୍ରଦେଶ ଜାମାତାଙ୍କୁ ଯୌତୁକରୂପେ ପ୍ରଦାନ କଲେ । ଏହାଦ୍ୱାରା ହାମୀରଙ୍କର ଯଥେଷ୍ଟ ବଳ ବୃଦ୍ଧି ହେଲା । ଏହାର ଏକ ବର୍ଷ ପରେ କନ୍ୟା ଓ ଦୌହିତ୍ର ଉଭୟଙ୍କୁ ମାଳଦେବ ନିଜ ରାଜଧାନୀକୁ ଆମନ୍ତ୍ରଣ କରି ଆଣିଲେ ।

 

ଏତିକିବେଳେ ମାନ୍ଦେରିଆ ନାମକ ସ୍ଥାନରେ ଦଳେ ପ୍ରଜା ବିଦ୍ରୋହୀ ହୋଇ ଉଠିବାରୁ ମାଳଦେବ ସେମାନଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ସୈନ୍ୟସାମନ୍ତସହ ଅଗତ୍ୟା ରାଜଧାନୀ ତ୍ୟାଗକଲେ । ଏହି ଅବସରରେ ରାଜକୁମାରୀ ଚତୁର ରାଜକର୍ମଚାରୀ ଜାଲଙ୍କ ପରାମର୍ଶକ୍ରମେ ଚିତୋରବାସୀ ବହୁ ରାଜପୁତ ବୀରଙ୍କୁ ନିଜର ବଶୀଭୂତ କରିନେଲେ । ଏ ସମ୍ୱାଦ ପାଇଲାମାତ୍ରେ ହାମୀର କୈଲବାରାରୁ ସୈନ୍ୟସାମନ୍ତ ଘେନି ଅପ୍ରତ୍ୟାଶିତଭାବରେ ଚିତୋରରେ ଉପସ୍ଥିତ ହେଲେ ଏବଂ ନଗରୀକୁ ଅବରୋଧ କଲେ । ବିନା ଆୟାସରେ ଅବିଳମ୍ୱେ ଚିତୋର ତାଙ୍କର ହସ୍ତଗତ ହେଲା ଏବଂ ସେ ପୈତୃକ ସିଂହାସନରେ ଯଥାବିଧି ଆରୋହଣ କଲେ ।

 

ବିଦ୍ରୋହଦମନାନ୍ତେ ମାଳଦେବ ଚିତୋର ପ୍ରତ୍ୟାବର୍ତ୍ତନ କଲାବେଳେ ପଥରେ ଜାମାତା ହାମୀର ସିଂହାସନ ଅଧିକାର କରିଥିବା କଥା ଶୁଣିଲେ । ସେ ସଙ୍ଗେ ସଙ୍ଗେ ଆଶ୍ରୟଦାତା ଦିଲ୍ଲୀର ଖିଲିଜି ସମ୍ରାଟଙ୍କ ନିକଟକୁ ଏହି ଦୁଃସମ୍ୱାଦ ପଠାଇ ତାଙ୍କର ସାହାଯ୍ୟ ଭିକ୍ଷା କଲେ । ଆଲ୍ଲାଉଦ୍ଦିନ୍ ଖିଲିଜିଙ୍କ ପରଲୋକ ପରେ ତାଙ୍କ ପୁତ୍ର ଦିଲ୍ଲୀ ସିଂହାସନରେ ସେତେବେଳେ ରାଜପଣ କରୁଥାନ୍ତି । ସମ୍ୱାଦ ପାଇଲାମାତ୍ରେ ସେ ସୈନ୍ୟସାମନ୍ତ ଘେନି ଚିତୋର ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । କିନ୍ତୁ ସେ ଯେଉଁ ପଥ ଦେଇ ଆସିଲେ, ତାହା ଗିରିସଙ୍କୁଳ ହୋଇଥିବାରୁ ଯଥେଷ୍ଟ ବିଳମ୍ୱ ହେଲା । ହାମୀର ପୂର୍ବରୁ ଖିଲିଜି ସମ୍ରାଟଙ୍କର ଏ ଆକ୍ରମଣ ସମ୍ୱାଦ ପାଇ ଯୁଦ୍ଧପାଇଁ ପ୍ରସ୍ତୁତ ହୋଇ ରହିଲେ ।

 

ବହୁ ଦିନ ପରେ ଦିଲ୍ଲୀର ଯବନସେନା ଚିତୋର-ଉପକଣ୍ଠରେ ଉପସ୍ଥିତ ହେଲେ ଏବଂ ଶିଙ୍ଗୋଲି ନାମକ ସ୍ଥାନରେ ଶିବିର ସ୍ଥାପନ କଲେ । ଦୁର୍ଗମ ଗିରିପଥ ଅତିକ୍ରମ କରି ଆସିବାଫଳରେ ସେମାନେ ଶ୍ରାନ୍ତକ୍ଲାନ୍ତ ହୋଇପଡ଼ିଥାନ୍ତି । ହାମୀର କିନ୍ତୁ ସେମାନଙ୍କୁ ଅଧିକ ଦିନ ବିଶ୍ରାମ ପାଇଁ ସୁଯୋଗ ନ ଦେଇ ହଠାତ୍ ଆକ୍ରମଣ ଆରମ୍ଭ କରିଦେଲେ ।

 

ଉଭୟ ପକ୍ଷ ଭିତରେ ତୁମୂଳ ଯୁଦ୍ଧ ଆରମ୍ଭ ହେଲା । ମାଳଦେବଙ୍କ କନିଷ୍ଠ ପୁତ୍ର ହରି ସିଂହ ଯବନମାନଙ୍କ ପକ୍ଷ ନେଇ ହାମୀରଙ୍କ ବିରୁଦ୍ଧରେ ଘୋର ଯୁଦ୍ଧରେ ପ୍ରବୃତ୍ତ ହେଲେ; କିନ୍ତୁ ଅଳ୍ପ ସମୟ ମଧ୍ୟରେ ତାଙ୍କୁ ରଣକ୍ଷେତ୍ରରେ ପ୍ରାଣ ବଳି ଦେବାକୁ ପଡ଼ିଲା । ଉଭୟ ପକ୍ଷରୁ ଅଗଣିତ ସେନାକ୍ଷୟ ପରେ ଶେଷରେ ଖିଲିଜିସମ୍ରାଟ୍ ହାମୀରଙ୍କ ଅମିତବିକ୍ରମ ଓ ଅପୂର୍ବ ରଣକୌଶଳରେ ପରାଜୟ ସ୍ୱୀକାର କଲେ ଏବଂ ବନ୍ଦୀ ଅବସ୍ଥାରେ ଚିତୋର କାରାଗାରକୁ ଆନୀତ ହେଲେ । ଏହାପରେ ଯବନସେନା ଛତ୍ରଭଙ୍ଗ ଦେଇ ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ ।

 

ଏହିରୂପେ ଯୁଦ୍ଧର ଅବସାନ ହେଲା ଏବଂ ହାମୀର ପୈତୃକ ରାଜ୍ୟକୁ ଦିଲ୍ଲୀର ଅଧୀନତା-ପାଶରୁ ମୁକ୍ତକରି ପରମ ସନ୍ତୋଷ ଲାଭକଲେ, କିନ୍ତୁ ଖିଲିଜିସମ୍ରାଟଙ୍କ ବନ୍ଧନଦଶା ଘୁଞ୍ଚିଲା ନାହିଁ । ଦୀର୍ଘ ତିନି ମାସ କାଳ ସେ ଚିତୋରକାରାଗାରରେ ବନ୍ଦୀ ଅବସ୍ଥାରେ ଥାଇ ଯେତେବେଳେ ଦେଖିଲେ ଯେ ମୁକ୍ତିଲାଭର ଅନ୍ୟ କୌଣସି ଉପାୟ ନାହିଁ, ସେତେବେଳେ ବହୁ ଅନୁନୟ ବିନୟ କରି ହାମୀରଙ୍କ ହୃଦୟରେ ଦୟାର ସଞ୍ଚାର କରାଇଲେ । କୋରାନ୍ ଛୁଇଁ ସେ ଶପଥ କଲେ, ଯେତେଦିନପର୍ଯ୍ୟନ୍ତ ଜୀବିତ ଥିବେ, ସେତେଦିନଯାଏ ଚିତୋର ଆକ୍ରମଣ ତ ଦୂରର କଥା, ମିବାର ରାଜ୍ୟର କୌଣସି ଅଞ୍ଚଳରେ ସୁଦ୍ଧା ପଦାର୍ପଣ କରିବେ ନାହିଁ । ଏ ଶପଥ ଛଡ଼ା ଅଯାଚିତଭାବରେ ଆଜମିର, ରନ୍ଥନବୋର, ନାଗୋର ଓ ଶୁଯୋପୁର ରାଜ୍ୟ ଏବଂ ପଚାଶ ଲକ୍ଷ ଟଙ୍କା ଓ ଏକ ଶତ ହସ୍ତୀ ହାମୀରଙ୍କୁ ଅର୍ପଣ କରି ସେ ମୁକ୍ତି ଲାଭ କଲେ ।

 

ଏହିରୂପେ ଖିଲିଜି ସମ୍ରାଟଙ୍କୁ ସମ୍ପୂର୍ଣ୍ଣରୂପେ ପରାଜିତ କରି ମହାବୀର ହାମୀର ବୀରଭୂମି ମିବାରକୁ ସ୍ୱାଧୀନ କରିବା ଫଳରେ ସମଗ୍ର ରାଜସ୍ଥାନରେ ତାଙ୍କର ବିପୁଳ ଖ୍ୟାତି ବ୍ୟାପିଗଲା ।

Image

 

ମିବାର-ଗୌରବ ପ୍ରତାପ

 

ରାଜସ୍ଥାନ ଅନ୍ତର୍ଗତ ମିବାର ସେକାଳରେ ଏକ ଶକ୍ତିଶାଳୀ ରାଜ୍ୟ ଥିଲା । ଚିତୋର ଏହାର ରାଜଧାନୀ । କୌଳିକ ପରମ୍ପରାକ୍ରମେ ମିବାର ରାଜାମାନେ ରାଣା ଉପାଧି ଧାରଣ କରୁଥିଲେ । ଏହି ରାଣାମାନଙ୍କର ବୀରତ୍ୱପୂର୍ଣ୍ଣ ଯୁଦ୍ଧକାହାଣୀ ଓ ମାତୃଭୂମିର ସ୍ୱାଧୀନତା ରକ୍ଷା ପାଇଁ ଆତ୍ମବଳି କଥା ଭାବିଲେ ଏବେ ମଧ୍ୟ ଦେହ ରୋମାଞ୍ଚିତ ହୋଇ ଉଠେ ।

 

ଯେତେବେଳେ ରାଣା ଉଦୟ ସିଂହ ଏହି ପ୍ରସିଦ୍ଧ ଚିତୋର ରାଜସିଂହାସନରେ ଆରୋହଣ କଲେ, ସେହି ସମୟଠାରୁ ମିବାରର ଦୁର୍ଭାଗ୍ୟ ଆରମ୍ଭ ହେଲା । ସେ ଅତ୍ୟନ୍ତ ଦୁର୍ବଳଚେତା ଓ ବିଳାସୀ ଥିବାରୁ ଆକବର ଚିତୋର ଆକ୍ରମଣ କରି ସମଗ୍ର ମିବାର ରାଜ୍ୟକୁ ମୋଗଲ ସାମ୍ରାଜ୍ୟଭୁକ୍ତ କରିଥିଲେ । ଫଳରେ ଉଦୟ ସିଂହ ଆରାବଳୀ ପର୍ବତକୁ ସପରିବାର ପଳାୟନ କଲେ ଏବଂ ସେଠାରେ ଗୋଟିଏ ପ୍ରକାଣ୍ଡ ରାଜପ୍ରସାଦ ନିର୍ମାଣ କରାଇ ତହିଁରେ ମିବାରର ନାମକୁ ମାତ୍ର ରାଣାରୂପେ ଅବସ୍ଥାନ କଲେ ।

 

ପ୍ରତାପ ସିଂହ ଏହି ଉଦୟ ସିଂହଙ୍କର ଜ୍ୟେଷ୍ଠ ପୁତ୍ର । ସେ ଯେପରି ଗୁଣବାନ୍ ଓ ବିଦ୍ୱାନ, ସେହିପରି ବୀର ଓ ସାହସୀ ଥିଲେ । ତାଙ୍କର ଏକାଧିକ ଭ୍ରାତାଙ୍କ ମଧ୍ୟରେ ଶକ୍ତ ସିଂହ ଅତି ନିର୍ଭୀକ ଓ ତେଜୀୟାନ ଥିଲେ । ଉଦୟ ସିଂହ ଆରାବଳୀରେ ବସତି ସ୍ଥାପନ କରିବାର ବହୁ ପୂର୍ବରୁ ଥରେ ଚିତୋରର ରାଜଦରବାରରେ ବସି ହୀରକମୁକ୍ତାଖଚିତ ଗୋଟିଏ ଛୁରିକାର ଧାର ପରୀକ୍ଷା କରୁଥିଲେ । ଏଥିପାଇଁ ସେ ପୁଳାଏ କନା ଉପରେ ଛୁରିକାର ଚୋଟ ମାରି ତାହାର ଧାର ଅଛି କି ନାହିଁ, ଜାଣିବାକୁ ଚେଷ୍ଟା କଲେ । ବାଳକ ଶକ୍ତ ସେତେବେଳେ ସେଠାରେ ଉପସ୍ତିତ ଥାଆନ୍ତି । ପିତାଙ୍କର ଏହି ବାଳକୋଚିତ ବୁଦ୍ଧି ଦେଖି ସେ ହସିଉଠିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କ ହସ୍ତରୁ ଛୁରିକାଟି ଛଡ଼ାଇଆଣି କହିଲେ, ‘‘ଛୁରିକାର ଧାର ପରୀକ୍ଷା ପାଇଁ କନା ଉପଯୁକ୍ତ ନୁହେଁ, ଦେହର ଚର୍ମ ହିଁ ଏହି ପରୀକ୍ଷାର ଉପଯୁକ୍ତ ବସ୍ତୁ ।’’

 

ଏହା କହୁଁ କହୁଁ ସେ ନିଜ ହସ୍ତର ଚର୍ମ ଉପରେ ଚୋଟ ବସାଇଦେଲେ । ଭୀରୁ ଉଦୟ ସିଂହ ଏହା ଦେଖି ଚମକିଉଠିଲେ । ଭାବିଲେ, ‘‘କିଶୋର ବୟସରୁ ଏ ଯେତେବେଳେ ଏଡ଼େ ସାହସୀ ଓ ନିର୍ଭୀକ ହେଲାଣି, ଯୌବନରେ ପ୍ରତାପ ସଙ୍ଗେ ମିଶି ସିଂହାସନଲୋଭରେ ମୋତେ ହତ୍ୟାକରିବା ଏହା ପକ୍ଷରେ ବିଚିତ୍ର କଅଣ ?’’

 

ଉଦୟ ସିଂହ ସେହି ଦିନୁଁ ପ୍ରତାପ ଓ ଶକ୍ତିକୁ ଭିନ୍ନ ଚକ୍ଷୁରେ ଦେଖିଲେ । ଜଗମଲ ନାମରେ ତାଙ୍କର ଅନ୍ୟ ଏକ ଭୀରୁ ଓ ବିଳାସୀ ପୁତ୍ର ଥିଲେ । ରାଣା ଶେଷନିଶ୍ୱାସ ତ୍ୟାଗକରିବା ପୂର୍ବରୁ ସେହି ଅପଦାର୍ଥ ପୁତ୍ରଟିକୁ ମିବାରର ରାଣା ବୋଲି ଘୋଷଣା କଲେ ।

 

ସେତେବେଳେ ରାଜପୁତ ସର୍ଦ୍ଦାରଗଣ ହିଁ ରାଣାମାନଙ୍କର ପ୍ରଧାନ ବଳ ଓ ସହାୟ ଥିଲେ । କି ଯୁଦ୍ଧବିଗ୍ରହ, କି ବିପଦଆପଦ, ସବୁବେଳେ ସେହିମାନେ ହିଁ ଅଗ୍ରଣୀ ଥିଲେ ଏବଂ ଜୀବନବିନିମୟରେ ମଧ୍ୟ ରାଣାଙ୍କର ସମ୍ମାନ ରକ୍ଷା କରୁଥିଲେ । ଏବେ ଅଯୋଗ୍ୟ ଜଗମଲଙ୍କୁ ଚିତୋରର ରାଣା-ଆସନରେ ଦେଖି ସେହି ସର୍ଦ୍ଦାରମାନେ ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ ଏବଂ ବୃଦ୍ଧ ସର୍ଦ୍ଦାର ରାବତ୍‍କୃଷ୍ଣଙ୍କ ନେତୃତ୍ୱରେ ଜଗମଲ ସିଂହଙ୍କ ଦରବାରରେ ଉପସ୍ଥିତ ହେଲେ ।

 

ଜଗମଲଙ୍କୁ ଚାହିଁ ରାବତ୍‍କୃଷ୍ଣ ବଜ୍ର-କଣ୍ଠରେ କହିଲେ, ‘‘ଆମ୍ଭେମାନେ ଜୀବିତ ଥାଉ ଥାଉ ଚିତୋରର ଏହି ବୀରରାଜସିଂହାସନକୁ ତୁମ୍ଭ ଭଳି ଗୋଟାଏ ଭୀରୁ କୁଳାଙ୍ଗାର କଳଙ୍କିତ କରିପାରିବ ନାହିଁ । ପ୍ରତାପ ସିଂହ ରାଜପୁତ୍ରମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଓ ସକଳ ଗୁଣରେ ଶ୍ରେଷ୍ଠ । ତେଣୁ ଏ ସିଂହାସନର ସେ ହେଉଛନ୍ତି ପ୍ରକୃତ ଉତ୍ତରାଧିକାରୀ । ଜୀବନର ଆଶା ଥିଲେ ତୁମ୍ଭେ ଏହି ମୁହୂର୍ତ୍ତରେ ସିଂହାସନ ତ୍ୟାଗକରି ଚାଲିଯାଅ । ଆମ୍ଭେମାନେ ବୀରକୁମାର ପ୍ରତାପଙ୍କୁ ରାଜପଦରେ ପ୍ରତିଷ୍ଠିତ କରିବୁ ।’’

 

ଜଗମଲ ସର୍ଦ୍ଦାରମାନଙ୍କର ସଂହତି ଦେଖି ଓ ରାବତ୍‍କୃଷ୍ଣଙ୍କର ତର୍ଜନୋକ୍ତି ଶୁଣି ଭୟରେ ପ୍ରକମ୍ପିତ ହେଲେ ଏବଂ ସଙ୍ଗେ ସଙ୍ଗେ ସିଂହାସନ ପରିତ୍ୟାଗ କରି ପଳାୟନ କଲେ । ସେହିଠାରେ ସର୍ଦ୍ଦାରମାନେ ପ୍ରତାପ ସିଂହଙ୍କୁ ସିଂହାସନରେ ଅଧିରୂଢ଼ କରାଇ ଅଭିଷେକୋତ୍ସବ ପାଳନ କଲେ ।

 

ପ୍ରତାପ ସିଂହାସନ ଆରୋହଣ କଲେ ସତ୍ୟ, ମାତ୍ର ତହିଁରେ ରାଜତ୍ୱର ଗୌରବ ନ ଥିଲା । ପ୍ରଜାପୁଞ୍ଜଙ୍କ ନିକଟରେ ରାଣାରୂପେ ସମ୍ମାନିତ ହେଲେହେଁ ସମଗ୍ର ମିବାର ରାଜ୍ୟ ସେତେବେଳେ ମୋଗଲବାଦଶାହା ଆକବରଙ୍କ ପଦାନତ ହୋଇଥାଏ । ତେଣୁ ସେ ରାଜ୍ୟହୀନ ରାଜା ପରି ଆରାବଳୀରେ ପିତାଙ୍କ ନିର୍ମିତ ରାଜପ୍ରାସାଦରେ ହିଁ ବାସକଲେ ।

 

ରାଜ୍ୟଲିପ୍‍ସୁ ଆକବର ଏଣେ ନାନା ପ୍ରଲୋଭନ ଦେଖାଇ ପ୍ରତାପଙ୍କ ଭ୍ରାତାମାନଙ୍କୁ ଜଣ ଜଣ କରି ହସ୍ତଗତ କରିନେଲେ ଏବଂ ସାଗରଜୀ ନାମକ ଏକ ଭ୍ରାତାକୁ ଚିତୋର-ସିଂହାସନରେ ପ୍ରତିଷ୍ଠିତ କରାଇ ତାଙ୍କୁ ମିବାରର ରାଣା ବୋଲି ସ୍ୱୀକାର କଲେ ।

 

ପଛକୁ ପଛ ସମସ୍ତ ଆତ୍ମୀୟସ୍ୱଜନ ପ୍ରତାପଙ୍କୁ ତ୍ୟାଗକରି ମୋଗଲ ଦରବାରର ଦାସତ୍ୱ ସ୍ୱୀକାର କଲେ । ଏକମାତ୍ର ପ୍ରତାପ ଦୂରରେ ଥାଇ ସେହି କରୁଣ ଦୃଶ୍ୟ ଦେଖି ଦୀର୍ଘଶ୍ୱାସ ନିକ୍ଷେପ କରିବାକୁ ଲାଗିଲେ । ବୀରବାହୁ ରାଜପୁତମାନଙ୍କର ଏହି ହୀନ ମନୋଭାବ ଓ ଲଜ୍ଜାଜନକ ଆଚରଣ ତାଙ୍କ ହୃଦୟରେ ବଜ୍ରାଘାତ କଲା । ତେଣୁ ସେ ପ୍ରତିଜ୍ଞା କଲେ ଯେ, ବିଜାତୀୟ ମୋଗଲସମ୍ରାଟଙ୍କ କବଳରୁ ମିବାରର ଉଦ୍ଧାରସାଧନ ନ କରିବା ପର୍ଯ୍ୟନ୍ତ କଠୋର ଦାରିଦ୍ର୍ୟ ବ୍ରତ ଗ୍ରହଣ କରିବେ । ଯାହାର ମାତୃରୂପିଣୀ ଜନ୍ମଭୂମି ପରପଦାନତ, ତା ଜୀବନରେ ସୁଖସମ୍ଭୋଗର ସ୍ଥାନ କାହିଁ ? ଏହି ଭୀଷ୍ମପଣ କରି ସ୍ୱଦେଶବତ୍ସଳ ପ୍ରତାପ ଉଦୟପୁରର ସିଂହାସନ ଓ ରାଜୋଚିତ ଯାବତୀୟ ଭୋଗବିଳାସ ବର୍ଜନକରି ଅତି ସାଧାରଣ ବ୍ୟକ୍ତି ପରି ବାସକଲେ । ଜୀର୍ଣ୍ଣ ପୂର୍ଣ୍ଣକୁଟୀର ହେଲା ତାଙ୍କର ରାଜପ୍ରାସାଦ, ବୃକ୍ଷପତ୍ର ହେଲା ସ୍ୱର୍ଣ୍ଣରୌପ୍ୟର ଭୋଜନପାତ୍ର, ଭୂତଳର ତୃଣଶଯ୍ୟା ହେଲା ସୁକୋମଳ ତୂଳୀତଳ୍ପ । ସେ ଆହୁରି ପ୍ରତିଜ୍ଞା କଲେ, ମିବାରଜନନୀର ଦାସତ୍ୱ-ଶୃଙ୍ଖଳ ମୋଚନ ନ କରିବାପର୍ଯ୍ୟନ୍ତ କେଶ ପ୍ରସାଧନ କରିବେ ନାହିଁ । ନିଜର ସ୍ତ୍ରୀ, ପୁତ୍ର, କନ୍ୟା ଓ ଅନୁଚରମାନଙ୍କୁ ସେ ଏହି କଠୋର ବ୍ରତର ଆଦର୍ଶରେ ଅନୁପ୍ରାଣିତ କଲେ ଏବଂ ସେମାନେ ସମସ୍ତେ ମଧ୍ୟ ପ୍ରତାପଙ୍କ ପରି ଦୀନଦୁଃଖୀ ବେଶରେ ଜୀବନଯାପନ କରିବାକୁ ଲାଗିଲେ । ଏହାପରେ ପ୍ରତାପ ମିବାରର ମୁକ୍ତି ପାଇଁ ସୈନ୍ୟସଂଗଠନରେ ଲାଗିପଡ଼ିଲେ ।

 

ପ୍ରତାପଙ୍କର ଏହି ଦୁର୍ଜୟ ପଣ ଚତୁର ଆକବରଙ୍କୁ ଅଜ୍ଞାତ ରହିଲା ନାହିଁ । କିପରି ତାଙ୍କୁ ପରାଜିତ କରିବେ, ଏଥିପାଇଁ ସେ ନାନା ଉପାୟ ଚିନ୍ତା କଲେ । ଥରେ ମାନସିଂହ ପ୍ରତାପଙ୍କ କୁଟୀରରେ ଅତିଥି ହେଲେ । ସେ ଜଣେ ଶ୍ରେଷ୍ଠ ରାଜପୁତ ବୀର ଓ ରାଜବଂଶୀୟ ହେଲେହେଁ ଶେଷରେ ଦିଲ୍ଲୀଶ୍ୱର ଆକବରଙ୍କ ନିକଟରେ ଆତ୍ମବିକ୍ରୟ କରି ତାଙ୍କର ପ୍ରଧାନ ସେନାପତିରୂପେ କାର୍ଯ୍ୟ କରୁଥିଲେ । ଏହି ମାନସିଂହଙ୍କ ଭଗିନୀକୁ ଆକବରଙ୍କ ଜ୍ୟେଷ୍ଠ ପୁତ୍ର ସଲିମ୍ ମଧ୍ୟ ବିବାହ କରିଥିଲେ । ତେଣୁ ମାନସିଂହ ଆକବରଙ୍କର ଅତୀବ ପ୍ରିୟ ଓ ବିଶ୍ୱାସଭାଜନ ହୋଇ ଉଠିଥିଲେ ।

 

ବୀର ରାଜପୁତକୁଳରେ ଜନ୍ମଲାଭ କରି ମୋଗଲ ବାଦଶାହଙ୍କ ସହିତ ବୈବାହିକ ସମ୍ୱନ୍ଧ ସ୍ଥାପନ କରିଥିବାରୁ ଓ ସେନାପତିରୂପେ ତାଙ୍କର ଦାସତ୍ୱ-ଶୃଙ୍ଖଳରେ ଆବଦ୍ଧ ହୋଇଥିବାରୁ ମାନସିଂହଙ୍କୁ ପ୍ରତାପ ଜାତିଦ୍ରୋହୀ ଭାବି ଅତ୍ୟନ୍ତ ଘୃଣାଚକ୍ଷୁରେ ଦେଖୁଥିଲେ । ରାଜପୁତ ପ୍ରଥା ଅନୁସାରେ ଅତିଥି ଭୋଜନ କରୁଥିବାବେଳେ ଗୃହକର୍ତ୍ତା ତାଙ୍କ ପାର୍ଶ୍ୱରେ ଉପସ୍ଥିତ ରହି ଚର୍ଚ୍ଚାକରିବା ହିଁ ବିଧି । ମାତ୍ର ମାନସିଂହଙ୍କ ପ୍ରତି ଘୃଣା ଥିବା ଯୋଗୁଁ ପ୍ରତାପ ତାଙ୍କ ନିକଟରେ ନିଜେ ଉପସ୍ଥିତ ନ ରହି ପୁତ୍ର ଅମର ସିଂହଙ୍କୁ ପଠାଇ କେବଳ ବିଧି ରକ୍ଷା କଲେ ।

 

ମାନସିଂହ ସମସ୍ତ ରହସ୍ୟ ହୃଦୟଙ୍ଗମ କରିପାରି ଅପମାନିତ ବୋଧକଲେ ଏବଂ ପରିବେଷଣ କରାଯାଇଥିବା ଆହାରକୁ ସ୍ପର୍ଶ ସୁଦ୍ଧା ନ କରି କ୍ରୋଧରେ ଜଳିଉଠି କହିଲେ, ‘‘ଏ ଅପମାନ ମୋ ପକ୍ଷରେ ଅସହ୍ୟ । ଖୁବ୍ ଶୀଘ୍ର ପ୍ରତାପଙ୍କ ଦର୍ପ ଚୂର୍ଣ୍ଣକରି ମୁଁ ଏହାର ଉଚିତ୍ ପ୍ରତିଶୋଧ ନେବି ।’’ ସେ ଅତ୍ୟନ୍ତ ଉତ୍ତେଜିତ ହୋଇ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନ ପରିତ୍ୟାଗକରି ଚାଲିଗଲେ ଏବଂ ଆକବରଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ପ୍ରତାପଙ୍କର ଔଦ୍ଧତ୍ୟ ବିଷୟକ ସମସ୍ତ ବୃତ୍ତାନ୍ତ ନିବେଦନ କଲେ । ଆକବର ଜ୍ୟେଷ୍ଠ ପୁତ୍ର ସଲିମ୍ ଓ ସେନାପତି ମାନସିଂହଙ୍କୁ ଅପରିମିତ ସୈନ୍ୟ ଦେଇ ପ୍ରତାପଙ୍କ ବିରୁଦ୍ଧରେ ପ୍ରେରଣ କଲେ । ଏ ସମ୍ୱାଦରେ ପ୍ରତାପ ବାଇଶ ହଜାର ସୈନ୍ୟ ସଂଗ୍ରହ କରି ବିପୁଳ ମୋଗଲବାହିନୀର ପ୍ରତିରୋଧ ପାଇଁ ପ୍ରସ୍ତୁତ ହୋଇଗଲେ ।

 

ହଳଦୀଘାଟ ନାମକ ଗିରିସଂକଟରେ ଉଭୟ ପକ୍ଷ ପରସ୍ପରର ସମ୍ମୁଖୀନ ହେଲେ । ଅତି ଭୀଷଣ ଯୁଦ୍ଧ ଚାଲିଲା । ରାଜପୁତ ବୀରମାନେ ପ୍ରାଣପଣ କରି ଅପୂର୍ବ ବୀରତ୍ୱ ସହ ଯୁଦ୍ଧ କଲେ; କିନ୍ତୁ ମୋଗଲସୈନ୍ୟ ତୁଳନାରେ ସେମାନଙ୍କ ସଂଖ୍ୟା ସ୍ୱଳ୍ପ ଥିବାରୁ ଶତ୍ରୁହସ୍ତରେ ଶତ ଶତ ସଂଖ୍ୟାରେ ନିହତ ହେଲେ । ଶେଷରେ ପ୍ରତାପ ନିରୁପାୟ ହୋଇ ଅବଶିଷ୍ଟ ଆଠ ହଜାର ମାତ୍ର ସୈନ୍ୟ ସହ ଯୁଦ୍ଧଭୂମି ଛାଡ଼ି ପଳାୟନ କଲେ । ମାନସିଂହ ବିଜୟ ଉଲ୍ଲାସରେ ଉନ୍ମତ୍ତ ହୋଇ ରାଜଧାନୀ ଓ ଦୁର୍ଗ ସକଳ ଅଧିକାର କଲେ ଏବଂ ପ୍ରତାପଙ୍କୁ ଉପଯୁକ୍ତ ଶାସ୍ତି ଦେଇପାରିଛନ୍ତି ଭାବି ମନେ ମନେ ସାତିଶୟ ଗୌରବ ଓ ଗର୍ବ ଅନୁଭବ କଲେ ।

 

ଏଣେ ପ୍ରତାପ ପରିବାର ସହ କମଳମୀରକୁ ଚାଲିଯାଇ ଦୁର୍ଗମ ବନମଧ୍ୟରେ ଅତି କଷ୍ଟରେ କାଳଯାପନ କଲେ । ଏତେ କ୍ଳେଶ ଓ ପରାଜୟ ସତ୍ତ୍ୱେ ଶତ ଶତ ପ୍ରଭୁଭକ୍ତ ଅନୁଚର ଓ ସ୍ୱାଧୀନତାପ୍ରିୟ ସହସ୍ର ସହସ୍ର ରାଜପୁତ ତାଙ୍କର ଅନୁଗାମୀ ହେଲେ ।

 

ଦିନେ ପ୍ରତାପ ତୃଣପୂର୍ଣ୍ଣ ଏକ ପ୍ରାନ୍ତରରେ ଭୂମିଶଯ୍ୟାରେ ଶୋଇରହି ଚିତୋରର ଉଦ୍ଧାରଚିନ୍ତାରେ ଅଭିଭୂତ ଥାଆନ୍ତି । ସେଠାରୁ କିୟଦ୍ଦୂରରେ ତାଙ୍କର ପତ୍ନୀ ଓ ପୁତ୍ରବଧୂ ସଂଗୃହୀତ ତୃଣବୀଜର ଚୂର୍ଣ୍ଣରେ ରୁଟି ପ୍ରସ୍ତୁତ କରି ପରିବାରର ଶିଶୁମାନଙ୍କୁ ଖଣ୍ଡିଏ ଖଣ୍ଡିଏ ଖାଇବାକୁ ଦେଉଥାନ୍ତି ଏହି ସମୟରେ ଗୋଟାଏ ବନ୍ୟବିଡ଼ାଳ ବୃକ୍ଷଶାଖାରୁ ଓହ୍ଲାଇଆସି ଅବଶିଷ୍ଟ ରୁଟିରୁ ଅଧେ ନେଇ ପଳାଇଗଲା । ଏହା ଦେଖି ପ୍ରତାପଙ୍କ ଶିଶୁକନ୍ୟାଟି କ୍ରନ୍ଦନ କରି ଉଠିଲା । ଏ କରୁଣ ଦୃଶ୍ୟରେ ପ୍ରତାପଙ୍କ ବୀରହୃଦୟ ସହସା ଅଧୀର ହୋଇଗଲା । କ୍ଷଣିକ ଦୁର୍ବଳତାରେ ସେ କ୍ଷୁଣ୍ଣମନା ହୋଇ ଆକବରଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖି ତହିଁରେ ସନ୍ଧି ପାଇଁ ପ୍ରସ୍ତାବ ଦେଲେ ।

 

ପତ୍ରଟି ପାଠକଲାମାତ୍ରେ ଆକବରଙ୍କ ହୃଦୟ ମନ ଅସୀମ ଆନନ୍ଦରେ ଉଚ୍ଛ୍ୱସିତ ହୋଇଉଠିଲା । ମିବାରସିଂହ ପ୍ରତାପ ଯେ ସ୍ୱେଚ୍ଛାପ୍ରଣୋଦିତ ହୋଇ ଏତେ ଦିନେ ଅଧୀନତା-ପାଶରେ ଆବଦ୍ଧ ହେବାକୁ ପ୍ରାର୍ଥୀ ହୋଇଛନ୍ତି, ଏହା ଭାବି ସେ ଦିଲ୍ଲୀରେ ଆନନ୍ଦ-ଉତ୍ସବର ଆୟୋଜନ କଲେ; କିନ୍ତୁ ପ୍ରତାପଙ୍କ ବଜ୍ରଦୃଢ଼ ପ୍ରତିଜ୍ଞାର ଏଭଳି ପରିବର୍ତ୍ତନ ସମ୍ୱାଦ ଶୁଣି ବିକାନୀରର ରାଜପୁତରାଜା ଅତିଶୟ ଦୁଃଖିତ ହେଲେ । ସେ ପ୍ରତାପଙ୍କ ନିକଟକୁ ଓଜସ୍ୱିନୀ ଭାଷାରେ ଖଣ୍ଡିଏ ପତ୍ର ଲେଖିଲେ ଏବଂ ବିପଦରେ ଏପରି ମ୍ରିୟମାଣ ନ ହୋଇ ରାଜ୍ୟୋଦ୍ଧାର ପାଇଁ ସଂଗ୍ରାମ ଚଳାଇବାକୁ ତାଙ୍କୁ ଅନୁରୋଧ କଲେ ।

 

ବିକାନୀର ରାଜାଙ୍କର ଏହି ଉତ୍ସାହବାଣୀ ପ୍ରତାପ ସିଂହଙ୍କ ହୃଦୟରେ ନବୀନ ଆଶାର ସଞ୍ଚାର କଲା । ସେ ସନ୍ଧିକଥା ଏକାବେଳକେ ବିସ୍ମୃତ ହୋଇ ଶତ୍ରୁବିରୁଦ୍ଧରେ ଅସ୍ତ୍ରଧାରଣ କରିବାକୁ ପୁଣି ନୂତନ ସଂକଳ୍ପ କଲେ । ଅଳ୍ପ ସମୟ ମଧ୍ୟରେ ଅଗଣତି ରାଜପୁତସେନା ସଂଗଠିତ ହୋଇଗଲେ । ପ୍ରତାପ ସେହିମାନଙ୍କ ସାହାଯ୍ୟରେ ପ୍ରବଳପ୍ରତାପୀ ଆକବରଙ୍କ ବିରାଟ ମୋଗଲବାହିନୀ ସହିତ ବିଭିନ୍ନ ସ୍ଥାନରେ ଏକାଧିକ ଯୁଦ୍ଧ ଚଳାଇବାରେ ଲାଗିଲେ; କିନ୍ତୁ ଏହି ଦୀର୍ଘକାଳବ୍ୟାପୀ ସଂଗ୍ରାମରେ ବ୍ୟାପୃତ ରହିବା ଫଳରେ ପ୍ରତାପ କ୍ରମେ କ୍ରମେ ହୀନବଳ ହୋଇପଡ଼ିଲେ । ଜନ୍ମଭୂମିର ମୁକ୍ତି ତାଙ୍କ ଦ୍ୱାରା ସମ୍ଭବ ହୋଇପାରିଲା ନାହିଁ; ତେଣୁ ସ୍ୱାଧୀନତା ଧନ ବିକ୍ରୟ କରି ଯବନର ଦାସ ହେବା ଅପେକ୍ଷା ଦେଶ ପରିତ୍ୟାଗ କରି ଚାଲିଯିବାକୁ ସେ ଶ୍ରେୟ ମନେକଲେ । ପ୍ରିୟଭୂମି ମିବାର ପ୍ରତି ଅଶ୍ରୁପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କରି ଶେଷରେ ସେ ରାଜପୁତ ବୀରମାନଙ୍କ ସହିତ ସିନ୍ଧୁ ପ୍ରଦେଶକୁ ଯାତ୍ରା କଲେ; କିନ୍ତୁ ପଥମଧ୍ୟରେ ଅତି ଆକସ୍ମିକ ଭାବରେ ପୁଣି ଏକ ନୂତନ ପ୍ରେରଣା ତାଙ୍କୁ ଉଦ୍‍ବୁଦ୍ଧ କଲା । ଜନୈକ ଅମାତ୍ୟ ନିଜର ବିପୁଳ ଅର୍ଥ ପ୍ରତାପଙ୍କ ହସ୍ତରେ ଅର୍ପଣ କଲେ ଏବଂ ତାହାରି ସାହାଯ୍ୟରେ ଶତ୍ରୁରକ୍ତପିପାସୁ ରାଜପୁତ ବୀରବୃନ୍ଦଙ୍କୁ ଘେନି ସ୍ୱଦେଶରେ ଶେଷ ମୁକ୍ତିସଂଗ୍ରାମ ଚଳାଇବା ପାଇଁ ତାଙ୍କୁ ନିବେଦନ କଲେ ।

 

ପ୍ରତାପଙ୍କ ମୁଖମଣ୍ଡଳ ଏହି ଘଟନାରେ ପୁଣି ବୀରତେଜରେ ଉଦ୍ଦୀପ୍ତ ହୋଇଉଠିଲା । ସେ ଅଲକ୍ଷିତଭାବରେ ଯାଇ ଦେବୀର ନାମକ ସ୍ଥାନରେ ମୋଗଲସେନାର ସମ୍ମୁଖୀନ ହେଲେ ଏବଂ ସେମାନଙ୍କୁ ଆକ୍ରମଣ କରି ଯୁଦ୍ଧରେ ଧ୍ୱସ୍ତବିଧ୍ୱସ୍ତ କରି ପକାଇଲେ । ପରେ ପରେ ତିନି ବର୍ଷ ମଧ୍ୟରେ ସେ ମୋଗଲବାହିନୀ ବିରୁଦ୍ଧରେ ବହୁବାର ଯୁଦ୍ଧ ଚଳାଇ ପୈତୃକ ରାଜ୍ୟର ଅଧିକାଂଶ ପୁନରୁଦ୍ଧାର କଲେ ଏବଂ ପାର୍ବତ୍ୟ ପ୍ରଦେଶ ମଧ୍ୟରେ ଗୋଟିଏ ନବନିର୍ମିତ ନଗରରେ ରାଜଧାନୀ ସ୍ଥାପନ କରି ପିତାଙ୍କ ନାମ ଅନୁସାରେ ତାହାର ନାମ ଉଦୟପୁର ରଖିଲେ ।

Image

 

ଶୌର୍ଯ୍ୟବତୀ ଦୁର୍ଗାବତୀ

 

ବିଜ୍ଞାନୋନ୍ନତ ଆଧୁନିକ ଯୁଗର ଯୁଦ୍ଧପ୍ରଣାଳୀଠାରୁ ଭାରତର ପୂର୍ବକାଳୀନ ଯୁଦ୍ଧପ୍ରଣାଳୀ ଏକାବେଳକେ ସ୍ୱତନ୍ତ୍ର ଥିଲା । ଆଜିକାଲି ଯେଉଁ ଦେଶ ବିଜ୍ଞାନବଳରେ ଯେତେ ଅଧିକ ମାରଣାସ୍ତ୍ର ନିର୍ମାଣ କରିପାରୁଛି, ତାହାର ସାମରିକଶକ୍ତି ସେତେ ଅଧିକ ବୋଲି ପ୍ରମାଣିତ ହେଉଛି । ମାତ୍ର ପୂର୍ବକାଳରେ ଶାରୀରିକ ବଳ, ବୀରତ୍ୱ, ସାହସ ଏବଂ ତାହା ସଙ୍ଗେ ଅସି, ବର୍ଚ୍ଛା, ଧନୁ ଓ ବନ୍ଧୁକ ଆଦିର କୌଶଳପୂର୍ଣ୍ଣ ନିପୁଣ ଚାଳନା ହିଁ ବୀରମାନଙ୍କର ପ୍ରଧାନ ଶକ୍ତି ରୂପେ ଗଣ୍ୟ ହେଉଥିଲା ।

 

ଏବେ ବିଭିନ୍ନ ଦେଶର ଅସଂଖ୍ୟ ନାରୀ ପୁରୁଷମାନଙ୍କ ପରି ସେନାବାହିନୀରେ ଯୋଗଦେଇ ପ୍ରଶଂସା ଅର୍ଜନ କରୁଛନ୍ତି ସତ୍ୟ, ମାତ୍ର ପ୍ରାଚୀନ ଯୁଗରେ ବୀରାଙ୍ଗନାମାନଙ୍କର ସଂଖ୍ୟା ସେତେ ଅଧିକ ନ ଥିଲେହେଁ ଯେଉଁ ମୁଷ୍ଟିମେୟ ନାରୀ ବିପୁଳ ଉନ୍ମାଦନାରେ ରଣକ୍ଷେତ୍ରରେ ଅତୁଳ ଶୌର୍ଯ୍ୟ ପ୍ରଦର୍ଶନ କରି ଚିରସ୍ମରଣୀୟା ହୋଇଛନ୍ତି, ସେମାନଙ୍କ ସ୍ଥାନ ଅତି ଉଚ୍ଚ ଓ ମହତ୍ । ଶୌର୍ଯ୍ୟବତୀ ରାଣୀ ଦୁର୍ଗାବତୀ ଏହି ବରେଣ୍ୟା ନାରୀମାନଙ୍କ ମଧ୍ୟରେ ଏକତମା ।

 

ଷୋଡ଼ଶ ଶତାବ୍ଦୀର କଥା । ସେତେବେଳେ ଭାରତରେ ମହୋବା ନାମରେ ଗୋଟିଏ ପ୍ରଦେଶ ଥାଏ । ଚନ୍ଦେଲର ରାଜପୁତବଂଶୀୟ ଶାଳିବାହନ ସେହି ମହୋବାର ରାଜା ଥାଆନ୍ତି । ଦୁର୍ଗାବତୀ ତାଙ୍କର କନ୍ୟା । ସେ ବାଲ୍ୟକାଳରୁ ଧନୁର୍ବିଦ୍ୟାପ୍ରତି ଆକୃଷ୍ଟ ହେଲେ । ଦୈନନ୍ଦିନ ଅଭ୍ୟାସଫଳରେ ଶର ଓ ବନ୍ଧୁକ ଚାଳନାରେ ତାଙ୍କଠାରେ ଅସାଧାରଣ ପଟୁତା ପ୍ରକାଶ ପାଇଲା । କ୍ରମେ ସେ ବିବାହଯୋଗ୍ୟ ବୟସରେ ପଦାର୍ପଣ କରନ୍ତେ ରାଜା ଶାଳିବାହାନ ତାଙ୍କୁ ତତ୍‍କାଳୀନ ଗଡ଼ମଣ୍ଡଳ ରାଜ୍ୟର ଅଧିପତି ଦଲପତ୍ ସିଂହଙ୍କ ହସ୍ତରେ ସମର୍ପଣ କଲେ । ସିଂହଗଡ଼ ଏହି ଗଡ଼ମଣ୍ଡଳ ରାଜ୍ୟର ରାଜଧାନୀ ।

 

ରାଣୀ ଦୁର୍ଗାବତୀ ଚାରୋଟି ମାତ୍ର ବର୍ଷ ଦାମ୍ପତ୍ୟଜୀବନ ଯାପନ କଲା ପରେ ନିଷ୍ଠୁର ନିୟତି ତାଙ୍କଠାରୁ ସକଳ ସୁଖସଂପଦ ଛଡ଼ାଇନେଲା । ରାଜା ଦଲପତ୍ ଅକାଳରେ ସ୍ୱର୍ଗପଥର ଯାତ୍ରୀ ହେଲେ । ସେତେବେଳକୁ ତାଙ୍କ କ୍ରୋଡ଼ରେ ଏକମାତ୍ର ଶିଶୁସନ୍ତାନ ବୀରନାରାୟଣ-ବୟସ ତିନିବର୍ଷ ମାତ୍ର । ଦୁର୍ଗାବତୀ କଠୋର ବୈଧବ୍ୟ ଯନ୍ତ୍ରଣାରେ ଦଗ୍ଧ ହେଲେ ହେଁ କୋଳର ସଂଖାଳି ସେହି କୁଳାଙ୍କୁରଟିର ମୁଖକୁ ଚାହିଁ ଦିନାତିପାତ କରିବାକୁ ଲାଗିଲେ ।

 

ସ୍ୱାମୀଙ୍କ ତିରୋଧାନ ପରେ ଶିଶୁପୁତ୍ରର ଅଭିଭାବକରୂପେ ରାଣୀ ଦୁର୍ଗାବତୀ ବିଶାଳ ଗଡ଼ମଣ୍ଡଳ ରାଜ୍ୟର ଶାସନଭାର ସ୍ୱହସ୍ତରେ ଗ୍ରହଣ କଲେ । ତାଙ୍କର ରାଜକାର୍ଯ୍ୟ-ପରିଚାଳନାରେ ଦେଶବାସୀ ଅଶେଷ ଶାନ୍ତିରେ କାଳଯାପନ କଲେ । ନ୍ୟାୟଧର୍ମର ମୂର୍ତ୍ତିମତୀ ଦେବୀରୂପେ ସେ ସର୍ବତ୍ର ସମସ୍ତଙ୍କଦ୍ୱାରା ପୂଜା ଓ ପ୍ରଶଂସା ପାଇବାକୁ ଲାଗିଲେ । ଅସ୍ତ୍ରଶସ୍ତ୍ରଚାଳନା ଓ ଦେଶରକ୍ଷାରେ ତାଙ୍କର ଅଲୌକିକ ଶକ୍ତି ଓ କୌଶଳ ଦେଖି ପ୍ରତିବେଶୀ ରାଜାମାନେ ତଟସ୍ଥ ହୋଇଗଲେ ।

 

ରାଜକୁମାର ବୀରନାରାୟଣ ମାତାଙ୍କ ଯନ୍ତ୍ରରେ ଶଶିକଳାତୁଲ୍ୟ ଦିନକୁ ଦିନ ବଢ଼ି ତାରୁଣ୍ୟର ଶ୍ରୀସମ୍ଭାରରେ ମଣ୍ଡିତ ହେଲେ । କ୍ରମେ ତାଙ୍କର ବଳିଷ୍ଠ ବାହୁ ଓ ତେଜୋଦୀପ୍ତ ମୁଖମଣ୍ଡଳରେ ବୀରତ୍ୱର ଆଭା ଫୁଟିଉଠିଲା । କିପରି ସେ ଭବିଷ୍ୟତରେ ସିଂହଗଡ଼ ସିଂହାସନର ଉପଯୁକ୍ତ ଉତ୍ତରାଧିକାରୀ ହୋଇ ସ୍ୱଦେଶର ସ୍ୱାଧୀନତାସମ୍ପଦ ଅକ୍ଷୁଣ୍ଣ ରଖିପାରିବେ, ଏଥିପାଇଁ ଜନନୀ ତାଙ୍କୁ ଯୁଦ୍ଧବିଦ୍ୟାରେ ସୁନିପୁଣ କରାଇବାକୁ ଯଥାସାଧ୍ୟ ଚେଷ୍ଟା କଲେ । ବାସ୍ତବରେ ତାଙ୍କର ଏହି ସ୍ୱପ୍ନ ସଫଳ ହୋବକୁ ବସିଲା । ବୀରମାତାର ବୀରପୁତ୍ର ରୂପେ ଅଳ୍ପକାଳ ମଧ୍ୟରେ ବୀରନାରାୟଣ ସମଗ୍ର ରାଜ୍ୟବାସୀଙ୍କର ସକଳ ଆଶାଭରସାର-ପାତ୍ର ହୋଇଉଠିଲେ । ଏହିରୂପେ ଦୁର୍ଗାବତୀଙ୍କ ଗୌରବମୟ ସୁଶାସନ ଓ ରଣନୌପୁଣ୍ୟର ଉଚ୍ଚପ୍ରଶଂସାରେ ସାରା ଭାରତଖଣ୍ଡ ମୁଖରିତ ହେଲା ।

 

କିନ୍ତୁ ଏ ସମସ୍ତ କେବଳ ଜଣେ ଲୋକ ପକ୍ଷରେ ଅସହ୍ୟ ହୋଇ ଉଠିଲା । ସେ ହେଉଛନ୍ତି ମୋଗଲ-ସମ୍ରାଟ୍ ଆକବର । ଭାରତ-ଇତିହାସରେ ତାଙ୍କ ପରି ଚତୁର ଓ ରାଜନୀତି-ଧୁରନ୍ଧର ରାଜା ଆଉ କେହି ଜନ୍ମଗ୍ରହଣ କରିଥିଲା ପରି ମନେହୁଏନାହିଁ । ଯେଉଁ ରାଜ୍ୟକୁ ସୈନ୍ୟବଳରେ ଆୟତ୍ତ କରିବା ସମ୍ଭବପର ହେଉ ନ ଥିଲା, ବିବାହ ବନ୍ଧନାଦି ମୈତ୍ରୀସୂତରେ ସେସବୁ ସ୍ୱାଧୀନ ହିନ୍ଦୁରାଜ୍ୟକୁ ସେ ଯେପରି କୌଶଳରେ ମୋଗଲସାମ୍ରାଜ୍ୟର ଅଙ୍ଗୀଭୂତ କରିପାରିଥିଲେ, ଅନ୍ୟପକ୍ଷରେ ତାହା ଅସମ୍ଭବ କହିଲେ ଚଳେ । ମାତ୍ର ଉଦାର ଶାସକ ଭାବରେ ଅଜସ୍ର ଖ୍ୟାତିର ଅଧିକାରୀ ହୋଇଥିଲେହେଁ ପ୍ରବଳ ରାଜ୍ୟଗ୍ରାସ ନୀତି ଯୋଗୁଁ ‘ବିଷକୁମ୍ଭ ପୟୋମୁଖ’ର ଶ୍ରେଷ୍ଠ ଦୃଷ୍ଟାନ୍ତରୂପେ ସେ ଯେ କଳଙ୍କକାଳିମାଗ୍ରାସରେ ପଡ଼ିଛନ୍ତି, ଏଥିରେ ସନ୍ଦେହ ନାହିଁ ।

 

ଗୋଟି ଗୋଟି କରି ରାଜ୍ୟମାନ କରକବଳିତ କଲା ପରେ ଏବେ ଗଡ଼ମଣ୍ଡଳ ଉପରେ ଆକବରଙ୍କର ଲୋପୁପଦୃଷ୍ଟି ପଡ଼ିଲା, କିନ୍ତୁ ବୀରାଙ୍ଗନା ଦୁର୍ଗାବତୀଙ୍କ ପରିଚାଳିତ ସୈନ୍ୟଦଳକୁ ପରାଭୂତ କରି ଗଡ଼ମଣ୍ଡଳ ଅଧିକାର କରିବା ସହଜସାଧ୍ୟ ନୁହେଁ ଜାଣି ସେ ଏକ ଚକ୍ରାନ୍ତ କଲେ । ଆସଫ୍ ଖାଁ ନାମକ ତାଙ୍କର କୁଟିଳବୁଦ୍ଧି ସେନାପତିକୁ ଦୁର୍ଗାବତୀଙ୍କ ସହିତ କପଟ-ବନ୍ଧୁତା ପ୍ରତିଷ୍ଠା କରିବା ପାଇଁ ପ୍ରେରଣା କଲେ ।

 

କୂଟଚକ୍ରୀ ଆସଫ୍ ଖାଁ ଏ ଦିଗରେ ଅତି ବିଚକ୍ଷଣ ଓ ପ୍ରବୀଣ । ସେ ରାଣୀ ଦୁର୍ଗାବତୀଙ୍କ ସମୀପରେ ଉପସ୍ଥିତ ହୋଇ ବାରମ୍ୱାର ନିଜର ସଦିଚ୍ଛା ଓ ସଂଖ୍ୟଭାବ ପ୍ରକାଶ କଲା ଏବଂ ଗଡ଼ମଣ୍ଡଳର ସୁଖସମୃଦ୍ଧି ପାଇଁ ଯତ୍‍ପରୋନାସ୍ତି ସାହାଯ୍ୟ ସହଯୋଗ ଦେବ ବୋଲି କହିଲା । ସରଳମତି ଦୁର୍ଗାବତୀ ଖଳବୁଦ୍ଧି ଆସଫ୍ ଖାଁର ଛଳନା ବୁଝିପାରିଲେ ନାହିଁ; ବରଂ ତାକୁ ନିଜର ହିତାକାଙ୍‍କ୍ଷୀ ବନ୍ଧୁବୋଲି ମନେ ମନେ ଭାବି ତାହାଠାରେ ଗଭୀର ବିଶ୍ୱାସ ସ୍ଥାପନ କଲେ ।

 

ଏହିରୂପେ କିଛିକାଳ ଅତୀତ ହେଲାପରେ ହଠାତ୍ ଦିନେ ରାଜ୍ୟବାସୀଙ୍କର ସମସ୍ତ ସୁଖଶାନ୍ତି ଭଙ୍ଗକରି ଆକବରଙ୍କ ଇଙ୍ଗିତରେ ସେନାପତି ଆସଫ୍ ଖାଁ ଅଠର ହଜାର ସୈନ୍ୟ ଘେନି ଗଡ଼ମଣ୍ଡଳ ଆକ୍ରମଣ କଲା । ବିଶ୍ୱାସଘାତକର ଏହି ଅତର୍କିତ ଆକ୍ରମଣରେ ଗଡ଼ମଣ୍ଡଳର ପ୍ରଜାଗଣ ଭୟରେ ପ୍ରକମ୍ପିତ ହୋଇଉଠିଲେ, ମାତ୍ର ବୀରହୃଦୟା ଦୁର୍ଗାବତୀ ତିଳେମାତ୍ର ଆତଙ୍କିତ ନ ହୋଇ ସଙ୍ଗେ ସଙ୍ଗେ ସମରସଜ୍ଜା ପାଇଁ ପ୍ରସ୍ତୁତ ହୋଇଗଲେ ।

 

ପୂର୍ବରୁ ବହିଃଶତ୍ରୁ-ଆକ୍ରମଣର କୌଣସି ଆଶଙ୍କା ନ ଥିବାରୁ ସେତେବେଳେ ସୈନ୍ୟମାନେ ରାଜ୍ୟର ନାନା ସ୍ଥାନରେ ବିକ୍ଷିପ୍ତ ହୋଇ ଅବସ୍ଥାନ କରୁଥିଲେ । ତେଣୁ ସେମାନଙ୍କୁ ସଂଗଠିତ କରିବା ଲାଗି ଗ୍ରାମେ ଗ୍ରାମେ ଯୁଦ୍ଧ ଡାକରା ପଡ଼ିଗଲା, ରଣବାଦ୍ୟ ବାଜିଉଠିଲା । ସୈନ୍ୟମାନେ ଯେ ଯେଉଁଠି ଥିଲେ, ମୁହୂର୍ତ୍ତମାତ୍ର ବିଳମ୍ୱ ନ କରି ସିଂହଗଡ଼ ଅଭିମୁଖରେ ପ୍ରଧାବିତ ହେଲେ । ଏହା ୧୫୬୪ ମସିହାର ଘଟନା ।

 

ଦୁର୍ଗାବତୀ ସୈନ୍ୟମାନଙ୍କ ଆଗମନକୁ ଉଦ୍‍ବିଗ୍ନ ପ୍ରାଣରେ ଅପେକ୍ଷା କରି ରହିଥାନ୍ତି । ସୈନ୍ୟସଂଖ୍ୟା ପାଞ୍ଚ ସହସ୍ର ହୋଇଗଲାମାତ୍ରେ ସେ ସେମାନଙ୍କୁ ଘେନି ନିଜେ ହସ୍ତୀପୃଷ୍ଠରେ ଆରୋହଣପୂର୍ବକ ଶତ୍ରୁବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ବାହାରି ପଡ଼ିଲେ । ରଣରଙ୍ଗିଣୀ ଦୁର୍ଗାବତୀଙ୍କର ସେହି ରଣବେଶସଜ୍ଜିତ ଭୈରବୀମୂର୍ତ୍ତି ଅବଲୋକନ କରି ସେନାଦଳ ଅଦମ୍ୟ ଉତ୍ସାହରେ ପ୍ରମତ୍ତ ହୋଇଉଠିଲେ । ଗଜାରୂଢ଼ା ଦୁର୍ଗାବତୀ ସିଂହଗଡ଼ର ସିଂହଦ୍ୱାରରୁ ବୈରି ଦଳନ ପାଇଁ ଜୟଯାତ୍ରା ଆରମ୍ଭ କଲାବେଳେ ମନେହେଲା, ସତେ ଯେପରି ସ୍ୱୟଂ ସିଂହବାହିନୀ ଦୁର୍ଗା ମହିଷମର୍ଦ୍ଦନ ଉଦ୍ଦେଶ୍ୟରେ ଅଭିଯାନ କରୁଛନ୍ତି ।

 

ଚାହୁଁ ଚାହୁଁ ଦୁଇପକ୍ଷ ସମରକ୍ଷେତ୍ରରେ ପରସ୍ପରର ସମ୍ମୁଖୀନ ହେଲେ । ଭୀଷଣ ଯୁଦ୍ଧ ଆରମ୍ଭ ହେଲା । ଶତ୍ରୁପକ୍ଷର ଅପରିମିତ ସୈନ୍ୟ ତୁଳନାରେ ଗଡ଼ମଣ୍ଡଳ ସୈନ୍ୟ ଅତି ଅଳ୍ପସଂଖ୍ୟକ ହେଲେହେଁ ରାଣୀଙ୍କ ଉତ୍ସାହବାଣୀରେ ସେମାନେ ଉତ୍ତେଜିତ ହୋଇ ସ୍ୱଳ୍ପସମୟ ମଧ୍ୟରେ ଅସଂଖ୍ୟ ବିପକ୍ଷ ସୈନ୍ୟଙ୍କୁ ଧରାଶାୟୀ କରିଦେଲେ । ସେମାନଙ୍କର ଏଭଳି ସିଂହବିକ୍ରମ ଦେଖି ମୋଗଲ ସେନା ମଧ୍ୟରେ ଘୋର ବିଶୃଙ୍ଖଳା ଘୋଟିଗଲା । କିଏ କୁଆଡ଼େ ଛିନ୍ନଛତ୍ର ହୋଇ ଶେଷରେ ‘ତ୍ରାହି ତ୍ରାହି’ ରାବ ଛାଡ଼ି ଭୀରୁ ଫେରୁଦଳ ପରି ନିଜ ଶିବିରକୁ ପ୍ରାଣଘେନି ପଳାଇଲେ । ଗଡ଼ମଣ୍ଡଳସେନା ସେହି ପରାଜିତ ଶତ୍ରୁଙ୍କୁ ଅନୁଧାବନ କରିବାକୁ ଲାଗିଲେ । ନିର୍ଲଜ୍ଜ ଆସଫ୍ ଖାଁ ମଧ୍ୟ ପରାଜୟର କାଳିମା ଘେନି ଶିବିରକୁ ପ୍ରତ୍ୟାବୃତ୍ତ ହେଲା ।

 

ଏହି ସମୟରେ ସୂର୍ଯ୍ୟ ଅସ୍ତମିତ ହୁଅନ୍ତେ ଶତ୍ରୁମାନଙ୍କ ପଛରେ ଆଉ ଅନୁଧାବନ ନ କରିବାପାଇଁ ଦୁର୍ଗାବତୀ ନିଜ ସୈନ୍ୟଦଳକୁ ଆଦେଶ ଦେଲେ । ତାହାହିଁ ହେଲା । ତତ୍ପରେ ସେ ପ୍ରସ୍ତାବ କଲେ ଯେ, କିଛି ସମୟ ବିଶ୍ରାମ ଘେନି ଗଭୀର ରାତ୍ରରେ ମୋଗଲ ଶିବିରକୁ ଆକସ୍ମିକ ଭାବରେ ଆକ୍ରମଣ କରିବେ ଏବଂ ସମଗ୍ର ମୋଗଲସେନାକୁ ଧ୍ୱସ୍ତବିଧ୍ୱସ୍ତ କରି ଆସଫ୍ ଖାଁର ନିଷ୍ଠୁର ବିଶ୍ୱାସଘାତକତାର ଉପଯୁକ୍ତ ପ୍ରତିଶୋଧ ନେବେ । ମାତ୍ର ଗଡ଼ମଣ୍ଡଳର ଦୁର୍ଭାଗ୍ୟକୁ ରାଣୀଙ୍କର ଏହି ପ୍ରସ୍ତାବରେ ସୈନ୍ୟମାନେ ଆଦୌ ସମ୍ମତ ହେଲେ ନାହିଁ । ସମଗ୍ର ଦିବସ ପ୍ରବଳ ଶତ୍ରୁବିରୁଦ୍ଧରେ ଯୁଦ୍ଧରେ ଲିପ୍ତ ରହି ସେମାନେ ଏତେ ପରିଶ୍ରାନ୍ତ ହୋଇ ପଡ଼ିଥିଲେ ଯେ, ପୁଣି ରାତ୍ରିରେ ଯୁଦ୍ଧ କରିବାକୁ ଭରସି ପାରିଲେ ନାହିଁ । ତେଣୁ ଦୁର୍ଗାବତୀ ସେମାନଙ୍କୁ ଘେନି ବାଧ୍ୟ ହୋଇ ସ୍ୱୀୟ ଶିବିରକୁ ବାହୁଡ଼ି ଆସିଲେ ।

 

ଆସଫ୍ ଖାଁ ଭାବିଥିଲା, ବିପକ୍ଷସୈନ୍ୟ ମୋଗଲଶିବିର ପର୍ଯ୍ୟନ୍ତ ଖେଦିଆସି ସେମାନଙ୍କୁ ବିପର୍ଯ୍ୟସ୍ତ କରିଦେବେ; କିନ୍ତୁ ଦୁର୍ଗାବତୀ ସସୈନ୍ୟରେ ତାଙ୍କ ଶିବିରରେ ବିଶ୍ରାମ ନେବାର ସମ୍ୱାଦ ଶୁଣିବାରୁ ତାହାର ପ୍ରାଣରେ ପୁଣି ଆଶାର ସଞ୍ଚାର ହେଲା । ସେ ସାରା ରାତ୍ରି ଉନ୍ନିଦ୍ରା ରହି ଦ୍ୱିତୀୟ ଦିନର ଯୁଦ୍ଧ-ଆୟୋଜନରେ ଲାଗିପଡ଼ିଲା ।

 

ରାତ୍ରି ପ୍ରଭାତିବା ପୂର୍ବରୁ ଆସଫ୍ ଖାଁ ଗୋଟିଏ ଗିରିଶୃଙ୍ଗ ଅଧିକାର କରିନେଲା ଏବଂ ତାହାରି ଉପରେ କମାଣମାନ ସଜ୍ଜିତ କରି ସୈନ୍ୟସମାବେଶ କଲା ।

 

ଶତ୍ରୁର ଏ ପ୍ରକାର ସମରସଜ୍ଜା ବିଷୟ ଜାଣିପାରି ରାଣୀ ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ସୈନ୍ୟଦଳ ସହିତ ଯୁଦ୍ଧଭୂମିରେ ଉପସ୍ଥିତ ହେଲେ । ଏହି ଦ୍ୱିତୀୟ ଦିବସର ଯୁଦ୍ଧରେ ତରୁଣ ରାଜକୁମାର ବୀରନାରାୟଣ ନିଜେ ସେନାପତିବେଶରେ ଶତ୍ରୁସପକ୍ଷକୁ ଅଗ୍ରସର ହେଲେ ଏବଂ ସମ୍ମୁଖ-ସଂଗ୍ରାମରେ ବିପକ୍ଷବାହିନୀ ଉପରେ ପ୍ରଚଣ୍ଡ ଆକ୍ରମଣ ଚଳାଇଲେ । କ୍ରମାଗତ ତିନି ଥର ସେ ମୋଗଲପକ୍ଷକୁ ଏହିଭଳିଭାବରେ ଆକ୍ରମଣ କରି ବହୁ ଦୂରକୁ ତଡ଼ି ନେଲେ । ତାଙ୍କର ଏତାଦୃଶ ଯୁଦ୍ଧଚାତୁରୀ ଦେଖି ଆସଫ୍ ଖାଁ ମତିଭ୍ରାନ୍ତ ହୋଇଗଲା । ମାତ୍ର ଦୁର୍ଯ୍ୟୋଗବଶତଃ ଏହି ସମୟରେ ବୀରନାରାୟଣ ଦାରୁଣ ଆଘାତପ୍ରାପ୍ତ ହୋଇ ଭୂପତିତ ହେଲେ । ସେନାପତିଙ୍କର ଏହି ଦୁର୍ଦ୍ଦଶା ଦେଖି ଗଡ଼ମଣ୍ଡଳସୈନ୍ୟ ପ୍ରମାଦ ଗଣନା କଲେ ଏବଂ କିଛି ସମୟପରେ ନିରୁତ୍ସାହ ହୋଇ ରଣଭୂମି ପରିତ୍ୟାଗ କରିବାକୁ ବସିଲେ ।

 

ରାଣୀ ଦୁର୍ଗାବତୀ ସ୍ୱଚକ୍ଷୁରେ ପ୍ରାଣାଧିକ ତନୟର ପ୍ରାଣସଂକଟ ଦେଖି ଅସ୍ଥିର ହୋଇପଡ଼ିଲେ । ପୁଣି ତାହା ସଙ୍ଗେ ସଙ୍ଗେ ନିଜ ସେନାଦଳ ମଧ୍ୟରେ ଭୟବିହ୍ୱଳତା ଓ ପ୍ରତିପକ୍ଷର ତୁମୁଳ ଆକ୍ରମଣ ତାଙ୍କୁ ଅଧିକ ବିବ୍ରତ କରିପକାଇଲା । ଯାହାହେଉ, ସେ ନିଜକୁ କୌଣସିମତେ ସମ୍ଭାଳିନେଲେ ଏବଂ ବିଶ୍ୱସ୍ତ ଭୃତ୍ୟମାନଙ୍କ ହସ୍ତରେ ବୀରନାରାୟଣଙ୍କ ଶିବିରମଧ୍ୟକୁ ପଠାଇଦେଲେ-

 

ତତ୍ପରେ ରାଣୀ ଅସୀମ ଧୈର୍ଯ୍ୟ ଅବଲମ୍ୱନପୂର୍ବକ ପୂର୍ବବତ୍ ହସ୍ତିପୃଷ୍ଠରେ ଆରୋହଣ କରି ଜନ୍ମଭୂମିର ମହତ୍ତ୍ୱ ରକ୍ଷାପାଇଁ ସଂଗ୍ରାମକୁ ଡେଇଁପଡ଼ିଲେ । ସେତେବେଳେ ତିନିଶହ ମାତ୍ର ପଦାତି ତାଙ୍କ ନିକଟରେ ଉପସ୍ଥିତ ଥାଆନ୍ତି । ସେହି କେତେକ ସୈନ୍ୟସାହାଯ୍ୟରେ ଦୁର୍ଗାବତୀ ଯେପରି ଅସୀମ ସାହସ ଓ ବୀରତ୍ୱର ସହିତ ଶତ୍ରୁପକ୍ଷକୁ ଦିଗଭ୍ରାନ୍ତ କରିପକାଇଲେ, ତାହାର ଦୃଷ୍ଟାନ୍ତ ଇତିହାସରେ ଅତି ବିରଳ ।

 

ମାତ୍ର ବିଜୟଶ୍ରୀ ଗଡ଼ମଣ୍ଡଳ ରାଜ୍ୟର ଆଉ ଅନୁକୂଳ ହେଲା ନାହିଁ । ହଠାତ୍ ବିପକ୍ଷଦଳରୁ ଗୋଟିଏ ଶର ଆସି ରାଣୀଙ୍କ ଚକ୍ଷୁରେ ବିଦ୍ଧ ହୋଇଗଲା । ସେ ସାହସର ସହିତ ଶରଟିକୁ କାଢ଼ିଆଣିବାକୁ ବସିଲେ; କିନ୍ତୁ ତହିଁର ସୂକ୍ଷ୍ମ ଅଗ୍ରଭାଗଟି ଭାଙ୍ଗିଯାଇ ଚକ୍ଷୁକୋଟରରେ ରହିଗଲା । ଏହାର ଅବ୍ୟବହିତ ପରେ ଅନ୍ୟ ଗୋଟିଏ ତୀର ଆସି ତାଙ୍କର ଗଣ୍ଡଦେଶ ଭେଦ କଲା-। ଦୁର୍ଗାବତୀ ଏ ତୀରଟିକୁ ମଧ୍ୟ ପୂର୍ବବତ୍ ବାହାର କରି ଆଣିଲେ । ଏହିରୂପେ ସେ ବାରମ୍ୱାର ଶରାହତ ହେବାଫଳରେ ସେହି ହସ୍ତିପୃଷ୍ଠରେ ସଂଜ୍ଞାହୀନ ହୋଇଗଲେ । ରାଣୀଙ୍କର ଏଭଳି ଉତ୍କଟ ଦୁର୍ଦ୍ଦଶା ଦେଖି କେବଳ ଛଅଜଣ ଦେଶଭକ୍ତ ସୈନିକ ବ୍ୟତୀତ ଅନ୍ୟ ସମସ୍ତେ ପ୍ରାଣଭୟରେ ଯୁଦ୍ଧଭୂମି ତ୍ୟାଗକରି ପଳାୟନ କଲେ ।

 

କିୟତ୍‍କ୍ଷଣପରେ ଚେତନା ଫେରିଆସନ୍ତେ ରାଣୀ ଦୁର୍ଗାବତୀ କରୁଣ ନୟନରେ ମାହୁନ୍ତ ଅଧର ସିଂହକୁ ଚାହିଁ କହିଲେ, ‘ଅଧର ! ତୁମେ ମୋର ଆଜୀବନ ବିଶ୍ୱାସୀ । ମୋର ଭରସା, ଏ ବିପଦ କାଳରେ ତୁମେ ହିଁ ମୋର ସମ୍ମାନ ରକ୍ଷାକରିବ । ଦେଖୁଛ ତ ଆଉ ଜୟଲାଭର ବିନ୍ଦୁମାତ୍ର ଆଶା ନାହିଁ; ତେଣୁ ଶତ୍ରୁ ଏଠାରେ ଉପସ୍ଥିତ ହେବାପୂର୍ବରୁ ତୁମର ଶାଣିତ ଖଡ଼ଗ୍‍ଧାରରେ ଏ ଜୀବନର ପରିସମାପ୍ତି ହେଉ ।’’

 

ଏଭଳି ଅଦ୍ଭୁତ କରୁଣ ବାଣୀ ଶୁଣି ଅଧର ସିଂହ ଶୋକରେ ଅଧୀର ହୋଇ ନିବେଦନ କଲା, ‘‘ରାଣି ! ଏ ଆଜନ୍ମସେବକ ପକ୍ଷରେ ଏପରି ନିଦାରୁଣ କାର୍ଯ୍ୟ କି ସମ୍ଭବ ? ଏବେ ଚାଲନ୍ତୁ, ରଣକ୍ଷେତ୍ର ଛାଡ଼ି ନଗରକୁ ଚାଲିଯିବା ।’’

 

ଏହା ଶୁଣି ବୀରାଙ୍ଗନା ଦୁର୍ଗାବତୀ କହିଉଠିଲେ, ‘‘ଅଧର ସିଂହ ! ତୁମେ ସିଂହ ହୋଇ ଶୃଗାଳର ନୀତି ଆଶ୍ରୟ କରିବାକୁ କହୁଛ ? ସାମାନ୍ୟ ଏ ଜୀବନର ମୋହରେ ମୁଁ ଯୁଦ୍ଧଭୂମିରୁ ପୃଷ୍ଠଭଙ୍ଗ ଦେଇ ଚିରକାଳ ପାଇଁ କ୍ଷାତ୍ରଧର୍ମରେ କଳଙ୍କ-ମସି ବୋଳିପାରିବି ନାହିଁ କିମ୍ୱା ଶତ୍ରୁହସ୍ତର ସ୍ପର୍ଶରେ ନିଜ ବୀରପିଣ୍ଡକୁ ଅପବିତ୍ର କରିପାରିବି ନାହିଁ । ଜନ୍ମଭୂମିର ପୁଣ୍ୟ ନାମରେ ଆତ୍ମବିସର୍ଜ୍ଜନ କରିବାଠାରୁ ଆଉ ମହତ୍ତର କାର୍ଯ୍ୟ କଅଣ ଅଛି ଅଧର ସିଂହ ?’’

 

ଏହା କହୁଁ କହୁଁ ଦୁର୍ଗାବତୀ ଅଧର ସିଂହର ହସ୍ତରୁ ତୀକ୍ଷଣ ଛୁରିକାଟି ଛଡ଼ାଇଆଣି ସଙ୍ଗେ ସଙ୍ଗେ ନିଜ ବକ୍ଷରେ ବିଦ୍ଧକରି ପ୍ରାଣତ୍ୟାଗ କଲେ । ସମରଭୂମି ସେହି ବୀରଶୋଣିତରେ ରକ୍ତିମ ହୋଇଉଠିଲା । ସେହି ରକ୍ତସ୍ମୃତି ଆଜି ମଧ୍ୟ ଜନ୍ମଭୂମିର ଗୌରବରକ୍ଷା ପାଇଁ ଭାରତୀୟ ନାରୀମାନଙ୍କ ପ୍ରାଣରେ ଅସୀମ ଉନ୍ମାଦନା ସୃଷ୍ଟି କରୁଅଛି ।

Image

 

ବୀରପିତାର ବୀରପୁତ୍ର

 

ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଗୁରୁଗୋବିନ୍ଦଶିଖ ସମ୍ପ୍ରଦାୟର ଦଶମ ଗୁରୁ ଆସନରେ ପ୍ରତିଷ୍ଠିତ ହୋଇଥିଲେ । ଶିଖ ବିଦ୍ୱେଷୀମାନଙ୍କ ହସ୍ତରୁ ରକ୍ଷା କରିବା ନିମିତ୍ତ ସେ ଶିଖ ଜାତିକୁ ଏକତାସୂତ୍ରରେ ଗ୍ରଥିତ କରିଥିଲେ । ପରସ୍ପର ମଧ୍ୟରେ ଉଚ୍ଚ ନୀଚ ଜାତିଭେଦ ଘେନି କନ୍ଦଳ ନ ଉପୁଜିବ ବୋଲି ତାଙ୍କର ବିଭିନ୍ନ ଶ୍ରେଣୀର ଶିଷ୍ୟମାନେ ନିଜ ନିଜର ଭିନ୍ନ ଭିନ୍ନ ଉପାଧି ତ୍ୟାଗକରି ସମସ୍ତେ ‘ସିଂହ’ ଏହି ସାଧାରଣ ଉପାଧି ଗ୍ରହଣ କଲେ ଏବଂ ସିଂହବିକ୍ରମରେ ଯେକୌଣସି ଦୁର୍ଦ୍ଧର୍ଷ ଶତ୍ରୁ ସେନାସହ ସଂଗ୍ରାମ କରି ସ୍ୱଜାତିର ଗୌରବ ରକ୍ଷାପାଇଁ କୃତସଂକଳ୍ପ ହେଲେ ।

 

ଗୁରୁ ଗୋବିନ୍ଦ ଜଣେ ଖ୍ୟାତନାମା ବୀରପୁରୁଷ ଥିଲେ । ସେ ଯେଉଁ ରାଜ୍ୟଟିରେ ବାସ କରୁଥିଲେ, ସେହି ରାଜ୍ୟର ନୃପତିଙ୍କ ସହିତ ତାଙ୍କର ବିରୋଧ ଉପସ୍ଥିତ ହେଲା । ରାଜା ଏଥିରେ କ୍ରୁଦ୍ଧହୋଇ ଶିଖମାନଙ୍କ ବିରୁଦ୍ଧରେ ସୈନ୍ୟଦଳ ପ୍ରେରଣ କଲେ । ମାତ୍ର ଗୁରୁଗୋବିନ୍ଦଙ୍କ ଚତୁର ଯୁଦ୍ଧପରିଚାଳନା ଫଳରେ ସେହି ରାଜସୈନ୍ୟ ସମ୍ପୂର୍ଣ୍ଣରୂପେ ପରାଭୂତ ହେଲେ । ଗୁରୁ ଗୋବିନ୍ଦ ସିଂହ ଉକ୍ତ ରାଜ୍ୟର ରାଜଧାନୀ ଆନନ୍ଦପୁର ଅଧିକାର କରି ସେହିଠାରେ ଅବସ୍ଥାନ କଲେ ।

 

ରାଜା ଏଥିରେ ଅତ୍ୟନ୍ତ ଅପମାନିତ ହେଲେ ଏବଂ ଶିଖଦଳ ଉପରେ ଯଥୋଚିତ ପ୍ରତିଶୋଧ ନେବାପାଇଁ ତତ୍କାଳୀନ ଦିଲ୍ଲୀଶ୍ୱର ମୋଗଲସମ୍ରାଟ୍ ଆଉରଙ୍ଗଜେବଙ୍କ ସାହାଯ୍ୟ ଭିକ୍ଷା କଲେ । ଆଉରଙ୍ଗଜେବ ଏଥିରେ ଆନନ୍ଦରେ ସମ୍ମତ ହୋଇ ଆନନ୍ଦପୁର ଅଭିମୁଖରେ ବିରାଟ ସେନାଦଳ ପ୍ରେରଣ କଲେ ।

 

ସେହି ବିପୁଳ ମୋଗଲବାହିନୀ ଅତି ଆକସ୍ମିକଭାବରେ ଆସି ଆନନ୍ଦପୁରକୁ ଚତୁର୍ଦ୍ଦିଗରୁ ଅବରୋଧ କଲେ । ଦୀର୍ଘ ସାତମାସ ଅତିବାହିତ ହୋଇଗଲା; ତଥାପି ମୋଗଲସେନା ଆନନ୍ଦପୁର ଦୁର୍ଗମଧ୍ୟକୁ ପ୍ରବେଶ କରିପାରିଲେ ନାହିଁ । ଶିଖସୈନ୍ୟଙ୍କୁ ପରାସ୍ତ କରିବା ମୋଗଲସେନା ପକ୍ଷରେ କ୍ରମେ ଅସମ୍ଭବ ହୋଇଉଠିଲା । ତେଣୁ ମୋଗଲସେନାପତି ସନ୍ଧିପ୍ରସ୍ତାବ ପଠାଇ ଶିଖଗୁରୁଙ୍କୁ ଜଣାଇଲେ, ‘‘ଆପଣ ଯଦି ଦଳବଳସହ ଆନନ୍ଦପୁର ତ୍ୟାଗକରି ଚାଲିଯିବେ, ତାହାହେଲେ ଆମେ ଏହିଠାରୁ ଯୁଦ୍ଧ ବନ୍ଦ କରିଦେବୁଁ ଏବଂ ଆପଣଙ୍କର କୌଣସି କ୍ଷତିସାଧନ କରିବୁ ନାହିଁ ।’’

 

ପ୍ରସ୍ତାବ ଶୁଣି ଗୁରୁଗୋବିନ୍ଦ ତାଙ୍କର ଶିଷ୍ୟ ଓ ସୈନ୍ୟମାନଙ୍କୁ ଆହ୍ୱାନକରି କହିଲେ, ‘‘ଏ ପ୍ରସ୍ତାବରେ ଲେଶମାତ୍ର ଆନ୍ତରିକତା ଥିଲା ପରି ମୋତେ ଜଣାଯାଉ ନାହିଁ । ମୋଗଲମାନେ ଶଠ ବୋଲି ଭାରତପ୍ରସିଦ୍ଧ; ତେଣୁ ତାଙ୍କର ଏହି ପ୍ରସ୍ତାବର ପଶ୍ଚାତରେ ଘୋର ଛଳନା ଓ ଚକ୍ରାନ୍ତ ବ୍ୟତୀତ ଅନ୍ୟ କିଛି ନାହିଁ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ । ଆମ୍ଭେମାନେ ଦୁର୍ଗ ତ୍ୟାଗକରି ଦୂରକୁ ଚାଲିଗଲେ ସେମାନେ ନିଶ୍ଚୟ ଦୁର୍ଗମଧ୍ୟରେ ପ୍ରବେଶ କରି ନିର୍ବିରୋଧରେ ଆନନ୍ଦପୁରର ଅଧିକାରୀ ହେବେ ।’’

 

ଶିଖଗୁରୁଙ୍କର ଏହି ସତର୍କବାଣୀ କିନ୍ତୁ ଫଳପ୍ରସୂ ହେଲା ନାହିଁ । ସେତେବେଳକୁ ଦୁର୍ଗରୁ ସମସ୍ତ ଖାଦ୍ୟସମ୍ଭାର ଓ ଜଳଭଣ୍ଡାର ନିଃଶେଷ ହୋଇ ଆସିଥାଏ । ଶିଖଗଣ କ୍ଷୁଧାତୃଷାରେ ଅତ୍ୟନ୍ତ କାତର । ଆଉ ଅଧିକ କାଳ ସେପରି ବିପନ୍ନ ଅବସ୍ଥାରେ ଅବସ୍ଥାନ କଲେ ପ୍ରାଣସଂଶୟ ଉପସ୍ଥିତ ହେବା ନିଶ୍ଚିତ ଜାଣି ସେମାନେ ଗୁରୁଙ୍କ କଥାରେ ଆଦୌ ସମ୍ମତ ହେଲେ ନାହିଁ । ଜୀବନରକ୍ଷା ପାଇଁ ସଙ୍ଗେ ସଙ୍ଗେ ଦଳ ଦଳ ଶିଖ ଦୁର୍ଗ ଛାଡ଼ି ବାହାରିପଡ଼ିଲେ । ସେମାନଙ୍କର ଏତାଦୃଶ ଆଚରଣରେ ମର୍ମାହତ ହୋଇ ଗୁରୁ ଗୋବିନ୍ଦ ଏଥର ପାଇଁ ବିଜୟ-ଆଶା ମନରୁ ଦୂର କଲେ ଏବଂ ସୁଯୋଗ ଦେଖି ପରେ ଶିଖମାନଙ୍କୁ ପୁନର୍ଗଠିତ କରି ପୁଣି ଶତ୍ରୁପକ୍ଷକୁ ପରାଜିତ କରିବାର ପ୍ରତୀକ୍ଷାରେ ରହିଲେ ।

 

ଏଭଳି ଭୟାବହ ପରିସ୍ଥିତିରେ ଗୁରୁ ଗୋବିନ୍ଦଙ୍କ ପରିବାର ଦୁର୍ଗମଧ୍ୟରେ ଅବସ୍ଥାନ କରିବା ନିରାପଦ ନୁହେଁ ଜାଣି ଶିଖମାନେ ଗୁରୁଜୀଙ୍କ ମାତା ଗୁଜରୀ ବାଈ, ସ୍ତ୍ରୀ ସୁନ୍ଦରୀ ବାଈ ଏବଂ ଦୁଇ ପୁତ୍ର ଯୁଝାର ସିଂହ ଓ ଫତେ ସିଂହଙ୍କୁ ନିଜ ସଙ୍ଗରେ ଦୁର୍ଗବାହାରକୁ ଘେନିଗଲେ ।

 

ଯେଉଁ ରାଜପଥ ପୂର୍ବେ ଜନବିରଳ ହୋଇ ରହିଥିଲା, ଏବେ ତାହା ଜନକୋଳାହଳରେ ପରିପୂର୍ଣ୍ଣ ହୋଇ ଉଠିଲା । ବିଶ୍ୱସ୍ତ ଶିଖସୈନ୍ୟଙ୍କର ପରିବେଷ୍ଟନୀ ମଧ୍ୟରେ ଥାଇ ଗୁରୁ ଗୋବିନ୍ଦଙ୍କ ପରିବାର ଶିବିକାରେ ବସି ନିର୍ବିଘ୍ନରେ ଆଗେଇ ଚାଲିଥାନ୍ତି । ଏହି ସମୟରେ ନୃଶଂସ ବିପକ୍ଷବାହିନୀ ପ୍ରଚଣ୍ଡ ବେଗରେ ପଛରୁ ଆସି ସେହି ବିରାଟ ଜନତା ଉପରେ ଝାମ୍ପି ପଡ଼ିଲା । ପ୍ରବଳ ଝଟିକାର ଆଘାତରେ ତରୁଶ୍ରେଣୀ ଦୋହଲିଯାଇ ଛିନ୍ନ ଶାଖାପତ୍ରରାଶି ଇତସ୍ତତଃ ଉଡ଼ିଗଲାପରି ସେହି ଶିଖଦଳ ରାଜମାର୍ଗ ଛାଡ଼ି ପ୍ରାଣଭୟରେ କିଏ କାହିଁ ପଳାଇଗଲେ, ଏପରିକି ଗୁରୁ ଗୋବିନ୍ଦଙ୍କ ପରିବାର ସଙ୍ଗରେ ଜଣେହେଲେ ସୈନିକ ରହିଲା ନାହିଁ । ବାହକମାନେ କିନ୍ତୁ ସେହି ଶତ୍ରୁସଙ୍କୁଳ ସ୍ଥାନରେ ପ୍ରଭୁପରିବାରକୁ ନିଃସହାୟ ଅବସ୍ଥାରେ ଛାଡ଼ି ନ ଯାଇ ଅତି ଦ୍ରୂତପଦରେ ଶିବିକା ଘେନି କୌଣସି ଏକ ଦୂରବର୍ତ୍ତୀ ଗ୍ରାମ ଅଭିମୁଖରେ ଧାବିତ ହେଲେ ।

 

କ୍ରମେ ଦିବସର ଅବସାନ ହେଲା ଏବଂ ସନ୍ଧ୍ୟାର ଅନ୍ଧକାର ଚତୁର୍ଦ୍ଦିଗରୁ ଘନୀଭୂତ ହୋଇ ଆସିଲା । ଧରଣୀର ଉଜ୍ଜ୍ୱଳମୁଖ କୃଷ୍ଣ ଉତ୍ତରୀରେ ଅବଗୁଣ୍ଠିତ ହେଲା । ସେତେବେଳକୁ ଶିବିକା ଆସି ସରହିନ୍ଦ ଗ୍ରାମ ସୀମାରେ ପହଞ୍ଚିଥାଏ । ବାହକମାନଙ୍କଠାରୁ ସମସ୍ତ ବୃତ୍ତାନ୍ତ ଶ୍ରବଣ କରି ଗଙ୍ଗୁ ନାମକ ଜନୈକ ବ୍ୟକ୍ତି ରାଜମାତା ଗୁଜରୀ ବାଈଙ୍କ ନିକଟକୁ ଆସି ସସମ୍ଭ୍ରମରେ ଅଭିବାଦନ ଜଣାଇଲା । ଗଙ୍ଗୁ ପୂର୍ବେ ରାଜାମାତାଙ୍କର ବିଶ୍ୱାସୀ ଭୃତ୍ୟ ଥିଲା । ଅପରିଚିତ ସ୍ଥାନରେ ତାକୁ ଦେଖି ଗୁଜରୀ କିଞ୍ଚିତ ଆଶ୍ୱସ୍ତ ହେଲେ । ଗଙ୍ଗୁ ସେମାନଙ୍କୁ ତାର ଗୃହରେ କିଛିଦିନ ଆତିଥ୍ୟ ଗ୍ରହଣ କରିବାକୁ ନିବେଦନ କଲା । ଗୁଜରୀ ତାର ନିବେଦନ ପ୍ରତ୍ୟାଖ୍ୟାନ କରି ପାରିଲେ ନାହିଁ । ଫଳରେ ସମଗ୍ର ରାଜପରିବାର ସ୍ୱସ୍ତିର ନିଃଶ୍ୱାସ ମାରି ଗଙ୍ଗୁଗୃହରେ ଅତିଥିରୂପେ ଅବସ୍ଥାନ କରିବାକୁ ବାହାରିଲେ ।

 

ତେଣେ ମୋଗଲସୈନ୍ୟଦଳଦ୍ୱାରା ଆନନ୍ଦପୁର ଅଧିକୃତ ହୋଇଗଲା । ଆଉରଙ୍ଗଜେବ ହେଲେ ସେହି ରାଜ୍ୟର ଅଧୀଶ୍ୱର । ଉଜିଦା ଖାଁ ସରହିନ୍ଦ୍ ଅଞ୍ଚଳର ଶାସନକର୍ତ୍ତାରୂପେ ପ୍ରେରିତ ହେଲେ । ଗଙ୍ଗୁ ରାଜମାତାଙ୍କର ସେବକକାର୍ଯ୍ୟ ଛାଡ଼ିଲା ପରେ ମୋଗଲପକ୍ଷର ଗୁପ୍ତଚରଭାବରେ କାର୍ଯ୍ୟ କରୁଥିଲା । ଏ କଥା ଗୁଜରୀ ବା ତାଙ୍କ ପରିବାରର କାହାରିକୁ ଜଣା ନ ଥାଏ । ତେଣୁ ପୂର୍ବବିଶ୍ୱାସର ସୁଯୋଗ ନେଇ ସେ ଗୁରୁ ଗୋବିନ୍ଦଙ୍କ ପରିବାରକୁ ଭୁଲାଇଆଣି ନିଜ ଘରେ ରଖିପାରିଲା । ଏବେ ବିଶ୍ୱାସଘାତକ ଗଙ୍ଗୁ ଉଜିଦା ଖାଁଙ୍କ ନିକଟକୁ ଯାଇ ଗୋପନରେ ଜଣାଇଲା, ‘‘ନବାବ ! ଶତ୍ରୁପରିବାର ବର୍ତ୍ତମାନ ମୋର କରଗତ । ଗୁରୁ ଗୋବିନ୍ଦଙ୍କର ଦୁଇ ବାଳକପୁତ୍ର, ମାତା ଓ ସ୍ତ୍ରୀ ସମସ୍ତେ ମୋହରି ଗୃହରେ ଆଶ୍ରୟ ଗ୍ରହଣ କରିଛନ୍ତି ।’’

 

ଏ ସୁସମ୍ୱାଦ ପାଇ ଉଜିଦା ଖାଁ ଆନନ୍ଦରେ ଏକାବେଳକେ ଅଧୀର ହୋଇଉଠିଲେ ଏବଂ ଗଙ୍ଗୁକୁ ଯଥେଷ୍ଟ ପୁରସ୍କାର ଦେଇ ସନ୍ତୁଷ୍ଟ କଲେ । ନବାବ ଆଉ କ୍ଷଣେମାତ୍ର ବିଳମ୍ୱ ନ କରି ଗୁରୁ ଗୋବିନ୍ଦଙ୍କର ସମଗ୍ର ପରିବାରକୁ ଗଙ୍ଗୁଗୃହରୁ ଧରିଆଣି କରାଗାଗାରରେ ଆବଦ୍ଧ କଲେ । କୃତଘ୍ନ ଗଙ୍ଗୁର ଗୋପନ ଷଡ଼ଯନ୍ତ୍ର ଫଳରେ ସେମାନଙ୍କର ଯେ ଏପରି ଦୁର୍ଦ୍ଦଶା ଘଟିଲା, ତାହା ଜାଣିବାକୁ ଆଉ କାହାରି ବାକି ରହିଲା ନାହିଁ ।

 

ଏହାପରେ ଉଜିଦା ଖାଁ ଗଙ୍ଗୁକୁ ଆଦେଶ ଦେଲେ, ‘‘ଗୁରୁ ଗୋବିନ୍ଦଙ୍କ ଦୁଇ ପୁତ୍ରଙ୍କୁ ବନ୍ଦିଶାଳାରୁ ଆଣି ଦରବାରରେ ଉପସ୍ଥିତ କରାଅ ।’’ ଆଦେଶାନୁଯାୟୀ ଗଙ୍ଗୁଯାଇ ବନ୍ଦିନୀ ଗୁଜରୀଙ୍କୁ କହିଲା, ‘‘ଯୁଝାର ସିଂହ ଓ ଫତେ ସିଂହଙ୍କୁ ନବାବ ଦେଖିବାକୁ ଇଚ୍ଛା କରିଛନ୍ତି । ସେ ଦୁହିଁଙ୍କୁ ଏବେ ମୋ ସହିତ ଦରବାର ପଠାନ୍ତୁ ।’’

 

ଏକଥା ଶୁଣିବାମାତ୍ରେ ଗୁଜରୀଙ୍କ ମସ୍ତକ ଉପରେ ସତେ ଯେପରି ଆକାଶ ଭାଙ୍ଗିପଡ଼ିଲା-। ଅଜ୍ଞାତ ବିପଦର ଘୋର ଆଶଙ୍କାରେ ତାଙ୍କର ସାରା ଶରୀର କମ୍ପିଉଠିଲା । ହୃଦୟରୁ ବ୍ୟାକୁଳତା ଧୈର୍ଯ୍ୟର ସହିତ ଚାପିରଖି ସେ କହିଲେ, ‘‘ଯୁଝାରର ବୟସ ବର୍ତ୍ତମାନ ମୋଟେ ଆଠ ବର୍ଷ, ଆଉ ଫତେର ଛଅ ବର୍ଷ । ଦୁହେଁ ଯାକ ନିତାନ୍ତ ଶିଶୁ । ଦରବାରକୁ ଯିବାର ଉପଯୁକ୍ତ ବୟସ ତାଙ୍କର ଏ ପର୍ଯ୍ୟନ୍ତ ହୋଇନାହିଁ । ତେଣୁ ନବାବଙ୍କୁ ଯାଇ ଜଣାଅ, ଏଭଳି ଛୋଟ ଶିଶୁଙ୍କୁ ମୁଁ ସେଠାକୁ ପଠାଇପାରିବି ନାହିଁ ।’’

 

ଗଙ୍ଗୁ ଏଥିରେ କ୍ରୁଦ୍ଧ ହୋଇ କହିଲା, ‘‘ନବାବଙ୍କ ଆଦେଶ କଦାପି ଅନ୍ୟଥା ହେବାର ନୁହେଁ । ତାଙ୍କର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ କରିବାକୁ ହେବ । ତେଣୁ ଆପଣ ଯଦି ଶିଶୁ ଦୁହିଁଙ୍କୁ ନ ଛାଡ଼ନ୍ତି, ତେବେ ବଳପୂର୍ବକ ମୁଁ ସେମାନଙ୍କୁ ଆପଣଙ୍କଠାରୁ ଛଡ଼ାଇନେଇ ଦରବାରରେ ଉପସ୍ଥିତ କରାଇବି-।’’

 

ମାତା ସୁନ୍ଦରୀ ବାଈ ଦୁଇ ସନ୍ତାନଙ୍କ ସହିତ ସେହିଠାରେ ଥାଆନ୍ତି । ଗଙ୍ଗୁର ଏପରି ନିଷ୍ଠୁର ବାକ୍ୟ ଶୁଣି ଗୁଜରୀ ଓ ସୁନ୍ଦରୀ ଅଥୟ ହୋଇଉଠିଲେ । ଉଭୟଙ୍କ ନୟନରୁ ଝରଝର ହୋଇ ଅଶ୍ରୁଧାରା ନିର୍ଗତ ହେବାକୁ ଲାଗିଲା । ଦୁଇ ଶିଶୁଙ୍କୁ ନିବିଡ଼ଭାବରେ କୋଳରେ ଜାକି ଧରି ସେ ଦୁହେଁ କାତର କରୁଣପ୍ରାଣରେ ଗଙ୍ଗୁକୁ ବହୁ ଅନୁନୟ କଲେ ।

 

ଏପର୍ଯ୍ୟନ୍ତ ଯୁଝାର ସିଂହ ଓ ଫତେ ସିଂହ ନୀରବ ରହି ସମସ୍ତ କଥାବାର୍ତ୍ତା ଶୁଣୁଥିଲେ । ମାତା ଓ ପିତାମହୀଙ୍କର ବ୍ୟାକୁଳତା ଦେଖି ସେ ଦୁହେଁ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ, ହଠାତ୍ କୋଳ ଛାଡ଼ି ବାହାରିଆସିଲେ ।

 

ଯୁଝାର ସିଂହ ମା ଓ ବୁଢ଼ୀମାଙ୍କୁ ଚାହିଁ କହିଲା, ‘‘ଗଙ୍ଗ ଗୋଟାଏ ନିମକହାରାମ କୁକୁର । ତୁମରି ଭାତ ଖାଇ ତୁମକୁ ଆଜି ନାତ ମାରିଛି । ଏଭଳି ଘୃଣ୍ୟ ବିଶ୍ୱାସଘାତକକୁ ଅନୁରୋଧ କରିବା ମହାପାପ । ଭାରତର ଶ୍ରେଷ୍ଠ ବୀର ଗୁରୁ ଗୋବିନ୍ଦଙ୍କର ସନ୍ତାନ ଆମେ । ଆମ ଧମନୀରେ ମଧ୍ୟ ପିତାଙ୍କର ସେହି ବୀରରକ୍ତ ପ୍ରବାହିତ ହେଉଛି, ଆମ ଦେହରେ ମଧ୍ୟ ପିତାଙ୍କ ପରି ଶତ ସିଂହର ବଳ ଖେଳୁଛି । ସିଂହ ଶିଶୁ ଆମେ, ନବାବ ଆମର କଅଣ କରିପାରିବ ? ଆମେ ନିଶ୍ଚୟ ଦରବାରକୁ ଯିବୁଁ, ତୁମେ କେହି ଆପତ୍ତି କର ନାହିଁ ।’’

 

ଏହାପରେ ଦୁଇ ସହୋଦର କାରାକକ୍ଷ ଛାଡ଼ି ଦରବାରକୁ ଯିବା ପାଇଁ ଉଦ୍ୟତ ହେଲେ । ଗଙ୍ଗୁ କ୍ରୋଧରେ ପ୍ରଜ୍ଜ୍ୱଳିତ ହୋଇ ସେ ଦୁହିଁଙ୍କ ହସ୍ତକୁ ଶୃଙ୍ଖଳିତ କରି ଝିଙ୍କିଝିଙ୍କି ଘେନିଗଲା । ପିତାମହୀ ଓ ମାତା କାହାରି ମୁଖରୁ ବାକ୍‍ସ୍ଫୁର୍ତ୍ତି ହେଲା ନାହିଁ । ଚିତ୍ରାର୍ପିତ ପରି ଅଚଳ ରହି ସେ ଦୁହେଁ କେବଳ ପ୍ରାଣପ୍ରିୟ ଶିଶୁଙ୍କ ଗତିପଥକୁ ଅନାଇ ରହିଲେ ।

 

ନବାବ ଉଜିଦା ଖାଁଙ୍କ ଦରବାର । ପାରିଷଦ ଓ ଗଣ୍ୟମାନ୍ୟ ବହୁ ବ୍ୟକ୍ତିଦ୍ୱାରା ସଭାସ୍ଥଳ ପରିପୂର୍ଣ୍ଣ । ଏହି ସମୟରେ ଦୁଇ ବୀରବାଳକ ଗମ୍ଭୀରଭାବରେ ଯାଇ ସେଠାରେ ପ୍ରବେଶ କଲେ ଏବଂ ତେଜୋଦୀପ୍ତ ବଦନରେ ମସ୍ତକ ଉନ୍ନତ ରଖି ନବାବଙ୍କ ଆସନସମ୍ମୁଖରେ ଦଣ୍ଡାୟମାନ ହେଲେ । ଏହା ଦେଖି ସିପାହିମାନେ ତାଙ୍କ କର୍ଣ୍ଣପାର୍ଶ୍ୱରେ ଚୁପ୍‍କରି କହିଲେ, ‘‘ଯୁଝାର ସିଂହ, ଫତେ ସିଂହ ! ଶିର ଅବନତ କର; ନବାବଙ୍କ ସମକ୍ଷରେ ଏପରି ଠିଆହେବା ଔଦ୍ଧତ୍ୟର ଚିହ୍ନ । ତୁମେ ବନ୍ଦୀ, ଦରବାରକୁ ଆସିଛ; ଏବେ ବିନୟ ନମ୍ରଭାବରେ ନବାବଙ୍କୁ ସଲାମ ଦିଅ ।’’

 

ମୋଗଲସିପାହିଙ୍କର ଏ ପ୍ରବର୍ତ୍ତନାବାକ୍ୟ ଦୁଇ ଭ୍ରାତାଙ୍କ ହୃଦୟରେ ତୀକ୍ଷଣ ଛୁରିକା ପରି ଭେଦ କଲା । ଭାରତପୂଜ୍ୟ ଶିଖଗୁରୁଙ୍କ ସନ୍ତାନପକ୍ଷରେ ଜାତିଶତ୍ରୁ ମୋଗଲବାଦଶାହର ଗୋଲାମ ଏହି ନବାବକୁ ସଲାମ କରିବା କି କେବେହେଲେ ସମ୍ଭବପର ହୋଇପାରେ ? ସେ ଦୁହେଁ ନବାବଙ୍କ ଆଡ଼କୁ ଚାହିଁ ଉଚ୍ଚକଣ୍ଠରେ ଗାଇଉଠିଲେ—

 

‘‘କରତା ପୁରୁଖ ଅକାଳ କୃପାଳୁ

ସବତେ ବଡ଼ୋ କାଳକେ କାଳୁ ।

ତିସ୍ ଆଗେ ହାମ୍ ଅର୍ପେ ଶିସ୍

ସକଳ କଳାସମରଥ ଜଗଦୀଶ ।’’

 

ଏହାର ଅର୍ଥ—‘‘ସେହି ଅକାଳକର୍ତ୍ତା ପୁରୁଷ ଦୟାମୟ ଅଟନ୍ତି । ସେ ସମସ୍ତଙ୍କଠାରୁ ବଡ଼–ପରାତ୍ପର । ସେ ହେଉଛନ୍ତି କାଳର କାଳ, ପୁଣି ସର୍ବୈଶ୍ୱର୍ଯ୍ୟପୂର୍ଣ୍ଣ । ସେହି ଜଗଦୀଶଙ୍କ ସମ୍ମୁଖରେ ଆମେ ଆମର ମସ୍ତକ ଅର୍ପଣ କରିଛୁଁ । ତୁମେ ଦୂରାତ୍ମା, ତୁମ ଆଗରେ ଏ ମସ୍ତକ ନତ ହୋଇପାରେନା ।’’

 

ବନ୍ଦୀ ଶିଶୁଙ୍କର ଏଭଳି ଗର୍ବୋଦ୍ଧତ ମନୋଭାବ ଦେଖି ନବାବ ମୁହୂର୍ତ୍ତକପାଇଁ କ୍ରୋଧରେ ଅନ୍ଧ ହୋଇଗଲେ; ମାତ୍ର ପରକ୍ଷଣରେ ସେହି କ୍ରୋଧକୁ ଦମନ କରି ମିଷ୍ଟ ସ୍ୱରରେ କହିଲେ, ‘‘ଯୁଝାର ସିଂହ, ଫତେ ସିଂହ ! ତୁମେ ଅବୋଧ ଶିଶୁ, ଏପର୍ଯ୍ୟନ୍ତ ତୁମର ହିତାହିତ ଜ୍ଞାନ ଆସିନାହିଁ । ଏବେ ମୋ କଥା ଶୁଣ । ତୁମ ଦୁହିଙ୍କୁ ବଧ କରିବାର ଆଦେଶ ମୋ ନିକଟରେ ରହିଛି । ତାହାକୁ ଯେକୌଣସି ମୁହୂର୍ତ୍ତରେ ମୁଁ କାର୍ଯ୍ୟକାରୀ କରାଇପାରେଁ । କିନ୍ତୁ ତା ପୂର୍ବରୁ ତୁମର ହିତାକାଂକ୍ଷୀରୂପେ ମୁଁ ଗୋଟିଏ ପରାମର୍ଶ ଦେଉଛି । ତୁମେ ଦୁହେଁ ଯେବେ ଇସଲାମ୍ ଧର୍ମର ଦୀକ୍ଷା ନେବ, ତାହାହେଲେ ମୁଁ ତୁମର ପ୍ରାଣରକ୍ଷା କରାଇପାରିବି । କେବଳ ଏତିକି ନୁହେଁ, ତୁମଙ୍କୁ ପ୍ରଚୁର ଅର୍ଥ-ସମ୍ପତ୍ତି ଦେବି, ତୁମ ମା ଓ ବୁଢ଼ୀମାଙ୍କୁ ରାଜକୀୟ ସୁଖସ୍ୱାଚ୍ଛନ୍ଦ୍ୟରେ ରଖାଇବି ଏବଂ ନବାବପରିବାରମାନଙ୍କରୁ ବାଛି ବାଛି ସୁନ୍ଦରୀ କନ୍ୟାଙ୍କ ସହିତ ତୁମ ଦୁହିଙ୍କୁ ବିବାହ କରାଇଦେବି । ଏ ସମସ୍ତ କଥା ସ୍ଥିର ମନରେ ବିଚାର କରି ଏବେ ଉତ୍ତର ଦିଅ ।’’

 

ଏହା ଶୁଣି ସଦମ୍ଭରେ ଯୁଝାର ସିଂହ କହିଉଠିଲା, ‘‘ନବାବ ! ସ୍ୱାଧୀନଚେତା ବୀର ଗୁରୁଗୋବିନ୍ଦଙ୍କ ପୁତ୍ରଙ୍କୁ ଏଭଳି ହୀନ ପ୍ରଲୋଭନ ଦେଖାଇ ବଶୀଭୂତ କରିବାର ଚେଷ୍ଟା ଆପଣଙ୍କ ପକ୍ଷରେ ବାତୁଳତା ମାତ୍ର । ନିଜ ଧର୍ମ ଓ ନିଜର ରାଜ୍ୟ ଏ ଦୁଇଟି ହେଉଛି ଆମ ପକ୍ଷରେ ସ୍ୱର୍ଗଠାରୁ ବଳି ପ୍ରିୟ । ଜୀବନ-ବିନିମୟରେ ସୁଦ୍ଧା ଆମେ ଏ ଦୁଇଟିର ଗୌରବ ରକ୍ଷା କରିବୁଁ ।’’

 

ବାଳକର ଗର୍ବିତ ମୁଖ ଓ ଘୃଣାବ୍ୟଞ୍ଜକ ଉତ୍ତର ଶୁଣି ଉଜିଦା ଖାଁ ଆଉ ସମ୍ଭାଳିପାରିଲେ ନାହିଁ । କ୍ରୋଧକମ୍ପିତ ସ୍ୱରରେ ଗର୍ଜିଉଠି କହିଲେ, ‘‘ଛୋଟ ମୁହଁରେ ଏଭଳି ବଡ଼ କଥା ଶୋଭା ପାଏ ନାହିଁ ଯୁଝାର ସିଂହ ! ବୀର ପିତାପାଇଁ ଯେଉଁ ଗର୍ବ କରୁଛ, କାହିଁ ତାର ବୀରତ୍ୱ ? ସେ ଯେ ଯୁଦ୍ଧରେ ହାରି କାପୁରୁଷ ପରି କେଉଁଠାକୁ ପଳାଇଯାଇଛି ! ସ୍ୱର୍ଗଠାରୁ ବଳି ପ୍ରିୟ ତୁମର ସେହି ରାଜ୍ୟ ବା କାହିଁ ? ତାହା ତ ବର୍ତ୍ତମାନ ମୋଗଲସମ୍ରାଟ୍ ଆଉରଙ୍ଗଜେବଙ୍କ ହସ୍ତଗତ ! କେବଳ ରହିଛି ଧର୍ମ । ହେଇ ଦେଖ, ଜଲ୍ଲାଦ ଖଡ଼୍‍ଗହସ୍ତରେ ସମ୍ମୁଖରେ ଦଣ୍ଡାୟମାନ ହୋଇ ମୋର ଆଦେଶକୁ ଅପେକ୍ଷା କରି ରହିଛି । ତୁମେ ଯଦି ଧର୍ମ ତ୍ୟାଗ କରିବାକୁ ଅସମ୍ମତ ହୁଅ, ତାହାହେଲେ ଇଙ୍ଗିତମାତ୍ରେ ତୁମ ଦୁହିଙ୍କର ମସ୍ତକ ନିମିଷକ ମଧ୍ୟରେ ଭୂଲୁଣ୍ଠିତ ହେବ । ତଥାପି ସମୟ ଅଛି । ଏବେ ବିଚାରି କୁହ, ଧର୍ମ ଦେବ ନାଁ ଶିର ଦେବ ?’’

 

ଯୁଝାର ସିଂହ ତାତ୍ସଲ୍ୟପୂର୍ଣ୍ଣ ଭଙ୍ଗୀରେ ଉତ୍ତର ଦେଲା, ‘‘ଭାବିଛ କି ଉଜିଦା ଖାଁ, ତୁମର ରକ୍ତଚକ୍ଷୁ ଆଉ ଶିରଶ୍ଛେଦର ଆଦେଶ ଶୁଣି ଗୁରୁ ଗୋବିନ୍ଦଙ୍କ ପୁତ୍ର ଡରିଯିବେ ? ବୃଥା କଳ୍ପନା ସେ ତୁମର । ଆମର ପିତା ଆଜନ୍ମ ବୀର, ଦେଶର ସ୍ୱାଧୀନତା-ସ୍ୱପ୍ନରେ ତାଙ୍କର ଅନ୍ତର ସର୍ବଦା ବିଭୋର । ଶିଖ ଜାତିର ପିତା ଗୁରୁ ଗୋବିନ୍ଦଙ୍କୁ କାପୁରୁଷ କହିବାଦ୍ୱାରା ତୁମେ ତୁମ ବାଦଶାହର କାକୁଷତା ହିଁ ପ୍ରମାଣ କରୁଛ ସିନା ! ମନେ ରଖ ନବାବ, ତୁମର ଏଠାରେ ରାଜପଣ ଆଉ ସମ୍ଭବପର ନୁହେଁ । ଶିଖ ଜାତି ବଞ୍ଚି ଥାଉଁ ଥାଉଁ ଏ ରାଜ୍ୟର ସ୍ୱାଧୀନତାକୁ କଦାପି କେହି ମାରିପାରିବ ନାହିଁ । ଅଳ୍ପକାଳମଧ୍ୟରେ ଗୁରୁ ଗୋବିନ୍ଦଙ୍କ ନେତୃତ୍ୱରେ ଶିଖସେନା ପୁଣି ସେମାନଙ୍କ ହୃତରାଜ୍ୟ ଅଧିକାର କରି ମୁକ୍ତିସଙ୍ଗୀତ ଗାନ କରିବେ ।’’

 

ନବାବଙ୍କର ଏଥର ଧୈର୍ଯ୍ୟଚ୍ୟୂତି ହେଲା । ସେ ବାଳକଦୁହିଙ୍କୁ ତର୍ଜନ କରି ପଚାରିଲେ, ‘‘ତାହାହେଲେ ତୁମେ ଧର୍ମ, ତ୍ୟାଗ କରିବ ନାହିଁ ?’’

 

ଜ୍ୟେଷ୍ଠ ଭ୍ରାତାକୁ ଆଡ଼େଇଦେଇ ବୀରବାଳକ ଫତେସିଂହ ଏଥର ଆଗକୁ ବାହାରିପଡ଼ିଲା ଏବଂ ନବାବଙ୍କ ମୁହଁକୁ ଚାହିଁ ଭୂମିରେ ପଦାଘାତ କରି ଉଚ୍ଚକଣ୍ଠରେ କହିଉଠିଲା, ‘‘ବାଦଶାହର ପୋଷା ଗୋଲାମ ଉଜିଦା ଖାଁ ! ଗର୍ତ୍ତବାସୀ ଶୃଗାଳ ତୁ, ଗୁହାବିହାରୀ ସିଂହଶାବକକୁ ଚିହ୍ନିବୁ କିପରି ? ଏବେ ଶୁଣ, ଶେଷ ଥରପାଇଁ ଶୁଣ୍, ମୃତ୍ୟୁର ଭୟ ଆମ ପାଖରେ ଅତି ତୁଚ୍ଛ । ଘାତକର ଶାଣିତ ଖଡ଼୍‍ଗଧାରକୁ ଆଲିଙ୍ଗନ କରିବୁଁ ପଛେ, କିନ୍ତୁ ଧର୍ମ ତ୍ୟାଗ କରି ଶିଖଜାତିର ପବିତ୍ର ନାମରେ, ସ୍ୱଦେଶର ସ୍ୱାଧୀନ ମହିମାରେ, ପିତାଙ୍କର ବୀରତ୍ୱ-ଗୌରବରେ କଦାପି କଳଙ୍କ କାଳି ବୋଳିପାରିବୁଁ ନାହିଁ ।’’

 

ଏବେ ଭୀଷଣ ଅପମାନରେ ଜର୍ଜ୍ଜର ହୋଇ ନବାବ ଆଦେଶ ଦେଲେ, ‘‘ଜଲ୍ଲାଦ, ଆଉ ବିଳମ୍ୱ ନ କରି ଏହିକ୍ଷଣି ଉଦ୍ଧତ ବାଳକ, ଦୁହିଙ୍କୁ ଘେନିଯାଅ ଏବଂ ଅତି ନିର୍ମମଭାବରେ ଏହାଙ୍କର ମସ୍ତକ ଛେଦନ କରି ସେହି ଛିନ୍ନ ଶିରଦୁଇଟି ଆଣି ମୋତେ ଉପହାର ଦିଅ ।’’

 

ମୁହୂର୍ତ୍ତକ ମଧ୍ୟରେ ନବାବଙ୍କ ଆଦେଶ ଅକ୍ଷରେ ଅକ୍ଷରେ ପାଳିତ ହେଲା । ବନ୍ଦୀ ବୀରଭ୍ରାତା ଦୁହିଙ୍କୁ ଘେନି ଜଲ୍ଲାଦ୍ ବଧ୍ୟଭୂମିକୁ ବାହାରିଲା ।

 

କାଳସ୍ରୋତ ଖରତର ବେଗରେ ବହିଗଲା, କିନ୍ତୁ ଯୁଝାର ସିଂହ ଓ ଫତେ ସିଂହଙ୍କ ମହନୀୟ ଜୀବନର ବୀରତ୍ୱପୂର୍ଣ୍ଣ କାହାଣୀ କାଳକାଳକୁ ଇତିହାସର ସଂପଦ ହୋଇ ରହିଗଲା । ତାଙ୍କର ଅନ୍ତିମ ବାଣୀ ମଧ୍ୟ ଅବ୍ୟବହିତ ପରେ ସଫଳ ହୋଇଥିଲା । ଗୁରୁ ଗୋବିନ୍ଦ ସିଂହ ଯଥାସମୟରେ ଶିଖଜାତିକୁ ପୁନର୍ବାର ସଂଗଠିତ କରି ପରାଧୀନ ମାତୃଭୂମିକୁ ସ୍ୱାଧୀନତାର ଆନନ୍ଦ ଦେଇ ପୁତ୍ରହନ୍ତା ମୋଗଲ-ନବାବର ପ୍ରତିଶୋଧ ନେଲେ ।

Image

 

Unknown

ଇଂରେଜ-ବୈରୀ ସିରାଜ

 

ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗଠାରୁ ଇଂରେଜମାନେ ବଙ୍ଗଳା ଦେଶରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରଚ୍ଛନ୍ନଭାବରେ ଚେଷ୍ଟା କଲେ । ଦିଲ୍ଲୀରେ ମୋଗଲ ରାଜଶକ୍ତି ସେତେବେଳେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥାଏ । ତେଣୁ ଚତୁର ଇଂରେଜମାନେ ସାହସ ସହକାରେ ବଙ୍ଗଳା ଦେଶରେ ପୁନର୍ବାର କିଲ୍ଲା ନିର୍ମାଣ କରି ସେନା-ସଂଗଠନରେ ଲାଗିପଡ଼ିଲେ ।

 

ବଙ୍ଗଳାର ତତ୍କାଳୀନ ନବାବ ଆଲିବର୍ଦ୍ଦି ଖାଁ ଇଂରେଜମାନଙ୍କର ଏହି ଦୂରଭିସନ୍ଧି ହୃଦୟଙ୍ଗମ କରି ସେମାନଙ୍କୁ ନିଜ ରାଜଧାନୀ ମୁର୍ଶିଦାବାଦକୁ ଆହ୍ୱାନ କରି କହିଲେ, ‘‘ତୁମ୍ଭେମାନେ ତ ସଉଦାଗର, ତୁମ୍ଭମାନଙ୍କର ପୁଣି କିଲ୍ଲା ଆବଶ୍ୟକ କଅଣ ? ମୁଁ ଯେତେବେଳେ ଆଶ୍ରୟ ଦେଇ ତୁମ୍ଭମାନଙ୍କୁ ରକ୍ଷା କରିବାର ଦାୟିତ୍ୱ ନେଇଛି, ସେତେବେଳେ ତୁମ୍ଭମାନଙ୍କର କୌଣସି ଶତ୍ରୁକୁ ଭୟ କରିବାର କାରଣ ନାହିଁ । ତେଣୁ କିଲ୍ଲାନିର୍ମାଣରୁ ତୁମ୍ଭେମାନେ ଏଣିକି ନିବୃତ୍ତ ହୁଅ ।’’

 

ଆଲିବର୍ଦ୍ଦି ଥିଲେ ଅପୁତ୍ରକ; ତେଣୁ ସେ ଦୌହିତ୍ର ସିରାଜଦ୍ଦୌଲାଙ୍କୁ ନିଜ ରାଜପ୍ରାସାଦରେ ରଖି ଶୈଶବରୁ ଲାଳନପାଳନ କରୁଥିଲେ । ସିରାଜ ଥିଲେ ନବାବଙ୍କର ନୟନର ମଣି । କାଳେ ଅନ୍ୟ ଦୌହିତ୍ରମାନେ ପରେ ସିଂହାସନପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ, ଏ ଆଶଙ୍କାରେ ନବାବ ନିଜ ଜୀବଦ୍ଦଶାରେ ସିରାଜଙ୍କୁ ଯୌବରାଜ୍ୟରେ ଅଭିଷିକ୍ତ କଲେ । ପ୍ରଜାପୁଞ୍ଜର ପାଳନ ସଙ୍ଗେ ସଙ୍ଗେ ରାଜ୍ୟଚାଳନାର କୂଟନୀତି ଓ ସେନାଚାଳନାରେ ନିପୁଣ କୌଶଳ ଆୟତ୍ତ ନ କଲେ ଇଂରେଜମାନଙ୍କ କବଳରୁ ଭବିଷ୍ୟତରେ ବଙ୍ଗଳାକୁ ରକ୍ଷା କରିବା ସମ୍ଭବପର ହେବ ନାହିଁ, ଏଥିଲାଗି ସେ ସିରାଜଙ୍କୁ ସର୍ବଦା ପାଖେ ପାଖେ ରଖି ଏ ସମସ୍ତ ବିଷୟରେ ପ୍ରତ୍ୟକ୍ଷ ଶିକ୍ଷା ଦେଲେ-। ସିରାଜ ମଧ୍ୟ ଅତି ଉତ୍ସାହିତ ହୋଇ ନିଜେ ସେନାଚାଳନାର ଭାର ଗ୍ରହଣ କଲେ ଏବଂ ମାତାମହଙ୍କ ସହିତ ଏକାଧିକ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ରହି ବିଭିନ୍ନ ଅବସ୍ଥାରେ ରଣଚାତୁରୀର ଅଭୂତପୂର୍ବ ଅଭିଜ୍ଞତା ଅର୍ଜନ କଲେ ।

 

ସିରାଜ କ୍ରମଶଃ ଇଂରେଜମାନଙ୍କୁ ଅତ୍ୟନ୍ତ ଘୃଣାଚକ୍ଷୁରେ ଦେଖିଲେ ଏବଂ ସେହିମାନେ ଯେ ଭାରତର ପରମଶତ୍ରୁ, ଏହା ଉତ୍ତମରୂପେ ହୃଦୟଙ୍ଗମ କଲେ ।

 

ଆଲିବର୍ଦ୍ଦିଙ୍କ ଜୀବନର ଶେଷ ଯବନିକା ପଡ଼ିଲା । ସେ ମୃତ୍ୟୁଶଯ୍ୟାରେ ସିରାଜଙ୍କୁ ଉପଦେଶ ଦେଇଗଲେ, ‘‘ଜନ୍ମଭୂମିର ମଯ୍ୟାଦା ରକ୍ଷା କରିବାକୁ ହେଲେ ସର୍ବପ୍ରଥମେ ଇଂରେଜମାନଙ୍କୁ ଏଠାରୁ ବିତାଡ଼ିତ କରିବାକୁ ହେବ । ଏହି ପଣ ଗ୍ରହଣ କରି ତୁମ୍ଭେ ମୋର ଉତ୍ତରାଧିକାରୀରୂପେ ଜୀବନର ଜୟଯାତ୍ରା ଆରମ୍ଭ ନ କଲେ ଜନ୍ମଭୂମିପ୍ରତି ନିଜର କର୍ତ୍ତବ୍ୟରେ ଅବହେଳା କରିବ ।’’

 

ବୃଦ୍ଧ ନବାବ ଚିରଦିନପାଇଁ ଚକ୍ଷୁ ମୁଦ୍ରିତ କଲେ । ସିରାଜ ମହାସମାରୋହରେ ପ୍ରସିଦ୍ଧ ମୁର୍ଶିଦାବାଦ ରାଜସିଂହାସନ ଅଳଙ୍କୃତ କରି ବଙ୍ଗଳାର ନବାବରୂପେ ଘୋଷିତ ହେଲେ । ସେତେବେଳକୁ ତାଙ୍କର ବୟସ ସପ୍ତଦଶ ବର୍ଷ ମାତ୍ର । ଏଣିକି ତାଙ୍କ ଭୟରେ କଲିକତାର ଇଂରେଜମାନେ ଥରହର ହେବାକୁ ଲାଗିଲେ ।

 

ଏହି ସମୟରେ ଦୁଇଟି ବିଶିଷ୍ଟ ଘଟଣା ସଂଘଟିତ ହେଲା । ରାଜବଲ୍ଲଭ ନାମରେ ଢାକାର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ରାଜକୀୟ ଧନ ଆତ୍ମସାତ କରିଥିବା ଅଭିଯୋଗରେ କାରାରୁଦ୍ଧ ହେଲେ । ସେହି ସମ୍ୱାଦ ପାଇ ତାଙ୍କ ପୁତ୍ର କୃଷ୍ଣବଲ୍ଲଭ ପିତାଙ୍କର ସମସ୍ତ ଅସ୍ଥାବର ସମ୍ପତ୍ତି ସହ ଗୋପନରେ କଲିକତାକୁ ପଳାୟନ କଲେ । ଇଂରେଜମାନେ ତାଙ୍କୁ ସେଠାରେ ଅଭୟ ଆଶ୍ରୟ ଦେଇ ଅନ୍ୟାୟ ପକ୍ଷର ସମର୍ଥନ କଲେ ।

 

ଦ୍ୱିତୀୟ ଘଟନାଟି ହେଉଛି ଆହୁରି ଗୁରୁତର । ସ୍ୱର୍ଗତ ନବାବ ଆଲିବର୍ଦ୍ଦିଙ୍କର ନିର୍ଦେଶ ଥିଲା, ଇଂରେଜମାନେ ଆଉ କୌଣସି ନୂତନ କିଲ୍ଲା ନିର୍ମାଣ କରିପାରିବେ ନାହିଁ । କିନ୍ତୁ ଗୁପ୍ତଚର-ମୁଖରୁ ସିରାଜଙ୍କର ଶ୍ରୀତିଗୋଚର ହେଲା ଯେ, ଇଂରେଜମାନେ ବର୍ତ୍ତମାନ ସେହି ସର୍ତ୍ତ ଲଙ୍ଘନ କରି କଲିକତାରେ ପୁରାତନ ଦୁର୍ଗର ସଂସ୍କାର କରିବା ସଙ୍ଗେ ସଙ୍ଗେ ବାଗବଜାରରେ ଗୋଟିଏ ନୂତନ ଉପଦୁର୍ଗ ମଧ୍ୟ ନିର୍ମାଣ କରୁଛନ୍ତି ।

 

ସିରାଜ୍ ଏ ଦୁଇ ଘଟଣାରୁ ଇଂରେଜମାନଙ୍କର ଗୁପ୍ତ ଅଭିସନ୍ଧି ସ୍ପଷ୍ଟ ବୁଝିପାରିଲେ । ଏହି ଅବୈଧ କାର୍ଯ୍ୟର ଘୋର ପ୍ରତିବାଦ କରି ସେ କଲିକତାସ୍ଥ ଇଂରେଜମାନଙ୍କ ଗଭର୍ଣ୍ଣର ଡେକ୍‍ସାହେବଙ୍କ ନିକଟକୁ ଦୂତହସ୍ତରେ ଖଣ୍ଡିଏ ପତ୍ର ପ୍ରେରଣ କଲେ । ଯଥାସମୟରେ ଦୂତ ଯାଇ ଗଭର୍ଣ୍ଣରଙ୍କୁ ପତ୍ରଟି ଦେଲା । ମାତ୍ର ଉଦ୍ଧତ ଡ୍ରେକ୍ କୌଣସି କଥା ବିଚାରକୁ ନ ନେଇ ଉକ୍ତ ଦୂତକୁ ନାନାଭାବରେ ଅପମାନିତ କରି ସେଠାରୁ ତଡ଼ିଦେଲେ ।

 

ଦୂତପ୍ରତି ଏତାଦୃଶ ଅପମାନର ଅର୍ଥ ସ୍ୱୟଂ ନବାବଙ୍କ ପ୍ରତି ଅପମାନ । ସିରାଜ ଏହା ଶୁଣି କ୍ରୋଧରେ ଦିଗ୍‍ବିଦିଗ୍‍ ଜ୍ଞାନଶୂନ୍ୟ ହୋଇଗଲେ । ମୁଷ୍ଟିମେୟ ଦଳେ ଫିରିଙ୍ଗି ସଉଦାଗର ଯଦି ପଦେ ପଦେ ନବାବଙ୍କ ଆଦେଶ ଲଙ୍ଘନ କରି ତାଙ୍କୁ ଅପମାନ ଦେବାକୁ ସାହସ କରନ୍ତି, ତାହାହେଲେ ନବାବ ପଦର ମର୍ଯ୍ୟାଦା ରହିଲା କେଉଁଠାରେ ? ତେଣୁ ଫିରିଙ୍ଗିମାନଙ୍କ ଆସ୍ଫାଳନ ଚୂର୍ଣ୍ଣ କରିବା ହେଲା ତାଙ୍କର ପ୍ରଥମ କର୍ତ୍ତବ୍ୟ ।

 

ସଙ୍ଗେ ସଙ୍ଗେ ଇଂରେଜମାନଙ୍କ ସହିତ ସିରାଜଙ୍କର ସଂଘର୍ଷ ଆରମ୍ଭ ହେଲା । ସିରାଜ ସୈନ୍ୟଦଳ ଘେନି କାଶିମବଜାରରେ ଉପସ୍ଥିତ ହେଲେ । ସେଠାରେ ଇଂରେଜମାନଙ୍କର କୋଠି ଓ କିଲ୍ଲା ଥାଏ । ନବାବଙ୍କ ସୈନ୍ୟ ଅନାୟାସରେ କିଲ୍ଲା ଅଧିକାର କରି ନେଲେ ଏବଂ କୋଠି ଲୁଣ୍ଠନ କଲେ । ସେଠାରେ ଅବସ୍ଥାନ କରୁଥିବା ଅଧିକାଂଶ ଇଂରେଜ ବନ୍ଦୀ ହେଲେ । ଉଆରେନ୍ ହେଣ୍ଟିଂସ୍‍ଙ୍କ ସମେତ ଅନେକ ଇଂରେଜ ଲୁକ୍‍କାୟିତ ଭାବରେ ପଳାୟନ କରି ପ୍ରାଣ ରକ୍ଷା କଲେ । ଏହା ୧୭୫୬ ମସିହା ଜୁନ୍ ମାସର ଘଟନା ।

 

କାଶିମବଜାର ଅଧିକାର ପରେ ବାର ଦିନମଧ୍ୟରେ ସିରାଜ୍ ସମସ୍ତ ଆୟୋଜନ ସାଙ୍ଗ କରି ପଞ୍ଚାଶତସହସପରିମିତ ଏକ ବିରାଟ ବାହିନୀ ଘେନି ଦ୍ରୂତବେଗରେ କଲିକତା ଅଭିମୁଖେ ଧାବମାନ ହେଲେ ।

 

କଲିକତା ସେଠାରୁ ୧୬୦ ମାଇଲ ଦୂର । ସେତେବେଳେ ରେଳପଥ ନ ଥିଲା; ମୋଟର ଚଳାଚଳ ମଧ୍ୟ ନ ଥିଲା । କିନ୍ତୁ ସେହି ବୃହତ୍ ସେନାବାହିନୀ ଓ ପ୍ରଚୁର ଖାଦ୍ୟଦ୍ରବ୍ୟ ନେଇ ସିରାଜ ଏଗାର ଦିନ ମଧ୍ୟରେ ଉକ୍ତ ଦୀର୍ଘପଥ ଅତିକ୍ରମପୂର୍ବକ କଲିକତା ଉପକଣ୍ଠରେ ଉପଗତ ହେଲେ ।

 

ଇଂରେଜମାନଙ୍କ ମଧ୍ୟରେ ଚହଳ ପଡ଼ିଗଲା । ଭୟରେ ସେମାନେ ବିହ୍ୱଳ ହୋଇ ଉଠିଲେ । ସିରାଜ୍ ଏଭଳି ସଂହାରମୂର୍ତ୍ତି ଧରି ଝଟିକାବେଗରେ ଧାଇଁଆସି ଶ୍ୟେନସଦୃଶ ହଠାତ୍ କଲିକତା ଉପରକୁ ଝାମ୍ପ ମାରିବେ, ଏହା ସେମାନେ କଳ୍ପନାରେ ସୁଦ୍ଧା ଆଣିପାରି ନ ଥିଲେ ।

 

ସେତେବେଳେ କଲିକତାରେ ମୋଟେ ୫୧୫ ଜଣ ଇଂରେଜସୈନ୍ୟ ଥାଆନ୍ତି । ସିରାଜଙ୍କ ବିପୁଳ ସୈନ୍ୟବଳ ସମୁଦ୍ରଲହରୀସଦୃଶ ମାଡ଼ିଆସି ବାଗବଜାରର ନୂତନ ଉପଦୁର୍ଗଉପରେ ଆକ୍ରମଣ ଆରମ୍ଭ କଲାମାତ୍ରେ ତନ୍ମଧ୍ୟସ୍ଥ ଇଂରେଜମାନେ କିଏ କେଉଁଆଡ଼େ ପ୍ରାଣ ଘେନି ପଳାୟନ କଲେ । ଏହାପରେ ପଡ଼ିଲା ମାଟିଆ ବୁରୁଜରେ ଥିବା ଇଂରେଜମାନଙ୍କର ଦୁର୍ଗ ‘ଥାନାଫୋର୍ଟ’ । ତାହାମଧ୍ୟରୁ ଇଂରେଜମାନଙ୍କୁ ବିତାଡ଼ିତ କରି ନବାବଙ୍କ ସୈନ୍ୟମାନେ ଅନାୟାସରେ ଦୁର୍ଗଟିକୁ ହସ୍ତଗତ କଲେ ।

ଶେଷରେ ସିରାଜ ଫୋର୍ଟ ଉଇଲିୟମ୍ ଦୁର୍ଗ ଅଭିମୁଖରେ ଅଭିଯାନ ଚଳାଇଲେ । ତାଙ୍କ ସୈନ୍ୟମାନେ ସେଠାରେ ଉପସ୍ଥିତ ହେବା ପୂର୍ବରୁ ଦୁର୍ଗଚତୁଃପାର୍ଶ୍ୱସ୍ଥ ଲୋକେ ଗୃହଦ୍ୱାର ପରିତ୍ୟାଗ କରି ଦୂରକୁ ପଳାୟନ କରିଥିଲେ । ତେଣୁ ସେହି ପରିତ୍ୟକ୍ତ ଗୃହମାନ ଅଧିକାର କରି ନବାବଙ୍କ ସୈନ୍ୟଦଳ ଦୁର୍ଗଉପରେ ପ୍ରଚଣ୍ଡ ଅଗ୍ନିଦୃଷ୍ଟି ଆରମ୍ଭ କରିଦେଲେ । ଦୁର୍ଗର ଅନେକାଂଶ ଧୁ ଧୁ ହୋଇ ପ୍ରଜ୍ୱଳିତ ହେଲା । ଗୁଳି, ଗୋଳା, ବାରୁଦର ଧୂମରାଶିରେ ଚତୁର୍ଦ୍ଦିଗ ଅନ୍ଧକାରମୟ ହୋଇଗଲା । ଗଭର୍ଣ୍ଣର ଡେକ୍‍ସାହେବ ଅନନ୍ୟଗତିକ ହୋଇ ସେଠାରୁ ପଳାୟନ କଲେ ।

ସେତେବେଳକୁ ଦୁର୍ଗମଧ୍ୟରେ ମୋଟେ ୧୧୭ ଜଣ ଶ୍ୱେତାଙ୍ଗ ସୈନ୍ୟ ଅବଶିଷ୍ଟ ରହିଥାନ୍ତି । ସେମାନେ ଡେକ୍‍ଙ୍କ ଘୃଣ୍ୟ କାପୁରୁଷତା ଦେଖି ତାଙ୍କୁ ଗଭର୍ଣ୍ଣର ପଦରୁ ବିଚ୍ୟୁତ କଲେ ଏବଂ ତାଙ୍କ ସ୍ଥାନରେ ହଲଉଏଲ୍ ସାହେବଙ୍କୁ ନୂତନ ଗଭର୍ଣ୍ଣର ରୂପେ ମନୋନୀତ କଲେ ।

ହଲ୍ଉଏଲ୍ ଶତ୍ରୁସୈନ୍ୟଙ୍କୁ ବାଧା ଦେବାପାଇଁ ଶେଷ ଚେଷ୍ଟା କଲେ ସତ୍ୟ, ମାତ୍ର ଆଦୌ କୃତକାର୍ଯ୍ୟ ହୋଇପାରିଲେ ନାହିଁ । ଶେଷରେ ବଙ୍ଗଳା ସୈନ୍ୟ ପ୍ରାଚୀର ଲଙ୍ଘି ଦୁର୍ଗଭିତରକୁ ଲମ୍ଫ ପ୍ରଦାନ କଲେ । ହଲ୍ଉଏଲ୍‍ଙ୍କ ଅବସ୍ଥା ଅତି ସାଙ୍ଘାତିକ ହୋଇଉଠିଲା । ସେ ସଦଳବଳରେ ସିରାଜଙ୍କ ନିକଟରେ ଆତ୍ମସମର୍ପଣ କଲେ । ଏହିରୂପେ ଫୋର୍ଟ ଉଇଲିୟମ୍ ଦୁର୍ଗ ନବାବଙ୍କର ହସ୍ତଗତ ହେଲା ।

ତିନିଦିନବ୍ୟାପୀ କ୍ରମାଗତ ଆକ୍ରମାଣ ପରେ ୧୭୫୬ ମସିହା ଜୁନ ମାସ ୨୦ ତାରିଖ ରବିବାର ଦିନ କଲିକତାବିଜୟ ଓ ଫିରିଙ୍ଗି ଦଳନ କରି ସିରାଜ୍ ମୁର୍ଶିଦାବାଦକୁ ପ୍ରତ୍ୟାବର୍ତ୍ତନ କଲେ । ରାଜଧାନୀରେ ମହାସମାରୋହରେ ବିଜୟୋତ୍ସବ ପାଳିତ ହେଲା । ସ୍ୱଦେଶର ବୀର ପ୍ରଜାପୁଞ୍ଜ ଓ ବିଜୟୀ ସେନାବାହିନୀଙ୍କୁ ସିରାଜ ସେଥିରେ ସାଦର ଅଭିବାଦନ ଜ୍ଞାପନ କଲେ ।

କଲିକତାରେ ଇଂରେଜମାନଙ୍କର ଏହି ଶୋଚନୀୟ ପରାଜୟ ଓ ପତନ ସମ୍ୱାଦ ମାନ୍ଦ୍ରାଜରେ ଯାଇ ପହଞ୍ଚିଲା । ସେଠାରେ ଇଂରେଜ କର୍ତ୍ତୃପକ୍ଷ ନବାବ ସିରାଜଦ୍ଦୌଲାଙ୍କ ଆକ୍ରମଣର ପ୍ରତିଶୋଧ ନେବାପାଇଁ ଅବିଳମ୍ୱେ ଆୟୋଜନ କଲେ । କ୍ଳାଇବ୍ ୨୪୦୦ ଜଣ ସୈନିକ ସହ କେତେ ଖଣ୍ଡି ରଣପୋତ ଘେନି କଲିକତାର ପୁନରୁଦ୍ଧାର ଉଦ୍ଦେଶ୍ୟରେ ପ୍ରେରିତ ହେଲେ ।

୧୭୫୭ ମସିହାର ଜାନୁଆରୀ ମାସରେ କ୍ଳାଇବ୍ କଲିକତାରେ ଉପସ୍ଥିତ ହେଲେ । ତାଙ୍କର ସୈନ୍ୟମାନେ ରଣତରୀ ଭିତରେ ଥାଇ ଫୋର୍ଟ ଉଇଲିୟମ୍ ଦୁର୍ଗ ଉପରକୁ ଗୋଳା ବର୍ଷଣ କରିବାକୁ ଲାଗିଲେ । ଦୁର୍ଗମଧ୍ୟରେ ଯେଉଁ କେତେକ ବଙ୍ଗସୈନ୍ୟ ଥିଲେ, ସେମାନେ ଶତ୍ରୁର ଏହି ଆକସ୍ମିକ ଆକ୍ରମଣରେ ଆତଙ୍କିତ ହୋଇଉଠିଲେ ଏବଂ ଦୁର୍ଗ ତ୍ୟାଗକରି ପଳାୟନ କଲେ । ତେଣୁ କ୍ଳାଇବ ଅବାଧରେ ଦୁର୍ଗ ଜୟ କରି କଲିକତା ପୁନରାଧିକାର କଲେ । କିନ୍ତୁ ଏହାପରେ ନବାବଙ୍କ ସହିତ ଇଂରେଜମାନଙ୍କର ସନ୍ଧି ହେବାଫଳରେ ସେମାନେ ବିନା ଶୁଳ୍କରେ ବଙ୍ଗଦେଶରେ ବାଣିଜ୍ୟ ବ୍ୟବସାୟ ଚଳାଇବାପାଇଁ ଅଧିକାର ପାଇଲେ ।

 

ଏଣିକି ବଙ୍ଗଳାରେ ଇଂରେଜଶାସନର ପୁନଃପ୍ରତିଷ୍ଠା ଅଦ୍ୱିତୀୟ କୂଟଚକ୍ରୀ କ୍ଳାଇବ୍‍ଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା । ସେ ଦେଖିଲେ, ନବାବ ସିରାଜଦ୍ଦୌଲାଙ୍କ ବିଶ୍ୱସ୍ତ ଓ ପ୍ରଧାନ ବ୍ୟକ୍ତିମାନଙ୍କୁ କୌଶଳରେ କରଗତ ନ କଲେ ତାଙ୍କୁ ଯୁଦ୍ଧରେ ପରାଜିତ କରିବା ଅସମ୍ଭବ । ଏଥିପାଇଁ ସେ ସୁଯୋଗର ଅପେକ୍ଷାରେ ରହିଥାନ୍ତି । ସୌଭାଗ୍ୟକୁ ଏହି ସମୟରେ ନବାବଙ୍କ ସେନାପତି ମୀରଜାଫର୍ ବିଶ୍ୱାସଘାତକତାର ଚୂଡ଼ାନ୍ତ ନିଦର୍ଶନ ଦେଖାଇ କ୍ଲାଇବଙ୍କ ଲକ୍ଷ୍ୟପଥରେ ପ୍ରଧାନ ସହାୟ ହେଲେ । ଅତି ଗୋପନୀୟଭାବରେ ସ୍ଥିର ହେଲା ଯେ, କ୍ଳାଇବ ନବାବଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବେ ଏବଂ ଯୁଦ୍ଧ ଚାଲିଥିବାବେଳେ ମୀରଜାଫର୍ ସ୍ୱୀୟ ସେନାଦଳ ଘେନି କ୍ଳାଇବ୍‍ଙ୍କ ସଙ୍ଗେ ମିଳିତ ହେବେ । ଯୁଦ୍ଧରେ ବିଜୟଲାଭ ହେଲେ ମୀରଜାଫର୍ ବଙ୍ଗଳାର ନବାବଗାଦି ପାଇବେ ଏବଂ ରାଜକୋଷର ଅଜସ୍ର ଅର୍ଥ ଆଣି ଇଂରେଜମାନଙ୍କ ହସ୍ତରେ ଅର୍ପଣ କରିବେ ।

 

ଏହିରୂପେ ଷଡ଼ଯନ୍ତ୍ର ପୂର୍ଣ୍ଣାଙ୍ଗ ହେଲାପରେ କ୍ଳାଇବ୍ ତିନିହଜାର ଦୁଇ ଶହ ସୈନ୍ୟ ଓ ଆଠଟି କମାଣ ଘେନି ମୁର୍ଶିଦାବାଦ ଅଭିମୁଖରେ ଯୁଦ୍ଧଯାତ୍ରା ଆରମ୍ଭ କଲେ । ଅଚିରେ ଏହି ସମ୍ୱାଦ ନବାବଙ୍କର କର୍ଣ୍ଣଗୋଚର ହେଲା । ସେ ୩୫ ହଜାର ପଦାତି ଓ ୧୫ ହଜାର ଅଶ୍ୱାରୋହୀ, ଏହିପରି ମୋଟ ପଚାଶ ହଜାର ସୈନ୍ୟ ଏବଂ ପଚାଶଟି କମାଣ ସହ ଦୁର୍ବୃତ୍ତ ଆକ୍ରମଣକାରୀଙ୍କ ଗତିରୋଧାର୍ଥ ଅଗ୍ରସର ହେଲେ । ମୁର୍ଶିଦାବାଦଠାରୁ ପନ୍ଦର କ୍ରୋଶ ଦୂରବର୍ତ୍ତୀ ଗଙ୍ଗାକୂଳସ୍ଥ ପଲାସି ନାମକ ଉନ୍ମୁକ୍ତ ପ୍ରାନ୍ତରରେ ସିରାଜ ଶିବିର ସନ୍ନିବେଶ କଲେ । ଏହି ସମୟରେ କ୍ଳାଇବ୍ ସସୈନ୍ୟରେ ଉପନୀତ ହୋଇ ଲକ୍ଷାଧିକ ବୃକ୍ଷସଙ୍କୁଳ ଏକ ଆମ୍ରକାନନ ମଧ୍ୟରେ ସୈନ୍ୟ ସମାବେଶ କଲେ ।
 

 

୧୭୫୭ ମସିହାର ଜୁନ ୨୩ ତାରିଖ ଗୁରୁବାର । ପଲାସି ଗ୍ରାମ ସମ୍ମୁଖସ୍ଥ ବିସ୍ତୀର୍ଣ୍ଣ ରଣପ୍ରାନ୍ତର ବଙ୍ଗସୈନ୍ୟଙ୍କୁ ଅଙ୍ଗରେ ଘେନି ଗର୍ବ ଅନୁଭବ କଲା । ପ୍ରଭାତ-ସୂର୍ଯ୍ୟର କନକକିରଣ ସମ୍ପାତରେ ଚତୁର୍ଦ୍ଦିଗ ହସିଉଠୁଥାଏ । ଗଙ୍ଗାର ତରଙ୍ଗଭଙ୍ଗରେ ସ୍ୱର୍ଣ୍ଣାଭ ରଶ୍ମି ଉଚ୍ଛ୍ୱଳିତ ହେଉଥାଏ । ପ୍ରକୃତିର ଏହି କମନୀୟ ଦୃଶ୍ୟ ମଧ୍ୟରେ ରଣରଙ୍କ ବଙ୍ଗସୈନ୍ୟ ଦଳ ଦଳ ହୋଇ ଶିବିରମଧ୍ୟରୁ ବାହାରିଆସିଲେ । ସେମାନେ ପ୍ରାନ୍ତରର ଦୁଇମାଇଲ ବ୍ୟାପୀ ସ୍ଥାନ ଆଚ୍ଛନ୍ନ କରି ଅର୍ଦ୍ଧଚନ୍ଦ୍ର ବ୍ୟୂହ ରଚନା କଲେ । ଆମ୍ରକାନନ ସମ୍ମୁଖରେ ଇଂରେଜ ସେନାଦଳ ଯୁଦ୍ଧପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ଏହି ସମୟରେ ଉକ୍ତ ବ୍ୟୂହଟି ଅଗ୍ରସର ହୋଇ ଅନାୟାସରେ ଫିରିଙ୍ଗି ଫଉଜକୁ ଘେରିପକାଇଲା । ଶତ୍ରୁଦଳ ତିନି ଦିଗରୁ ଅବରୁଦ୍ଧ ହୋଇ ପଳାୟନର ପଥ ଖୋଜିବାକୁ ଲାଗିଲେ ।

 

ଚାହୁଁ ଚାହୁଁ ଘୋର ନିର୍ଘୋଷରେ ରଣଢ଼କ୍‍କା ବାଜିଉଠିଲା । ବଙ୍ଗ-ପତାକା ସଦର୍ପରେ ଊର୍ଦ୍ଧ୍ୱରେ ଉଡ଼୍ଡ଼ୀନ ହେବାକୁ ଲାଗିଲା ଏବଂ ବଙ୍ଗବୀରମାନଙ୍କ ବିଜୟକୋଳାହଳରେ ଗଗନ ପବନ ପରିପୂର୍ଣ୍ଣ ହୋଇଗଲା ।

 

ଏତିକିବେଳେ ସଇତାନ ମୀରଜାଫର୍ ତା ନେତୃତ୍ୱରେ ପରିଚାଳିତ ବିପୁଳ ସୈନ୍ୟଦଳ ଘେନି ଯୁଦ୍ଧକ୍ଷେତ୍ରରେ ନିଶ୍ଚେଷ୍ଟଭାବରେ ଦଣ୍ଡାୟମାନ ହୋଇ ରହିଲା । ତରୁଣ ବୀର ସିରାଜ ଏହା ଦେଖି ମୀରମଦନ ଓ ମୋହନଲାଲ ନାମକ ଅନ୍ୟ ଦୁଇ ସେନାନାୟକଙ୍କ ସହିତ ପ୍ରଧାନ ସେନାପତି ସେହି ମୀରଜାଫର୍ ନିକଟରେ ଉପସ୍ଥିତ ହେଲେ ଏବଂ ଅସ୍ତ୍ରୋତ୍ତୋଳନ କରିବାପାଇଁ ତାକୁ ବାରମ୍ୱାର ମିନତି କଲେ । ମାତ୍ର କୃତଘ୍ନ ବିଶ୍ୱାସଘାତକ ମୀରଜାଫର୍ ତହିଁରେ ଆଦୌ ସକ୍ରିୟ ନ ହୋଇ ନବାବଙ୍କୁ କେବଳ ଶୂନ୍ୟଗର୍ଭ ମୌଖିକ ଆଶ୍ୱାସବାଣୀ ଶୁଣାଇଲା । ଚତୁର ସିରାଜଙ୍କ ପକ୍ଷରେ ତାର ଦୁରଭିସନ୍ଧି ବୁଝିବାକୁ ଅଧିକ ସମୟ ଲାଗିଲା ନାହିଁ । ତେଣେ ଆମ୍ରକାନନ ସମ୍ମୁଖରେ ଠିଆହୋଇ ଅସିଧାରୀ କୁଚକ୍ରୀ କ୍ଳାଇବ ମନେ ମନେ ପରମ ପରିତୋଷ ଲାଭ କରୁଥାନ୍ତି ।

 

ଦେଶଦ୍ରୋହୀ ବକ୍ସି ମୀରଜାଫରର ଏପରି ବିଶ୍ୱାସଘାତକତା ଦେଖି ବଙ୍ଗପକ୍ଷୀୟ ଗୋଲନ୍ଦାଜଗଣ ରଣହୁଙ୍କାର ସହ କମାଣପରେ କମାଣ ଦାଗିବାକୁ ଲାଗିଲେ । ଘନ ଘନ ବଜ୍ରନାଦ ସହିତ ଜ୍ୱଳନ୍ତ ଅଗ୍ନିପିଣ୍ଡ ବିପକ୍ଷ-ବକ୍ଷକୁ ବିଦ୍ୟୁତବେଗରେ ଛୁଟିଲା । ଅଧଘଣ୍ଟାକ ମଧ୍ୟରେ ବହୁ ଇଂରେଜସୈନ୍ୟ ମୃତାହତ ହୋଇଗଲେ ।

 

କ୍ଲାଇବଙ୍କ ପ୍ରାଣ ଆତଙ୍କରେ କମ୍ପିତ ହେଲା । ସେ ସଙ୍ଗେ ସଙ୍ଗେ ତାଙ୍କର ସୈନ୍ୟଙ୍କୁ ଆଦେଶ ଦେଲେ, ‘‘ଆଉ ଏ ଉନ୍ମୁକ୍ତ ପ୍ରାନ୍ତରରେ ପ୍ରବଳ ଶତ୍ରୁସମ୍ମୁଖରେ ଦଣ୍ଡାୟମାନ ହେବା ଅର୍ଥ ଆଶୁମୃତ୍ୟୁ ବରଣ କରିବା; ତେଣୁ ତୁମ୍ଭେମାନେ ସମସ୍ତେ ପୃଷ୍ଠଭଙ୍ଗ ଦେଇ ଆମ୍ରକାନନ ମଧ୍ୟରେ ଲୁଚି ରହି କୌଣସିପ୍ରକାରେ ପ୍ରାଣ ରକ୍ଷା କର ।’’ ଇଂରେଜମାନେ ଅବିଳମ୍ୱେ ପୃଷ୍ଠଭଙ୍ଗ ଦେଇ ଆମ୍ରକାନନ ମଧ୍ୟକୁ ପଳାଇଗଲେ ଏବଂ ବୃକ୍ଷାବଳୀର ଗଣ୍ଡି ଅନ୍ତରାଳରେ ଆତ୍ମଗୋପନ କରି ରହିଲେ ।

 

ଇଂରେଜମାନଙ୍କର ଏହି ଦାରୁଣ ବିପର୍ଯ୍ୟୟ ସମୟରେ ପ୍ରକୃତି ସେମାନଙ୍କ ପ୍ରତି ସଦୟ ହେଲା । ସହସା ଆକାଶ ଭାଙ୍ଗି କାହୁଁ ଅକାଳ-ମେଘ ଅଜସ୍ର ବାରିଧାରା ଢାଳିଦେଲା । ଭୀଷଣ ବଜ୍ରପାତରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଉଠିଲା ଏବଂ ପଲାସି ପ୍ରାନ୍ତରରେ ବୃଷ୍ଟିଧାରାର ବନ୍ୟାସ୍ରୋତ ଖେଳିବାକୁ ଲାଗିଲା । ବିକ୍ଷୁବ୍ଧ ପ୍ରକୃତିର ଏହି କରାଳ ମୂର୍ତ୍ତି ହିଁ ସିରାଜଙ୍କର ସମସ୍ତ ଆୟୋଜନ କ୍ଷଣକେ ପଣ୍ଡ କରିଦେଲା ।

 

ବର୍ଷାଜଳରେ ସିରାଜଙ୍କ ବାରୁଦସ୍ତୂପ ଆର୍ଦ୍ର ହୋଇଯିବାଫଳରେ କମାଣମାନ ଅଗ୍ନିହୀନ ଓ ଅକର୍ମଣ୍ୟ ହୋଇଗଲା । କିନ୍ତୁ ସେନାଧ୍ୟକ୍ଷ ମୀର ମଦନ ଏଥିପାଇଁ ତିଳେହେଁ ପଶ୍ଚାତ୍‍ପଦ ହେଲେନାହିଁ କି ସାହସ ହରାଇ ବିଜୟର ଆଶା ତ୍ୟାଗ କଲେ ନାହିଁ । ସେ ଭାବିଲେ, ବୃଷ୍ଟିପାତଫଳରେ ତାଙ୍କ ପରି ଇଂରେଜପକ୍ଷର ମଧ୍ୟ ସମସ୍ତ ବାରୁଦ ସିକ୍ତ ହୋଇଯାଇଥିବ । ତେଣୁ ସେ ନିଜର ଅଶ୍ୱାରୋହୀ ସୈନ୍ୟଦଳଙ୍କୁ ଲୁକ୍କାୟିତ ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଚଣ୍ଡ ବିକ୍ରମରେ ଆକ୍ରମଣ ଚଳାଇବାକୁ ଆଦେଶ ଦେଲେ ।

 

ନବାବ ପକ୍ଷର ଅଶ୍ୱାରୋହୀ ସେନା ସଙ୍ଗେ ସଙ୍ଗେ ଶତ୍ରୁ ଉପରକୁ ଲମ୍ଫ ଦେବାକୁ ଅଗ୍ରସର ହେଲେ । କିନ୍ତୁ ଇଂରେଜମାନେ ବୁଦ୍ଧିମାନ୍ ହୋଇ ସେମାନଙ୍କ ବାରୁଦସ୍ତୂପକୁ ଉତ୍ତମରୂପେ ଆବୃତ କରି ରଖିଥିଲେ; ତେଣୁ ସେମାନଙ୍କ ବାରୁଦରେ ବିନ୍ଦୁଏ ସୁଦ୍ଧା ବୃଷ୍ଟିଜଳ ଲାଗିନଥିଲା । ଫଳରେ ଇଂରେଜପକ୍ଷୀୟ କମାଣର ଗୋଳାମାନ ଆକ୍ରମଣୋଦ୍ୟତ ସେହି ଅଶ୍ୱାରୋହୀ ସୈନ୍ୟଙ୍କ ଉପରେ ନିପତିତ ହେଲା । ତାହାରି ମଧ୍ୟରେ ସାଙ୍ଘାତିକ ଆଘାତ ପାଇ ସେନାନାୟକ ମୀରମଦନ ବୀରପ୍ରାୟ ସମ୍ମୁଖ-ସମରରେ ପ୍ରାଣ ଦେଲେ ।

 

ସେତେବେଳ ପର୍ଯ୍ୟନ୍ତ ଇଂରେଜମାନେ ଆମ୍ରକାନନରୁ ବାହାରି ମୁଖପ୍ରଦର୍ଶନ କରିବାକୁ ସାହସ କରିପାରି ନ ଥାନ୍ତି । ସେତେବେଳେ ମଧ୍ୟ ସେନାନାୟକ ମୋହନଲାଲଙ୍କ ଅଧୀନସ୍ଥ କାଶ୍ମିରୀ ହିନ୍ଦୁସେନା ଓ ନବାବଙ୍କ ବୈତନିକ ଫରାସୀ ସୈନିକଗଣ ବ୍ୟାଘ୍ରବିକ୍ରମରେ ଯୁଦ୍ଧ ଚଳାଇ ଇଂରେଜପକ୍ଷକୁ ବିପର୍ଯ୍ୟସ୍ତ କରିଦେବାକୁ ଚେଷ୍ଟା କରୁଥାନ୍ତି । କ୍ଳାଇବ୍ ଆମ୍ରକାନନଭିତରେ ତସ୍କରପରି ଲୁକ୍କାୟିତ ରହି ରାତ୍ରିର ଆଗମନ କିମ୍ୱା ମୀରଜାଫରର ସାହାଯ୍ୟଦାନ ଏଥିରୁ ଯେକୌଣସି ଗୋଟିଏକୁ ଉଦ୍‍ବିଗ୍ନ ପ୍ରାଣରେ ଅପେକ୍ଷା କରି ରହିଥାନ୍ତି ।

 

ଅବଶେଷରେ କ୍ଳାଇବ୍‍ଙ୍କ ଆଶା ସଫଳ ହେଲା । ବିଶ୍ୱାସହନ୍ତା ମୀରଜାଫର୍ ଏହି ସମୟରେ ବଙ୍ଗଳାର ସର୍ବନାଶ ସାଧନ କଲା । ତା ଆଦେଶରେ ପରିଚାଳିତ ୩୮ ହଜାର ସୈନ୍ୟ ଶତ୍ରୁବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ ନ କରି ଅଚଳ କାଷ୍ଠପୁତ୍ତଳିକା ଭଳି ନୀରବରେ ଦଣ୍ଡାୟମାନ ହୋଇ ରହିଲେ । ଏହାପରେ ମୀରଜାଫର୍ ଗୋପନରେ କ୍ଳାଇବ୍‍ଙ୍କ ପାଖକୁ ଚର ପଠାଇ ପ୍ରତି-ଆକ୍ରମଣ କରିବାକୁ ପରାମର୍ଶ ଦେଲା ।

 

ସଇତାନ୍ ମୀରଜାଫରର ଏ ଚରମ ବିଶ୍ୱାସଘାତକତା ଦେଖି ବୀର ମୋହନଲାଲ ମୁଷ୍ଟିମେୟ ସୈନ୍ୟ ଘେନି ଉତ୍‍କ୍ଷିପ୍ତ ପ୍ରାଣରେ ଏକାକୀ ଯୁଦ୍ଧ କଲେ । ତାଙ୍କ ଆକ୍ରମଣଫଳରେ ପ୍ରଥମେ କ୍ଳାଇବ୍‍ଙ୍କ ସୈନ୍ୟଗଣ ଅସ୍ଥିର ହୋଇପଡ଼ିଲେ; ମାତ୍ର ଗୋରା ସୈନ୍ୟଙ୍କ ପ୍ରତି-ଆକ୍ରମଣରେ ଅଳ୍ପ ସମୟ ମଧ୍ୟରେ ମୋହନଲାଲ କ୍ଷତବିକ୍ଷତ ହୋଇଗଲେ ଏବଂ ତାଙ୍କ ସଙ୍ଗରେ ଥିବା ଅଧିକାଂଶ ସୈନ୍ୟ ମଧ୍ୟ ଆହତ ଓ ନିହତ ହେଲେ । ଏହାପରେ ଶେଷ ଚେଷ୍ଟାସ୍ୱରୂପ ଅବଶିଷ୍ଟ ସାମାନ୍ୟ କେତେକ ସୈନ୍ୟ ଘେନି ମୋହନଲାଲ ଆମ୍ରକାନନରେ ଥିବା ଇଂରେଜସୈନ୍ୟଙ୍କ ଉପରକୁ ଝାମ୍ପ ଦେଲେ । ମାତ୍ର ବୃଥା ଚେଷ୍ଟା ! ଇଂରେଜମାନଙ୍କ ଗୋଳାମୁଖରେ ପଡ଼ି ଚାହୁଁ ଚାହୁଁ ତାଙ୍କର ପିଣ୍ଡ କେଉଁଆଡ଼େ ଉଡ଼ିଗଲା । ବଙ୍ଗଳାର ଶେଷ ବୀରପୁରୁଷ ଏହିରୂପେ ସ୍ୱଦେଶପ୍ରୀତିର ଶ୍ରେଷ୍ଠ ଚିହ୍ନ ରଖି ସମ୍ମୁଖସଂଗ୍ରାମରେ ପ୍ରାଣବଳି ଦେଲେ । ମୀରଜାଫରର ସେହି କଳଙ୍କମୟ ଇତିହାସରେ ବୀର ମୋହନଲାଲଙ୍କ ପବିତ୍ର ଆତ୍ମଦାନ ରକ୍ତରଞ୍ଜିତ ଅକ୍ଷରରେ ଲିପିବଦ୍ଧ ହୋଇ ରହିଲା । ଅସହାୟ ସିରାଜଦ୍ଦୌଲା ଏହି ଶୋଚନୀୟ ପରିଣତି ଦେଖି ଯୁଦ୍ଧଭୂମି ପରିତ୍ୟାଗ କଲେ ।

 

ଏହିରୂପେ ପଲାସି ଷଡ଼ଯନ୍ତ୍ରରେ ସଫଳତା ଲାଭକରି କୁଚକ୍ରିଶିରୋମଣି କ୍ଳାଇବ୍ ବିଜୟଗର୍ବରେ ଉନ୍ମତ ହେଲେ । ଯେଉଁ ମହାନଗରୀ ଦିନେ ତାଙ୍କ ବିସ୍ମୟ-ବିମୁଗ୍ଧ ଚକ୍ଷୁରେ ଲଣ୍ଡନଠାରୁ ମଧ୍ୟ ଶ୍ରେଷ୍ଠତର ଦେଖାଯାଉଥିଲା, ସ୍ୱାଧୀନ ବଙ୍ଗଳାର ଶେଷ ରାଜଧାନୀ ସେହି ମୃର୍ଶିଦାବାଦରେ ପଶି ଏବେ ସେ ତାକୁ ସମ୍ପୂର୍ଣ୍ଣରୂପେ କରଗତ କଲେ ଏବଂ ଭାରତରେ ଦୀର୍ଘ ଦୁଇଶତବର୍ଷବ୍ୟାପୀ ଇଂରେଜଶାସନର ସୁଦୃଢ଼ ଭିତ୍ତି ପ୍ରତିଷ୍ଠା କଲେ । ଏଣେ ପଲାସି କ୍ଷେତ୍ରରେ ସେଦିନ ସୂର୍ଯ୍ୟାସ୍ତ ହେବା ସଙ୍ଗେ ସଙ୍ଗେ ବଙ୍ଗଳାର ସ୍ୱାଧୀନତା-ସୂର୍ଯ୍ୟ ମଧ୍ୟ ଅସ୍ତମିତ ହୋଇଯାଇ ପରାଧୀନତାର ଦୂର ଚକ୍ରବାଳଗର୍ଭରେ ବହୁକାଳପାଇଁ ଲୁଚି ରହିଲା । ଅନ୍ୟାନ୍ୟ ରାଜ୍ୟ ପରି ବଙ୍ଗଦେଶ ମଧ୍ୟ ବର୍ବର ଇଂରେଜଶାସନର ରଥଚକ୍ର ତଳେ ନିଷ୍ପେସିତ ହେବାକୁ ଆରମ୍ଭ କଲା ।

 

ଯେତେବେଳେ ଫିରିଙ୍ଗି ଦସ୍ୟୁମାନେ ଭାରତମାତାର ଚରଣରେ ଶୃଙ୍ଖଳ ପିନ୍ଧାଇବାକୁ ଗୋପନରେ ଚେଷ୍ଟା କରୁଥିଲେ ଏବଂ ସେମାନଙ୍କର ସେହି ଅପକର୍ମସାଧନରେ ସାହାଯ୍ୟ କରିବାକୁ କେତେକ ହିନ୍ଦୁ ଓ ମୁସଲମାନ ଦେଶଦ୍ରୋହୀ ମଧ୍ୟ ଅଗ୍ରସର ହୋଇଥିଲେ, ସେତେବେଳେ ସିରାଜ ପ୍ରାଣପଣ ସେମାନଙ୍କୁ ବାଧା ପ୍ରଦାନ କରିଥିଲେ । ଫିରିଙ୍ଗିମାନଙ୍କୁ ଦେଶରୁ ବିତାଡ଼ିତ କରିବାପାଇଁ ସେ ଅନବରତ ଆୟୋଜନ କରି ଆସୁଥିଲେ । ମାତ୍ର ଦୈବର ଇଚ୍ଛା ହେଲା ଅନ୍ୟପ୍ରକାର । ଦେଶପ୍ରାଣ ସିରାଜଙ୍କର ସେହି ସ୍ୱପ୍ନ ସଫଳ ହୋଇପାରିଲା ନାହିଁ । ଏହି କଥା ହିଁ ସେ ନୈରାଶ୍ୟ ଜର୍ଜରିତ ପ୍ରାଣରେ ଅହର୍ନିଶ ଭାଳି ଉନ୍ମତ୍ତସଦୃଶ ଇତସ୍ତତ ଭ୍ରମଣ କରିବାକୁ ଲାଗିଲେ । ଶେଷରେ ଏକ କୁମୁହୂର୍ତ୍ତ ଆସିଲା । ମୀରଜାଫରର ପୁତ୍ର ପାଷଣ୍ଡ ମିରଣ ଇଂରେଜଶାସନର ବାହୁଛାୟାତଳେ ରହି ନିଷ୍କଣ୍ଟକଭାବରେ ବଙ୍ଗଭୂମି ଭୋଗ କରିବା ଆଶାରେ ସିରାଜଙ୍କୁ ଗୋଟିଏ ନିର୍ଜନ ସ୍ଥାନରେ ଏକାକୀ ପାଇ ହତ୍ୟା କଲା । ଏହିରୂପେ ଅଷ୍ଟାଦଶ ବର୍ଷ ବୟଃକ୍ରମକାଳରେ ସ୍ୱଦେଶପାଇଁ ସିରାଜ ଶେଷ ରକ୍ତବିନ୍ଦୁ ଢାଳିଦେଲେ । ଏହି ମହନୀୟ ଆତ୍ମଦାନ ଭାରତ ଇତିହାସରେ ତାଙ୍କ ନାମକୁ ଚିରକାଳପାଇଁ ବରଣୀୟ ଓ ସ୍ମରଣୀୟ କରି ରଖିଲା ।

 

ମୁର୍ଶିଦାବାଦ-ଉପକଣ୍ଠରେ ଜିୟାଗଞ୍ଜଠାରୁ ଗଙ୍ଗାଦନୀରେ ଅଳ୍ପ ବାଟ ଗଲେ ‘ଖୋସ୍ ବାଗ୍’ ପଡ଼େ । ସେହି ନିଭୃତ ସ୍ଥାନରେ ସ୍ୱାଧୀନତା-ଯଜ୍ଞର ଶ୍ରେଷ୍ଠ ପୁରୋହିତ ସିରାଜଦ୍ଦୌଲାଙ୍କର ସମାଧିମନ୍ଦିର ନିର୍ମିତ ହେଲା ସିରାଜଙ୍କ ସାଧ୍ୱୀ ସହଧର୍ମିଣୀ ଲୁତଫଉନ୍ନିସା ଜୀବିତ ଥିବା ପର୍ଯ୍ୟନ୍ତ ପ୍ରତିଦିନ ଆସି ସ୍ୱାମୀଙ୍କ ସମାଧିରେ ସ୍ୱହସ୍ତରେ ସୁନାର ସନ୍ଧ୍ୟାପ୍ରଦୀପ ଜାଳୁଥିଲେ । ତାଙ୍କ ମୃତ୍ୟୁପରେ ବିପୁଳ ଜନତାର ଦେବତା ସିରାଜଙ୍କର ସେହି ସମାଧିକକ୍ଷ ଅନ୍ଦକାରାବୃତ ନ ହେବାପାଇଁ କରୁଣାର ଅବତାର ବ୍ରିଟିଶ ସରକାର ମାସକୁ ଷୋଳଟି ତମ୍ୱା ପଇସାର ବ୍ୟବସ୍ଥା କରିଥିଲେ—ସେଇ ଖର୍ଚ୍ଚରେ ମାସକଯାକ ସମାଧିରେ ଦୀପ ଦେବାପାଇଁ ! ଏ ଘଟନା ବି ଇତିହାସରେ ଦୟାଦାକ୍ଷିଣ୍ୟର ଏକ ଘୃଣ୍ୟ ଦୃଷ୍ଟାନ୍ତରୂପେ କାଳ କାଳକୁ ରହିଗଲା !

 

ଏବେ ମଧ୍ୟ ସିରାଜଙ୍କ ସମାଧିମନ୍ଦିର ରହିଛି । ସେହି ନିସ୍ତବ୍ଧ ସ୍ଥାନରେ ଦଣ୍ଡାୟମାନ ହୋଇ ସମାଧିପ୍ରତି ଦୃଷ୍ଟିପାତ କଲେ ପ୍ରାଣରେ ଅନୁଭୂତ ହୁଏ ଅତୀତ ସ୍ମୃତିର ଚିତାଗ୍ନିଜ୍ୱାଳା । ସହସା ମାନସ-ଚକ୍ଷୁରେ ଭାସିଉଠେ ବୀରରଙ୍ଗଭୂମି ପଲାସି ରଣକ୍ଷେତ୍ରର ରକ୍ତାକ୍ତ ଦୁଃସ୍ୱପ୍ନ । ଅତି ନୀରବରେ ପବନ ସତେ ଯେପରି କାନେ କାନେ କହିଯାଏ—ଯଦୁପତିଙ୍କ ସଙ୍ଗେ ସଙ୍ଗେ ଲୋପ ପାଇଛି ମଥୁରାପୁରୀ ଏବଂ ଶ୍ରୀ ରାମଚନ୍ଦ୍ରଙ୍କ ସଙ୍ଗେ ସଙ୍ଗେ ଲୋପ ପାଇଛି ଅଯୋଧ୍ୟାଧାମ, ଏଠାରେ ମଧ୍ୟ ସେହି ମହାକାଳ ନାଟକର ହୋଇଛି ମର୍ମସ୍ପର୍ଶୀ ପୁନରାଭିନୟ ।

Image

 

ପାଇକ-ନେତା ବକ୍ସି ଜଗବନ୍ଧୁ

 

ଇଂରେଜଶାସନର ଅମାନୁଷିକ ଅତ୍ୟାଚାରରୁ ଦେଶବାସୀଙ୍କୁ ରକ୍ଷା କରିବାପାଇଁ ଏବଂ ସେହି ପ୍ରବଳପ୍ରତାପୀ ସରକାରକୁ ନିଶ୍ଚିହ୍ନ କରି ବିଶାଳ ଭାରତଖଣ୍ଡରେ ସ୍ୱାଧୀନତାର ପୁନଃପ୍ରତିଷ୍ଠାପାଇଁ ମହାତ୍ମା ଗାନ୍ଧି ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନର ସୂତ୍ରପାତ କରିଥିଲେ । ଦେଶ ମୁକ୍ତିସାଧନାର ଏହି ବିଚିତ୍ର ପନ୍ଥା ପୃଥିବୀରେ ସର୍ବପ୍ରଥମ ବୋଲି ଅନେକେ ବିଶ୍ୱାସ କରିଥାନ୍ତି; କିନ୍ତୁ ଏ ପ୍ରକାର ଆନ୍ଦୋଳନ ଯେ ତାର ଶତାଧିକ ବର୍ଷ ପୂର୍ବେ ଆମରି ଓଡ଼ିଶାଭୂମିରେ ପ୍ରଥମେ ଆରମ୍ଭ ହୋଇଥିଲା, ତାହା ଶୁଣିଲେ ଓଡ଼ିଆମାତ୍ରେ ଗର୍ବ ଓ ଗୌରବରେ ସ୍ଫୀତ ନ ହୋଇ ରହିପାରିବେ ନାହିଁ । ଖୋରଧାର ପାଇକ-ନେତା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ହିଁ ପ୍ରକୃତରେ ଏହିଭଳି ଅସହଯୋଗ ଆନ୍ଦୋଳନ ନୀତିର ସର୍ବପ୍ରଥମ ସ୍ରଷ୍ଟା ଥିଲେ ।

 

୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଆକ୍ରମଣ କଲେ । ମୁକୁନ୍ଦଦେବ ସେତେବେଳେ ଓଡ଼ିଶାର ଗଜପତି ଆସନରେ ପ୍ରତିଷ୍ଠିତ ଥାଆନ୍ତି । ସେ ଜନାର୍ଦନ ମହାପାତ୍ରଙ୍କ ମନ୍ତ୍ରଣାନୁଯାୟୀ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ସେହି ସଂଗ୍ରାମରେ ନିଜେ ଜନାର୍ଦନ ଓଡ଼ିଆବାହିନୀର ସେନାପତିତ୍ୱ ଗ୍ରହଣ କରିଥିଲେ । ମାତ୍ର ନିୟତିର ନିର୍ଦେଶରେ ଓଡ଼ିଶାର ପତନ ଘଟିଲା । ଉକ୍ତ ଯୁଦ୍ଧରେ ଇଂରେଜମାନେ ବିଜୟ ଲାଭ କରି ୧୮୦୪ ମସିହାରେ ଓଡ଼ିଆ ଅଧିକାର କଲେ ଏବଂ ମୁକୁନ୍ଦଦେବଙ୍କୁ ମେଦିନୀପୁରରେ କାରାରୁଦ୍ଧ ରଖି ଜନାର୍ଦନଙ୍କୁ ପ୍ରାଣଦଣ୍ଡ ଦେଲେ ।

 

ସେତେବେଳେ ଖୋରଧାଗଡ଼ ଓଡ଼ିଶା ପ୍ରଦେଶର ରାଜଧାନୀ ଥିଲା । ଓଡ଼ିଶା ଇଂରେଜମାନଙ୍କ ଅଧିକାରକୁ ଗଲାପରେ ଶ୍ୱେତାଙ୍ଗ କର୍ମଚାରିଗଣ ଅବାରିତ ଶୋଷଣ ଓ ଲୁଣ୍ଠନ ଚଳାଇ ନିରୀହ ପ୍ରଜାପୁଞ୍ଜ ଉପରେ ନାନା ଉତ୍ପୀଡ଼ନ ଆରମ୍ଭ କରିଦେଲେ । ଖୋରଧାରେ ଯେତେ କୃଷି-ଉପଯୋଗୀ ଭୂମି ଥିଲା, ସରକାର ନିଜ ସ୍ୱାର୍ଥଦୃଷ୍ଟିରୁ ସେ ସମସ୍ତ କୃଷକମାନଙ୍କଠାରୁ ଅତି ଅବୈଧ ଉପାୟରେ ବଳପୂର୍ବକ ଛଡ଼ାଇନେଲେ । ପ୍ରଜାମାନେ କୃଷି କଲେ ସତ୍ୟ, କିନ୍ତୁ ଉତ୍ପାଦନ ଗଲା ସରକାରୀ ଗନ୍ତାଘରକୁ । ଫଳରେ ଖୋରଧାର ତିନି ଲକ୍ଷ ପ୍ରଜା ଖାଦ୍ୟାଭାବର ତୀବ୍ର କଶାଘାତ ସହ୍ୟ କରି ଦାରୁଣ ଜଠର ଜ୍ୱାଳାର ଶରବ୍ୟ ହେଲେ । ପୂର୍ବେ ଖୋରଧାର ବହୁ ଲୋକ ସମୁଦ୍ରରୁ ଲୁଣ ମାରି ଯତକିଞ୍ଚିତ୍ ଆୟ କରୁଥିଲେ । ଏବେ ସରକାର ଲବଣ ଆଇନ ପ୍ରବର୍ତ୍ତିତ କରି ଲୋକମାନଙ୍କୁ ପ୍ରକୃତିଦତ୍ତ ସେହି ସୁବିଧାରୁ ବଞ୍ଚିତ କଲା । ଏହାର ପରିଣାମରେ ଲବଣ ମଧ୍ୟ ଖୋରଧାବାସୀଙ୍କ ପକ୍ଷରେ ଦୁର୍ଲଭ ହୋଇଉଠିଲା । ଚାହୁଁ ଚାହୁଁ ନିତ୍ୟ ପ୍ରୟୋଜନୀୟ ସାମଗ୍ରୀଗୁଡ଼ିକର ମୂଲ୍ୟ ଅସମ୍ଭବଭାବରେ ବୃଦ୍ଧି ପାଇଲା । ଅର୍ଥ ଲୋକଙ୍କ ନିକଟରେ ସ୍ୱପ୍ନ ହୋଇଯିବା ଫଳରେ ଉଦରକୋଷଣରେ ଅସମର୍ଥ ହୋଇ ସମସ୍ତେ ବ୍ୟବହାର୍ଯ୍ୟ ଯାବତୀୟ ଉପକରଣ ବିକ୍ରୟ କଲେ ଏବଂ ରାଜସ୍ୱ ଦେଇ ଦେଇ ସର୍ବସ୍ୱାନ୍ତ ହୋଇଗଲେ । ପରିଶେଷରେ ଅବସ୍ଥା ଏତେ ସାଙ୍ଘାତିକ ହୋଇଉଠିଲା ଯେ, ଲୋକମାନେ ବନଜାତ ଶାକ ଓ ତରୁଲତାର ପତ୍ର ଖାଇ ଏବଂ ନଦୀ ପୁଷ୍କରିଣୀର ଜଳ ପାନ କରି କୌଣସିମତେ ପ୍ରାଣ ବଞ୍ଚାଇ ରଖିଲେ ।

 

ଖୋରଧା ପ୍ରଧାନତଃ ଏକ ପାଇକବହୁଳ ଅଞ୍ଚଳ । ଏହି ପାଇକମାନେ ଅତି ରଣରଙ୍କ ବୀର ଜାତି ଏବଂ ଏହିମାନଙ୍କ ବାହୁବଳରେ ଦିନେ ଗଜପତି କପିଳେନ୍ଦ୍ର ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଓଡ଼ିଶାର ସୀମା ବିସ୍ତାର କରିପାରିଥିଲେ । ଇଂରେଜ ସରକାରର ଉତ୍କଟ ଶୋଷଣନୀତିଫଳରେ ଧନଜୀବନ ବିପନ୍ନ ହୋଇଯିବାର ଦେଖି ପ୍ରଜାମାନେ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ । ସେମାନଙ୍କ ବୀରରକ୍ତ ସହସା ଉଷ୍ଣ ହୋଇଉଠିଲା । ନତମସ୍ତକରେ ସରକାରର ସକଳ ଅତ୍ୟାଚାର ସହ୍ୟ କରିଯିବା ଏହାପରେ ସେମାନଙ୍କ ପକ୍ଷରେ ଆଉ ସମ୍ଭବପର ହେଲା ନାହିଁ ।

 

ଏହି ଅଶାନ୍ତି ଓ ଅସନ୍ତୋଷରୁ ୧୮୧୭ ମସିହାର ମାର୍ଚ୍ଚ ମାସରେ ଆରମ୍ଭ ହେଲା ପାଇକ ବିପ୍ଳବ । ବକ୍ସି ଜଗବନ୍ଧୁ ହେଲେ ଏହି ବିପ୍ଳବର ପରିଚାଳକ ଓ କର୍ଣ୍ଣଦାର । ସେ ପାଇକମାନଙ୍କୁ ସଂଗଠିତ କରି ଗୋଟିଏ ବିରାଟ ଦଳ ଗଠନ କଲେ ଏବଂ ଶାନ୍ତିପୂର୍ଣ୍ଣ ଅହିଂସା ଉପାୟରେ ଇଂରେଜ ସରକାର ସହିତ ଦ୍ୱନ୍ଦ୍ୱ ଲଗାଇ ନିଜର ନ୍ୟାଯ୍ୟ ଦାବି ଆଦାୟ କରିବାପାଇଁ ସେମାନଙ୍କୁ ନିର୍ଦେଶ ଦେଲେ । ଏଥିପାଇଁ ଗ୍ରାମେ ଗ୍ରାମେ ବୁଲି ସେ ଲୋକମାନଙ୍କୁ ଏହି ଅଭିନବ ବିପ୍ଳବର କର୍ମପନ୍ଥା ବୁଝାଇବାକୁ ଲାଗିଲେ ।

 

ସଶସ୍ତ୍ର ଯୁଦ୍ଧରେ ଶତ୍ରୁର ସମ୍ମୁଖୀନ ହୋଇ ଜୀବନ ଦେବାରେ କିମ୍ୱା ଶତ୍ରୁର ଜୀବନ ସଂହାର କରିବାରେ ଯେଉଁ ଜାତି ପୂର୍ବେ ଚିରଅଭ୍ୟସ୍ତ ଥିଲା, ଦୁର୍ଭାଗ୍ୟକୁ ସେହି ଜାତି ସେତେବେଳେ ନିରସ୍ତ୍ର । ତେଣୁ ଉଦ୍ଦେଶ୍ୟସାଧନର ଏକମାତ୍ର ଅସ୍ତ୍ରରୂପେ ଜଗବନ୍ଧୁ ସଙ୍ଗଠିତ ପାଇକମାନଙ୍କୁ ଅସହଯୋଗ ମନ୍ତ୍ରରେ ଦୀକ୍ଷିତ କଲେ । ଫଳରେ ବିପ୍ଳବର ପ୍ରଥମ ପର୍ଯ୍ୟାୟରେ ଜନସାଧାରଣ ଜଗବନ୍ଧୁଙ୍କ ସୁଚିନ୍ତିତ ନିର୍ଦେଶକ୍ରମେ ଗୃହଦ୍ୱାର ତ୍ୟାଗ କରି ଖୋରଧା ଓ ବାଣପୁରର ଗଭୀର ଜଙ୍ଗଲମଧ୍ୟକୁ ପଳାୟନ କଲେ । ଅଳ୍ପ କେତୋଟି ଦିନମଧ୍ୟରେ ସମଗ୍ର ଖୋରଧା ଅଞ୍ଚଳ ଜନଶୂନ୍ୟ ଶ୍ମଶାନ ପରି ପ୍ରତୀତ ହେଲା । କୃଷିକ୍ଷେତ୍ରଗୁଡ଼ିକ ଆବାଦ ହୋଇ ନ ପାରି ପତିତ ପ୍ରାନ୍ତର ପରି ପଡ଼ିରହିଲା । ଯତ୍ନ ଅଭାବରୁ ବାସଯୋଗ୍ୟ ଆବାସସକଳ କ୍ରମେ ପତନୋନ୍ମୁଖ ହେଲା । ରାଜକୋଷକୁ କଉଡ଼ିଟିଏ ହେଲେ ରାଜସ୍ୱ ଗଲା ନାହିଁ । ଲୋକେ ତ ଜମିବାଡ଼ି ଓ ଘରଦ୍ୱାରର ମୋହ ଛାଡ଼ି ବନବାସୀ ହେଲେ, ଆଉ ରାଜସ୍ୱ ଆଦାୟ କରାଯିବ କାହାଠାରୁ ?

 

ସମଗ୍ର ଖୋରଧାରେ ଏଭଳି ଜଟିଳ ପରିସ୍ଥିତି ଦେଖି ଇଂରେଜ ସରକାରର ମସ୍ତିଷ୍କ ଘୂର୍ଣ୍ଣିତ ହୋଇଗଲା । କି ଉପାୟରେ ପାଇକମାନଙ୍କ ସଙ୍ଗଠିତ ବିପ୍ଳବକୁ ଦମନ କରାଯିବ ଏବଂ ପୁନର୍ବାର ସେମାନଙ୍କୁ ଫେରିଆସିବାପାଇଁ ବାଧ୍ୟ କରାଯିବ, ସେଥିଲାଗି ଶାସକଗୋଷ୍ଠୀ ନାନାପ୍ରକାର ଉପାୟ ଚିନ୍ତା କଲେ । ଶେଷରେ ଦଳ ଦଳ ଫିରିଙ୍ଗିସୈନ୍ୟ ପ୍ରେରିତ ହୋଇ ଜଙ୍ଗଲର ଚତୁର୍ଦ୍ଦିଗରେ ବ୍ୟୂହ ରଚନା କରି ରହିଲେ ଏବଂ ବନ୍ଧୁକ ଫୁଟାଇ ବନ୍ୟଜନ୍ତୁ ଶିକାର କଲାପରି ନିର୍ଦ୍ଦୋଷ ପାଇକମାନଙ୍କ ଉଦ୍ଦେଶ୍ୟରେ ଅତି ନିଷ୍ଠୁରଭାବରେ ଘନଘନ ଗୁଳିଚାଳନ କଲେ । ତୋପ କମାଣର ଘନଘୋର ଗର୍ଜନରେ ବିଶାଳ ବନଭୂମିର ବିଭିନ୍ନ ପ୍ରଦେଶ ବହୁଦିନପର୍ଯ୍ୟନ୍ତ ପ୍ରକମ୍ପିତ ହେଲା । ପିଶାଚ ଇଂରେଜ ସରକାର ଭାବିଥିଲା, ଏହି ପାଶବିକ ନର ଶିକାର କାଣ୍ଡରେ ପାଇକମାନେ ପ୍ରାଣଭୟରେ ଜଙ୍ଗଲମଧ୍ୟରୁ ଫେରିଆସିବେ ଏବଂ ଶାସକମାନଙ୍କ ନିକଟରେ ଆତ୍ମସମର୍ପଣ କରି ବିପ୍ଳବ-ଅବରାଧର ପ୍ରାୟଶ୍ଚିତ୍ତ କରିବେ । ମାତ୍ର ଫଳ ଠିକ୍ ବିପରୀତ ହେଲା । ପାଇକମାନେ ଏହି ନିର୍ମମ ଦମନଲୀଳାର ତାଣ୍ଡବରେ ଆଦୌ ଭୀତତ୍ରସ୍ତ ନ ହୋଇ ଦ୍ୱିଗୁଣ ଉତ୍ତେଜନାରେ ଦମ୍ଭ ଧରି ରହିଲେ ।

 

ଏହିପରିଭାବରେ ଦୀର୍ଘ ଦୁଇ ମାସ ଅତିବାହିତ ହୋଇଗଲା । ଶେଷରେ ଇଂରେଜ ସରକାର ପରାଜୟ ସ୍ୱୀକାର କରି ନିଜେ ମସ୍ତକ ଅବନତ କଲା । ପାଇକମାନଙ୍କ ସହିତ ଆପୋଶ ଆଲୋଚନାଚଳାଇ ସମସ୍ୟାର ଏକ ନିଷ୍ପତ୍ତିକରିବା ବ୍ୟତୀତ ଇଂରେଜମାନଙ୍କର ଅନ୍ୟ କୌଣସି ଗତି ରହିଲା ନାହିଁ । ପରିଣାମରେ ତାହାହିଁ ହେଲା । ସରକାରର ସମାଧାନ ପ୍ରସ୍ତାବ ଅନୁଯାୟୀ ପାଇକବୃନ୍ଦ ସ୍ୱ ସ୍ୱ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କଲେ । ସଙ୍ଗେ ସଙ୍ଗେ ଇଂରେଜମାନଙ୍କର ଭୂସମ୍ପତ୍ତି ପ୍ରତ୍ୟାର୍ପିତ ହେଲା । ରାଜସ୍ୱର ହାର ମଧ୍ୟ ଶିଥିଳ କରାଗଲା । ଏହିରୂପେ ଖୋରଧାବାସିଗଣ ଇଂରେଜଶାସନର ପ୍ରବଳ ଗ୍ରାସରୁ କଥଞ୍ଚିତ୍ ପରିତ୍ରାଣ ପାଇ ନିଜ ନିଜର ଗୃହସଂସାର ନୂତନଭାବରେ ପୁନର୍ଗଠନପୂର୍ବକ ସୁଖେଦୁଃଖେ କାଳ ଅତିବାହିତ କରିବାକୁ ଆରମ୍ଭ କଲେ ।

 

ବିପ୍ଳବର ସିନା ଆପାତ ଅବସାନ ହେଲା; ମାତ୍ର ସରକାରର ଦାମ୍ଭିକତା ଓ ଅହମିକାରେ ଏହି ବିପ୍ଳବ ଯେଉଁ ଦାରୁଣ ଆଘାତ ଦେଲା ତାହା ସରକାର ଆଦୌ ପାସୋରିପାରିଲା ନାହିଁ । ପାଇକମାନେ ବନମଧ୍ୟରୁ ଫେରିଆସିଲେ ସତ୍ୟ, କିନ୍ତୁ ବିପ୍ଳବନେତା ବକ୍ସି ଜଗବନ୍ଧୁ ତାଙ୍କର ଷୋଳ ଜଣ ବିଶ୍ୱାସୀ ସହକର୍ମୀଙ୍କ ସହ ପୂର୍ବପରି କେଉଁଠାରେ ଆତ୍ମଗୋପନ କରି ରହିଲେ । ସେମାନଙ୍କୁ ସମୂଳେ ଧ୍ୱଂସ ନ କଲେ ଭବିଷ୍ୟତରେ ଏହିଭଳି ବିପ୍ଳବର ପୁନରାଭିନୟ ହୋଇପାରେ ଏବଂ ସରକାର ଏହାଠାରୁ ଘୋରତର ସଙ୍କଟର ସମ୍ମୁଖୀନ ହୋଇପାରନ୍ତି, ଏଥିପାଇଁ ଶାସକମହଲ ସ୍ଥିର କଲେ ଯେ, କୌଣସିମତେ ଅନୁଚରମାନଙ୍କ ସହ ଜଗବନ୍ଧୁଙ୍କୁ ଧରି ଆଣି ଫାଶୀଖୁଣ୍ଟରେ ପ୍ରାଣଦଣ୍ଡ ନ ଦେଲେ ଏ ଦେଶରେ ଇଂରେଜଶାସନ ଦୀର୍ଘକାଳପାଇଁ ନିରାପଦ ରହିପାରିବ ନାହିଁ ।

 

ଏହି ସିଦ୍ଧାନ୍ତପରେ ସରକାର ତରଫରୁ ୧୮୧୮ ମସିହା ମାର୍ଚ୍ଚମାସରେ ଏକ ଘୋଷଣା ପ୍ରଚାରିତ ହେଲା—ଯେ ଜଗବନ୍ଧୁଙ୍କୁ ଧରାଇଦେଇପାରିବ, ତାକୁ ପାଞ୍ଚ ସହସ୍ର ଟଙ୍କା ପୁରସ୍କାର ଦିଆଯିବ । ଜଗବନ୍ଧୁଙ୍କର ଅନ୍ୟାନ୍ୟ ସହକର୍ମୀଙ୍କୁ ଧରାଇଦେଲେ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ପୁରସ୍କାର ମିଳିବ ବୋଲି ସେଥିସହ ଘୋଷିତ ହେଲା । ଏହି ପ୍ରଚାର ସଙ୍ଗେ ସଙ୍ଗେ ପୁଲିସ୍ ଓ ଗୁପ୍ତଚର ବିଭାଗର କର୍ମଚାରୀମାନେ ଅତ୍ୟନ୍ତ ସକ୍ରିୟ ହୋଇଉଠିଲେ । ସେମାନେ ଖୋରଧାର ଚତୁର୍ଦ୍ଦିଗରେ ବିକ୍ଷିପ୍ତଭାବରେ ରହି ସେହି ତଥାକଥିତ ଅପରାଧୀମାନଙ୍କ ଅବସ୍ଥାନ ଓ ଗତିବିଧିର ସନ୍ଧାନ ନେବାରେ ଆତ୍ମନିୟୋଗ କଲେ ।

 

ଜଗବନ୍ଧୁ ଓ ତାଙ୍କ ସହକର୍ମୀମାନଙ୍କ ସନ୍ଧାନକାର୍ଯ୍ୟରେ ଦୀର୍ଘକାଳ ଅତିବାହିତ ହୋଇଗଲା; ତଥାପି ସେମାନଙ୍କର କୌଣସି ସମ୍ୱାଦ ମିଳିଲା ନାହିଁ । ଏହା ଦେଖି ସରକାରର କେତେକ ନୃଶଂସ କର୍ମଚାରୀ ଏକ ହୀନ ଉପାୟ ଅବଲମ୍ୱନ କଲେ । ଶଂସିତ ସମୟରେ ଜଗବନ୍ଧୁଙ୍କ ପରିବାରସ୍ଥ ଅନ୍ୟୂନ ବିଂଶତିସଂଖ୍ୟକ ବ୍ୟକ୍ତିମଧ୍ୟରୁ କେତେକ ଗଞ୍ଜାମର ଆଠଗଡ଼ରେ ଓ ଅନ୍ୟ କେତେକ ଛତ୍ରପୁରରେ ଅବସ୍ଥାନ କରୁଥିଲେ । ପୁଲିସବିଭାଗୀୟ କର୍ମଚାରୀମାନେ ଗଞ୍ଜାମ କଲେକ୍ଟରଙ୍କୁ ପ୍ରଭାବିତ କରି ସମଗ୍ର ପରିବାରକୁ ନିର୍ବିଚାରରେ ବନ୍ଦୀ କଲେ । ସେମାନଙ୍କ ମଧ୍ୟରୁ କେତେକ ଖୋରଧାଗଡ଼ରେ ଓ ଅବଶିଷ୍ଟ ବାରବାଟୀ ଦୁର୍ଗରେ ପ୍ରହରିବେଷ୍ଟିତ ହୋଇ ରହିଲେ । ଏହା ୧୮୧୯ ମସିହା ଶେଷଭାଗର କଥା ।

 

ବନ୍ଦୀ ଅବସ୍ଥାରେ ମଧ୍ୟ ଜଗବନ୍ଧୁଙ୍କ ନିରାପରାଧ ପରିବାର ଉପରେ ନାନା ଉତ୍ପୀଡ଼ନ କରାଯାଉଥାଏ । ସେମାନେ ସେହି ନିର୍ମମ ଯନ୍ତ୍ରଣାକୁ ନୀରବଭାବରେ ସହ୍ୟ କରି ପଡ଼ିରହିଥାନ୍ତି । ସରକାରର ଏହି ଅବାଞ୍ଛିତ କାର୍ଯ୍ୟର ଏକ ମାତ୍ର ଅଭିସନ୍ଧି ଥିଲା ଯେ ଜଗବନ୍ଧୁ ନିଜ ପରିବାରର ଏଭଳି ଦୁର୍ଦ୍ଦଶା ଶୁଣିଲେ ନିଶ୍ଚୟ ବିଚଳିତ ହୋଇପଡ଼ିବେ । ତାଙ୍କଯୋଗୁଁ ହିଁ ତାଙ୍କ ଆତ୍ମୀୟସ୍ୱଜନଗଣ ଅଶେଷ ଦୁଃଖଲାଞ୍ଛନା ଭୋଗ କରୁଛନ୍ତି, ଏହା ଅବଗତ ହେଲେ ତାଙ୍କ ହୃଦୟରେ ନିଶ୍ଚୟ ଭାବାନ୍ତର ଆସିବ ଏବଂ ସେ ଆଉ ଅଧିକ କାଳ ଆତ୍ମଗୋପନ କରି ନ ରହି ଆତ୍ମସମର୍ପଣ କରିବାକୁ ଇଚ୍ଛୁକ ହେବେ ।

 

ଓଡ଼ିଆ ପାଇକର ପିଣ୍ଡ ବୀରରକ୍ତରେ ଗଢ଼ା; ଜନ୍ମଭୂମିର ସେବା ହିଁ ତା ଜୀବନର ଚରମ ଲକ୍ଷ୍ୟ । ପାରିବାରିକ ମାୟା ମମତାର ବନ୍ଧନ କେବେହେଲେ ତାକୁ ଲକ୍ଷ୍ୟଭ୍ରଷ୍ଟ କରିପାରେ ନାହିଁ । ତେଣୁ ବୀରନେତା ବକ୍ସି ଜଗବନ୍ଧୁ ପରିଜନମାନଙ୍କ ଦୁଃଖଯାତନାର ସକଳ ସମ୍ୱାଦ ଅବଗତ ହେଉଥିଲେହେଁ ତିଳେହେଲେ ଧୈର୍ଯ୍ୟଚ୍ୟୁତ ନ ହୋଇ ସ୍ୱୀୟ ଲକ୍ଷ୍ୟସାଧନପଥରେ ପୂର୍ବପରି ଅଟଳ ଅବିଚଳ ରହିଥାନ୍ତି ।

 

ସରକାରର ଘୃଣ୍ୟ କୂଟକୌଶଳ ଏହିରୂପେ ଊଷରରେ ବୀଜବପନ ସଦୃଶ ନିଷ୍ପଳ ହେଲା । ତେଣୁ ଦୀର୍ଘ ଏକବର୍ଷ ପରେ ଅର୍ଥାତ୍ ୧୮୨୦ ମସିହାର ଶେଷଭାଗରେ ଜଗବନ୍ଧୁଙ୍କ ପରିବାରର ସମସ୍ତ ବ୍ୟକ୍ତି କାରାଦଣ୍ଡରୁ ମୁକ୍ତି ଲାଭ କଲେ । ଏବେ ସକଳ ଉଦ୍ୟମ ବ୍ୟର୍ଥ ହେବାର ଦେଖି ସରକାର ହତାଶ ହେଲେ । ଶାସକଗଣ ଦେଖିଲେ, ଜଗବନ୍ଧୁଙ୍କୁ ଧରି ଜୀବିତ ଅବସ୍ଥାରେ ବନ୍ଦ କରିବା ବାତୁଳର କଳ୍ପନା ଭଳି ଏକାନ୍ତ ଅବାସ୍ତବ ଓ ଅସମ୍ଭବ । ତେଣୁ ସେମାନେ ନିରୁପାୟ ହୋଇ ତାଙ୍କୁ କରଗତ କରିବା ଉଦ୍ଦେଶ୍ୟରେ ଭିନ୍ନ ପନ୍ଥାର ଆଶ୍ରୟ ଗ୍ରହଣ କଲେ । ଅବିଳମ୍ୱେ ଜଗବନ୍ଧୁଙ୍କ ଉପରୁ ଯାବତୀୟ ଦଣ୍ଡାଦେଶ ପ୍ରତ୍ୟାହୃତ ହୋଇଗଲା । ସେ ଅଜ୍ଞାତବାସ ପରିତ୍ୟାଗ କରି ଆତ୍ମସମର୍ପଣ କଲେ ତାଙ୍କପ୍ରତି ଆଦୌ କୌଣସି ଦୁର୍ବ୍ୟବହାର କରାଯିବ ନାହିଁ ଏବଂ ତାଙ୍କର ସ୍ୱଚ୍ଛନ୍ଦ ଚଳାଚଳପାଇଁ ମାସିକ ଆର୍ଥିକ ସାହାଯ୍ୟ ଦିଆଯିବ ବୋଲି ପ୍ରଚାର କରାଗଲା । କେବଳ ଏତିକିମାତ୍ର ନିଷେଧାଜ୍ଞା ରହିବ ଯେ, ସେ ସର୍ବଦା ସରକାରଙ୍କ ନଜରବନ୍ଦୀରେ ଅବସ୍ଥାନ କରିବେ । ଏହାବ୍ୟତୀତ ଯଦି ଅନ୍ୟ କୌଣସି ସର୍ତ୍ତରେ ଆତ୍ମସମର୍ପଣ କରିବାକୁ ତାଙ୍କର ଇଚ୍ଛା ଥାଏ, ତାହାହେଲେ ସେ ନିଜର କୌଣସି ବିଶ୍ୱାସୀ ପ୍ରତିନିଧିଙ୍କଦ୍ୱାରା ସରକାର ସହିତ ଉକ୍ତ ବିଷୟରେ ଆଲୋଚନା ଚଳାଇପାରିବେ ।

 

ସରକାର ପକ୍ଷର ଏହି ସମସ୍ତ ବିଚାର ଓ ପ୍ରଚାର ଜଗବନ୍ଧୁଙ୍କୁ ଆଦୌ ଅଜ୍ଞାତ ରହିଲା ନାହିଁ । ତାଙ୍କ ପୁତ୍ର ଗୋପୀନାଥ ସେତେବେଳେ ନିଜ ଗୃହରେ ବାସ କରୁଥାନ୍ତି । ଖୋରଧାର ଜଏଣ୍ଟ ମାଜିଷ୍ଟ୍ରେଟ ଉଇଲକିନ୍‍ସନ୍‍ ସାହେବ ଏହି ଗୋପୀନାଥଙ୍କ ହସ୍ତରେ ଉଲ୍ଲିଖିତ ମର୍ମରେ ଜଗବନ୍ଧୁଙ୍କ ନିକଟକୁ ଖଣ୍ଡିଏ ପତ୍ର ପ୍ରେରଣ କଲେ । ତାହାର ଉତ୍ତରରେ ଜଗବନ୍ଧୁ ସାହେବଙ୍କୁ ଜଣାଇଲେ, ‘‘ମୋର କେବଳ ଗୋଟିଏ ସର୍ତ୍ତ ଅଛି । ତାହା ହେଉଛି ଗଜପତି ମୁକୁନ୍ଦଦେବଙ୍କୁ ସସମ୍ମାନରେ ତାଙ୍କ ହୃତରାଜ୍ୟର ପ୍ରତ୍ୟର୍ପଣ । ଏତିକି ଆଦେଶ ଯଦି ଆପଣ କରାଇଦିଅନ୍ତି, ତାହାହେଲେ ମୁଁ ସ୍ୱୟଂ ଯାଇ ଆତ୍ମସମର୍ପଣ କରିପାରିବି ।’’

 

ଜଗବନ୍ଧୁଙ୍କ ଦେଶାତ୍ମବୋଧର ପ୍ରକୃତ ମହତ୍ତ୍ୱ ଏହି ଉତ୍ତରରୁ ସ୍ପଷ୍ଟ ପ୍ରତିପାଦିତ ହୁଏ । ସେ ସ୍ୱଦେଶର ସ୍ୱାଧୀନତା ଫେରାଇଆଣିବାପାଇଁ ଓ ଦେଶବାସୀଙ୍କ ଦୁଃଖ ମୋଚନ କରିବାପାଇଁ ପ୍ରାଣପାତ ଚେଷ୍ଟା କରିଥିଲେ ଏବଂ ଚିତୋରର ରାଣା ବୀର ପ୍ରତାପଙ୍କପରି ଶ୍ୱାପଦସଙ୍କୁଳ ଦୁର୍ଗମ ଗିରିକାନନରେ ବିଚରଣ କରି ନାନା ଦୁଃଖକ୍ଳେଶ ବରଣ କରିଥିଲେ । ମାତ୍ର ତାଙ୍କର ସେହି ଆଶା ପୂର୍ଣ୍ଣ ହୋଇପାରିଲା ନାହିଁ । ପରରାଜ୍ୟଲୋଭୀ ଇଂରେଜ ସରକାର ଜଗବନ୍ଧୁଙ୍କର ସର୍ତ୍ତ ଗ୍ରହଣ କରିବାକୁ ପରାଙୁଖ ହେଲା । ଫଳରେ କୌଣସି ସମାଧାନ ସମ୍ଭବପର ହୋଇପାରିଲା ନାହିଁ ।

 

ଏହିରୂପେ ୧୮୧୭ ମସିହାଠାରୁ ଦୀର୍ଘ ଆଠ ବର୍ଷ ଅତୀତ ହୋଇଗଲା । ଶତ ଚେଷ୍ଟାସତ୍ତ୍ୱେ ଇଂରେଜ ସରକାର ଜଗବନ୍ଧୁଙ୍କୁ ବନ୍ଦୀ କରିପାରିଲା ନାହିଁ । ଅନନ୍ୟେପାୟ ହୋଇ ଶେଷରେ ଉଇଲକିନ୍ସନ୍ ସାହେବ ନୟାଗଡ଼ର ବ୍ୟବହର୍ତ୍ତା ବ୍ରଜବନ୍ଧୁ ପାଇକରାୟଙ୍କୁ ମଧ୍ୟସ୍ଥ ରୂପେ ଜଗବନ୍ଧୁଙ୍କ ନିକଟକୁ ପ୍ରେରଣ କଲେ । ପାଇକରାୟ ଉଭୟ ପକ୍ଷର ମାନସମ୍ମାନ ଯଥୋଚିତଭାବରେ ରକ୍ଷା କରାଇ ସର୍ବଶେଷରେ ନିଜ ଉଦ୍ୟମରେ ସଫଳକାମ ହେଲେ । ଜଗବନ୍ଧୁ ଦେଖିଲେ, ଦୁର୍ଦାନ୍ତ ଇଂରେଜ ସରକାରଙ୍କଠାରୁ ନ୍ୟାୟପ୍ରାପ୍ତିର ଆଶା ବିଡ଼ମ୍ୱନା । ଖୋରଧାବାସୀଙ୍କୁ ଏପରି ଅଶାନ୍ତିମୟ ଅବସ୍ଥାରେ ଆଉ ଅଧିକ କାଳ ମୃହ୍ୟମାନ ରଖିବାରେ କୌଣସି ଫଳ ନାହିଁ । ତେଣୁ ସେ ଜନସାଧାରଣଙ୍କ ସ୍ୱାର୍ଥଦୃଷ୍ଟିରୁ ବିବେକର ଶତ ବାରଣସତ୍ତ୍ୱେ ଆତ୍ମସମର୍ପଣ କରିବାକୁ ପାଇକରାୟଙ୍କ ନିକଟରେ ସମ୍ମତି ପ୍ରଦାନ କଲେ ।

 

ପାଇକରାୟ ଏହି ସୁସମ୍ୱାଦ ଘେନି ଉଇଲକିନ୍‍ସନଙ୍କ ସମୀପରେ ଯଥାସମୟରେ ଉପଗତ ହେଲେ । ସାହେବ ତାଙ୍କ ମୁଖରୁ ସକଳ ବିବରଣ ଶୁଣି ଆନନ୍ଦରେ ଉତ୍‍ଫୁଲ୍ଲ ହୋଇଉଠିଲେ । ସଙ୍ଗେ ସଙ୍ଗେ ସରକାର ପକ୍ଷରୁ ଜଗବନ୍ଧୁଙ୍କୁ ଅଶେଷ ସମ୍ମାନ ସହିତ ବାହୁଡ଼ାଇ ଆଣିବାର ସମସ୍ତ ବ୍ୟବସ୍ଥା କରାଗଲା । ଜଗବନ୍ଧୁ ୧୮୨୫ ମସିହା ମେ ମାସ ୨୭ ତାରିଖରେ କଟକନଗରୀରେ ଆସି ପଦାର୍ପଣ କଲେ । ସେ ସରକାରଙ୍କଠାରୁ ଅଯାଚିତଭାବରେ ମାସିକ ଦେଢ଼ଶତ ଟଙ୍କା ସାହାଯ୍ୟ ଲାଭ କରି ସେହିଠାରେ ଅବସ୍ଥାନ କଲେ । ତାଙ୍କପ୍ରତି କୌଣସି ନିଷେଧାଦେଶ ରହିଲା ନାହିଁ । କେବଳ ଗୋଟିଏମାତ୍ର ସର୍ତ୍ତ ରହିଲା ଯେ, କେତେବେଳେ କଟକ ଛାଡ଼ି ଅନ୍ୟତ୍ର ଯାତ୍ରା କରିବାର ପ୍ରୟୋଜନ ହେଲେ ସେ କମିଶନର ସାହେବଙ୍କୁ ପୂର୍ବରୁ ତାହା ଜଣାଇଦେବେ ।

 

ଖୋରଧା ପାଇକ-ବିପ୍ଳବର ଦୁର୍ଜୟ ସିଂହରୂପୀ ବକ୍ସି ଜଗବନ୍ଧୁ କ୍ରମେ ବାର୍ଦ୍ଧକ୍ୟପୀଡ଼ିତ ହୋଇଆସିଲେ । ତାଙ୍କ ଉଦ୍ଦାମ ଯୌବନର ସ୍ୱପ୍ନ ଓ ପ୍ରୌଢ଼ ଜୀବନର ପ୍ରତିଜ୍ଞା ଅସମାପ୍ତ ରହିଗଲା-। ସେ ଜୀବଦ୍ଦଶାରେ ଜନ୍ମଭୂମିର ମୁକ୍ତି ଦେଖିପାରିଲେ ନାହିଁ, ଏଥିପାଇଁ ଅହରହ ତାଙ୍କର ଅତୃପ୍ତ ପ୍ରାଣ ବ୍ୟାକୁଳ ହୋଇଉଠୁଥାଏ । ମାତ୍ର ପ୍ରତିକାରର କୌଣସି ଉପାୟ ନ ଦେଖି ସେ ହୃଦୟରେ ଶତ ବୃଶ୍ଚିକର ଦଂଶନଜ୍ୱାଳା ଅନୁଭବ କରୁଥାନ୍ତି । ଏହି ଅବସ୍ଥାରେ ୧୮୨୯ ମସିହା ଜାନୁୟାରୀ ମାସ ୨୪ ତାରିଖ ଶନିବାର ଦିନ ତାଙ୍କର ମୁକ୍ତିପ୍ରୟାସୀ ଅମର ଆତ୍ମା ନଶ୍ୱର ଦେହ ତ୍ୟାଗ କରି ଅମରପଥର ଯାତ୍ରୀ ହେଲା ।

 

କଟକର ନାଗରିକମାନଙ୍କ ପକ୍ଷରେ ଏହି ଅମିତତେଜା ବୀରପୁରୁଷଙ୍କୁ ବିସ୍ମୃତ ହେବା ସମ୍ଭବପର ହେଲା ନାହିଁ; ତେଣୁ ବକ୍ସି ଜଗବନ୍ଧୁ କଟକନଗରୀର ଯେଉଁ ଅଂଶରେ ଅବସ୍ଥାନ କରୁଥିଲେ, ତାହାକୁ ସେମାନେ ‘‘ବକ୍ସିବଜାର’’ ନାମରେ ଏବଂ ତାଙ୍କ ପ୍ରକାଣ୍ଡ ଉଦ୍ୟାନମଧ୍ୟସ୍ଥ ପୁଷ୍କରିଣୀଟିକୁ ‘‘ବକ୍ସିପୋଖରୀ’’ ନାମରେ ଅଭିହିତ କରି ତାଙ୍କର ସ୍ମୃତିପୂଜା କରିବାକୁ ଲାଗିଲେ । ଏହି ବକ୍ସିବଜାର ଓ ବକ୍ସିପୋଖରୀ ଏପର୍ଯ୍ୟନ୍ତ ବିରାଜିତ ଅଛି ଏବଂ ସର୍ଦ୍ଦାର ଜଗବନ୍ଧୁଙ୍କ ସ୍ୱଦେଶବତ୍ସଳତା ଓତପ୍ରୋତଭାବରେ ତାହା ମଧ୍ୟରେ ଜଡ଼ିତ ରହି ଆଜିର ସ୍ୱାଧୀନ ଭାରତରେ ବୀର ଓଡ଼ିଆଜାତିକୁ ତାର ପୂର୍ବପୁରୁଷର ଗୌରବୋଜ୍ଜ୍ୱଳ ଜୀବନପ୍ରତି ଆକୃଷ୍ଟ କରୁଅଛି ।

Image

 

ସହିଦ୍ ମଙ୍ଗଳ ପାଣ୍ଡେ

 

ଭାରତରୁ ଇଂରେଜମାନଙ୍କୁ ବିତାଡ଼ିତ କରି କମ୍ପାନୀ ସରକାରର କବଳରୁ ଦେଶ ଓ ଜାତିକୁ ସ୍ୱାଧୀନ କରିବାପାଇଁ ୧୮୫୭ ମସିହାରେ ଏ ଦେଶରେ ଯେଉଁ ବିପ୍ଳବ ସୃଷ୍ଟି କରାଯାଇଥିଲା, ତାହାର ପ୍ରାରମ୍ଭିକ ଯୋଜନା ଏତେ ଗୋପନୀୟ ଭାବରେ ହୋଇଥିଲା ଯେ, ଯେତେ ଚତୁର ଓ କୂଟବୁଦ୍ଧିସମ୍ପନ୍ନ ହେଲେହେଁ ଇଂରେଜ ଶାସକଗୋଷ୍ଠୀ ଘୃଣାକ୍ଷରରେ ସୁଦ୍ଧା ତାର କୌଣସି ସନ୍ଧାନ ପାଇପାରି ନ ଥିଲେ । କି ଶ୍ରମିକ, କି କୃଷକ, କି ଧନୀ, କି ନିର୍ଦ୍ଧନ, କି ରାଜା, କି ମହାରଜା, ସମସ୍ତେ ଇଂରେଜ ଶାସନର ଶୋଷଣ, ଲୁଣ୍ଠନ ଓ ସର୍ବଗ୍ରାସୀ ନୀତିରେ ଅନ୍ତଃସାରଶୂନ୍ୟ ହୋଇଯାଇଥିଲେ । ତେଣୁ ସରକାର ବିରୁଦ୍ଧରେ ବିପ୍ଳବର ବହ୍ନି ଜାଳିଦେବାକୁ ଯେଉଁ ଆୟୋଜନ ହେଲା, ସେଥିରେ ଭାରତର ପ୍ରାୟ ସମସ୍ତ ଅଞ୍ଚଳ ଅତି ଆଗ୍ରହର ସହିତ ସକ୍ରିୟ ଅଂଶ ଗ୍ରହଣ କରିଥିଲା ।

 

ଦୁର୍ଯୋଗକ୍ରମେ କମ୍ପାନୀ ସରକାର ଏହି ସମୟରେ ଭାରତୀୟ ପଦାତିକ ସୈନ୍ୟମାନଙ୍କ ମଧ୍ୟରେ ପୁରାତନ ବନ୍ଧୁକ ପରିବର୍ତ୍ତରେ ଏନଫିଲ୍ଡ଼ ରାଇଫଲ୍ ନାମକ ଏକପ୍ରକାର ନୂତନ ବନ୍ଧୁକର ପ୍ରଚଳନ କଲେ । ସେହି ବନ୍ଧୁକର ବିଶେଷତ୍ୱ ଏହି ଯେ, ତାର ଗୁଳିପୂର୍ଣ୍ଣ ଟୋଟାଉପରେ ଯେଉଁ କାଗଜ ଥିଲା, ମସୃଣତରକ୍ଷାପାଇଁ ସେଥିରେ ଗୋରୁ ଓ ଶୂକରର ଚର୍ବି ବୋଳାଯାଇଥିଲା । ପୁଣି ଏହି କାଗଜଖଣ୍ଡିକୁ ଦନ୍ତରେ ଛିନ୍ନ ନ କଲେ ଉକ୍ତ ଟୋଟା ନୂଆ ବନ୍ଧୁକରେ ସହଜରେ ଭରତ୍ତି କରି ହେଉ ନ ଥିଲା । ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ଧର୍ମ ନଷ୍ଟକରି ଭାରତଭୂମିକୁ ଏକ ଖ୍ରୀଷ୍ଟିୟାନ ରାଜ୍ୟରେ ପରିଣତ କରିଦେବାପାଇଁ ଏହା ଇଂରେଜ ଶାସକଗୋଷ୍ଠୀର ଏକ ସୁଚିନ୍ତିତ କର୍ମସୂଚୀ ବୋଲି ଲୋକେ ନିର୍ବିବାଦରେ ବିଚାର କଲେ ।

 

ଟୋଟାର କାଗଜରେ ଗୋରୁ ଓ ଶୂକରଚର୍ବି ବୋଳାଯାଇଥିବା କଥାଟି କମ୍ପାନୀ ସରକାର ପକ୍ଷରୁ ଯେତେ ଗୋପନୀୟ ରଖାଯାଇଥିଲେହେଁ ଭାରତୀୟ ସୈନିକ ଶିବିରରେ ତାହା କୌଣସିରୂପେ ଜଣା ପଡ଼ିଗଲା । ଶୁଣିଲାମାତ୍ରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ସୈନିକମାନେ ଉତ୍ତେଜନାରେ ସତେ ଯେପରି ଅନ୍ଧ ହୋଇଗଲେ ଏବଂ ପ୍ରତିଜ୍ଞା କଲେ, ‘‘ସ୍ୱାଧୀନତା ପଛେ ପଛେ ଆମ୍ଭମାନଙ୍କର ସବୁ ଚାଲିଯାଇଛି, ଅଛି କେବଳ ଜାତି ଓ ଧର୍ମ; ତେଣୁ ପ୍ରାଣବିନିମୟରେ ସୁଦ୍ଧା ଆମ୍ଭେମାନେ ସେହି ଜାତି ଓ ଧର୍ମର ମହତ୍ତ୍ୱ ରକ୍ଷା କରିବୁଁ ।’’

 

୧୮୫୭ ମସିହାର ଜାନୁଆରୀ ମାସ ଆରମ୍ଭରେ ଚତୁର୍ଦ୍ଦିଗରେ ରାଷ୍ଟ୍ର ହୋଇଗଲା ଯେ, ନୂଆ ଏନଫିଲ୍ଡ଼ ରାଇଫଲ ଓ ତା ସଙ୍ଗେ ସଙ୍ଗେ ଗୋରୁ ଘୁଷୁରିଙ୍କ ଚର୍ବିଯୁକ୍ତ ଟୋଟା ଭାରତୀୟ ସୈନ୍ୟମାନଙ୍କୁ ବ୍ୟବହାରପାଇଁ ଦିଆଯିବ । ଏ ଜନରବ ପଛେ ପଛେ ଭାରତୀୟ ସୈନ୍ୟମାନଙ୍କ ପକ୍ଷରୁ ମଧ୍ୟ ଚାରିଆଡ଼େ ପ୍ରଚାରିତ ହୋଇଗଲା ଯେ, ସେମାନେ ସେହି ଟୋଟାକୁ ଦନ୍ତରେ କାଟି ବ୍ୟବହାର କରିବା ତ ଦୂରର କଥା, ହସ୍ତରେ ସ୍ପର୍ଶ ସୁଦ୍ଧା କରିବେ ନାହିଁ ।

 

ସୈନିକମାନଙ୍କର ଏ ପ୍ରତିଜ୍ଞା ଲୋକମୁଖରେ ପ୍ରଚାରିତ ହୋଇ ଶେଷରେ ପୂର୍ବାଞ୍ଚଳବାହିନୀର ସେନାପତି ହିୟର୍‍ସେଙ୍କ ଶ୍ରୂତିପଥାରୂଢ଼ ହେଲା । ସଙ୍ଗେ ସଙ୍ଗେ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତଭାବରେ ଜଣାଇଦେଲେ ଯେ, ବାରାକପୁରର ସିପାହିମାନେ କ୍ରମେ ବିକ୍ଷୁବ୍ଧ ହୋଇଉଠିଲେଣି ଏବଂ ସେମାନଙ୍କ ଭିତରେ ଇଂରେଜଶାସନପ୍ରତି ଘୋର ବିଦ୍ୱେଷଭାବ ପରିଲକ୍ଷିତ ହେଉଛି । ଫେବୃଆରୀ ୬ ତାରିଖରେ ତାଙ୍କର ଏହି ସତର୍କବାଣୀଫଳରେ ବାରାକ୍‍ପୁରରେ ଏକ ତଦନ୍ତ କମିଶନ୍ ବସିଲା । ହିନ୍ଦୁ ଓ ମୁସଲମାନ ପ୍ରତ୍ୟେକ ସିପାହି ଏହି କମିଶନ୍ ଆଗରେ ଭଦ୍ର ଅଥଚ ବୀରୋଚିତ ଦୃଢ଼ତା ପ୍ରଦର୍ଶନ କରି କହିଲେ, ‘‘ଟୋଟା ବ୍ୟବହାର କଥା କିଏ ପଚାରେ, ଆମ୍ଭେମାନେ ତାହା ଆଦୌ ଗ୍ରହଣ କରିବୁ ନାହିଁ ।’’ ଟୋଟାରେ ଗୋରୁ ବା ଶୂକରର ଚର୍ବି ଦିଆଯାଇ ନାହିଁ ଏବଂ ଭାରତୀୟମାନଙ୍କ ଧର୍ମ ନଷ୍ଟ କରିବାର କୌଣସି ଷଡ଼ଯନ୍ତ୍ର ସରକାରଙ୍କର ନାହିଁ ବୋଲି କମିଶନଙ୍କ ପକ୍ଷରୁ ଯେତେ ଆଶ୍ୱାସନା ଦିଆଗଲା, ସବୁ ଉଦ୍ୟମ ବ୍ୟର୍ଥ ହେଲା ।

 

ଏହି ଘଟଣାର କିଛିଦିନପରେ ଫେବୃଆରୀ ୨୬ ତାରିଖରେ ବରହମପୁର ରେଜିମେଣ୍ଟର ଭାରତୀୟ ସିପାହିମାନଙ୍କୁ ଏ ଟୋଟା ଦିଆଗଲା । ସେମାନେ ପରୀକ୍ଷା କରି ଦେଖିଲେ, ଯାହା ଏପର୍ଯ୍ୟନ୍ତ ଲୋକଙ୍କଠାରୁ ଶୁଣିଆସୁଥିଲେ, ତାହା ବାସ୍ତବରେ ଅକ୍ଷରେ ଅକ୍ଷରେ ସତ୍ୟ । ପରଦିନ ପ୍ରଭାତରେ ପରେଡ଼ ପଡ଼ିଆରେ ଉକ୍ତ ଟୋଟା ବ୍ୟବହାର କରାଯିବାର କଥା, କିନ୍ତୁ ତା ପୂର୍ବରୁ ସେହିଦିନ ସିପାହିମାନଙ୍କ ମଧ୍ୟରେ ଭୀଷଣ ଉତ୍ତେଜନା ଓ ବିକ୍ଷୋଭ ପରିଦୃଷ୍ଟ ହେଲା । କର୍ଣ୍ଣେଲ ମିଚେଲ୍ ସିପାହିମାନଙ୍କ ସମ୍ମୁଖରେ ତର୍ଜନଗର୍ଜନ କରି ଆଦେଶ ଦେଲେ, ‘‘ଅସ୍ତ୍ରଶସ୍ତ୍ର ସହ ଏହିଠାରେ ଆତ୍ମସମର୍ପଣ କର ।’’ କିନ୍ତୁ ତାହା ଅବଜ୍ଞାର ସହିତ ଉପେକ୍ଷିତ ହେଲା । ଏ ଅବଜ୍ଞାକୁ କର୍ଣ୍ଣେଲ୍ ମିଚେଲ୍ ଜୀର୍ଣ୍ଣ କରିବାକୁ ବାଧ୍ୟ ହେଲେ, କାରଣ ସେତେବେଳେ ଇଂରେଜସୈନ୍ୟ ସେଠାରେ ଯଥେଷ୍ଟ ସଂଖ୍ୟାରେ ନ ଥିଲେ ।

 

ଏହାପରେ ଦଳେ ନୂତନ ଇଂରେଜସୈନ୍ୟ ବରହମପୁରରେ ଆସି ପହଞ୍ଚିଯିବାରୁ ଗଭର୍ଣ୍ଣର-ଜେନେରାଲ ଲର୍ଡ଼ କ୍ୟାନିଂ ବିଚାରିଲେ ସିପାହିମାନଙ୍କର ବିଦ୍ରୋହୀ ମନୋଭାବକୁ ପରାଭୂତ କରିବା ଆଉ କଷ୍ଟକର ହେବନାହିଁ । ତେଣୁ ମାର୍ଚ୍ଚ ୨୭ ତାରିଖରେ ସେ ପୂର୍ବାଞ୍ଚଳ ବାହିନୀର ସେନାପତିଙ୍କୁ ଲେଖିଲେ, ‘‘ଏଣିକି ଦୃଢ଼ ଓ କଠୋର ହସ୍ତରେ ବିଦ୍ରୋହ ଦମନ କରିବାକୁ ହେବ ।’’

 

ବାରାକପୁରସ୍ଥ ଭାରତୀୟ ରେଜିମେଣ୍ଟର ସିପାହିମାନଙ୍କ ମଧ୍ୟରେ ବିପ୍ଳବୀ ମନୋବୃତ୍ତି ଅଧିକତର ପରିଦୃଷ୍ଟ ହେବାରୁ ସେମାନଙ୍କୁ ପରସ୍ପରଠାରୁ ବିଚ୍ଛିନ୍ନ କରିଦେବା ଉଦ୍ଦେଶ୍ୟରେ ଚଟ୍ଟଗ୍ରାମ, ରାଣୀଗଞ୍ଜ ଓ ବରହ୍‍ମପୁର ପ୍ରଭୃତି ବିଭିନ୍ନ ଶିବିରରେ ଇତସ୍ତତଃ ଅବସ୍ଥାପିତ କରାଗଲା-। କିନ୍ତୁ ଏହାଦ୍ୱାରା ପରିସ୍ଥିତିର କୌଣସି ଉନ୍ନତି ହେବା ତ ଦୂରର କଥା, ବରଂ ସିପାହିମାନଙ୍କ ମଧ୍ୟରେ ବିରୁଦ୍ଧ ମନୋଭାବ ବ୍ୟାପକ ହୋଇଉଠିଲା । ସେମାନେ ଯେକୌଣସି ମୁହୂର୍ତ୍ତରେ ବିଦ୍ରୋହାଗ୍ନି ଜଳାଇ ଦେବାକୁ ପ୍ରସ୍ତୁତ ହୋଇ ରହିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ସିପାହିମାନଙ୍କର ଏ ଉଗ୍ର ମତିଗତି ଅଧିକ ଦିନ ଅଜ୍ଞାତ ରହିପାରିଲା ନାହିଁ । ବିଦ୍ରୋହ ନଳ ହଠାତ୍ ପ୍ରଜ୍ୱଳିତ ହୋଇଉଠିଲେ କିପରି ତାହାକୁ ନିର୍ବାପିତ କରାଯିବ, ସେଥିପାଇଁ ସେମାନଙ୍କ ପକ୍ଷରୁ ମଧ୍ୟ ଗୁପ୍ତ ଆୟୋଜନ ଆରମ୍ଭ ହେଲା । ତାହାରି ଫଳରେ ମାର୍ଚ୍ଚ ମାସ ୨୯ ତାରିଖ ଦିନ ଗୋଟିଏ ସୈନ୍ୟବାହୀ ରଣପୋତ କଲିକତାରୁ ଆସି ବାରାକପୁର ଘାଟରେ ଉପସ୍ଥିତ ହେଲା । ତାହା ଦେଖି ତତ୍ରତ୍ୟ ଭାରତୀୟ ସିପାହିମାନେ ଆଶଙ୍କା କଲେ ଯେ, ଏଥର ବରହ୍‍ମପୁରର ସିପାହିମାନଙ୍କ ପରି ସେମାନଙ୍କୁ ମଧ୍ୟ ନୂଆ ଟୋଟା ବ୍ୟବହାର କରିବାକୁ ବାଧ୍ୟ କରାଯିବ ଏବଂ ଅବାଧ୍ୟତା ପ୍ରଦର୍ଶନ କଲେ ସେମାନଙ୍କୁ ଏହି ନବାଗତ ଇଂରେଜ ସୈନ୍ୟମାନଙ୍କର ଗୁଳିଗୋଳାର ଶିକାର ହେବାକୁ ପଡ଼ିବ । ଏହି କାରଣରୁ ବାରକ୍‍ପୁର ରେଜିମେଣ୍ଟର ସିପାହିମାନଙ୍କ ମଧ୍ୟରେ ସେଦିନ ପ୍ରବଳ ଉତ୍ତେଜନା ଓ ବିକ୍ଷୋଭର ତରଙ୍ଗ ଉଦବେଳ ହୋଇ ଉଠିଲା ।

 

ଏହି ରେଜିମେଣ୍ଟରେ ମଙ୍ଗଳ ପାଣ୍ଡେ ନାମରେ ଛବିଶ ବର୍ଷ ବୟସ୍କ ଜଣେ ହିନ୍ଦୁସ୍ଥାନୀ ସିପାହି ଥିଲେ । ଇଂରେଜ କର୍ତ୍ତାମାନଙ୍କ ଔଦ୍ଧତ୍ୟ ତାଙ୍କୁ ନିତାନ୍ତ ଅସହ୍ୟ ବୋଧ ହେଲା ବ୍ରାହ୍ମଣକୁଳରେ ତାଙ୍କର ଜନ୍ମ ହେଲେହେଁ ସେ କ୍ଷତ୍ରିୟବୃତ୍ତି ଗ୍ରହଣ କରିଥିଲେ ଏବଂ ଜଣେ ସୈନିକରୂପେ ଯେପରି ସାହସୀ, ସେହିପରି ଦୁର୍ଦ୍ଧର୍ଷ ଥିଲେ । ଦେଶ ଓ ଜାତିର ସମ୍ମାନ ତଥା ଧର୍ମ ରକ୍ଷାକୁ ସେ ନିଜ ଜୀବନଠାରୁ ମଧ୍ୟ ମହତ୍ତର ମନେ କରୁଥିଲେ । ପୂର୍ବଜମାନେ ବିଦେଶୀ ଶତ୍ରୁର ବିଜୟ ଅଭିଯାନକୁ ବରଣ କରିନେଇ ଦେଶମାତୃକାକୁ ପରାଧୀନତାର ଶୃଙ୍ଖଳ ପିନ୍ଧାଇ ଦେଇଯାଇଛନ୍ତି । ବର୍ତ୍ତମାନ ନିଜ ଚକ୍ଷୁ ସମ୍ମୁଖରେ ଜାତି ଓ ଧର୍ମଉପରେ ଏ ନିର୍ମମ ଆକ୍ରମଣ ସେ କିପରି ଦେଖିବେ ? ତାଙ୍କର ଚଚିତ୍ର ଅତି ବିଶୁଦ୍ଧ ଓ ନିର୍ମଳ ଥିଲା, ତେଣୁ ଦେଶ, ଜାତି ଓ ଧର୍ମର ଏ ସଙ୍କଟକାଳରେ ନିଜର ଇତି କର୍ତ୍ତବ୍ୟ ଅବଧାରଣ କରିବାକୁ ତାଙ୍କର ମୁହୂର୍ତ୍ତେ ମାତ୍ର ବିଳମ୍ୱ ହେଲା ନାହିଁ ।

 

ସାରା ଶରୀରରେ ସେ କି ଏକ ବୈଦ୍ୟୁତିକ ସ୍ପନ୍ଦନ ଅନୁଭବ କଲେ । ଇଂରେଜମାନଙ୍କ ପ୍ରତି ଅବଶ୍ୟ ତାଙ୍କର କୌଣସି ବିଦ୍ୱେଷ ନ ଥିଲା; କିନ୍ତୁ ସେମାନଙ୍କ କୂଟନୀତି କଥା ସ୍ମରଣ କରି ଘୃଣା ଓ କ୍ରୋଧରେ ତାଙ୍କର ସର୍ବାଙ୍ଗ କମ୍ପିଉଠିଲା । ଆଉ ସ୍ଥିର ହୋଇ ରହି ନ ପାରି ସେ ସାମରିକ ପରିଚ୍ଛଦ ପରିଧାନ କଲେ ଏବଂ ଗୁଳିପୂର୍ଣ୍ଣ ବନ୍ଧୁକ ହସ୍ତରେ ଶିବିରରୁ ବାହାରିପଡ଼ିଲେ । ଊର୍ଦ୍ଧ୍ୱରେ ଅନନ୍ତ ନୀଳ ଆକାଶ ଏବଂ ନିମ୍ନରେ ମା ବସୁନ୍ଧରା ଉପରେ ଥରେ ଚକ୍ଷୁ ବୁଲାଇ ଆଣିବାମାତ୍ରେ ସେ ଏକ ଅପୂର୍ବ ପୁଲକରେ ରୋମାଞ୍ଚିତ ହୋଇଉଠିଲେ । ତାପରେ ଅନ୍ୟାନ୍ୟ ସଙ୍ଗୀ ସିପାହିଙ୍କୁ ଆହ୍ୱାନ କରି କହିଲେ, ‘ଏହି ମୁହୂର୍ତ୍ତରେ ଆମ୍ଭମାନଙ୍କୁ ବିଦ୍ରୋହର ବହ୍ନି ଜଳାଇବାକୁ ପଡ଼ିବ, ଏହି ମୁହୂର୍ତ୍ତରେହିଁ ଫିରିଙ୍ଗି ଦଳକୁ ଆକ୍ରମଣ କରି ଧ୍ୱଂସ କରିବାକୁ ହେବ; ତା ନ ହେଲେ ସେମାନେ ଆମ୍ଭମାନଙ୍କୁ ଆକ୍ରମଣ କରି ଅଚିରେ ଧ୍ୱଂସ କରିଦେବେ ।’’

 

ପ୍ରବଳପରାକ୍ରାନ୍ତ କମ୍ପାନୀ ସରକାର ବିରୁଦ୍ଧରେ ବିଦ୍ରୋହ ଘୋଷଣାପାଇଁ ଜଣେ ସାମାନ୍ୟ କଳା ସିପାହିର ଏଭଳି ପ୍ରକାଶ୍ୟ ଆହ୍ୱାନ ଶୁଣି ସଜେଣ୍ଟ-ମେଜର୍ ହିଉଗ୍‍ସନ୍ ନିଜ କୋଠି ଛାଡ଼ି ଉତଫଣ ତମ୍ପସଦୃଶ ବାହାରିଆସିଲେ ଏବଂ ପାଣ୍ଡେଙ୍କୁ ବନ୍ଦୀ କରିବାପାଇଁ ପ୍ରହରୀମାନଙ୍କୁ ଆଦେଶ ଦେଲେ । କିନ୍ତୁ ଏ କଣ ? ସାହେବଙ୍କ ଆଦେଶ ପାଳନ କରିବା ତ ଦୂରର କଥା, କେହି ଜଣେହେଲେ ପ୍ରହରୀ ତତ୍‍ପ୍ରତି କର୍ଣ୍ଣପାତ ସୁଦ୍ଧା କଲା ନାହିଁ ।

 

କ୍ରୋଧରେ ହିଉଗ୍‍ସନ୍‍ଙ୍କ ଚକ୍ଷୁ ଆରକ୍ତ ହୋଇଗଲା ଏବଂ ସେ ସ୍ୱହସ୍ତରେ ବନ୍ଧୁକ ଉତ୍ତୋଳନ କରି ମଙ୍ଗଳ ପାଣ୍ଡେଙ୍କୁ ବନ୍ଦୀ କରିବାପାଇଁ ଧାବିତ ହେଲେ । କିନ୍ତୁ ହାୟ, ଅଧିକ ଦୂର ଅଗ୍ରସର ହେବାର ଆସ୍ପାର୍ଦ୍ଧା ଦେଖାଇବା ପୂର୍ବରୁ ସେ ପାଣ୍ଡେଙ୍କର ଗୋଟିଏ ଅବ୍ୟର୍ଥ ଗୁଳିରେ ଭୂମିଶାୟୀ ହେଲେ । କୋଳାହଳ ଓ ଗୁଳିଶବ୍ଦ ଶୁଣି ଲେଫ୍ଟନାଣ୍ଟ ବାଉଗ୍ ଓ ଆଉ ଜଣେ ଇଂରେଜ କର୍ମଚାରୀ ସଙ୍ଗେ ସଙ୍ଗେ ଘଟନାସ୍ଥଳରେ ଆସି ଉପସ୍ଥିତ ହେଲେ । ପରେଡ଼ ପଡ଼ିଆରେ ଅଶ୍ୱପୃଷ୍ଠରୁ ଅବତରଣ ନ କରି ବାଉଗ୍ ପାଣ୍ଡେଙ୍କୁ ଲକ୍ଷ୍ୟ କରି ଗୁଳି ଫୁଟାଇବାକୁ ଉଦ୍ୟତ ହେଲେ; କିନ୍ତୁ ସେହି ଉଦ୍ୟମକୁ ବିଫଳ କରି ପାଣ୍ଡେ ଆଗ ଗୁଳି ଫୁଟାଇଦେଲେ ଏବଂ ତାର ଆଘାତରେ ବାଉଗ୍‍ଙ୍କ ଅଶ୍ୱଟି ଆହତ ହୋଇ ଭୂପତିତ ହେଲା । ବାଉଗ୍ ବାହନଶୂନ୍ୟ ହୋଇ ଏବେ ଚତୁର୍ଦିଗ ଅନ୍ଧକାରମୟ ଦେଖିଲେ ।

 

ପାଣ୍ଡେ ସେତେବେଳେ ଏପରି ଉନ୍ମତ୍ତ ହୋଇଉଠିଥିଲେ ଯେ, ବନ୍ଧୁକରେ ପୁଣି ଥରେ ଗୁଳି ସହି କରିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରି ଅସିହସ୍ତରେ ବାଉଗ୍‍ଙ୍କ ଆଡ଼କୁ ଅଗ୍ରସର ହେଲେ । ବାଉଗ୍ ମଧ୍ୟ ନିଜେ ଅସି ଧରି ପାଣ୍ଡେଙ୍କର ସମ୍ମୁଖୀନ ହେଲେ । କିନ୍ତୁ ହାୟ, ଆଘାତ କରିବା ପୂର୍ବରୁ ସେ ନିଜେ ପାଣ୍ଡେଙ୍କ ଆଘାତରେ ଧରାଶାୟୀ ହେଲେ । ନିକଟସ୍ଥ ଇଂରେଜ କର୍ମଚାରୀଟି ପାଣ୍ଡେଙ୍କୁ ଆକ୍ରମଣ କରିବାପାଇଁ ଧାଇଁଆସୁଥିଲେ, କିନ୍ତୁ ଜଣେ ଅଜ୍ଞାତନାମା ସିପାହିର ବନ୍ଧୁକନଳୀର ଆଘାତରେ ତାଙ୍କୁ ସେଠାରେ ଜୀବନ ଦେବାକୁ ହେଲା ।

 

ଏହା ପଛେ ପଛେ ଅନ୍ୟ ସିପାହିମାନେ ଚିତ୍କାର କରିଉଠିଲେ, ‘‘ପାଣ୍ଡେ ପାଖକୁ କେହି ଯାଅ ନାହିଁ, ତାଙ୍କ ଦେହରେ କେହି ହାତ ଲଗାଅ ନାହିଁ ।’’ ଏ କୋଳାହଳରେ କର୍ଣ୍ଣେଲ୍ ହୁଇଲର୍ ସେହି ସ୍ଥାନରେ ଆସି ଉପସ୍ତିତ ହୋଇଗଲେ ଏବଂ ପାଣ୍ଡେଙ୍କୁ ବନ୍ଦୀ କରିବାପାଇଁ ଅଦେଶ ଦେଲେ । ପୁଣି ଥରେ ସେହି କୋଳାହଳା ଓ ଚିତ୍କାର ମଧ୍ୟରୁ ଶୁଣାଗଲା, ‘‘କେହି ଆମେ ସେ ବ୍ରାହ୍ମଣର କେଶାଗ୍ର ସୁଦ୍ଧା ସ୍ପର୍ଶ କରିବୁ ନାହିଁ ।’’ ହୁଇଲର୍ ଧରଣୀ ବକ୍ଷକୁ ଅନାଇ ଦେଖିଲେ, ତାଙ୍କ ସ୍ୱଜାତିର ରକ୍ତରେ ମୃତ୍ତିକା ଆଦ୍ର ହୋଇଯାଇଛି; ସମ୍ମୁଖକୁ ଦୃଷ୍ଟିପାତ କରି ବୁଝଲେ, ସିପାହିମାନଙ୍କ ଭିତରେ ଉତ୍ତେଜନାର ଆଗ୍ନେୟସ୍ରୋତ ଖେଳୁଛି । ଭାବୀ ବିପଦର ଆଶଙ୍କା କରି ସେ ନିଜ କୋଠକୁ ପ୍ରତ୍ୟାବର୍ତ୍ତନ କଲେ । କିନ୍ତୁ ପାଣ୍ଡେ ପରେଡ଼୍ ପଡ଼ିଆରେ ପୂର୍ବବତ୍ ଦଣ୍ଡାୟମାନ ରହି ବୀର ଦର୍ପରେ ଆହ୍ୱାନ ଦେଉଥାନ୍ତି, ‘‘ଉଠ—ଜାଗ ଭାଇମାନେ ! ଚତୁର୍ଦ୍ଦିଗରେ ବିପ୍ଳବର ବହ୍ନି ଜଳାଇଦିଅ ।’’ ଏତିକିବେଳେ ଶେଖ୍ ପଲ୍ଟୁ ନାମରେ ଅନ୍ୟ ଜଣେ ସିପାହି ପାଣ୍ଡେଙ୍କୁ ପଛରୁ ଧରିପକାଇ ବାଧା ଦେଲା; ନଚେତ୍ ସେଦିନ କେତେ ଇଂରେଜ ଯେ ଆକ୍ରାନ୍ତ ହୋଇଥାନ୍ତେ, ତାର ସୀମା ନାହିଁ ।

 

ପରେଡ଼ ପଡ଼ିଆର ଏହି ସଂଘର୍ଷ ବିବରଣ ଇତିମଧ୍ୟରେ ପୂର୍ବାଞ୍ଚଳବାହିନୀର ସେନାପତି ହିଅରସେଙ୍କ କର୍ଣ୍ଣଗୋଚର ହୁଅନ୍ତେ ସେ କେତେକ ଇଂରେଜ କର୍ମଚାରୀଙ୍କ ସହ ଘଟନାସ୍ଥଳରେ ଆସି ଉପଗତ ହେଲେ ଏବଂ ପାଣ୍ଡେ ଓ ଶେଖ୍ ପଲଟୁଙ୍କୁ ପରସ୍ପର ଧରାଧରି ହୋଇ ରହିଥିବା ଅବସ୍ଥାରେ ଦେଖିଲେ । ହିଅରସେଙ୍କୁ ଅଗ୍ରସର ହେଉଥିବା ଦେଖି ପାଣ୍ଡେ ତାଙ୍କୁ ଲକ୍ଷ୍ୟ କରି ପୁଣି ଗୋଟେ ଗୁଳି ଫୁଟାଇବାକୁ ଚେଷ୍ଟା କଲେ; କିନ୍ତୁ ପଲଟ୍ ସଙ୍ଗେ ଧ୍ୱସ୍ତାଧ୍ୱସ୍ତି ଫଳରେ ସେହି ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇ ତାଙ୍କ ନିଜ ଦେହରେ ବାଜିଲା ଏବଂ ସେ ଆହତ ହୋଇ ଭୂପତିତ ହେଲେ ।

 

ଏହି ଅବସ୍ଥାରେ ପାଣ୍ଡେଙ୍କୁ ବନ୍ଦୀକରି ଚିକିତ୍ସାପାଇଁ ଚିକିତ୍ସାଳୟକୁ ପ୍ରେରଣ କରାଗଲା । ତାଙ୍କର ଧୈର୍ଯ୍ୟ, ସାହସ ଓ ବୀରତ୍ୱରେ ଇଂରେଜ କର୍ମଚାରୀଗୋଷ୍ଠୀ ଅବାକ୍ ହୋଇଗଲେ । ମାର୍ଚ୍ଚ ମାସ ୯ ତାରିଖରେ ଜଣେ ଭାରତୀୟ ସିପାହି ଏଭଳି ପ୍ରଳୟକାଣ୍ଡ ଘଟାଇବ ବୋଲି ସେମାନେ ପୂର୍ବରୁ କେବେହେଲେ କଳ୍ପନା ସୁଦ୍ଧା କରିପାରି ନ ଥିଲେ ।

 

ଏହାର ଆଠଦିନ ପରେ ଏପ୍ରିଲ୍ ୭ ତାରିଖରେ ସାମରିକ ଅଦାଲତରେ ପାଣ୍ଡେଙ୍କର ବିଚାର ଆରମ୍ଭ ହେଲା । ଇଂରେଜବିରୋଧୀ ଷଡ଼ଯନ୍ତ୍ରରେ ଆଉ କେଉଁମାନେ ଲିପ୍ତ ଅଛନ୍ତି, ତାହା ଅବଗତ ହେବା ନିମିତ୍ତ ତାଙ୍କ ଉପରେ ନିର୍ମମ ଅତ୍ୟାଚାର କରାଗଲା; କିନ୍ତୁ କୌଣସି ଗୋଟିଏ ହେଲେ ନାମ ତାଙ୍କ ମୁଖରୁ ପ୍ରକାଶ ପାଇଲା ନାହିଁ । ଏ ହତ୍ୟାକାଣ୍ଡର କାରଣସ୍ୱରୂପ ପାଣ୍ଡେ କହିଲେ, ‘‘ଇଂରେଜ କର୍ମଚାରୀଗୋଷ୍ଠୀ ପ୍ରତି ମୋର କୌଣସି ବ୍ୟକ୍ତିଗତ ଆକ୍ରୋଶ ନାହିଁ । ତେବେ ସେମାନେ ମୋ ଦେଶ, ଜାତି ଓ ଧର୍ମର ପରମ ଶତ୍ରୁ । ଏହି ଦେଶ ଜାତି ଓ ଧର୍ମ ପକ୍ଷରୁ ମୁଁ ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ ପାଳନ କରିଛି ।’’

 

ସାମରିକ ଅଦାଲତର ବିଚାରରେ ମଙ୍ଗଳ ପାଣ୍ଡେଙ୍କ ପ୍ରତି ପ୍ରାଣଦଣ୍ଡର ଆଦେଶ ହେଲା-। ଯେ ସେହି ନିଷ୍ଠୁର ଦଣ୍ଡାଦେଶ କଥା ଶିଣିଲା, ତାର ଚକ୍ଷୁ ଲୋତକରେ ପୂର୍ଣ୍ଣ ହୋଇଗଲା-। ପାଣ୍ଡେଙ୍କର ଅପୂର୍ବ ଦେଶପ୍ରୀତିପାଇଁ ସମସ୍ତେ ତାଙ୍କୁ ଧନ୍ୟ ଧନ୍ୟ କଲେ ଏବଂ କହିଲେ, ‘‘ପାଣ୍ଡେ ମରି ମଧ୍ୟ ଅମର ରହି କାଳକାଳକୁ ଏ ଜାତିର ଭାବୀ ବଂଶଧରମାନଙ୍କୁ ପଥ ପ୍ରଦର୍ଶନ କରିବେ-।’’

 

ଏପ୍ରିଲ ମାସ ୮ ତାରିଖ ପ୍ରଭାତରେ ଫାଶୀଦଣ୍ଡ କାର୍ଯ୍ୟକାରୀ କରାଯିବାର କଥା, କିନ୍ତୁ ବାରାକପୁରର ଗୃହେ ଗୃହେ ଆଚାଣ୍ଡାଳ ସମସ୍ତଙ୍କ ହୃଦୟ ପାଣ୍ଡେଙ୍କପ୍ରତି କୃତଜ୍ଞତା ଓ ଉଚ୍ଛ୍ୱସିତ ପ୍ରଶଂସାରେ ପୂର୍ଣ୍ଣ । ଏ ଅବସ୍ଥାରେ ତାଙ୍କ ଗଳାରେ ଫାଶ ଲଗାଇବାପାଇଁ ଜଣେ ହେଲେ କେହି ଘାତକ ମିଳିଲେ ନାହିଁ । ଇଂରେଜ କର୍ତ୍ତାମାନଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା । ଶେଷରେ ପ୍ରଚୁର ଅର୍ଥଲୋଭ ଦେଖାଇ କଲିକତାରୁ ଚାରିଜଣ ଘାତକ ଅଣାଇବାକୁ ପଡ଼ିଲା ।

 

ଫାଶୀମଞ୍ଚ ପାଖକୁ ନେଲାବେଳେ ପୁଣି ଥରେ ପାଣ୍ଡେଙ୍କୁ ଅନ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ନାମ ପ୍ରକାଶ କରିବାକୁ ଅନୁରୋଧ କରାଗଲା; କିନ୍ତୁ ସେ ଅତି ଦୃଢ଼ତାର ସହିତ ଏଥିରେ ଅସମ୍ମତି ପ୍ରକାଶ କଲେ । ଏହାପରେ ତାଙ୍କ ଗଳାରେ ଫାଶୀ ଲଗାଇ ଦିଆଗଲା । ମୁହୂର୍ତ୍ତକ ଭିତରେ ମାଟିଧୂଳିର ଦେହ ପିଞ୍ଜୁର ଛାଡ଼ି ତାଙ୍କ ପ୍ରାଣ ପକ୍ଷୀ ଉଡ଼ିଗଲା । ଆଦେଶ ଅମାନ୍ୟ କରି ପାଣ୍ଡେଙ୍କୁ ବନ୍ଦୀକରି ନ ଥିବା ଅପରାଧ ଯୋଗୁଁ ଈଶ୍ୱରୀପ୍ରସାଦ ନାମକ ଆଉ ଜଣେ ଭାରତୀୟ ସିପାହିକୁ ମଧ୍ୟ ଫାଶୀଖୁଣ୍ଟରେ ଜୀବନ ଦେବାକୁ ହେଲା ।

 

ପାଣ୍ଡେ ଓ ଈଶ୍ୱରୀପ୍ରସାଦ ଦେଶ, ଜାତି ଓ ଧର୍ମପ୍ରତି ଏହିରୂପେ ନିଜ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ ଯେପରି ଜୀବନ ଦେଲେ, ତାହା ଭାରତର କୋଟି କୋଟି ଲୋକଙ୍କୁ ଉଦ୍‍ବୁଦ୍ଧ କଲା । ପରବର୍ତ୍ତୀ ସ୍ୱାଧୀନତା ଯୁଦ୍ଧରେ ଏହି ଦୁଇଟି ନାମ କାଉଁରୀକାଠପରି ଅସାଧ୍ୟ ସାଧନ କରିଥିଲା ଏବଂ ଏବେ ମଧ୍ୟ ସମସ୍ତଙ୍କ ପ୍ରାଣରେ ଶକ୍ତି ଓ ସାହସ ସଞ୍ଚାର କରୁଛି ।

Image

 

ମୁକ୍ତି-ସୈନିକ ନାନାସାହେବ

 

ଇଂରେଜମାନଙ୍କୁ ଭାରତର ଶାସନକ୍ଷେତ୍ରରୁ ନିର୍ବାସିତ କରିବାପାଇଁ ଯେଉଁ ସ୍ୱାଧୀନତା-ସଂଗ୍ରାମ ଘୋଷଣା କରାଯାଇଥିଲା, ତାର କଳ୍ପନା ଓ ପରିଚାଳନା ପଛରେ ଯେଉଁମାନଙ୍କ ବୁଦ୍ଧି, ବିଚାର ଓ ସମରଚାତୁରୀ ନିହିତ ଥିଲା, ସେମାନଙ୍କ ଭିତରେ ପେଶବା ଦ୍ୱିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ନାନାସାହେବ ଅନ୍ୟତମ । ଇଂରେଜ ଶାସନର ଶତନିର୍ଯ୍ୟାତନ ଓ ନିଷ୍ପେଷଣ ଭିତରେ-। ସ୍ୱର୍ଣ୍ଣଭୂମି ଭାରତର ଧନସମ୍ପଦ, ମାନମର୍ଯ୍ୟାଦା ଓ ସର୍ବୋପରି ଜାତିଧର୍ମ କିପରି ନଷ୍ଟଭ୍ରଷ୍ଟ ହେଉଥିଲା, ତାହା କୁଟୀରବାସୀଠାରୁ ପ୍ରାସାଦବାସୀ ପର୍ଯ୍ୟନ୍ତ ସମସ୍ତେ ଅନୁଭବ କରୁଥିଲେହେଁ ନାନାସାହେବଙ୍କ ଅନୁଭୂତି ସେମାନଙ୍କ ତୁଳନାରେ ଅଧିକ ତୀବ୍ର ଥିଲା । କାରଣ ସେ ଯେପରି ପ୍ରତିଭାଶାଳୀ, ସେହିପରି ବୀର ଥିଲେ । ଦୂରଦୃଷ୍ଟିବଳରେ ସେ ସ୍ପଷ୍ଟ ଦେଖିପାରିଥିଲେ, ପଲାସି ଯୁଦ୍ଧର ଶହେବର୍ଷ ପରେ ଇଂରେଜ ରାଜଶକ୍ତିକୁ ଏ ଦେଶରୁ ନିର୍ମୂଳ କରିବାପାଇଁ ଯଦି ଉଦ୍ୟମ ନ ହୁଏ, ତେବେ ଭାରତ ଆଉ ଭାରତ ହୋଇ ରହିବ ନାହିଁ, ଏକ ଖ୍ରୀଷ୍ଟିୟାନ ରାଜ୍ୟରେ ପରିଣତ ହୋଇଯିବ ।

 

ଏଥିପାଇଁ ୧୮୫୭ ମସିହାର ଆରମ୍ଭ ସଙ୍ଗେ ସଙ୍ଗେ ଭାରତର ବିଭିନ୍ନ ସ୍ଥାନରେ ଭ୍ରମଣ କରି ସେ ଗୁପ୍ତସମିତିମାନ ଗଠନ କଲେ ଏବଂ ସେହି ସମିତିମାନଙ୍କ ସହଯୋଗରେ ଭାରତୀୟ ସିପାହିମାନଙ୍କ ହୃଦୟରେ ଜାତି-ପ୍ରୀତିର ଅନିର୍ବାଣ ବହ୍ନି ପ୍ରଜ୍ୱଳିତ କଲେ । ଏହି ସମୟରେ ଭାରତୀୟ ସିପାହିମାନଙ୍କ ଭିତରେ ମଧ୍ୟ ନୂତନପ୍ରଚଳିତ ବନ୍ଧୁକ ଓ ଟୋଟା ଯୋଗୁଁ ଘୋର ଉତ୍ତେଜନା ପ୍ରକାଶ ପାଇଥାଏ । ତେଣୁ ସେମାନଙ୍କୁ ସଂଗଠିତ କରି ଇଂରେଜ ରାଜଶକ୍ତି ବିରୁଦ୍ଧରେ ପ୍ରୟୋଗ କରିବା ନାନାଙ୍କ ପକ୍ଷରେ କଷ୍ଟକର ହୋଇ ନ ଥିଲା । ଗୁପ୍ତସମିତିମାନଙ୍କରେ ସର୍ବସମ୍ମତିକ୍ରମେ ସ୍ଥିର ହେଲା ଯେ, ମେ ମାସ ୩୧ ତାରିଖ ଦିନ ସାରା ଭାରତରେ ସର୍ବତ୍ର ସିପାହିମାନେ ଇଂରେଜ ରାଜଶକ୍ତି ବିରୁଦ୍ଧରେ ଅସ୍ତ୍ର ଧାରଣ କରିବେ, କିନ୍ତୁ ଦୁର୍ଭାଗ୍ୟକ୍ରମେ ତତ୍‍ପୂର୍ବରୁ ମେ୧୦ ତାରିଖ ଦିନ ମିରଟଠାରେ ହଠାତ୍ ଏକ ଘଟନାରେ ସିପାହିମାନଙ୍କ ଭିତରେ ବିପ୍ଳବର ବହ୍ନି ଜଳିଉଠିଲା । ସେମାନେ ଇଂରେଜ ରାଜଶକ୍ତି ଉପରେ ପଦାଘାତ କରି ସେଠାରୁ ଦିଲ୍ଲୀ ଆଡ଼କୁ ଅଗ୍ରସର ହେଲେ ଏବଂ ଦିଲ୍ଲୀ ଅଧିକାର କରି ଲାଲକିଲ୍ଲାରେ ବିଜୟ ପତାକା ଉଡ଼ାଇଦେଲେ ।

 

ମିରଟ ସିପାହିମାନଙ୍କର ଏହି ଅପ୍ରତ୍ୟାଶିତ ଅଭିଯାନ ସ୍ୱାଧୀନତା-ଯୁଦ୍ଧର ନେତାମାନଙ୍କୁ ଯେପରି ବିସ୍ମିତ କଲା, ଇଂରେଜମାନଙ୍କୁ ସେହିପରି ଆତଙ୍କିତ କଲା । ବ୍ରହ୍ମାବର୍ତ୍ତଠାରେ ନାନାସାହେବଙ୍କ ରାଜପ୍ରାସାଦରେ ଏ ସମ୍ୱାଦ ପହଞ୍ଚିଲାମାତ୍ରେ ସେ ବୁଝିଲେ, ସ୍ୱାଧୀନତା ଯୁଦ୍ଧ ଏକ ଓ ଅଖଣ୍ଡ ହେଲେହେଁ ବିଭିନ୍ନ ସ୍ଥାନରେ ତାହା ବିଭିନ୍ନ ରୂପରେ ଆତ୍ମପ୍ରକାଶ କରିବ । ମିରଟରେ ତାହା ନିରୁପିତ ଦିବସ ପୂର୍ବରୁ ହଠାତ୍ ଆତ୍ମପ୍ରକାଶ କରିଛି ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରସାରିତ ହୋଇ ବିଜୟ ଗୌରବରେ ମଣ୍ଡିତ ହୋଇଛି । ତେଣୁ ଏଥିରେ ବିସ୍ମିତ ନ ହୋଇ ତାର ପ୍ରତିକ୍ରିୟାଉପରେ ସେ ଲକ୍ଷ୍ୟ ରଖିଲେ ଏବଂ ଉତ୍ତରପ୍ରଦେଶରେ ବିଶେଷତଃ କାନ୍‍ପୁର, ବନାରସ ଓ ଆଲାହାବାଦରେ କିପରି ବିପ୍ଳବର ଅଗ୍ନିଶିଖା ଯଥାସମୟରେ ଜଳାଇବାକୁ ହେବ, ତାର ଉପାୟ ଚିନ୍ତା କଲେ । ନାନାଙ୍କର ବିପ୍ଳବସଂକ୍ରାନ୍ତ ଗତିବିଧିର ଦାରା ବାହାରକୁ ଏପରି ନିସ୍ତରଙ୍ଗ ବୋଧ ହେଉଥିଲା ଯେ, ଇଂରେଜ ଶାସକଗୋଷ୍ଠୀ ଘୁଣାକ୍ଷରରେ ସୁଦ୍ଧା ତାର କୌଣସି ଗନ୍ଧ ପାଇ ନ ଥିଲେ ।

 

କାନପୁର ଉତ୍ତର-ଭାରତରେ ଇଂରେଜମାନଙ୍କର ଏକ ମୁଖ୍ୟ ସାମରିକ କେନ୍ଦ୍ର ଥିଲା ଏବଂ ପ୍ରାୟ ତିନି ହଜାର ଭାରତୀୟ ସିପାହି ସେଠାରେ ଅବସ୍ଥାପିତ ହୋଇଥିଲେ । ସେମାନଙ୍କ ବ୍ୟତୀତ ଦଳେ ଅଶ୍ୱାରୋହୀ ସୈନ୍ୟ ଓ ଶତାଧିକ ଇଂରେଜ ସୈନ୍ୟ ମଧ୍ୟ ସେଠାରେ ଥିଲେ । ଏହା ସତ୍ତ୍ୱେ ସେନାପତି ସାର୍ ହେନେରି ହୁଇଲର୍ ଅନାଗତ ଭବିଷ୍ୟତର ଆଶଙ୍କାରେ ପ୍ରମାଦ ଗଣନା କଲେ ଏବଂ ସିପାହିମାନଙ୍କ ଆକ୍ରମଣରୁ କାନପୁରକୁ ରକ୍ଷା କରିବାପାଇଁ ବ୍ରହ୍ମାବର୍ତ୍ତର ରାଜା ନାନାସାହେବଙ୍କୁ ଅନୁରୋଧ କଲେ । ସେଥିପୂର୍ବରୁ ଯେଉଁ ନାନାଙ୍କ ରାଜପଦବୀ ଇଂରେଜମାନେ ପଦଦଳିତ କରିଥିଲେ ଏବଂ ପିତା ବାଜିରାଓଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ବାର୍ଷିକ ଆଠ ଲକ୍ଷ ଟଙ୍କା ପେନ୍‍ସନରୁ ମଧ୍ୟ ଯାହାଙ୍କୁ ବଞ୍ଚିତ କରିଥିଲେ, ଆଜି ସେହି ନାନାଙ୍କ ହସ୍ତରେ ଇଂରେଜ କର୍ତ୍ତାମାନଙ୍କର ଏଭଳି ଆତ୍ମସମର୍ପଣ ନିୟତିର ଉପହାସ ଛଡ଼ା ଆଉ କଅଣ ହୋଇପାରେ ?

 

ନାନା ଏହି ସୁଯୋଗରେ ଦୁଇଟି କମାଣ ଏବଂ ନିଜର ତିନି ଶତ ଅଶ୍ୱାରୋହୀ ଓ ପଦାତିତ ସୈନ୍ୟ ଘେନି ମାର୍ଚ୍ଚ ମାସ ୨୨ ତାରିଖରେ କାନପୁରରେ ପ୍ରବେଶ କଲେ । ସେଠାରେ ବହୁସଂଖ୍ୟକ ସାମରିକ ଓ ବେସାମରିକ ଇଂରେଜ କର୍ମଚାରୀ ଥାଆନ୍ତି । ନାନା ସେମାନଙ୍କଠାରୁ ଅନତିଦୂରସ୍ଥ ନବାବଗଞ୍ଜରେ ଶିବିର ସ୍ଥାପନ କଲେ । ସରକାରୀ ଖଜଣାଖାନା ଉପରେ ଆକ୍ରମଣ ହେବାର ପ୍ରଥମ ସମ୍ଭାବନା ଥିବାରୁ, ତାହାକୁ ହିଁ ପ୍ରଥମେ ନାନାଙ୍କ ପୂର୍ଣ୍ଣ ଦାୟିତ୍ୱରେ ଛାଡ଼ି ଦିଆଗଲା-। ତାଙ୍କର ଦୁଇ ଶତ ସିପାହି ଖଜଣାଖାନାରେ ପ୍ରହରୀରୂପେ ନିଯୁକ୍ତ ରହିଲେ । ନାନାଙ୍କର ଏତାଦୃଶ ସହଯୋଗରେ ଏକାନ୍ତ ପ୍ରୀତ ହୋଇ କାନପୁରର କଲେକ୍ଟର ହିଲ୍ଡ଼ରସନ ପୁଣି ପ୍ରସ୍ତାବ କଲେ ଯେ, ପ୍ରୟୋଜନ ହେଲେ, ପ୍ରାଣରକ୍ଷାପାଇଁ ଇଂରେଜ ଶିଶୁ ଓ ମହିଳାମାନଙ୍କୁ ନାନାଙ୍କ ରାଜପ୍ରସାଦକୁ ମଧ୍ୟ ସ୍ଥାନାନ୍ତରିତ କରାଯିବ । କାନପୁରରେ ଯେଉଁସବୁ ଗୁପ୍ତସମିତି ଥିଲା, ତାର ପ୍ରଧାନ କେନ୍ଦ୍ରମାନଙ୍କରେ ନାନାଙ୍କର ଏହି କାର୍ଯ୍ୟ ଉଦ୍ଦେଶ୍ୟରେ ପରିପୂରକ ବୋଲି ବିବେଚିତ ହେଲା-। ସୁବେଦାର ଟିକକା ସିଂହ ଓ ସିପାହି-ନେତା ସାମସୁଦ୍ଦିନ୍ ଖାଁଙ୍କ ବାସଭବନରେ ନାନାଙ୍କ ପ୍ରତିନିଧିରୂପେ ଜ୍ୱାଳାପ୍ରସାଦ ଓ ମହମ୍ମଦ ଆଲି ଗୁପ୍ତସମିତି ବୈଠକରେ ଯୋଗଦେଇ ନିଷ୍ପତ୍ତି କଲେ, ଦେଶ ଓ ଜାତିପାଇଁ ହିନ୍ଦୁ ଓ ମୁସଲମାନ ସମସ୍ତେ ନାନାଙ୍କ ଆଦେଶ ପାଇଲାମାତ୍ରେ ବିଦ୍ରୋହ-ବହ୍ନିରେ ଲମ୍ଫ ପ୍ରଦାନ କରିବେ । ନାନା ଜୁନ୍ ପହିଲା ଦିନ ଭ୍ରାତା ବାଲା ସାହେବ ଓ ମନ୍ତ୍ରୀ ଆଜିମୁଲ୍ଲାଙ୍କ ସହ ଗଙ୍ଗାକୂଳକୁ ଆସିଲେ । ଏହିଠାରେ ସୁବେଦାର ଟିକ୍କା ସିଂହ ଓ ବିଭିନ୍ନ ଗୁପ୍ତସମିତିର ମୁଖ୍ୟନେତାମାନଙ୍କ ସଙ୍ଗେ ତାଙ୍କର ସାକ୍ଷାତ୍‍କାର ହେଲା ଏବଂ ବିପ୍ଳବପାଇଁ ଚରମ ନିଷ୍ପତ୍ତି ଗ୍ରହଣ କରାଗଲା ।

 

ଜୁନ ୪ ତାରିଖ ରାତ୍ରିର ନିବିଡ଼ ଅନ୍ଧକାର ଭିତରେ ହଠାତ୍ ତିନୋଟି ବନ୍ଧୁକର ଆବାଜ୍ ଶୁଣାଗଲା । ଏହା ସଙ୍ଗେ ସଙ୍ଗେ ଅଗ୍ନିସଂଯୋଗପାଇଁ ଯେଉଁ ଇଂରେଜ କୋଠିମାନ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ସେଗୁଡ଼ିକ ଜଳିଉଠିଲା । ଧ୍ୱଂସ, ରକ୍ତପାତ ଓ ମୃତ୍ୟୁ ଏହିରୂପେ ଉକ୍ତ ଗୃହଦାହରୁ ଆରମ୍ଭ ହେଲା । ରେଜିମେଣ୍ଟରେ ପଦାତିକ ଓ ଅଶ୍ୱାରୋହୀ ଆଦି ସବୁ ଶ୍ରେଣୀର ସିପାହି ବୀରବିକ୍ରମରେ ମାତିଉଠିଲେ ଏବଂ ଊର୍ଦ୍ଧ୍ୱତନ ଇଂରେଜ କର୍ମଚାରୀଙ୍କ ଆଦେଶକୁ ଅବଜ୍ଞା କରି ନବାବଗଞ୍ଜରେ ଅବସ୍ଥିତ ନାନାଙ୍କ ଶିବିରରେ ଉପସ୍ଥିତ ହେଲେ । ଖଜଣାଖାନା ନିକଟରେ ନାନାଙ୍କ ସିପାହିମାନେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ । ମୁହୂର୍ତ୍ତକ ମଧ୍ୟରେ ଖଜଣାଖାନା ଓ ଅସ୍ତ୍ରାଗାର ସେମାନଙ୍କର ହସ୍ତଗତ ହୋଇଗଲା ।

 

ସାର ଦୁଇଲର୍ ଏଥିରେ ବିଚଳିତ ହେଲେହେଁ ଆଶା କରିଥିଲେ ଯେ, ମିରଟର ସିପାହିମାନଙ୍କ ପରି କାନପୁରର ସିପାହିମାନେ ମଧ୍ୟ ଦିଲ୍ଲୀ-ଅଭିମୁଖରେ ଯାତ୍ରା କରିବେ, କିନ୍ତୁ ନାନାଙ୍କ ନିର୍ଦ୍ଦେଶକ୍ରମେ ତାହା ହେଲାନାହିଁ । ପଞ୍ଜାବ, ଦିଲ୍ଲୀ ଓ କଲିକତା ଭିତରେ ଯୋଗାଯୋଗ ପାଇଁ କାନପୁର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇଥିବାରୁ ପ୍ରଥମେ ତାକୁ ଅଧିକାର କରିବା ଲାଗି ନାନା ପରାମର୍ଶ ଦେଲେ । ତାହା ହିଁ ହେଲା ଏବଂ ତିନି ହଜାର ସିପାହି ସର୍ବସମ୍ମତିକ୍ରମେ ନାନାଙ୍କୁ ରାଜା ବୋଲି ନିର୍ବାଚିତ କଲେ । ସୁବେଦାର ଟିକ୍କା ସିଂହ ପଦାତିକବାହିନୀର ସେନାପତି ରୂପେ ନିର୍ବାଚିତ ହେଲେ । ଜମିଦାର ଦଳଗଞ୍ଜନ ସିଂହ ଓ ସୁବେଦାର ଗଙ୍ଗାଦିନ ମଧ୍ୟ ଦୁଇଟି ସେନାଦଳର ନାୟକ ପଦରେ ପ୍ରତିଷ୍ଠିତ ହେଲେ । ଏହି ସିପାହିବାହିନୀ ଭିତରେ ସାମରିକ ଶୃଙ୍ଖଳା ରକ୍ଷାପାଇଁ କେତେଗୁଡ଼ିଏ ନୀତି ଓ ନିୟମ ମଧ୍ୟ ସଙ୍ଗେ ସଙ୍ଗେ ପ୍ରବର୍ତ୍ତନ କରାଗଲା । ଏହାପରେ ହସ୍ତୀପୃଷ୍ଠରେ ପତାକା ଉତ୍ତୋଳନ କରି ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ବାହାରିଲେ ଏବଂ ନହବତ ବଜାଇ ଘୋଷଣା କଲେ ଯେ, ସେହି ଦିନଠାରୁ ନାନାସାହେବଙ୍କ ରାଜତ୍ୱ ଆରମ୍ଭ ହେଲା ।

 

ରାଜପଦରେ ନିର୍ବାଚିତ ହେବାପରେ ନାନା ଆଉ ମୁହୂର୍ତ୍ତମାତ୍ର ବିଳମ୍ୱ ନ କରି ବିପ୍ଳବକୁ ସଫଳ କରିବାପାଇଁ ଲାଗିଗଲେ । ଏଣେ ବିପ୍ଳବୀ ସିପାହିମାନଙ୍କୁ ଦିଲ୍ଲୀ ନ ଯିବାର ଦେଖି କାନପୁରର ନବନିର୍ମିତ ଦୁର୍ଗରେ ଇଂରେଜମାନେ ଆଶ୍ରୟ ଗ୍ରହଣ କଲେ ଏବଂ ତାହାକୁ ପରିଖା-ବେଷ୍ଟିତ କରି ଗୋଲନ୍ଦାଜବାହିନୀକୁ ପ୍ରସ୍ତୁତ କରିରଖିଲେ । ଦୁର୍ଗ ଭିତରେ ପୁରୁଷ, ସ୍ତ୍ରୀ ଓ ବାଳକବାଳିକା ମିଶି ପ୍ରାୟ ଏକ ହଜାର ଅବରୁଦ୍ଧ ହେଲାପରି ରହିଲେ । କିନ୍ତୁ ସିପାହିମାନଙ୍କ ପକ୍ଷରୁ ସେମାନଙ୍କ ଉପରେ ଯେ ଆକ୍ରମଣ ହେବ, ଏ ସନ୍ଦେହ ହୁଇଲରଙ୍କର ମୁଣୁହୁଁ ନ ଥିଲା ।

 

ଜୁନ୍ ୬ ତାରିଖ ଦିନ ପ୍ରଭାତରେ ହୁଇଲ୍‍ର ସାହେବ ନାନାସାହେବଙ୍କ ନିକଟରୁ ଖଣ୍ଡିଏ ପତ୍ର ପାଇଲେ । ସେଥିରେ ଲେଖାଥିଲା, ‘‘ଆମ୍ଭେମାନେ ଆପଣମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିବାକୁ ଯାଉଛୁଁ । ଏହା ତା ପୂର୍ବରୁ ସତର୍କବାଣୀ ।’’ ଏ ଦୃପ୍ତ ଆହ୍ୱାନ ପାଇଲାମାତ୍ରେ ହୁଇଲର୍ ନିଜର ସାମରିକ କର୍ମଚାରୀମାନଙ୍କ ସଙ୍ଗେ ପରାମର୍ଶ କଲେ ଏବଂ ସୁସଜ୍ଜିତ ହୋଇ ରହିବାକୁ ଗୋଲନ୍ଦାଜବାହିନୀକୁ ଆଦେଶ ଦେଲେ ।

 

୭ ତାରିଖ ଦିନ ସକାଳୁ ବିପ୍ଳବୀ ପକ୍ଷର କମାଣ ଗର୍ଜିଉଠିଲା । ଇଂରେଜ ମହିଳା ଓ ଶିଶୁମାନେ ଭାରତରେ ପୂର୍ବରୁ କେବେ ଏ ପ୍ରକାର ସଂକଟବହୁଳ ଅଭିଜ୍ଞତା ଅର୍ଜନ କରିନଥିଲେ । ତେଣୁ ଭୀତତ୍ରସ୍ତ ହୋଇ ସେମାନେ ଇତସ୍ତତଃ ଧାବିତ ହେଲେ । ଆକ୍ରମଣର ଦ୍ୱିତୀୟ ଦିନ ପରେ ଦୁର୍ଗରେ ଜଳାଭାବ ପରିଲକ୍ଷିତ ହେଲା । ଏହା ପଛକୁ ସୂର୍ଯ୍ୟୋତ୍ତାପ ଏତେ ପ୍ରଚଣ୍ଡ ହେଲା ଯେ ଅଂଶୁଘାତ (Sun-strocke)ରେ ବହୁ ସୈନ୍ୟ ପ୍ରାଣ ହରାଇଲେ । ଶିଶୁମାନେ ଦୁଗ୍ଧ ନ ପାଇ ମଲେ ଏବଂ ସେମାନଙ୍କ ପାଇଁ ଦୁଃଖରେ କେତେକ ଇଂରେଜ ଜନନୀଙ୍କର ପ୍ରାଣବାୟୁ ମଧ୍ୟ ଉଡ଼ିଗଲା ।

 

କାନପୁରର ଏହି ବିଦ୍ରୋହ ଓ ଦୁର୍ଗ-ଅବରୋଧ ସମ୍ୱାଦ ଦେଶସାରା ବ୍ୟାପ୍ତ ହୋଇଗଲା-। ସ୍ଥାନୀୟ ନବାବ ଓ ରାଜାମାନେ ଏଥିରେ ଉତ୍ସାହିତ ହୋଇ ଦେଶର ମୁକ୍ତିକାମନାରେ ସୈନ୍ୟସାମନ୍ତ ଓ ଦଳବଳ ସହ ନାନାଙ୍କ ଶିବିରରେ ସମବେତ ହେଲେ । ଶେଷରେ ଅବରୁଦ୍ଧ ଇଂରେଜମାନଙ୍କ ଅବସ୍ଥା ଯେତେବେଳେ ଚରମସଂକଟାପନ୍ନ ହେଲା, ସେତେବେଳେ ସେମାନେ ଜୁନ୍ ୨୪ ତାରିଖରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ । ନାନାସାହେବ ସେମାନଙ୍କ ପ୍ରତି କ୍ଷମା ଓ ଉଦାରତା ପ୍ରଦର୍ଶନ କଲେ ଏବଂ ସେମାନଙ୍କୁ ଆଲାହାବାଦ ପଠାଇଦେବାପାଇଁ ସମସ୍ତପ୍ରକାର ବ୍ୟବସ୍ଥା କରିଦେଲେ । ଦେଶ ଓ ଜାତିର ଶତ୍ରୁପ୍ରତି ଏଭଳି ସାଧୁବ୍ୟବହାର ପୃଥିବୀର ଇତିହାସରେ ବିରଳ । ଆଲାହାବାଦ ଯାତ୍ରା ଉଦ୍ଦେଶ୍ୟରେ ଏହି ଇଂରେଜମାନେ ଗଙ୍ଗାନଦୀତଟରେ ଉପସ୍ଥିତ ହେଲେ ।

 

ଏ ସମ୍ୱାଦ ବିଦ୍ରୁତବେଗରେ କାନପୁର ସହରରେ ପ୍ରଚାରିତ ହୋଇଗଲା । ପୂର୍ବରୁ ଏହି ଇଂରେଜମାନଙ୍କ ଔଦ୍ଧତ୍ୟପୂର୍ଣ୍ଣ ଅତ୍ୟାଚାରରେ ସହରବାସୀମାନେ ଜର୍ଜରିତ ହୋଇ ରହିଥିଲେ । ଏବେ ଉତ୍‍କ୍ଷିପ୍ତ ହୋଇ ସହସ୍ର ସହସ୍ର ସଂଖ୍ୟାରେ ସେମାନେ ନଦୀଘାଟରେ ଇଂରେଜମାନଙ୍କୁ ଆକ୍ରମଣ କଲେ । ନାନାସାହେବ ଏ ମର୍ମନ୍ତୁଦ ଘଟଣାରେ ବିଚଳିତ ହୋଇ ୧୨୦ ଜଣ ଇଂରେଜ ମହିଳା ଓ ଶିଶୁଙ୍କୁ ଉଦ୍ଧାରକରି ବିବିଘର ନାମକ ସ୍ଥାନରେ ନିରାପଦରେ ଆଶ୍ରୟ ଦେଲେ ।

 

କାନପୁରରୁ ଏହିରୂପେ ଇଂରେଜଶାସନର ବିଲୋପ ପରେ ଜୁନ୍ ୨୮ ତାରିଖର ରମଣୀୟ ଅପରାହ୍ନରେ ଦରବାର ଉତ୍ସବ ଅନୁଷ୍ଠିତ ହେଲା । ବିପ୍ଳବିବାହିନୀ ସାମରିକରୀତିରେ ପରେଡ଼ କଲେ । ଦିଲ୍ଲୀର ପତନ ଘଟିବାପରେ ବାହାଦୂରସାହାଙ୍କୁ ସେତେବେଳେ ସ୍ୱାଧୀନ ଭାରତର ସମ୍ରାଟ ବୋଲି ଘୋଷଣା କରାଯାଇଥାଏ । ସମ୍ରାଟଙ୍କ ଉଦ୍ଦେଶ୍ୟରେ ସମ୍ମାନର ନିଦର୍ଶନସ୍ୱରୂପ ୧୦୧ଟି ତୋପ ଗର୍ଜିଉଠିଲା । ବୀର ନାନାସାହେବ ସେଠାରେ ପଦାର୍ପଣ କଲାମାତ୍ରେ, ତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ୨୧ଟି ତୋପ ଗର୍ଜି ଉଠିଲା । ନାନା ବିପ୍ଳବିବାହିନୀକୁ ସେମାନଙ୍କ ବିଜୟପାଇଁ ଧନ୍ୟବାଦ ଜ୍ଞାପନ କଲେ ଏବଂ ପୁରସ୍କାର ସ୍ୱରୂପ ସେମାନଙ୍କୁ ଏକ ଲକ୍ଷ ଟଙ୍କା ଦେଲେ । ଏହି ଘଟଣାପରେ ସେ ସଦଳବଳରେ ବ୍ରହ୍ମାବର୍ତ୍ତ ରାଜପ୍ରାସାଦକୁ ଫେରିଗଲେ ଏବଂ ଜୁଲାଇ ପହିଲା ଦିନ ପେଶବା ପଦରେ ଯଥାବିଧି ଅଭିଷିକ୍ତ ହେଲେ ।

 

ଏଣେ ଇଂରେଜମାନେ କିନ୍ତୁ ନିଷ୍କ୍ରିୟ ହୋଇ ରହି ନ ଥିଲେ । ଗୁପ୍ତଚରମାନଙ୍କ ମୁଖରୁ କାନପୁର ବିଦ୍ରୋହର ସମ୍ୱାଦ ପାଇ ଜେନେରାଲ ହାଭଲକ୍ ଗୋଟିଏ ଶକ୍ତିଶାଳୀ ଇଂରେଜବାହିନୀ ଘେନି ଜୁଲାଇ ମାସର ପ୍ରଥମ ଭାଗରେ କାନପୁର ଅଭିମୁଖରେ ଯାତ୍ରାରମ୍ଭ କଲେ । ଠିକ୍ ଏହି ସମୟରେ ଆଉ ଏକ ଇଂରେଜବାହିନୀ ମଧ୍ୟ ମେଜର୍ ରେନୋଙ୍କ ନେତୃତ୍ୱରେ କାନପୁର ଉଦ୍ଦେଶ୍ୟରେ ଯାତ୍ରା କଲା । ଜୁଲାଇ ୧୧ ତାରିଖରେ ଫତେଗଡ଼ଠାରେ ଏହି ଦୁଇ ବାହିନୀ ମିଳିତ ହୋଇ ବିପ୍ଳବିବାହିନୀ ବିରୁଦ୍ଧରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କଲେ । ଏହି ଯୁଦ୍ଧରେ ବିପ୍ଳବୀମାନେ ପରାସ୍ତ ହେବାଫଳରେ ଇଂରେଜମାନେ ବିଜୟ ଲାଭ କଲେ ଓ ତା ପରଦିନ ଫତେପୁର ଦଖଲକରି ସହରର ଚତୁର୍ଦ୍ଦିଗରେ ଅଗ୍ନି ସଂଯୋଗ କଲେ । କୁଟୀରଠାରୁ ପ୍ରାସାଦ ଯାଏ କୌଣସିଠାରେ ଗୋଟିଏ ହେଲେ ଆଶ୍ରୟସ୍ଥଳ ରହିଲା ନାହିଁ । ଏତିକିରେ କ୍ଷାନ୍ତ ନ ହୋଇ ଇଂରେଜ ସୈନ୍ୟମାନେ ହାଭଲକଙ୍କ ନିର୍ଦ୍ଦେଶକ୍ରମେ ସହରବାସୀଙ୍କୁ ଅତି ନିଷ୍ଠୁରଭାବରେ ହତ୍ୟା କଲେ ଏବଂ କାନପୁର ଅଭିମୁଖରେ ଅଗ୍ରସର ହେଲାବେଳେ ପଥମଧ୍ୟରେ ଯେଉଁଠି ଯେତେ ଗ୍ରାମ ପଡ଼ିଲା, ସେଠାରେ ମଧ୍ୟ ସେହି ଧ୍ୱଂସଲୀଳାର ପୁନରାବୃତ୍ତି କଲେ ।

 

କାନପୁରରେ ଏହି ସମସ୍ତ ବର୍ବରଲୀଳା ଭୀଷଣ ଉତ୍ତେଜନା ସୃଷ୍ଟିକଲା । ଏତିକିବେଳେ ଇଂରେଜମାନଙ୍କର କେତେକ ଗୁପ୍ତଚର ଧୃତ ହେଲେ । ସେମାନଙ୍କଠାରୁ ମିଳିଥିବା ଗୁପ୍ତ ଚିଠିପତ୍ରରୁ ଜଣାଗଲା ଯେ, ବିବିଘରଠାରେ ବନ୍ଦୀ ଅବସ୍ଥାରେ ଥିବା ଇଂରେଜ ମହିଳାମାନେ ଉକ୍ତ ଗୁପ୍ତଚରମାନଙ୍କ ସହଯୋଗରେ ନାନାସାହେବଙ୍କ ବିରୁଦ୍ଧରେ ଗୋପନ ଷଡ଼ଯନ୍ତ୍ର ଚଳାଇଲେ । ସେମାନଙ୍କର ଏହି କୃତଘ୍ନ ଆଚରଣରେ ନାନାସାହେବଙ୍କ ହୃଦୟ ପ୍ରତିକ୍ରିୟାର ବହ୍ନିରେ ଜଳିଗଲା ଏବଂ ତାହାରି ଫଳରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସବୁ ଇଂରେଜବନ୍ଦୀଙ୍କୁ ହତ୍ୟା କରାଗଲା ।

 

ଏହି ଘଟଣାର ପରଦିନ ହାଭଲକ୍ କାନପୁର ନିକଟରେ ଉପସ୍ଥିତ ହୋଇ ବିପ୍ଳବିବାହିନୀ ସହିତ ଘୋରତର ଯୁଦ୍ଧରେ ବ୍ୟାପୃତ ହେଲେ । ଦୁର୍ଭାଗ୍ୟବଶତଃ ନାନା କାରଣରୁ ବିପ୍ଳବୀ ସୈନ୍ୟମାନଙ୍କ ମଧ୍ୟରେ ବିଶୃଙ୍ଖଳା ଘଟିବାରୁ ନାନାସାହେବଙ୍କୁ ପରାଜିତ ହେବାକୁ ପଡ଼ିଲା । ମାତ୍ର ବିପ୍ଳବୀ ସୈନ୍ୟଦଳ ଏହି ଭୟାବହ ଯୁଦ୍ଧରେ ଯେଉଁ ଅମିତବିକ୍ରମ, ଅବ୍ୟର୍ଥ କମାଣଚାଳନ ଓ ରଣନୈପୁଣ୍ୟ ପ୍ରଦର୍ଶନ କରିଥିଲେ, ତାହା ଦେଖି ଶତ୍ରୁପକ୍ଷର ସେନାଧ୍ୟକ୍ଷମାନେ ସ୍ତମ୍ଭିତ ହୋଇଯାଇ ମୁକ୍ତକଣ୍ଠରେ ସେମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ ।

 

ଜୁଲାଇ ୧୭ ତାରିଖରେ ଇଂରେଜମାନେ କାନପୁର ପୁନରଧିକାର କରି ସେଠାରେ ଯେଉଁ ପାଶବିକ ଓ ନୃଶଂସ ହତ୍ୟାକାଣ୍ଡ ଆରମ୍ଭ କଲେ, ତାହା ବର୍ଣ୍ଣନାର ଅତୀତ । ଇଂରେଜମାନଙ୍କ ଭିତରେ ନରହନ୍ତାରୂପେ କୁଖ୍ୟାତ ‘ନୀଲ୍’ଙ୍କ ହାତରେ କାନପୁରର ଶାସନଭାର ଅର୍ପିତ ହେଲା ଏବଂ ସେ ଦିନ ପରେ ଦିନ ସେଠାରେ ସାଧାରଣ ନାଗରିକମାନଙ୍କୁ ଦଳ ଦଳ କରି ଯେପରି ଭାବରେ ହତ୍ୟା କଲେ, ଇତିହାସରେ ସେ କଳଙ୍କର ପଟାନ୍ତର ନାହିଁ ।

 

କାନପୁରର ପରାଜୟ ପରେ ନାନାସାହେବ ନିଜର ସୈନ୍ୟସାମନ୍ତ ଓ ଧନରତ୍ନ ଘେନି ଗଙ୍ଗା ନଦୀ ଅତିକ୍ରମପୂର୍ବକ ଫତେଗଡ଼ରେ ଶିବିର ସ୍ଥାପନ କଲେ । ହାଭଲକ୍‍ଙ୍କ ଅଧିନରେ ଯେଉଁ ଇଂରେଜ ସୈନ୍ୟଦଳ ଥିଲେ, ସେମାନେ ନାନାଙ୍କ ଗତିବିଧିର କୌଣସି ସନ୍ଧାନ ପାଇପାରିଲେ ନାହିଁ-। ତେଣୁ ହାଭଲକ୍ ସେହି ବାହିନୀକୁ ଘେନି ଅବରୁଦ୍ଧ ଲକ୍ଷ୍ନୌର ପୁନରୁଦ୍ଧାର ପାଇଁ ଯାତ୍ରା କଲେ-

 

ଫତେଗଡ଼ ଶିବିରରୁ ନାନା ନିଜର ସେନାବାହିନୀକୁ ଦୁଇ ଭାଗରେ ବିଭକ୍ତକରି ଗୋଟିଏ ଭାଗ ଲକ୍ଷ୍ନୌକୁ ପ୍ରେରଣ କଲେ ଏବଂ ଅନ୍ୟ ଭାଗଟିକୁ ଗରିଲା ଯୁଦ୍ଧପାଇଁ ସମଗ୍ର ଉତ୍ତରପ୍ରଦେଶରେ ବିକ୍ଷିପ୍ତଭାବରେ ରହିବାକୁ ଆଦେଶ ଦେଲେ । ସେ ନିଜେ ଏହାପରେ କଅଣ କଲେ ବା କେଉଁଆଡ଼େ ଗଲେ, ବିପ୍ଳବର ଘୋର ଘୂର୍ଣ୍ଣିରେ ତାହା ଆଜିପର୍ଯ୍ୟନ୍ତ ଏକ ରହସ୍ୟହୋଇ ରହିଅଛି । ତେଣୁ ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା-ଯୁଦ୍ଧର ନେତା ଓ ସଂଗଠନ ହିସାବରେ ତାଙ୍କ ଜୀବନର ଉତ୍ତରଭାଗ ଚିରଦିନ ପାଇଁ ତମସାଚ୍ଛନ୍ନ ହୋଇ ରହିଗଲା ।

 

ଇଂରେଜ ଐତିହାସିକମାନେ ନାନାସାହେବଙ୍କୁ ବିଶ୍ୱାସଘାତକ ଓ ନରହନ୍ତା ବୋଲି ବୃଥା ଦୋଷାରୋପ କରିଥାନ୍ତି, କିନ୍ତୁ ଇତିହାସର ନିରପେକ୍ଷ ବିଚାରରେ ତାର କୌଣସି ମୂଲ୍ୟ ନାହିଁ । ଦେଶ ଓ ଜାତି ପ୍ରତି ନିଜର ପବିତ୍ର କର୍ତ୍ତବ୍ୟ ବିଶ୍ୱସ୍ତଭାବରେ ପାଳନ କଲେ ବିଦେଶୀ ଶାସକ ସମ୍ପ୍ରଦାୟଙ୍କ ତୁଣ୍ଡରୁ ଏଭଳି ନିରର୍ଥକ ଅଭିଯୋଗ ଶୁଣାଯିବା ଅତି ସ୍ୱାଭାବିକ । ତେଣୁ ସେହି ତଥାକଥିତ ବିଶ୍ୱାସଘାତକତା ଆଜି ଭାରତୀୟମାନଙ୍କ ନିକଟରେ ନାନାସାହେବଙ୍କ ଚରମ ଦେଶପ୍ରୀତିର ନିଦର୍ଶନ ରୂପେ ପ୍ରଶଂସିତ ହେଉଅଛି ।

Image

 

ବିପ୍ଳବିନୀ ଲକ୍ଷ୍ମୀବାଈ

 

ଭାରତୀୟ ନାରୀସମାଜରେ ଝାନ୍‍ସି ରାଣୀ ଲକ୍ଷ୍ମୀବାଈ ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ନାଗପାଶରୁ ମୁକ୍ତ କରିବାପାଇଁ ବୀରତ୍ୱ ଓ ସାହସିକତାର ଯେଉଁ ଅପୂର୍ବ ପରାକାଷ୍ଠା ପ୍ରଦର୍ଶନ କରିଥିଲେ, ତାହା ଅନନ୍ୟସାଧାରଣ । ବାଲ୍ୟବୟସରୁ ସେ ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୋଷ୍ୟପୁତ୍ର ନାନାସାହେବଙ୍କ ସାହଚର୍ଯ୍ୟ ଓ ସାନ୍ନିଧ୍ୟ ଲାଭ କରିଥିଲେ ଏବଂ ସେହି ସୁଯୋଗରେ ଶାରୀରିକ ବଳାଧାନ ପାଇଁ ନାନା ବ୍ୟାୟାମ ଅଭ୍ୟାସ କରିବା ସଙ୍ଗେ ସଙ୍ଗେ ଅଶ୍ୱାରୋହଣ ଓ ଅସିଚାଳନା ଦିଗରେ ଅଦ୍ଭୁତ ଦକ୍ଷତା ଅର୍ଜନ କରିଥିଲେ । ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ବଶୀଭୂତ କରିବାରେ ଓ ବନ୍ଧୁକାଦି ଆଗ୍ନେୟାସ୍ତ୍ର ଚାଳନାରେ ସେ ପୁରୁଷମାନଙ୍କୁ ମଧ୍ୟ ଅତିକ୍ରମ କରିଯାଇଥିଲେ ।

 

୧୮୫୩ରେ ଝାନ୍‍ସିର ରାଜା ଗଙ୍ଗାଧର ରାଓଙ୍କ ମୃତ୍ୟୁ ହେବା ଫଳରେ ଅଷ୍ଟାଦଶ ବର୍ଷ ବୟସରେ ଲକ୍ଷ୍ମୀବାଈ ବିଧବା ହେଲେ । ଅକାଳ ବୈଧବ୍ୟ ଦୁଃଖରେ ଅଭିଭୂତ ହୋଇ ସେ ଚତୁର୍ଦ୍ଦିଗ ଅନ୍ଧକାରମୟ ଦେଖୁଥିଲାବେଳେ ଇଂରେଜ ସରକାର ତାଙ୍କ ପୋଷ୍ୟପୁତ୍ର ଦାମୋଦରଙ୍କୁ ଗଙ୍ଗାଧରଙ୍କ ଉତ୍ତରାଧିକାରୀ ବୋଲି ସ୍ୱୀକାର ନ କରି ବଳପୂର୍ବକ ଝାନ୍‍ସିକୁ ଇଂରେଜରାଜ୍ୟଭୁକ୍ତ କରିନେଲା । ଏଥିରେ ଲକ୍ଷ୍ମୀବାଈ ଆହତା ସିଂହୀପରି ଗର୍ଜିଉଠି ସେତେବେଳେ କହିଥିଲେ, ‘‘ମେରି ଝାନ୍‍ସି ନେହିଁ ଦେଉଙ୍ଗି ।’’

 

ଏହି ଘଟଣାର ଚାରି ବର୍ଷପରେ ୧୮୫୭ରେ ଯେତେବେଳେ ସାରାଭାରତରେ ବିପ୍ଳବାଗ୍ନି ଜଳିଉଠିଲା ଏବଂ ମେ ମାସ ୧୨ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ସ୍ୱାଧୀନତାର ବିଜୟ-ବୈଜୟନ୍ତୀ ଉଡ଼ିଲା, ସେତେବେଳେ ଝାନ୍‍ସିର ସେନାଦଳ ଓ ଜନସାଧାରଣଙ୍କ ପ୍ରାଣରେ ତାହା ଅପୂର୍ବ ଉନ୍ମାଦନା ସୃଷ୍ଟିକଲା । ସେମାନେ ରାଣୀ ଲକ୍ଷ୍ମୀବାଈଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଲେ । ଦିଲ୍ଲୀର ପତନପରେ କାନପୁରରେ ପେଶବା ନାନାସାହେବଙ୍କ ନେତୃତ୍ୱରେ ଯେତେବେଳେ ବିପ୍ଳବର ଆଗ୍ନେୟସ୍ରୋତ ଛୁଟିଲା, ସେତେବେଳେ ଝାନ୍‍ସିରେ ମଧ୍ୟ ବିପ୍ଳବର ବଜ୍ରଦୁନ୍ଦୁଭି ବାଜିଉଠିଲା । ଝାନ୍‍ସିରେ ଅବସ୍ଥାନ କରୁଥିବା ମୁଷ୍ଟିମେୟ ଇଂରେଜ କୌଣସି ସତର୍କତା ଅବଲମ୍ୱନ କରିବା ପୂର୍ବରୁ ବିପ୍ଳବୀମାନେ ଦୁର୍ଗ ଅଧିକାର କରିନେଲେ । ଅନନ୍ୟୋପାୟ ହୋଇ ସହରର ଆଉ କେତେକ ଦୁର୍ଗରେ ଇଂରେଜମାନେ ପ୍ରାଣଭୟରେ ଆଶ୍ରୟ ନେଲେ ସତ୍ୟ; କିନ୍ତୁ ତାହା ମଧ୍ୟ ଅଳ୍ପ ସମୟମଧ୍ୟରେ ବିପ୍ଳବୀମାନଙ୍କର ହସ୍ତଗତ ହେଲା । ଜୁନ୍ ୭ ତାରିଖ ଦିନ ଝାନ୍‍ସିର ସେନାମୁଖ୍ୟମାନଙ୍କ ନେତୃତ୍ୱରେ ଭାରତୀୟ ସିପାହିମାନେ ବିଧିବଦ୍ଧଭାବରେ ଆକ୍ରମଣ ଚଳାଇ ଦୁର୍ଗଶିରରେ ବିଜୟପତାକା ଉଡ଼ାଇଦେଲେ । ଅନ୍ୟ ପକ୍ଷରେ ଇଂରେଜମାନେ ଶ୍ୱେତପତାକା ଉଡ଼ାଇ ଅସ୍ତ୍ରଶସ୍ତ୍ରସହ ବିନା ସର୍ତ୍ତରେ ବିପ୍ଳବୀମାନଙ୍କ ନିକଟରେ ଆତ୍ମସମର୍ପଣ କଲେ-

 

ଏହାପୂର୍ବରୁ କାନପୁରରେ ଇଂରେଜ ସେନାପତିମାନେ ପୁରପଲ୍ଲୀରେ ଅଗ୍ନିସଂଯୋଗ କରି ସାଧାରଣ ନାଗରିକ ଓ ଗ୍ରାମବାସୀମାନଙ୍କୁ ନିର୍ମମଭାବରେ ହତ୍ୟା କରିଥିବା ସମ୍ୱାଦ ବିପ୍ଳବୀମାନଙ୍କର ଶ୍ରୁତିଗୋଚର ହୋଇଥିଲା ଏବଂ ତାର ପ୍ରତିଶୋଧ ନେବାପାଇଁ ସେମାନେ ସୁଯୋଗ ଖୋଜୁଥିଲେ । ତେଣୁ ଜୁନ୍ ୮ ତାରିଖ ଦିନ ଦୁର୍ଗବାସୀ ଇଂରେଜମାନଙ୍କୁ ବିପ୍ଳବୀଦଳର ଆକ୍ରମଣରୁ ରକ୍ଷାକରିବା ଏକପ୍ରକାର ଅସମ୍ଭବ ହେଲା । ରାଣୀ ଲକ୍ଷ୍ମୀବାଈଙ୍କୁ ସିଂହାସନଚ୍ୟୁତ କରି ପରରାଜ୍ୟଲୋଲୁପ ଯେଉଁ ଇଂରେଜ ସରକାର ଝାନ୍‍ସିକୁ ବ୍ରିଟିଶ ରାଜ୍ୟଭୁକ୍ତ କରିଥିଲା, ସେହି ସରକାରକୁ ଝାନ୍‍ସିରୁ ଏକାବେଳେ ନିଶ୍ଚିହ୍ନ କରିଦେବାପାଇଁ ବିପ୍ଳବୀମାନେ ବଦ୍ଧପରିକର ହୋଇଉଠିଲେ; ତେଣୁ ଝାନ୍‍ସିବାସୀଙ୍କ ହସ୍ତରୁ ଜୀବନ ଲାଭକରିବା ଆତ୍ମସମର୍ପଣକାରୀ ଇଂରେଜମାନଙ୍କ ପକ୍ଷରେ ଆଦୌ ସମ୍ଭବପର ହେଲା ନାହିଁ । ଏହାପରେ ବିପ୍ଳବୀମାନେ ଅପ୍ରାପ୍ତବୟସ୍କ ଦାମୋଦରଙ୍କ ଅଭିଭାବିକାରୂପେ ଲକ୍ଷ୍ମୀବାଈଙ୍କୁ ଝାନ୍‍ସିର ରାଣୀ ବୋଲି ଘୋଷଣା କଲେ ।

 

ଝାନ୍‍ସିର ଏହି ଅଭ୍ୟୁଥାନପରେ ବିପ୍ଳବର ବହ୍ନି କ୍ରମେ ବ୍ୟାପକ ରୂପ ଧାରଣ କରି ଗୋଆଲିଅର, ନିମକ ଓ ନାସିରାବାଦ ଆଦି ଅଞ୍ଚଳକୁ ଗ୍ରାସ କଲା । ଦକ୍ଷିଣରେ ବିନ୍ଧ୍ୟଠାରୁ ଉତ୍ତରରେ ଯମୁନା ପର୍ଯ୍ୟନ୍ତ ଏହି ବିଶାଳ ଅଞ୍ଚଳରେ ଇଂରେଜ କର୍ତ୍ତୃତ୍ୱର କୌଣସି ସତ୍ତା ସୁଦ୍ଧା ରହିଲା ନାହିଁ । ବ୍ରିଟିଶ ପ୍ରଧାନ ସେନାପତି କଲିନ୍ କାମ୍ୱେଲ୍ ଗଭର୍ଣ୍ଣର-ଜେନେରାଲ କ୍ୟାନିଂଙ୍କ ସଙ୍ଗେ ପରାମର୍ଶ କରି ୧୮୫୮ ମସିହା ଆରମ୍ଭରେ ଏହି ବିପ୍ଳବ-ବହ୍ନିକୁ ସମୂହଭାବରେ ନିର୍ବାପିତ କରିବାପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କଲେ ଏବଂ ରଣନୀତିକୁଶଳ ଖ୍ୟାତନାମା ଇଂରେଜ ସେନାପତିମାନଙ୍କୁ ବହୁ ଅସ୍ତ୍ରଶସ୍ତ୍ର ଓ ବିପୁଳ ସୈନ୍ୟସାମନ୍ତ ଦେଇ ବିଭିନ୍ନ ଦିଗରେ ପ୍ରେରଣ କଲେ । ସୁପ୍ରସିଦ୍ଧ ଇଂରେଜ ସେନାପତି ସାର୍ ହିଉଗ୍ ରୋଜ୍ ଏକ ବିରାଟ ଇଂରେଜବାହିନୀ ଘେନି ଝାନ୍‍ସି ଅଭିଯାନରେ ବାହାରିପଡ଼ିଲେ । ପଥମଧ୍ୟରେ ବିପ୍ଳବୀମାନଙ୍କଦ୍ୱାରା ତାଙ୍କୁ ବାରମ୍ୱାର ପ୍ରତିହତ ହେବାକୁ ପଡ଼ିଲା । ଫଳରେ ପ୍ରଭୂତ ଶକ୍ତିକ୍ଷୟ ସଙ୍ଗେ ତାଙ୍କ ଦ୍ରୂତ ଅଗ୍ରଗତିରେ ଶିଥିଳତା ଆସିଲା ।

 

ଏଣେ ରାଣୀ ଲକ୍ଷ୍ମୀବାଈ ଇଂରେଜବାହିନୀର ଏ ଅଭିଯାନବାର୍ତ୍ତା ପାଇ ଯୁଦ୍ଧପାଇଁ ପ୍ରସ୍ତୁତ ହେବାକୁ ଲାଗିଲେ । ରାଜ୍ୟର ସାଧାରଣ ଜନତା ଓ ନଗରବାସୀ ସମସ୍ତେ ଅବିଶ୍ରାନ୍ତଭାବରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଦ୍ରବ୍ୟାଦି ସଂଗ୍ରହ କରି ଯୁଦ୍ଧ ଉଦ୍ୟମରେ ସହଯୋଗ କଲେ । ଜଗନ୍ନାଥଧାମ ପୁରୀର ଚନ୍ଦନ ହଜୁରୀ ସେତେବେଳେ ରାଣୀ ଲକ୍ଷ୍ମୀବାଈଙ୍କର ପଣ୍ଡା ଓ ଅତି ବିଶ୍ୱସ୍ତ ପରାମର୍ଶଦାତା ଥିଲେ । ସ୍ୱତନ୍ତ୍ର ସମ୍ୱାଦ ପଠାଇ ରାଣୀ ତାଙ୍କୁ ଝାନ୍‍ସିକୁ ନିମନ୍ତ୍ରଣ କଲେ ଏବଂ ଏ ସଂକଟସମୟରେ ହଜୁରୀ ମଧ୍ୟ ଜଗନ୍ନାଥଙ୍କ ଆଶୀର୍ବାଦ ଘେନି ବିପଦବନ୍ଧୁ ରୂପେ ଅବିଳମ୍ୱେ ସେଠାରେ ଉପସ୍ଥିତ ହେଲେ । ଝାନ୍‍ସିବାହିନୀରେ ସାହସୀ ବୀରଙ୍କର ଅଭାବ ନ ଥିଲା; କିନ୍ତୁ ସାମରିକ ଦୃଷ୍ଟିରୁ ସେମାନଙ୍କ ମଧ୍ୟରେ ବିଚକ୍ଷଣ ଯୋଦ୍ଧା ସେତେ ଅଧିକ ନ ଥିଲେ । ବିଭିନ୍ନ ଅଞ୍ଚଳରୁ ଯେଉଁ ବିପ୍ଳବୀ ସେନା ଝାନ୍‍ସିରେ ସମବେତ ହୋଇଥିଲେ, ସେମାନଙ୍କମଧ୍ୟରେ ସାମରିକ ଶୃଙ୍ଖଳାର ମଧ୍ୟ ଅଭାବ ପରିଲକ୍ଷିତ ହେଉଥିଲା । ତଥାପି ଚନ୍ଦନ ହଜୁରୀଙ୍କ ସୁମନ୍ତ୍ରଣାକ୍ରମେ ରାଣୀ ଲକ୍ଷ୍ମୀ ଏ ଅଭାବ ପୂରଣପାଇଁ ନିଜେ ସେନାସଂଗଠନରେ ଲାଗିଗଲେ ଏବଂ ମହାଭାରତର ପ୍ରମିଳାଙ୍କ ପରି ନିଜେ ସେନାପତିରୂପେ ସେମାନଙ୍କୁ ନିର୍ଦ୍ଦେଶ ଦେଇ ଦୁର୍ଗର ବିଭିନ୍ନ ଦ୍ୱାରରେ ଓ ନଗରର ବିଭିନ୍ନ ଘାଟୀ ସ୍ଥାନମାନଙ୍କରେ ନିଯୁକ୍ତ କଲେ ।

 

ମାର୍ଚ୍ଚ ୨୦ ତାରିଖ ବେଳକୁ ସମ୍ୱାଦ ମିଳିଲା ଯେ, ଝାନ୍‍ସିଠାରୁ ଚଉଦ ମାଇଲ ଦୂରରେ ଇଂରେଜବାହିନୀ ଆସି ଶିବିର ସ୍ଥାପନ କଲାଣି । ଲକ୍ଷ୍ମୀବାଈ ଦେଖିଲେ, ଅଗ୍ନି ପରୀକ୍ଷାର ସମୟ ଉପସ୍ଥିତ । ଜଣେ ବିଶ୍ୱସ୍ତ ଦୂତହସ୍ତରେ ସେ ମରହଟ୍ଟା ବୀର ସେନାପତି ତାତିଆ ତୋପେଙ୍କ ନିକଟକୁ ସାହାଯ୍ୟପାଇଁ ସମ୍ୱାଦ ପ୍ରେରଣ କଲେ ଏବଂ ନିଜେ ଯେ କୌଣସି ମୁହୂର୍ତ୍ତରେ ଶତ୍ରୁ ସୈନ୍ୟଙ୍କର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇ ରହିଲେ ।

 

ଇଂରେଜବାହିନୀ କ୍ରମେ ଝାନ୍‍ସିର ନିକଟତର ହୋଇଆସିଲା ଏବଂ ମାର୍ଚ୍ଚ ୨୨ ତାରିଖ ଦିନ ନଗର ଅବରୋଧ କଲା । ତତ୍ପରଦିନ ଦୁର୍ଗରୁ ଲୋହିତ ଆଲୋକଶିଖା ଜଳାଇ ଓ ଯୁଦ୍ଧଡ଼ିଣ୍ଡମ ବଜାଇ ନଗରବାସୀଙ୍କୁ ଯୁଦ୍ଧପାଇଁ ସତର୍କ କରି ଦିଆଗଲା । ୨୪ ତାରିଖ ଦିନ ‘ଘନଗର୍ଜ’ ନାମକ କମାଣରୁ ତୋପ ଫୁଟାଇ ଶତ୍ରୁକୁ ଯୁଦ୍ଧପାଇଁ ଆହ୍ୱାନ ଜଣାଇ ଦିଆଗଲା । ଏହା ପରଦିନ ଅର୍ଥାତ୍ ମାର୍ଚ୍ଚ ୨୫ ତାରିଖରେ ପ୍ରକୃତ ଯୁଦ୍ଧ ଆରମ୍ଭ ହେଲା ଏବଂ ଉଭୟ ପକ୍ଷର ଗୋଲନ୍ଦାଜବାହିନୀ ତତ୍ପର ହୋଇଉଠିଲେ । କି ଦିବା, କି ରାତ୍ରି ଶତ୍ରୁପକ୍ଷର କମାଣଗୁଡ଼ିକ ନଗର ଓ ଦୁର୍ଗକୁ ଲକ୍ଷ୍ୟକରି ଗୋଳା ବୃଷ୍ଟି କରୁଥାନ୍ତି । ରାତ୍ରିର ନିବିଡ଼ ଅନ୍ଧକାର ମଧ୍ୟରେ ନିକ୍ଷିପ୍ତ ଗୋଳାମାନ ଜ୍ୱଳନ୍ତ ଅଗ୍ନିପିଣ୍ଡପରି ଅନନ୍ତ ଶୂନ୍ୟର ବକ୍ଷ ବିଦୀର୍ଣ୍ଣ କରି ଛୁଟି ଆସୁଥାଏ ଏବଂ ଗମ୍ଭୀର ଗର୍ଜନରେ ହୃତ୍‍କମ୍ପ ଜାତ କରାଉଥାଏ । ୨୬ ତାରିଖ ଦିନ ମଧ୍ୟାହ୍ନ ସମୟକୁ ଦେଖାଗଲା, ଦୁର୍ଗର ଦକ୍ଷିଣ ଦ୍ୱାରରେ ଅବସ୍ଥାପିତ ପ୍ରତିରକ୍ଷା କମାଣଗୁଡ଼ିକ କ୍ରମେ ଅଚଳ ହୋଇ ଆସୁଛି । ଶତ୍ରୁପକ୍ଷର ଅବିଶ୍ରାନ୍ତ ଗୋଳାବୃଷ୍ଟି ଫଳରେ ସେଗୁଡ଼ିକୁ ସଚଳ କରିବା କାହାରି ପକ୍ଷରେ ସମ୍ଭବପର ହେଉନଥାଏ । ଏ ଅବସ୍ଥାରେ ପଶ୍ଚିମ ଦ୍ୱାରରେ ଅବସ୍ଥାପିତ କମାଣଗୁଡ଼ିକ ଗତିମୁଖ ବଦଳାଇ ଗର୍ଜିଉଠିଲା ଏବଂ ଶତ୍ରୁପକ୍ଷକୁ ଲକ୍ଷ୍ୟକରି ଗୋଳା ବୃଷ୍ଟିକଲା । ତୃତୀୟ ଗୋଳାର ଆଘାତରେ ଇଂରେଜ ପକ୍ଷର ସର୍ବଶ୍ରେଷ୍ଠ ଗୋଲନ୍ଦାଜ ଧରାଶାୟୀ ହେଲା ।

 

ଏହିପରି କ୍ରମାଗତ ପାଞ୍ଚଦିନ କାଳ ଉଭୟ ପକ୍ଷଭିତରେ କମାଣଯୁଦ୍ଧ ଚାଲିଲା । ଇଂରେଜମାନଙ୍କ କମାଣଗୁଡ଼ିକ ଶକ୍ତିଶାଳୀ ହୋଇଥିବାରୁ ଏହି ପାଞ୍ଚଦିନ ଭିତରେ ରାଣୀଙ୍କ ପକ୍ଷର ଅବ୍ୟର୍ଥସନ୍ଧାନୀ ଗୋଲନ୍ଦାଜ ଗୋଲାମ ଘଉସ୍ ଖାଁ ଓ ସର୍ଦ୍ଦାର କଉବ ଖୋଦା ବକ୍ସ ମୃତ୍ୟୁମୁଖରେ ପଡ଼ିଲେ । ଏହାସତ୍ତ୍ୱେ ଅବରୋଧର ଷଷ୍ଠ ଦିନ ଯେଉଁ କମାଣଯୁଦ୍ଧ ଚାଲିଲା, ତାହା ଅତି ଭୟାବହ । ଇଂରେଜଗଣ ବିପୁଳ କ୍ଷତି ସ୍ୱୀକାର କଲେ ଏବଂ ଅନେକ ବିଚକ୍ଷଣ ଗୋଲନ୍ଦାଜ ହରାଇଲେ । ଇଂରେଜ ଶିବିରରେ ନୈରାଶ୍ୟର ଛାୟା ଘୋଟିଗଲା; କିନ୍ତୁ ଅବରୋଧର ସପ୍ତମ ଓ ଅଷ୍ଟମଦିନରେ ଭାଗ୍ୟଚକ୍ର ପୁଣି ସେମାନଙ୍କ ଅନୁକୂଳରେ ଘୂରିଲା । ଶକ୍ତିଶାଳୀ ଦୂରବୀକ୍ଷଣର ସାହାଯ୍ୟ ନେଇ ଇଂରେଜ ଗୋଲନ୍ଦାଜମାନେ ଦୁର୍ଗମଧ୍ୟସ୍ଥିତ ଜଳଭଣ୍ଡାର ଉପରେ ଗୋଳା ବୃଷ୍ଟିକଲେ ଏବଂ ନଗରର ବାରୁଦ କାରଖାନାକୁ ଧ୍ୱଂସ କରିଦେଲେ । ଏଥିରେ ଝାନ୍‍ସିବାହିନୀ ମଧ୍ୟରେ ଆତଙ୍କର ସଞ୍ଚାର ହେଲା ଏବଂ ଇଂରେଜବାହିନୀ ନଗରର ଏକାଂଶରେ କେନ୍ଦ୍ରୀଭୂତ ହୋଇ ଆକ୍ରମଣ ଚଳାଇବାକୁ ସୁଯୋଗ ପାଇଲା ।

 

ଏହିପରି କ୍ରମାଗତ ଆଠଦିନପର୍ଯ୍ୟନ୍ତ ବିପ୍ଳବୀ ସେନା ଅବିରାମ ଯୁଦ୍ଧକରି ଓ ବହୁ ସଂଖ୍ୟାରେ ମୃତାହତ ହୋଇ ସୁଦ୍ଧା ପ୍ରତିରୋଧରୁ କ୍ଷାନ୍ତ ହେଲେନାହିଁ । ଘନ ଘନ ଗୋଳାବର୍ଷଣ ଭିତରେ ରାଣୀ ଲକ୍ଷ୍ମୀ ନିଜେ ନଗର ଓ ଦୁର୍ଗର ବିଭିନ୍ନ ଘାଟୀରେ ଉପସ୍ଥିତ ହୋଇ ସୈନ୍ୟମାନଙ୍କୁ ଉତ୍ସାହିତ କରୁଥାନ୍ତି । ଦୂରବୀକ୍ଷଣ ସାହାଯ୍ୟରେ ତାଙ୍କର ଏଭଳି ଦୁର୍ଗମ ସାହସ ଓ ନିର୍ଭୀକତା ଦେଖି ଶତ୍ରୁ-ମିତ୍ର ନିର୍ବିଶେଷରେ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହେଉଥିଲେ ଏବଂ ଝାନ୍‍ସିବାହିନୀର ସୈନ୍ୟଗଣ ମୃତ୍ୟୁକୁ ଅତି ତୁଚ୍ଛ ମନେ କରୁଥିଲେ ।

 

ଅବରୋଧର ଅଷ୍ଟମ ଦିନ ଅର୍ଥାତ୍ ମାର୍ଚ୍ଚ ୩୦ ତାରିଖ ଦିନ ଦେଖାଗଲା, ଝାନ୍‍ସିଦୁର୍ଗର କମାଣଗୁଡ଼ିକ ଅଚଳ ହୋଇପଡ଼ିଛି ଏବଂ ନଗରବାସୀ ସାଧାରଣ ନାଗରିକଙ୍କ ସମେତ ଅସଂଖ୍ୟ ସୈନ୍ୟ ମୃତାହତ ହୋଇଛନ୍ତି । ନୂତନ ବାହିନୀର ସାହାଯ୍ୟ ନ ପାଇଲେ, ଆଉ ଯୁଦ୍ଧ ଚଳାଇବା ଅସମ୍ଭବ ବୋଲି ବୋଧହେଲା । ଏହି ସମୟରେ ତାତିଆ ତୋପେ ବହୁ ଅସ୍ତ୍ରଶସ୍ତ୍ର ସୈନ୍ୟସାମନ୍ତ ସହ କଳ୍ପିରୁ ଆସି ଇଂରେଜବାହିନୀକୁ ପଶ୍ଚାଦ୍‍ଭାଗରୁ ଆକ୍ରମଣ କଲେ ଏବଂ ସମ୍ମୁଖ ଯୁଦ୍ଧରେ ଶୋଚନୀୟଭାବରେ ପରାସ୍ତ କଲେ । ଏହାପରେ ତାତିଆ ପରାଜିତ ଶତ୍ରୁର ଅନୁଧାବନ ନ କରି କଳ୍ପିକୁ ଫେରିଯିବାରୁ ଇଂରେଜ ସେନାପତି ହିଉଗ୍ରେଜ ଆସନ୍ନ ବିପଦରୁ ରକ୍ଷା ପାଇଗଲେ ଏବଂ ଦ୍ୱିଗୁଣ ଉତ୍ସାହରେ ଝାନ୍‍ସି ବିରୁଦ୍ଦରେ ସମସ୍ତ ଶକ୍ତି ପ୍ରୟୋଗ କରି ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଲେ ।

 

ଏ ଅବସ୍ଥାରେ ଆଉ ଯୁଦ୍ଧ ଚଳାଇବା ଅସମ୍ଭବ ଦେଖି ଚନ୍ଦନ ହଜୁରୀ ଓ ସର୍ଦ୍ଦାରମାନଙ୍କ ପରାମର୍ଶକ୍ରମେ ରାଣୀ ଲକ୍ଷ୍ମୀବାଈ ଶିଶୁପୁତ୍ର ଦାମୋଦର ସହ ଝାନ୍‍ସି ତ୍ୟାଗକରି କଳ୍ପିକୁ ଚାଲିଯିବା ପାଇଁ ସ୍ଥିର କଲେ । ପରଦିନ ରାତ୍ରିରେ ଦୁର୍ଗଶିଖରରୁ ଧ୍ୱସ୍ତବିଧ୍ୱସ୍ତ ଝାନ୍‍ସି ପ୍ରତି ସାଶ୍ରୁନୟନରେ ଶେଷଥର ପାଇଁ ଅନାଇ ଅଳ୍ପ କେତେ ଜଣ ବିଶ୍ୱସ୍ତ ଅନୁଚରଙ୍କ ସହ ରାଣୀ ପୁରୁଷବେଶ ପରିଧାନପୂର୍ବକ ବେଗଗାମୀ ଅଶ୍ୱପୃଷ୍ଠରେ ବସି ଦୁର୍ଗ ତ୍ୟାଗକଲେ । କଳ୍ପି ଝାନ୍‍ସିଠାରୁ ୧୦୨ ମାଇଲ ଦୂରବର୍ତ୍ତୀ । ଇଂରେଜ ସେନାପତି ରାଣୀଙ୍କ ଦୁର୍ଗତ୍ୟାଗ ବାର୍ତ୍ତା ଶୁଣିପାରି ଲେଫ୍ଟନାଣ୍ଟ ବୋକରଙ୍କୁ କେତେକ ସୈନ୍ୟ ଦେଇ ତାଙ୍କ ପଛେ ପଛେ ଛୁଟାଇଦେଲେ । କିନ୍ତୁ ପଥମଧ୍ୟରେ ରାଣୀଙ୍କ ତରବାରି ଆଘାତରେ ବୋକର ଆହତ ହୋଇ ଆଉ ଅନୁଧାବନ କରିବାକୁ ସାହସ କଲେନାହିଁ । ଏଣେ ଏପ୍ରିଲ ୫ ତାରିଖରେ ହିଉଗରୋଜ ନଗରବାସିଗଣଙ୍କ ଭୀଷଣ ପ୍ରତିରୋଧ ସତ୍ତ୍ୱେ ଝାନ୍‍ସି ଦୁର୍ଗ ଅଧିକାର କଲେ ।       

 

ଝାନ୍‍ସିର ଏ ପତନ ପ୍ରତି କୌଣସି ଭ୍ରୂକ୍ଷେପ ନ କରି ରାଣୀ ଲକ୍ଷ୍ମୀବାଈ କଳ୍ପିଠାରେ ନାନାସାହେବଙ୍କ ଭ୍ରାତୃଷ୍ପୁତ୍ର ପେଶବା ରାଓସାହେବ ଓ ତାତିଆ ତୋପେଙ୍କ ସଙ୍ଗେ ମିଳିତ ହୋଇ ଯୁଦ୍ଧପାଇଁ ପୁନର୍ବାର ମନ୍ତ୍ରଣା ଚଳାଇଲେ । ଏଠାରୁ ୪୨ ମାଇଲ ଦୂରରେ କଞ୍ଚନଗାଓଁ ନାମକ ସ୍ଥାନରେ ପେଶବାଙ୍କ ସେନାଘେନି ସେ ପୁଣି ଇଂରେଜବାହିନୀର ସମ୍ମୁଖୀନ ହେଲେ । ପେଶବା ରାଓସାହେବ, ତାତିଆ, ବାନ୍ଦାର ନବାବ ଏବଂ କାନପୁର ଓ ଶାହଗଡ଼ର ରାଜାମାନେ ନିଜ ନିଜର ସୈନ୍ୟସାମନ୍ତ ଘେନି ଏଠାରେ ତାଙ୍କର ଶକ୍ତି ବୃଦ୍ଧି କରିଥିଲେ । କିନ୍ତୁ ସାମରିକ ଶୃଙ୍ଖଳା, ସୁଚିନ୍ତିତ ଯୋଜନା ଓ ସୈନ୍ୟପରିଚାଳନାଜନିତ ତ୍ରୁଟିଯୋଗେ ତାଙ୍କୁ ଏଠାରେ ମଧ୍ୟ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା ।

 

ଏହାପରେ ନାନା ବାଧା ପ୍ରତିବନ୍ଧକ ଅତିକ୍ରମ କରି ତାତିଆ ଗୋଆଲିଅରର ଜନସାଧାରଣ ଓ ସୈନ୍ୟମାନଙ୍କ ସଙ୍ଗେ ସମ୍ପର୍କ ସ୍ଥାପନ କରି ସେମାନଙ୍କୁ ଯୁଦ୍ଧପାଇଁ ଉଦ୍‍ବୁଦ୍ଧ କଲେ-। ରାଣୀ ଲକ୍ଷ୍ମୀବାଈ ଓ ପେଶବା ରାଓସାହେବ ସେଠାରେ ଉପସ୍ଥିତ ହେଲେ । ଇଂରେଜଭକ୍ତ ରାଜା ଦୟାଜୀ ରାଓ ସିନ୍ଧିଆ ଓ ତାଙ୍କ ମନ୍ତ୍ରୀ ଦିନକର ରାଓ ନିଜ ସେନାବାହିନୀର ଅଭ୍ୟୁତ୍‍ଥାନରେ ଭୀତତ୍ରସ୍ତ ହୋଇ ରାଜ୍ୟ ତ୍ୟାଗକରି ଆଗ୍ରା ପଳାୟନ କଲେ । ଅର୍ଥମନ୍ତ୍ରୀ ଅମରଚାନ୍ଦ ଭାଟିଆ ରାଜକୋଷର ସମସ୍ତ ଅର୍ଥ ବିପ୍ଳବୀ ନେତାମାନଙ୍କ ହସ୍ତରେ ଅର୍ପଣ କଲେ । ଏହିରୂପେ ଗୋଆଲିଅର ଅଧିକୃତ ହେଲା । ଏହାପରେ ବିପ୍ଳବି-ବାହିନୀ ପାଇଁ ଅସ୍ତ୍ରଶସ୍ତ୍ରର ମଧ୍ୟ ଅଭାବ ରହିଲା ନାହିଁ ।

 

ସେନାପତି ହିଉଗରୋଜ ଏ ସମ୍ୱାଦରେ ପୁଣି ବିବ୍ରତ ହୋଇଉଠିଲେ ଏବଂ ଏକ ସୁଶିକ୍ଷିତ ଇଂରେଜବାହିନୀ ଘେନି ଗୋଆଲିଅର ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । ରାଣୀ ଲକ୍ଷ୍ମୀବାଈ ସାମରିକ ପୁରୁଷ ପୋଷାକ ପରିଧାନ କରି ପୂର୍ବ ଦ୍ୱାରରେ ଶତ୍ରୁର ପ୍ରତିରୋଧପାଇଁ ନିଜର ସୈନ୍ୟଦଳକୁ ସଜ୍ଜିତ କରି ରଖିଲେ ।

 

ଜୁନ୍‍ ମାସ ୧୮ ତାରିଖରେ ପ୍ରଥମଦିନ ଯୁଦ୍ଧରେ ଜେନେରାଲ ସ୍ମିଥ୍‍ଙ୍କ ନେତୃତ୍ୱରେ ଦୁର୍ଗର ଏହି ଦ୍ୱାରରେ ଇଂରେଜବାହିନୀ ତାଙ୍କ ବିରୁଦ୍ଧରେ ଚତୁର୍ଦ୍ଦିଗରୁ ଆକ୍ରମଣ ଆରମ୍ଭ କରିଦେଲା-। କିନ୍ତୁ କତିପୟ ଅଶ୍ୱାରୋହୀ ସୈନ୍ୟଙ୍କୁ ଘେନି ଲକ୍ଷ୍ମୀ ସେଦିନ ଇଂରେଜସୈନ୍ୟଙ୍କ ଉପରେ ଯେଉଁ ପ୍ରତି-ଆକ୍ରମଣ କଲେ, ତାହା ଶତ୍ରୁପ୍ରାଣରେ ମଧ୍ୟ ଭୀତି ଉତ୍ପାଦନ କଲା । ଜୀବନ ପ୍ରତି କୌଣସି ମାୟାମମତା ନ ରଖି ସେ ମୁକ୍ତ ଆକାଶର ଚଞ୍ଚଳା କ୍ଷଣପ୍ରଭା ପରି ସମଗ୍ର ଯୁଦ୍ଧକ୍ଷେତ୍ରରେ ନିର୍ଭୀକଭାବରେ ଶତ୍ରୁସୈନ୍ୟଙ୍କୁ ନିପାତ କରିବାକୁ ଲାଗିଲେ । ତାଙ୍କର ସେ ରଣରଙ୍ଗିଣୀ ମୂର୍ତ୍ତି ଓ ଚତୁର ସୈନ୍ୟପରିଚାଳନା ସମ୍ମୁଖରେ ସ୍ମିଥ୍‍ଙ୍କ ବାହିନୀକୁ ଅଗତ୍ୟା ପୃଷ୍ଠଭଙ୍ଗ ଦେବାକୁ ପଡ଼ିଲା-

 

ଦ୍ୱିତୀୟ ଦିନ ସ୍ମିଥ୍ ଘୋର ପ୍ରତିଶୋଧ ପରାୟଣ ହୋଇ ପୂର୍ବାପେକ୍ଷା ଆହୁରି ଦୃଢ଼ତାର ସହିତ ଆକ୍ରମଣ ଆରମ୍ଭ କଲେ । ଶକ୍ତିଶାଳୀ କମାଣର ଗୋଳାଘାତରେ ରାଣୀଙ୍କର ବହୁ ସୈନ୍ୟ ଧରାଶାୟୀ ହେଲେ । ତଥାପି ଧୈର୍ଯ୍ୟ ନ ହରାଇ ଶତ୍ରୁସୈନ୍ୟଙ୍କ ବ୍ୟୂହ ଭେଦକରି ସେ ଶେଷ ସଂଗ୍ରାମରେ ଝାସଦେଲେ । ହିଉଗରୋଜ ଏ ଦିନ ସ୍ୱୟଂ ସୈନ୍ୟ ପରିଚାଳନା କରୁଥିଲେ । ଇଂରେଜବାହିନୀ କ୍ରମେ ରାଣୀଙ୍କ ପଶ୍ଚାଦ୍ଭାଗରେ ପରିଦୃଷ୍ଟ ହେଲେ ଏବଂ ସମ୍ମୁଖ ଓ ପୃଷ୍ଠ ଉଭୟ ଦିଗରୁ ଆକ୍ରମଣ ଆରମ୍ଭ କଲେ । ତଥାପି ପରିଣାମ ପ୍ରତି ଭ୍ରୂକ୍ଷେପ ନ କରି ରଣୋନ୍ମାଦିନୀ ବେଶରେ ଲକ୍ଷ୍ମୀ ଅଶ୍ୱପୃଷ୍ଠରେ ବସି ଅନବରତ ଅସି ଚାଳନା କରୁଥାନ୍ତି । ତାଙ୍କର ଗୋଟିଏ ଅସି ସହିତ ଶତ୍ରୁ ପକ୍ଷର ଏକାଧିକ ଅସିର ଯୁଗପତ୍ ସଂଘାତରେ ଯୁଦ୍ଧଭୂମି ଝଙ୍କୁତ ହୋଇ ଉଠୁଥାଏ । କିନ୍ତୁ ଏ ଅବସ୍ଥା ଅଧିକ ସମୟ ସ୍ଥାୟୀ ହେଲାନାହିଁ । ପଶ୍ଚାଦ୍‍ଭାଗରୁ ଶତ୍ରୁ ସୈନ୍ୟର କୃପାଣ ହଠାତ୍ ତାଙ୍କ ମସ୍ତିଷ୍କରେ ଆଘାତ କଲା ଏବଂ ସେଥିରେ ତାଙ୍କର ଦକ୍ଷିଣ ଚକ୍ଷୁ ସମେତ ମସ୍ତିଷ୍କର ଦକ୍ଷିଣ ଭାଗ ବିକଳ ହୋଇଗଲା । ଏହି ସମୟରେ ଆଉ ଏକ ଅସି ଆସି ତାଙ୍କ ବକ୍ଷସ୍ଥଳ ଭେଦକଲା । ଅଶ୍ୱପୃଷ୍ଠରେ ସେ ଆହତ ଅବସ୍ଥାରେ ଢଳି ପଡ଼ିଲେ । ଜନନୀ ଜନ୍ମଭୂମିର ସ୍ୱାଧୀନତା ପାଇଁ ପବିତ୍ର ଯୁଦ୍ଧ-ଯଜ୍ଞରେ ଶେଷ ଆହୁତିରୂପେ ତାଙ୍କ ଦେହରୁ ଧାର ଧାର ହୋଇ ରକ୍ତ ବହିଯାଉଥାଏ । ଏ ଅବସ୍ଥାରେ ସୁଦ୍ଧା ଯେଉଁ ଶତ୍ରୁସୈନ୍ୟ ତାଙ୍କୁ ସ୍ପର୍ଶ କରିବାକୁ ଆସୁଥାନ୍ତି, ସେ ଅସି ଚାଳନାରେ ସେମାନଙ୍କୁ ନିପାତ କରୁଥାନ୍ତି । ରାମଚନ୍ଦ୍ରରାଓ ଦେଶମୁଖ ନାମରେ ଜନୈକ ବିଶ୍ୱସ୍ତ ଅନୁଚର ନିକଟରେ ଥିଲେ । ରାଣୀଙ୍କର ଏ ବିପର୍ଯ୍ୟୟରେ ସେ ତାଙ୍କୁ ସମୀପବର୍ତ୍ତୀ ଏକ କୁଟୀରକୁ ଘେନି ଆସିଲେ । ଗଙ୍ଗାଦାସ ବାଉଆ ନାମରେ ଆଉ ଜଣେ ବିଶ୍ୱସ୍ତ ଅନୁଚର ତାଙ୍କ ମୁଖରେ ଶୀତଳ ଗଙ୍ଗାଜଳ ଦେଇ ବିଶ୍ରାମ ପାଇଁ ଶଯ୍ୟା ରଚନା କରିଦେଲେ । ରାଣୀ ଲକ୍ଷ୍ମୀ ଆପାଦମସ୍ତକ ରକ୍ତରେ ସ୍ନାନ କଲାଭଳି ଦେଖା ଯାଉଥାନ୍ତି । ଶଯ୍ୟାଶାୟିନୀ ହେବାମାତ୍ରେ ଚାହୁଁ ଚାହୁଁ ତାଙ୍କର ଅମର ଆତ୍ମା ମର ଦେହ ତ୍ୟାଗ କଲା ।

 

ରାମଚନ୍ଦ୍ରରାଓ ଦେଶମୁଖ ଆଉ ମୁହୂର୍ତ୍ତେ ମାତ୍ର ବିଳମ୍ୱ ନ କରି ରାଣୀଙ୍କ ପୂର୍ବ ନିର୍ଦ୍ଦେଶମତେ ଶତ୍ରୁ ପକ୍ଷର ଅଗୋଚରରେ ତୃଣଗୁଚ୍ଛ ସଂଗ୍ରହ କରି ଚିତା ପ୍ରସ୍ତୁତ କଲେ ଏବଂ ତା ଉପରେ ରାଣୀଙ୍କୁ ଅନ୍ତିମ ଶଯ୍ୟାରେ ଶୁଆଇଦେଇ ଅଗ୍ନି ସଂଯୋଗ କଲେ । ଏହିରୂପେ ପରାଧୀନତାର ପାପସ୍ପର୍ଶ ତାଙ୍କ ପ୍ରାଣହୀନ ଦେହକୁ କଳୁଷିତ କରିବା ପୂର୍ବରୁ ତାହା ଭସ୍ମରେ ପରିଣତ ହେଲା ।

 

ଦେଶ ମାତୃକାର ପୂଜାବେଦୀରେ ରାଣୀ ଲକ୍ଷ୍ମୀବାଈଙ୍କର ଏହି ଅପୂର୍ବ ଆତ୍ମୋତ୍ସର୍ଗ ପୃଥିବୀର ଇତିହାସରେ ସୁଦୁର୍ଲଭ । ଶେଷ ନିଃଶ୍ୱାସ ବହୁଥିବା ପର୍ଯ୍ୟନ୍ତ ସେ ‘‘ମେରି ଝାନ୍‍ସି ନେହିଁ ଦେଉଙ୍ଗି’’ ପ୍ରତିଜ୍ଞାକୁ ଜୀବନ ବିନିମୟରେ ସୁଦ୍ଧା ପାଳନ କରି ଆଜି ଦେଶ ଓ ଜାତିର ହୃଦୟରେ ଚିର ଅବିସ୍ମରଣୀୟ ହୋଇ ରହିଅଛନ୍ତି ।

Image

 

ସଚତୁର ସେନାପତି ତାତିଆ

 

ଇତିହାସ-ପ୍ରସିଦ୍ଧ ପଲାସି-ଯୁଦ୍ଧର ଠିକ୍ ଏକ ଶତ ବର୍ଷ ପରେ ଭାରତରୁ ଇଂରେଜଶକ୍ତିକୁ ଲୋପ କରିଦେବା ଉଦ୍ଦେଶ୍ୟରେ ସଙ୍ଗଠିତ ସ୍ୱାଧୀନତା-ଯୁଦ୍ଧରେ ଯେଉଁ ଦେଶବତ୍ସଳ ବୀରନେତା ଓ ସେନାନାୟକମାନେ ଦେଶବ୍ୟାପୀ ବିପ୍ଳବର କରାଳ ବନ୍ୟା ଖେଳାଇ ଦେଇଥିଲେ, ଚତୁର ରଣକୌଶଳୀ ତାତିଆ ତୋପେ ସେମାନଙ୍କ ମଧ୍ୟରେ ଅଗ୍ରଗଣନୀୟ । ପରାଜୟକୁ ପରିହାସ କରି, ପରିସ୍ଥିତିର ଜଟିଳତାକୁ ଅବଜ୍ଞା ଦେଖାଇ ପ୍ରଥମ ସ୍ୱାଧୀନତାଯୁଦ୍ଧର ଇତିହାସରେ ସେ ପ୍ରଭୂତ ଶକ୍ତିଶାଳୀ ଇଂରେଜମାନଙ୍କ ବିରୁଦ୍ଧରେ ଶେଷପର୍ଯ୍ୟନ୍ତ ଯେପରି ଅସ୍ତ୍ର ଧାରଣ କରିଥିଲେ, ତାର ତୁଳନା ଇତିହାସରେ ଅନ୍ୟତ୍ର ଦୁର୍ଲ୍ଲଭ ।

 

୧୮୫୭ ମସିହାର କାନପୁର ଯୁଦ୍ଧରେ ପରାଜିତ ହେଲା ପରେ ନାନାସାହେବ ବ୍ରହ୍ମାବର୍ତ୍ତର ନିଜ ରାଜପ୍ରାସାଦକୁ ଫେରିଯାଇ ଯେଉଁ କେତେଜଣ ଅନ୍ତରଙ୍ଗ ବନ୍ଧୁଙ୍କ ସଙ୍ଗେ ସ୍ୱାଧୀନତା-ଯୁଦ୍ଧର ଭବିଷ୍ୟତ୍ ଯୋଜନା ସମ୍ୱନ୍ଧରେ ଆଲୋଚନା କରଥିଲେ, ମରହଟ୍ଟା ବୀର ତାତିଆ ସେମାନଙ୍କ ମଧ୍ୟରେ ଅନ୍ୟତମ । ନାନା ଆଲୋଚନା ପରେ ସେଠାରେ ସ୍ଥିର ହେଲା, ବିଚ୍ଛିନ୍ନ ବିପ୍ଳବୀ ବାହିନୀକୁ ତାତିଆଙ୍କ ନେତୃତ୍ୱରେ ସଙ୍ଗଠିତ କରାଯିବ ଏବଂ ଅବସ୍ଥା ଦୃଷ୍ଟିରେ ଇଂରେଜବାହିନୀକୁ କେତେବେଳେ ସମ୍ମୁଖରୁ, ପୁଣି କେତେବେଳେ ବା ପୃଷ୍ଠଭାଗରୁ ଆକ୍ରମଣ କରି ପରାସ୍ତ କରିବାକୁ ହେବ । ସଙ୍ଗେ ସଙ୍ଗେ ତାତିଆ ସିଓରାଜପୁରରେ ଅବସ୍ଥାପିତ ସିପାହି ରେଜିମେଣ୍ଟ ସଙ୍ଗେ ସମ୍ପର୍କ ସ୍ଥାପନ କଲେ ଏବଂ ଆକ୍ରମଣର ନୂତନ ଯୋଜନାରେ ସେମାନଙ୍କ ସମର୍ଥନ ଓ ସହଯୋଗ ଲାଭକଲେ ।

 

ଏହାପରେ ଗୋଆଲିଅର ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ସିନ୍ଧିଆ ଇଂରେଜମାନଙ୍କ ଦାସତ୍ୱ ସ୍ୱୀକାର କରିଥିଲେ ହେଁ ତାଙ୍କ ସେନାବାହିନୀ ଓ ପ୍ରଜାପୁଞ୍ଜ ଇଂରେଜ ଶାସନର ଶୋଷଣ ଓ ଲୁଣ୍ଠନରେ ଜର୍ଜରିତ ହୋଇ ରହିଥିଲେ ଏବଂ ଇଂରେଜ ରାଜଶକ୍ତି ବିରୁଦ୍ଧରେ ବିପ୍ଳବ କରିବାକୁ ସୁବିଧା ଓ ସୁଯୋଗର ଅପେକ୍ଷାରେ ଥିଲେ । ତେଣୁ ସେମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରିବା ତାତିଆଙ୍କ ପକ୍ଷରେ ବିଶେଷ କଷ୍ଟକର ହେଲାନାହିଁ ।

 

ଏହି ଗୋଆଲିଅର ବାହିନୀ ଓ ଅନ୍ୟାନ୍ୟ ବିପ୍ଳବୀ ସେନାଙ୍କୁ ସଙ୍ଗଠିତ କରି ତାତିଆ ଇଂରେଜ-ଅଧିକୃତ କାନପୁର ବିରୁଦ୍ଧରେ ଆକ୍ରମଣ କଲେ ଓ ସମ୍ମୁଖ-ଯୁଦ୍ଧରେ ଇଂରେଜବାହିନୀକୁ ସମ୍ପୂର୍ଣ୍ଣରୂପେ ପରାଜିତ କରି ପୁନର୍ବାର କାନପୁର ଅଧିକାର କଲେ । ଏ ବିଜୟ କିନ୍ତୁ ଅଧିକ ଦିନ ସ୍ଥାୟୀ ହେଲାନାହିଁ । ନୂତନ ସୈନ୍ୟସାମନ୍ତ ଓ ଅସ୍ତ୍ରଶସ୍ତ୍ରରେ ଇଂରେଜବାହିନୀ ଯେତେବେଳେ ଶକ୍ତିଶାଳୀ ହୋଇଉଠି ପ୍ରତି ଆକ୍ରମଣ ଆରମ୍ଭ କଲେ, ସେତେବେଳେ କାନପୁର ପରିତ୍ୟାଗ କରି ତାତିଆ ନିଜ ସେନାବାହିନୀ ଓ ଅସ୍ତ୍ରଶସ୍ତ୍ର ସହ କଳ୍ପି ଅଭିମୁଖରେ ଯାତ୍ରା କଲେ ।

 

ବିପ୍ଳବକୁ ବଞ୍ଚାଇ ରଖି ଇଂରେଜଶକ୍ତିକୁ ଖର୍ବ କରିବାକୁ ହେଲେ ଯେଉଁ ସମ୍ୱଳ ଆବଶ୍ୟକ, ତାହା ତାତିଆଙ୍କର ନ ଥିଲା । ତେଣୁ ସେ ଗୋଆଲିଅର ଆକ୍ରମଣ କରି ସେହି ସମ୍ୱଳ ସଂଗ୍ରହ କରିବା ପାଇଁ କଳ୍ପିଠାରେ ନିଜକୁ ପ୍ରସ୍ତୁତ କଲେ । ଏତିକିବେଳେ ତାଙ୍କର କର୍ଣ୍ଣଗୋଚର ହେଲା ଯେ, ଇଂରେଜବାହିନୀ ରାଣୀ ଲକ୍ଷ୍ମୀବାଈଙ୍କ ବିରୁଦ୍ଧରେ ଝାନ୍‍ସିରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଅଛି । ମୁହୂର୍ତ୍ତମାତ୍ର ବିଳମ୍ୱ ନ କରି ସେ ଝାନ୍‍ସି ଉଦ୍ଦେଶ୍ୟରେ ସସୈନ୍ୟରେ ଯାତ୍ରାକଲେ । ଇଂରେଜ ସେନାପତି ରୋଜ୍ ଏ ସଂବାଦ ପାଇଲାମାତ୍ରେ ବେତୋଆ ନଦୀକୂଳରେ ତାତିଆଙ୍କ ପଥରୋଧ କଲେ । ଏଠାରେ ଯେଉଁ ରକ୍ତାକ୍ତ ସଂଗ୍ରାମ ହେଲା, ସେଥିରେ ତାତିଆଙ୍କ ରଣକୌଶଳ ଓ ବିପ୍ଳବୀ ବାହିନୀର ଅପୂର୍ବ ବୀରତ୍ୱ ନିକଟରେ ଇଂରେଜବାହିନୀ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଗଲା-

 

କିନ୍ତୁ ତାତିଆ ଏ ବିଜୟ ପରେ ଝାନ୍‍ସି ଅଭିମୁଖରେ ଆଉ ଅଧିକ ଦୂର ଅଗ୍ରସର ନ ହୋଇ ପୁନର୍ବାର କଳ୍ପିକୁ ଫେରିଆସିଲେ । ଝାନ୍‍ସିର ପତନ ପରେ ଦୁର୍ଗ ତ୍ୟାଗକରି ରାଣୀ ଲକ୍ଷ୍ମୀବାଈ ଇଂରେଜ ବ୍ୟୂହ ଭେଦପୂର୍ବକ ଯେତେବେଳେ ଗୋଆଲିଅର ଯାତ୍ରା କଲେ, ସେତେବେଳେ ତାତିଆଙ୍କ ସଙ୍ଗେ ସେଠାରେ ପୁନର୍ବାର ତାଙ୍କର ମିଳନ ଘଟିଲା ଏବଂ ଉଭୟେ ନୂତନ ଉତ୍ସାହରେ ଇଂରେଜସେନାର ସମ୍ମୁଖୀନ ହେଲେ । କିନ୍ତୁ ସେଠାର ଏକ ସଂଘର୍ଷରେ ରାଣୀ ଲକ୍ଷ୍ମୀବାଈ ଯୁଦ୍ଧକ୍ଷେତ୍ରରେ ନିହତ ହେବା ଫଳରେ ବିପ୍ଳବୀମାନଙ୍କର ପରାଜୟ ଘଟିଲା ।

 

ତାତିଆ ଏଥିରେ ଧୈର୍ଯ୍ୟ ନ ହରାଇ, କତିପୟ ଅନୁଚରଙ୍କ ସହିତ ସଙ୍ଗେ ସଙ୍ଗେ ଗୋଆଲିଅର ତ୍ୟାଗକଲେ । ସେତେବେଳେ ତାଙ୍କ ଅବସ୍ଥା ନିତାନ୍ତ ଶୋଚନୀୟ ହୋଇଥିଲା । ଯୁଦ୍ଧ ପାଇଁ ଗୋଟିଏ ହେଲେ କମାଣ ନାହିଁ, କି ଅନୁଚର ବିପ୍ଳବୀ ସେନାମାନଙ୍କ ପାଇଁ କୌଣସି ଖାଦ୍ୟସାମଗ୍ରୀ ନାହିଁ । ଅନ୍ୟାନ୍ୟ ସ୍ଥାନରେ ବିପ୍ଳବିବାହିନୀର ଅବସ୍ଥା ମଧ୍ୟ ସେହିପରି । ଅନେକ ଦିନ ପୂର୍ବରୁ ଦିଲ୍ଲୀ ପୁନର୍ବାର ଇଂରେଜମାନଙ୍କଦ୍ୱାରା ଅଧିକୃତ ହୋଇଅଛି । ବେରିଲି, ଲକ୍ଷ୍ନୌ, କାନପୁର ଇତ୍ୟାଦି ବିପ୍ଳବର କେନ୍ଦ୍ରସ୍ଥଳଗୁଡ଼ିକ ମଧ୍ୟ ସେମାନଙ୍କର ହସ୍ତଗତ ହୋଇସାରିଛି । ସର୍ବୋପରି ଇଂରେଜମାନେ ଇଂଲଣ୍ଡରୁ ନୂତନ ସୈନ୍ୟ ଓ ନୂତନ ଅସ୍ତ୍ରଶସ୍ତ୍ର ଆମଦାନୀ କରି ଯଥେଷ୍ଟ ଶକ୍ତିଶାଳୀ ହୋଇ ଉଠିଛନ୍ତି ଏବଂ ତାତିଆଙ୍କୁ ବ୍ୟୂହଭିତରେ ପକାଇ ଜୀବିତ ଅବସ୍ଥାରେ ବନ୍ଦୀ କରିବାକୁ ସକଳ ପ୍ରକାର ଉଦ୍ୟମ କରୁଛନ୍ତି ।

 

ଭବିଷ୍ୟତ ଏହିପରି ଅନ୍ଧକାରମୟ, ତଥାପି ଦେଶପ୍ରୀତିର ଉନ୍ମାଦନାରେ ତାତିଆ ନୂତନ ଯୋଜନା ଅନୁସାରେ ଶିବାଜୀଙ୍କ ଗରିଲା-ଯୁଦ୍ଧ ରୀତି ଅବଲମ୍ୱନ କଲେ । ଶତ୍ରୁ ସଙ୍ଗେ ଯଥାସମ୍ଭବ ସମ୍ମୁଖଯୁଦ୍ଧ ଏଡ଼ାଇ, ସୁଯୋଗ ଦେଖି ସେମାନଙ୍କୁ ହଠାତ୍ ପୃଷ୍ଠଭାଗରୁ ଆକ୍ରମଣ କରିବା ଏହା ପରଠାରୁ ତାଙ୍କର ନୀତି ହେଲା । ମଧ୍ୟେ ମଧ୍ୟେ ବିପ୍ଳବିବାହିନୀ ପାଇଁ କମାଣ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର, ଖାଦ୍ୟସାମଗ୍ରୀ ଓ ଅର୍ଥସଂଗ୍ରହ ଉଦ୍ଦେଶ୍ୟରେ ସେ ମଧ୍ୟଭାରତର ଧନୀ, ଜମିଦାର ଓ ରାଜା ମହାରାଜାମାନଙ୍କ ବିରୁଦ୍ଧରେ ମଧ୍ୟ ଆକ୍ରମଣ କରୁଥାନ୍ତି ।

 

ତାତିଆଙ୍କ ଭଳି ବିଚକ୍ଷଣ ସେନାପତି କେବଳ ଏହି ରଣକୌଶଳ ପରିବର୍ତ୍ତନରେ ସନ୍ତୁଷ୍ଟ ନ ହୋଇ ନୂତନ ଏକ ରଣନୀତି ଗ୍ରହଣ କଲେ । ପୂର୍ବେ କାନପୁର, ଗୋଆଲିଅର ଓ ଝାନ୍‍ସିକୁ କେନ୍ଦ୍ରକରି ଦକ୍ଷିଣ-ଭାରତ ଆଡ଼କୁ ଅଗ୍ରସର ହେବା ତାଙ୍କର ଲକ୍ଷ୍ୟ ଥିଲା । ବର୍ତ୍ତମାନ ସେ ସବୁ କେନ୍ଦ୍ର ବିପ୍ଳବୀମାନଙ୍କ ହସ୍ତଚ୍ୟୁତ ହୋଇଯିବାରୁ ମହାରାଷ୍ଟ୍ରରେ ବିଦ୍ରୋହ-ବହ୍ନି ଜଳାଇ ସେଠାରେ ଏକ ଶକ୍ତିକେନ୍ଦ୍ର ସ୍ଥାପନ କରିବା ତାଙ୍କର ଲକ୍ଷ୍ୟ ହେଲା । ଇଂରେଜମାନେ ଗୁପ୍ତଚର-ମୁଖରୁ ତାଙ୍କ ଗତିବିଧିର ସନ୍ଧାନ ପାଇ ହଠାତ୍ ଦିନେ ଗୋଳିଆଲିଅରଠାରୁ ୨୦ ମାଇଲ ପଶ୍ଚିମରେ ଥାଇ ତାଙ୍କ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କଲେ । ଏହି ଆକସ୍ମିକ ଆକ୍ରମଣରେ ଇଂରେଜମାନେ ତାଙ୍କୁ ବନ୍ଦୀ କରିବେ ବୋଲି ଦୃଢ଼ ଆଶା କରିଥିଲେ; କିନ୍ତୁ ଅତି ଅଦ୍ଭୁତଭାବରେ ତାତିଆ ସେମାନଙ୍କ ବ୍ୟୂହ ଭେଦକରି ଖସିଗଲେ ।

 

ଏହା ପରେ ଅସ୍ତ୍ରଶସ୍ତ୍ର, ଖାଦ୍ୟସାମଗ୍ରୀ ଓ ଅର୍ଥସଂଗ୍ରହ ପାଇଁ ତାତିଆ ଜୟପୁର ଅଧିକାର କରିବାକୁ ମନସ୍ଥ କଲେ; କାରଣ ପୂର୍ବରୁ ସେ ବିଶ୍ୱସ୍ତ ସୂତ୍ରରୁ ଶୁଣିଥିଲେ ଯେ, ମହାରାଜା ଇଂରେଜମାନଙ୍କ ଦାସତ୍ୱ ସ୍ୱୀକାର କରିଥିଲେହେଁ ପ୍ରଜାପୁଞ୍ଜ, ସେନାବାହିନୀ ଓ ପୁଲିସ ବିପ୍ଳବ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । କିନ୍ତୁ ଏ ସମ୍ୱାଦ ଇଂରେଜମାନଙ୍କ କର୍ଣ୍ଣଗୋଚର ହେଲାମାତ୍ରେ ସେମାନେ ତାତିଆଙ୍କ ଉଦ୍ଦେଶ୍ୟକୁ ପଣ୍ଡ କରିଦେବା ପାଇଁ ଜୟପୁର ଅଧିକାର କରିନେଲେ । ତାତିଆ ସେତେବେଳକୁ ଜୟପୁରରେ ଉପନୀତ ହେବାକୁ ଆଉ ୬୦ ମାଇଲ ମାତ୍ର ଅବଶିଷ୍ଟ ଥାଏ । ଜୟପୁରରେ ଇଂରେଜବାହିନୀର ଆସ୍ଥାନ ପ୍ରତିଷ୍ଠା ସଂବାଦ ପାଇ ସଙ୍ଗେ ସଙ୍ଗେ ସେ ଟଙ୍କ ଅଭିମୁଖରେ ଯାତ୍ରାକଲେ । ତାଙ୍କୁ ବାଧା ଦେବାପାଇଁ ଟଙ୍କର ନବାବ ଚାରେଟି କମାଣ ସହିତ ଦଳେ ସୈନ୍ୟ ପ୍ରେରଣ କଲେ; କିନ୍ତୁ ତାତିଆଙ୍କ ଦେଶପ୍ରୀତିରେ ପ୍ରଭାବିତ ହୋଇ ଉକ୍ତ ସୈନ୍ୟଦଳଟି କମାଣ ଓ ଅସ୍ତ୍ରଶସ୍ତ୍ର ସହିତ ତାଙ୍କ ସଙ୍ଗେ ବିପ୍ଳବରେ ଯୋଗଦେଲା ।

 

ତାତିଆ ଏହା ଫଳରେ ଅଧିକ ଶକ୍ତିଶାଳୀ ହୋଇ ନୂତନ ଉତ୍ସାହରେ ଦକ୍ଷିଣାଭିମୁଖରେ ଯାତ୍ରାକଲେ । ଇତିମଧ୍ୟରେ ସେନାପତି ରବର୍ଟସ ଓ ହୋମ୍‍ସ ଦୁଇ ପଟୁ ଦୁଇଟି ଇଂରେଜବାହିନୀ ଘେନି ଟାଙ୍କରେ ଉପସ୍ଥିତ ହେଲେ; ମାତ୍ର ଯେତେ ଚେଷ୍ଟା କଲେ ସୁଦ୍ଧା ତାତିଆଙ୍କର କୌଣସି ସନ୍ଧାନ ପାଇଲେ ନାହିଁ ।

 

ତାତିଆ ଇତିମଧ୍ୟରେ ଦକ୍ଷିଣାଭିମୁଖରେ ଶତ ଶତ କ୍ରୋଶ ଅତିକ୍ରମ କରି ଶେଷରେ ଉଦୟପୁର ରାଜ୍ୟର ଭିଲଉଆରା ନାମକ ସ୍ଥାନରେ ଉପନୀତ ହେଲେ । ସେଠାରେ ରବର୍ଟସ୍ ଓ ହୋମ୍‍ସ ତାଙ୍କ ଗତିରୋଧ ପାଇଁ ପୂର୍ବରୁ ସୈନ୍ୟସମାବେଶ କରି ଅପେକ୍ଷା କରିଥିଲେ । ବାଧ୍ୟ ହୋଇ ତାତିଆଙ୍କୁ ଇଂରେଜବାହିନୀ ସଙ୍ଗେ ସନ୍ଧ୍ୟାପର୍ଯ୍ୟନ୍ତ ସମ୍ମୁଖ-ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ପଡ଼ିଲା । ରାତ୍ରି ଆସିଲାମାତ୍ରେ ଅନ୍ଧକାରର ଘନ ଯବନିକା ଭିତରେ ସେ ଅନୁଚରମାନଙ୍କ ସହ ଏପରି କୌଶଳରେ କେଉଁଆଡ଼େ ଅନ୍ତର୍ହିତ ହୋଇଗଲେ ଯେ, ଇଂରେଜସେନା ତାର କୌଣସି ଅନ୍ତ ପାଇପାରିଲେ ନାହିଁ ।

 

ଯାହାହେଉ ତାତିଆ ଏଥର ଅନୁଭବ କଲେ ଯେ, ଇଂରେଜମାନେ ଚତୁର୍ଦ୍ଦିଗରେ ତାଙ୍କ ପାଇଁ ବ୍ୟୂହ ରଚନା କରିଛନ୍ତି । ଯେଉଁ ଦିଗକୁ ଯିବା ପାଇଁ ସେ ଚେଷ୍ଟା କରିବେ, ସେ ଦିଗରେ ଶତ୍ରୁସୈନ୍ୟ ତାଙ୍କ ଗତିରୋଧ ପାଇଁ ପ୍ରସ୍ତୁତ ଅଛନ୍ତି । ଆରାବଳୀ ପର୍ବତମାଳା-ପରିବେଷ୍ଟିତ ରାଜସମନ୍ଦ ହ୍ରଦକୂଳରେ କାଂକ୍ରୋଲି ନିକଟରେ ଇଂରେଜବାହିନୀ ଅଗଷ୍ଟ ମାସ ୧୩ ଓ ୧୪ ତାରିଖରେ ପୁଣି ତାଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କଲେ । ଅବସ୍ଥା ଏପରି ହେଲା ଯେ, ତାତିଆ ଇଂରେଜମାନଙ୍କ ହସ୍ତରୁ ମୁକ୍ତିର କୌଣସି ଆଶା ଦେଖିଲେ ନାହିଁ । ବନ୍ଦୀ ହେବା ଅପେକ୍ଷା ପ୍ରାଣପାତ ଯୁଦ୍ଧରେ ଶତ୍ରୁସୈନ୍ୟଙ୍କୁ ନିପାତ କରିବାକୁ ସେ ଉଚିତ ମନେକଲେ । ଚାରୋଟି ମାତ୍ର ଛୋଟ କମାଣ ଘେନି ସେ ପର୍ବତର ଉପରିଭାଗରେ ଏପରି ଏକ ସ୍ତାନରେ ଘାଟୀ ସ୍ଥାପନ କଲେ ଯେ, ଇଂରେଜମାନଙ୍କ ବଡ଼ ବଡ଼ କମାଣ ବିଶେଷ କିଛି କୃତିତ୍ୱ ଦେଖାଇ ପାରିଲା ନାହିଁ । ଅଳ୍ପ କେତେକ ବିପ୍ଳବୀ ସେନାଙ୍କୁ ଘେନି ସମଗ୍ର ଦିନଟିଯାକ ଏହିରୂପେ ଇଂରେଜବାହିନୀକୁ ଯୁଦ୍ଧରେ ବ୍ୟସ୍ତ ରଖି ତାତିଆ ଅଧିକାଂଶ ସେନା ସହିତ ନଦୀ ସନ୍ତରଣ କରି ପୁନର୍ବାର କେଉଁଆଡ଼େ ଅଦୃଶ୍ୟ ହୋଇଗଲେ । କିନ୍ତୁ କମାଣ ଓ ଅସ୍ତ୍ରଶସ୍ତ୍ର ସବୁ ତାଙ୍କୁ ନଦୀର ଅପର ପାର୍ଶ୍ୱରେ ଛାଡ଼ି ଆସିବାକୁ ହେଲା ।

 

ଏହା ପରେ ସେ ରିକ୍ତହସ୍ତରେ ପୁନର୍ବାର ନର୍ମଦା ନଦୀଅଭିମୁଖରେ ଅଗ୍ରସର ହେଲେ । କେଉଁଠାରେ ଶତ୍ରୁକୁ ଏଡ଼ାଇ, ଆଉ କେଉଁଠାରେ ଅବା ଖଣ୍ଡଯୁଦ୍ଧରେ ଶତ୍ରୁର ସମ୍ମୁଖୀନ ହୋଇ ଦୁର୍ଗମ ବନଜଙ୍ଗଲରେ ଦୀର୍ଘ ଦୁଇଶତ ମାଇଲ ଇତସ୍ତତଃ ପ୍ରଚ୍ଛନ୍ନ ରହିଲା ପରେ ଶେଷରେ ସେ ଅଗଷ୍ଟ ମାସ ୨୦ ତାରିଖରେ ଚମ୍ୱଲ ନଦୀକୂଳରେ ଉପସ୍ଥିତ ହେଲେ ।

 

ସେତେବେଳକୁ ତାଙ୍କ ପଶ୍ଚାଦ୍‍ଭାଗରେ ଦୁଇଟି ଏବଂ ସମ୍ମୁଖଭାଗରେ ନଦୀର ଅପର ତୀରରେ ତିନୋଟି ଇଂରେଜବାହିନୀ ଜଗି ରହିଥାନ୍ତି । ଅନନ୍ୟୋପାୟ ତାତିଆ ପୂର୍ଣ୍ଣଗର୍ଭା ସେହି ନଦୀକୁ ସନ୍ତରଣ କରି ଶତ୍ରୁସୈନ୍ୟଙ୍କ ଆଖିରେ ଧୂଳି ଦେଇ ଝାଲୋୟାର ରାଜ୍ୟର ରାଜଧାନୀରେ ଉପସ୍ଥିତ ହେଲେ । ଏ ରାଜ୍ୟର ରାଜା ରାଣା ପୃଥ୍ୱୀସିଂହ ଅତିମାତ୍ରାରେ ଇଂରେଜଭକ୍ତ ଥିବାରୁ ତାତିଆଙ୍କୁ ପ୍ରତିରୋଧ ପାଇଁ ସୈନ୍ୟ ପ୍ରେରଣ କଲେ; କିନ୍ତୁ ଫଳ ବିପରୀତ ହେଲା । ସେହି ସୈନ୍ୟମାନେ ତାତିଆଙ୍କ ବିରୁଦ୍ଧାଚରଣ ନ କରି ତାଙ୍କ ସଙ୍ଗେ ଯୋଗଦେଲେ ଓ ସେଠାରେ ବିପ୍ଳବର ପତାକା ଉଡ଼ାଇ ରାଜଧାନୀ ଝଲରାପତନ ଆଡ଼କୁ ପ୍ରଧାବିତ ହେଲେ । ରାଜା ଏହା ଦେଖି ପ୍ରମାଦ ଗଣନାକଲେ । ଏହିଠାରେ ୩୦ଟି କମାଣ, ୧୫ ଲକ୍ଷ ଟଙ୍କା, ୫୦୦୦ ନୂତନ ସୈନ୍ୟ, ପ୍ରଚୁର ଖାଦ୍ୟସାମଗ୍ରୀ ଓ ବହୁ ଅସ୍ତ୍ରଶସ୍ତ୍ର ତାତିଆଙ୍କର ହସ୍ତଗତ ହେଲା ।

 

ପାଞ୍ଚୋଟି ଦିନ ବିଶ୍ରାମ କଲାପରେ ତାତିଆ ଏଠାରୁ ସୈନ୍ୟ ସାମନ୍ତାଦି ସହ ରାୟଗଡ଼ ବାଟେ ଇନ୍ଦୋର ଯିବାପାଇଁ ସେପ୍ଟେମ୍ୱର ମାସ ଆରମ୍ଭରେ ଝଲରାପତନ ତ୍ୟାଗ କଲେ । କିନ୍ତୁ ନାନାକାରଣରୁ ରାୟଗଡ଼ରେ ଉପସ୍ଥିତ ହେବାରେ ତାଙ୍କର ଅଯଥା ଦୁଇ ସପ୍ତାହ ବିଳମ୍ୱ ହୋଇଗଲା-। ସେହି ଅବସରରେ ଇଂରେଜମାନେ ନିଜ ସେନାବାହିନୀକୁ ପୁନର୍ଗଠିତ କରି ତାତିଆଙ୍କ ପାଇଁ ବ୍ୟୂହ ରଚନା କରିବାକୁ ପୁନର୍ବାର ସୁଯୋଗ ପାଇଲେ । ରବର୍ଟସ୍ ଓ ହୋମ୍‍ସଙ୍କ ସମେତ ବହୁ ଇଂରେଜ ସେନାପତି ନିଜ ନିଜର ସେନାଦଳ ଘେନି ତାତିଆଙ୍କର ଅନୁଧାବନ କଲେ-। ସେପ୍ଟେମ୍ୱର ୧୪ ତାରିଖରେ ଗ୍ରାଣ୍ଡ ଟ୍ରଙ୍କ୍ ରୋଡ଼ ନିକଟରେ ସେନାପତି ମିଚେଲ୍‍ଙ୍କ ସେନାଦଳ ତାତିଆଙ୍କ ସଙ୍ଗେ ସମ୍ମୁଖ-ଯୁଦ୍ଧ ଆରମ୍ଭ କରିଦେଲେ; କିନ୍ତୁ ତାତିଆଙ୍କ କମାଣର ଗୋଳାବର୍ଷଣ ସହି ନ ପାରି ପରାଜିତ ହେଲେ ।

 

ଏହାପରେ ତାତିଆ ଏସାଗଡ଼ ରାଜ୍ୟ ଆକ୍ରମଣ କଲେ ଏବଂ ସେଠାରୁ କେତେକ ଅସ୍ତ୍ରଶସ୍ତ୍ର ସଂଗ୍ରହପୂର୍ବକ ଚନ୍ଦେରୀ ଅଭିମୁଖରେ ଅଗ୍ରସର ହେଲେ । କିନ୍ତୁ କ୍ରମାଗତ ତିନି ଦିନକାଳ ଯୁଦ୍ଧ କରି ଶ୍ରାନ୍ତ କ୍ଲାନ୍ତ ହୋଇଥିବାରୁ ଚନ୍ଦେରୀ ଦୁର୍ଗ ଅଧିକାର କରିବା ତାଙ୍କ ପକ୍ଷରେ ସମ୍ଭବପର ହେଲାନାହିଁ । ଏଠାରୁ ଗତିପଥ ବଦଳାଇ ସେ ବେତୋଆ ନଦୀ ଆଡ଼କୁ ଯାଉଥିଲାବେଳେ ଅକ୍ଟୋବର ମାସ ୧୦ ତାରିଖ ଦିନ ଇଂରେଜବାହିନୀ ପୁନର୍ବାର ତାଙ୍କୁ ମଙ୍ଗୋଲି ନାମକ ସ୍ଥାନରେ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ । ଏ ବ୍ୟୂହ ଭେଦ କରିବା ପାଇଁ ତାତିଆ ଦିନସାରା ସମ୍ମୁଖ-ଯୁଦ୍ଧ ଚଳାଇଲେ ଏବଂ ରାତ୍ରିର ନିବିଡ଼ ଅନ୍ଧକାର ଭିତରେ ନିଜର ସମଗ୍ର ବାହିନୀକୁ ନଦୀ ପାର କରାଇ ଲଳିତପୁରକୁ ପଳାୟନ କଲେ । କମାଣଗୁଡ଼ିକୁ ସଙ୍ଗରେ ଆଣିବାର ସୁବିଧା ନ ଥିବାରୁ ବାଧ୍ୟ ହୋଇ ନଦୀଗର୍ଭରେ ସେସବୁ ଫିଙ୍ଗିଦେବାକୁ ପଡ଼ିଲା; କିନ୍ତୁ ଲଳିତପୁରରେ ଉପସ୍ଥିତ ହେଲାମାତ୍ରେ ସେଠାରୁ ପୁଣି ଚାରୋଟି କମାଣ ତାଙ୍କର ହସ୍ତଗତ ହେଲା ।

 

ଏହାପରେ ତାତିଆ ତାଙ୍କ ଅନ୍ତର୍ଦୃଷ୍ଟିବଳରେ ଦେଖିଲେ, ଧୂରନ୍ଧର ଇଂରେଜ ସେନାପତିମାନେ ତାଙ୍କ ଚତୁର୍ଦ୍ଦିଗରେ ପୁନର୍ବାର ବ୍ୟୂହ ରଚନା କରିବାରେ ଲାଗିଲେଣି । ସେହି ବ୍ୟୂହ ଭେଦ କରି ତାଙ୍କୁ କୌଣସିମତେ ନର୍ମଦା ଅଭିମୁଖରେ ଯାତ୍ରା କରିବାକୁ ହେବ; ତେଣୁ ସେ ପରିଚିତ ପଥ ପରିତ୍ୟାଗ କରି ବନଗିରିସଙ୍କୁଳ ଦୁର୍ଗମ ପତରେ ଗନ୍ତବ୍ୟ ସ୍ଥାନକୁ ବାହାରିଲେ । ଏତେ ଚତୁରତା ସତ୍ତ୍ୱେ କୁରାଇ ନାମକ ଏକ କ୍ଷୁଦ୍ର ଗ୍ରାମ ନିକଟରେ ବେତୋଆ ନଦୀର ୨୫ ମାଇଲ ପଶ୍ଚିମରେ ଇଂରେଜବାହିନୀ ପୁଣି କାହୁଁ ଆସି ତାଙ୍କ ପଥ ରୁଦ୍ଧକଲେ । ସାହସର ସହିତ ଏଠାରେ ମଧ୍ୟ ତାତିଆ ଇଂରେଜବାହିନୀର ସମ୍ମୁଖୀନ ହେଲେ ଏବଂ ଯୁଦ୍ଧରେ ଶତ୍ରୁପକ୍ଷର ବହୁ କ୍ଷତି ସାଧନ କରି ରଜନୀର ଘନ ଅନ୍ଧକାର ମଧ୍ୟରେ ଦଳବଳ ସହ ପୁଣି କୁଆଡ଼େ ଅଦୃଶ୍ୟ ହୋଇଗଲେ-

 

ଏହା ଅକ୍ଟୋବର ମାସ ୨୫ ତାରିଖର ଘଟନା । ପରଦିନ ତାତିଆ ବାଗରୋଜ ନାମକ ସ୍ଥାନରେ ଉପସ୍ଥିତ ହୋଇ ପୁନର୍ବାର ଏକ ଇଂରେଜବାହିନୀକୁ ଭେଟିଲେ । ହଠାତ୍ ତାଙ୍କ ପ୍ରଚଣ୍ଡ ଆକ୍ରମଣରେ ଇଂରେଜସେନା ଛତ୍ରଭଙ୍ଗ ଦେଲେ ଏବଂ ସେହି ସୁଯୋଗରେ ତାତିଆ ଦଳବଳ ସହ ସେଠାରୁ ଅତି ଦ୍ରୂତଗତିରେ ଦୀର୍ଘ ୩୫ ମାଇଲ ପଥ ଅତିକ୍ରମ କଲେ । ଏହିରୂପେ ଇଂରେଜ ବାହିନୀର ସମସ୍ତ ଚେଷ୍ଟା ପଣ୍ଡକରି ସେ ପରଦିନ ଅକ୍ଟୋବର ୨୭ ତାରିଖରେ ହୋସଙ୍ଗରାବାଦର ୪୦ ମାଇଲ ପଶ୍ଚିମରେ ନର୍ମଦା ନଦୀ ପାର ହୋଇଗଲେ । ଇଂରେଜ ସରକାର ଏ ସମ୍ୱାଦ ପାଇ ଯେପରି ବିସ୍ମିତ ହେଲେ, ସେହିପରି ତାଙ୍କ ଅପୂର୍ବ ଅଧ୍ୟବସାୟ ଓ ରଣନୈପୁଣ୍ୟର ଭୂୟସୀ ପ୍ରଶଂସା କଲେ ।

 

ନିଜର ବିପ୍ଳବିବାହିନୀକୁ ଘେନି ତାତିଆ ଏବେ ଯେଉଁ ସ୍ଥାନରେ ପଦାର୍ପଣ କଲେ, ତାହା ତିନୋଟି ପ୍ରଦେଶର ସନ୍ଧିସ୍ଥଳ । ୧୮୫୩ରେ ଯେଉଁ ନାଗପୁର ପ୍ରଦେଶକୁ ଇଂରେଜମାନେ ତାଙ୍କ ଅଧିକାରଭୁକ୍ତ କରିଥିଲେ, ତାହା ଏ ସ୍ଥାନର ପୂର୍ବରେ ଅବସ୍ଥିତ । ଦକ୍ଷିଣରେ ନିଜାମଙ୍କ ହାଇଦରାବାଦ ରାଜ୍ୟ ଏବଂ ପଶ୍ଚିମରେ ମହାରାଷ୍ଟ୍ର ପ୍ରଦେଶ । ତାତିଆଙ୍କ ପରି ଜଣେ ରଣନୀତି-କୁଶଳ ମହାରାଷ୍ଟ୍ରୀୟ ସେନାପତି ଏଭଳି ଏକ ସନ୍ଧିସ୍ଥଳରେ, ଏହା ଶୁଣିଲାମାତ୍ରେ ଇଂରେଜ ସେନାପତିମାନଙ୍କ ପ୍ରାଣରେ ଆତଙ୍କ ଖେଳିଗଲା ।

 

ଇତିମଧ୍ୟରେ ମାନ୍ଦ୍ରାଜ ଓ ବମ୍ୱେର ଇଂରେଜ ସରକାର ଅବଶ୍ୟ ନିଷ୍କ୍ରିୟ ହୋଇ ରହି ନ ଥିଲେ । ଚତୁର୍ଦ୍ଦିଗରୁ ସୈନ୍ୟ ପ୍ରେରଣ କରି ସେମାନେ ତାତିଆଙ୍କ ଗତିରୋଧ କରିବାପାଇଁ ପ୍ରବଳ ଉଦ୍ୟମ କଲେ । କିନ୍ତୁ ସେମାନଙ୍କ ସମସ୍ତ ଚେଷ୍ଟାକୁ ବିଫଳ କରି ତାତିଆ ପରିଶେଷରେ ନର୍ମଦା ନଦୀର ୧୦ମାଇଲ ଦକ୍ଷିଣରେ ଅବସ୍ଥିତ କୁରଗାଁଓ ଗିରିବର୍ତ୍ମ ନିକଟରେ ଉପସ୍ଥିତ ହେଲେ । ଏହାକୁ ଅତିକ୍ରମ କଲେ ସେ ଖାନ୍ଦେଶରେ ପଦାର୍ପଣ କରିବେ; କିନ୍ତୁ ସାର୍ ହିଉଗ୍ ରୋଜ୍ ଏକ ବିରାଟ ଇଂରେଜବାହିନୀ ଘେନି ଏହି ଗିରିବର୍ତ୍ମକୁ ରକ୍ଷା କରୁଥିଲେ । ତେଣୁ ତାତିଆ ପୁନର୍ବାର ନର୍ମଦା ଅତିକ୍ରମ କରି ବରୋଦା ରାଜ୍ୟ ଅଧିକାର କରିବା ଉଦ୍ଦେଶ୍ୟରେ ଯାତ୍ରାକଲେ । ଇଂରେଜବାହିନୀ ସର୍ବତ୍ର ତାଙ୍କୁ ଅନୁସରଣ କରି ତାଙ୍କ ଉଦ୍ଦେଶ୍ୟକୁ ମଧ୍ୟ ବିଫଳ କରିଦେଲେ ।

 

ବରୋଦା ପରେ ତାତିଆ ମାଳବ, ରାଜପୁତନା ଓ ମଧ୍ୟଭାରତର ବହୁତ ଅଞ୍ଚଳ ଏକ ପରେ ଏକ ଅଧିକାର କରୁଥାନ୍ତି; କିନ୍ତୁ ପରେ ଇଂରେଜବାହିନୀର ପ୍ରତି-ଆକ୍ରମଣରେ ସେ ସବୁ ପରିତ୍ୟାଗ କରି ଅନ୍ୟତ୍ର ପ୍ରସ୍ଥାନ କରୁଥାନ୍ତି । ଏହିରୂପେ ବହୁ ଯୁଦ୍ଧକ୍ଷେତ୍ରରେ ଇଂରେଜ ସୈନ୍ୟଙ୍କୁ ପରାସ୍ତ କରି ଏବଂ ବହୁ ସ୍ଥାନରେ ଚତୁରତାର ସହିତ ଇଂରେଜବାହିନୀର ବ୍ୟୂହ ଭେଦକରି ଶେଷରେ ତାତିଆ ୧୮୫୯ ମସିହା ଏପ୍ରିଲମାସରେ ଗୋଆଲିଅରର ବିପ୍ଳବୀ ସର୍ଦ୍ଦାର ମାନସିଂହଙ୍କ ସାହାଯ୍ୟରେ ଆଉ ଏକ ନୂତନ ସେନାଦଳ ସଂଗ୍ରହପାଇଁ ଚେଷ୍ଟା କଲେ । ମାତ୍ର ଏହି ମାନସିଂହଙ୍କ ସଙ୍ଗେ ସଖ୍ୟସ୍ଥାପନ ହିଁ ତାତିଆଙ୍କ ଜୀବନରେ ପତନକୁ ନିମନ୍ତ୍ରଣ କରି ଆଣିଲା ।

 

କେତେକ ସମ୍ମୁଖ ଯୁଦ୍ଧରେ ତାତିଆଙ୍କୁ ପରାସ୍ତ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀ କରିବା ଇଂରେଜମାନଙ୍କ ପକ୍ଷରେ ଅସମ୍ଭବ ହୋଇଥିଲା । ତେଣୁ ସେମାନେ ଉଦ୍ଦେଶ୍ୟ ସାଧନ ପାଇଁ ରାଜ୍ୟଲୋଭ ଦେଖାଇ ମାନସିଂହଙ୍କୁ କରଗତ କଲେ । ଦିନେ ଦୁଇ ଜଣ ମାତ୍ର ଅନୁଚରଙ୍କ ସହ ତାତିଆ ଏକ ବନାନୀ ଗର୍ଭରେ ଗଭୀର ନିଦ୍ରାରେ ମଗ୍ନ । ନିଶୀଥର ନିସ୍ତବ୍ଧତା ଭିତରେ ଦେଶ ଓ ଜାତି ପାଇଁ ଭବିଷ୍ୟତର କି ସ୍ୱପ୍ନ ସେ ଦେଖୁଥିଲେ କେଜାଣି ! ବିଶ୍ୱାସଘାତକ ମାନସିଂହ କେତେ ଜଣ ଇଂରେଜସେନା ଘେନି ତାଙ୍କ ନିକଟରେ ଉପସ୍ଥିତ ହେଲା ଏବଂ ଇଂରେଜ ପ୍ରଭୁମାନଙ୍କ ପରାମର୍ଶ ଅନୁସାରେ ତାଙ୍କୁ ଚିହ୍ନାଇଦେଇ ବନ୍ଦୀ କରିବାକୁ ଇଙ୍ଗିତ ଦେଲା । ୧୮୫୯ମସିହା ଏପ୍ରିଲ ୭ ତାରିଖ ଅର୍ଦ୍ଧରାତ୍ର ଏ ନିଷ୍ଠୁର ବିଶ୍ୱାସଘାତକତାରେ ଥରି ଉଠିଥିଲା । ନିଦ୍ରାଭଙ୍ଗପରେ ତାତିଆ ଦେଖିଲେ, ଦେଶ ଓ ଜାତିର ଚିରଶତ୍ରୁ ଇଂରେଜମାନଙ୍କ ହାତରେ ସେ ବନ୍ଦୀ ।

 

ପରଦିନ ଏକ ସାମରିକ ଅଦାଲତରେ ରାଜଦ୍ରୋହ ଅପରାଧରେ ତାତିଆଙ୍କର ବିଚାର ଆରମ୍ଭ ହେଲା । ବ୍ରିଟିଶ ଶକ୍ତି ବିରୁଦ୍ଧରେ ରାଜଦ୍ରୋହ ଅଭିଯୋଗର ଲିଖିତ ଉତ୍ତର ଦେବାକୁ ଯାଇ ସେ ବିରୋଚିତ ଗର୍ବ ଓ ଦମ୍ଭ ଦେଖାଇ କହିଲେ, ‘‘ମୋର ପ୍ରଭୁ ପେଶବା ନାନାସାହେବଙ୍କ ଆଦେଶ ଅନୁସାରେ ଦେଶ, ଜାତି ଓ ଧର୍ମପାଇଁ ମୁଁ ନ୍ୟାୟଯୁଦ୍ଧ କରିଛି । ରଣକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମୁଁ କିମ୍ୱା ମୋର ପ୍ରଭୁ ନାନାସାହେବ କେହି ସ୍ତ୍ରୀ, ବାଳକ ବା ପୁରୁଷହତ୍ୟାରେ ବୀରଧର୍ମକୁ କଳଙ୍କିତ କରିନାହୁଁ । ବର୍ତ୍ତମାନ ଏଠାରେ ଯେଉଁ ବିଚାର ପ୍ରହସନ ହେଉଛି, ସେଥିରେ ମୁଁ କୌଣସି ଅଂଶ ଗ୍ରହଣ କରିବାକୁ ଇଚ୍ଛା କରୁନାହିଁ ।’’

 

ଏପ୍ରିଲ ୧୮ତାରିଖରେ ତାତିଆଙ୍କ ବିଚାର ଶେଷହେଲା ଏବଂ ଅପରାହ୍ନ ଚାରିଟା ବେଳକୁ ତାଙ୍କୁ ପ୍ରାଣଦଣ୍ଡରେ ଦଣ୍ଡିତ କରାଗଲା । ଫାଶୀମଞ୍ଚରେ ବୀରପରି ଠିଆହୋଇ ସହାସ୍ୟବଦନରେ ସେ ଶାସକ-ସମ୍ପ୍ରଦାୟକୁ ଅନୁରୋଧ କଲେ, ‘‘ସ୍ୱଦେଶ ଓ ସ୍ୱଧର୍ମ ପାଇଁ ଯାହା କରିଛି, ସେଥିପାଇଁ ମୁଁ ନିଜେ ଦାୟୀ—ସେଥିରେ ମୋ ପରିବାରର ଅନ୍ୟ କାହାରି ଲେଶମାତ୍ର ସମ୍ପର୍କ ବା ପ୍ରଭାବ ନାହିଁ । ତେଣୁ ମୋ ବୃଦ୍ଧ ପିତାଙ୍କୁ ଏ ବିପ୍ଳବରେ ସଂପୃକ୍ତ ବୋଲି ଭାବି ତାଙ୍କ ପ୍ରତି ଯେପରି କୌଣସି ପୀଡ଼ନ ବା ଦଣ୍ଡାଦେଶ କରା ନ ଯାଏ ।’’

 

ଗଳାରେ ଫାଶ ଲଗାଇବା ପୂର୍ବରୁ ଘାତକ ଯେତେବେଳେ ତାଙ୍କ ହସ୍ତପଦ ବନ୍ଧନ କରିବାକୁ ଉଦ୍ୟତ ହେଲା, ସେତେବେଳେ ଏସବୁ ଗତାନୁଗତିକ ରୀତିପାଳନର କୌଣସି ଆବଶ୍ୟକତା ନାହିଁ ବୋଲି କହି ତାତିଆ ନିଜ ଗଳାରେ ନିଜେ ଫାଶ ଲଗାଇଦେଲେ । ଚାହୁଁ ଚାହୁଁ ନିମେଷକ ମଧ୍ୟରେ ସବୁ ଶେଷ ହୋଇଗଲା ।

 

ତାତିଆଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ଭାରତରେ ଇଂରେଜମାନଙ୍କ ସଙ୍ଗେ ପ୍ରଥମ ସ୍ୱାଧୀନତା-ଯୁଦ୍ଧର ଶେଷ ଯବନିକାପାତ ହେଲା ଏବଂ ଇଂରେଜ ରାଜଶକ୍ତି ଧ୍ୱଂସମୁଖରୁ ରକ୍ଷାପାଇ ପୁନର୍ବାର ଶହେ ବର୍ଷ ପର୍ଯ୍ୟନ୍ତ ଭାରତର ପରାଧୀନତା-ଶୃଙ୍ଖଳକୁ ଦୃଢ଼ରୁ ଦୃଢ଼ତର କରିବାର ସୁଯୋଗ ପାଇଲା ।

Image

 

ବୀର ବାଘା ଯତୀନ୍

 

ରେଳପଥରେ କଲିକତାରୁ ଦାର୍ଜିଲିଂ ଯିବାବେଳେ ଶିଲିଗୁଡ଼ି ନାମକ ଗୋଟିଏ ଷ୍ଟେସନ୍ ପଡ଼େ । ଥରେ ସେହି ଷ୍ଟେସନରେ ଗାଡ଼ି ବନ୍ଦ ହେଲା ପରେ ଜଣେ ଯୁବକଯାତ୍ରୀ ଜଳପାତ୍ର ହସ୍ତରେ ଡବାଭିତରୁ ବାହାରି ଆସିଲା । ସେ ତୃଷାର୍ତ୍ତ ହୋଇଥିବାରୁ ପାନୀୟ ଜଳ ସଂଗ୍ରହ କରିବାକୁ ଗଲା ଏବଂ ଜଳ ଘେନି କ୍ଷିପ୍ରପଦରେ ପୁଣି ଡବାକୁ ବାହୁଡ଼ି ଆସିଲା । ଚାରିଜଣ ଶ୍ୱେତାଙ୍ଗ ସୈନିକ ସେତେବେଳେ ପ୍ଲାଟଫର୍ମରେ ପଦଚାରଣ କରୁଥିଲେ । ଜଣେ ବଳିଷ୍ଠ ଭାରତୀୟ ଯୁବକର ଏପରି ସଦମ୍ଭ ପଦକ୍ଷେପ ସେମାନଙ୍କୁ ଅସହ୍ୟବୋଧ ହେଲା । ତହୁଁ ସେମାନଙ୍କ ମଧ୍ୟରୁ ଜେଣ ସୈନିକ ଯୁବକଟିର ସମ୍ମୁଖଭାଗକୁ ଆସି ତାକୁ ଅତିକ୍ରମ କଲାବେଳେ ଇଚ୍ଛା କରି ଏପରି ଜୋରରେ ଗୋଟାଏ ଧକ୍କା ଦେଲା ଯେ, ଜଳପୂର୍ଣ୍ଣ ପାତ୍ରଟି ହସ୍ତରୁ ଖସିପଡ଼ି ସେହିଠାରେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା ।

 

ତତ୍କାଳୀନ ଶ୍ୱେତାଙ୍ଗ ସୈନିକଙ୍କର କଳା ଭାରତୀୟଙ୍କ ପ୍ରତି ଘୃଣାଯୋଗୁଁ ଏଭଳି କୁତ୍ସିତ କାର୍ଯ୍ୟ ଅତ୍ୟନ୍ତ ସାଧାରଣ ଘଟନା ଥିଲା । ମାତ୍ର ଯୁବକ ଯାତ୍ରୀଟି ଉକ୍ତ ସୈନିକର ଦୌରାତ୍ମ୍ୟ ନୀରବରେ ସହ୍ୟ କରିବାର ପାତ୍ର ନୁହେଁ । ସେ ସେହିଠାରେ ସଦର୍ପରେ ଦଣ୍ଡାୟମାନ ରହି ସୈନିକର ବର୍ବର ଆଚରଣର ଘୋର ପ୍ରତିବାଦ କଲା । ଏହା ଦେଖି ଅନ୍ୟ ତିନିଜଣ ସୈନିକ ରୋଷକଷାୟିତ ନେତ୍ରରେ ଧାଇଁଆସିଲେ ଏବଂ ସମସ୍ତେ ମିଳି ଯୁବକଟି ଉପରେ ଆକ୍ରମଣ ଆରମ୍ଭ କଲେ ।

 

ଯୁବକ ଏଥିରେ ତିଳେହେଁ ଭୟଭୀତ ହେଲାନାହିଁ । ଦେହରେ ତାର ଅତୁଳ ବଳ, ମନରେ ତାର ଅତୁଟ ସାହସ, ଇଂରେଜମାନଙ୍କ ଉପରେ ତାର ଭୀଷଣ ଘୃଣା । ସେ ସଙ୍ଗେ ସଙ୍ଗେ ସେମାନଙ୍କୁ ନିଜର ବ୍ରଜମୁଷ୍ଟିରେ ଆଘାତ କରି ଧକ୍କାରେ ଦେଲା ପ୍ରତ୍ୟୁତ୍ତର, ଆଉ ଧିକ୍କାର କଲା ବାରମ୍ୱାର । ସୈନିକମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ତାକୁ ଗୁରୁତରଭାବରେ ଆଘାତ କରିବାପାଇଁ ଉଦ୍ୟତ ହେଲେ । ତାହା ଦେଖି ନିର୍ଭୀକ ଯୁବକଟି ଉପର୍ଯ୍ୟୁପରି ମୁଖ ଓ ଘୂଷି ଚଳାଇ ଶେଷରେ ସେମାନଙ୍କୁ ପଦାଘାତରେ ଗୋଟି ଗୋଟି କରି ଦୂରକୁ ଫିଙ୍ଗିଦେଲା । ଅସଂଖ୍ୟ ଯାତ୍ରୀ ଆସି ଘଟନାସ୍ଥଳରେ ସମବେତ ହୋଇଗଲେ । ସୈନିକଙ୍କର ସାହେବୀ ଗର୍ବ ଚୂର୍ଣ୍ଣହେଲା । ନିଜ ଔଦ୍ଧତ୍ୟର ସମୁଚିତ ଶାସ୍ତି ପାଇ ସେମାନେ ସେଠାରୁ ଲଜ୍ଜାରେ ପଳାୟନ କଲେ ।

 

ଅସାଧାରଣ-ବଳଶାଳୀ ନିର୍ଭୟଚେତା ଏହି ଇଂରେଜବିଦ୍ୱେଷୀ ଯୁବକଟିର ନାମ ଯତୀନ୍ଦ୍ରନାଥ ମୁଖୋପାଧ୍ୟାୟ । ଏହି ଘଟନା ପରେ ତାଙ୍କ ନାମ ବଙ୍ଗଦେଶର ଚତୁର୍ଦ୍ଦିଗରେ ପ୍ରଚାରିତ ହୋଇଗଲା ।

 

ବିବିଧ ବ୍ୟାୟାମ ଶିକ୍ଷାଫଳରେ ଯତୀନ୍ଦ୍ରନାଥଙ୍କ ବାହୁରେ ଥାଏ ଅଦମ୍ୟ ଶକ୍ତି । ଥରେ ନଦୀୟାରେ ଭୟଙ୍କର ବ୍ୟାଘ୍ର ଉପଦ୍ରବ ହେଲା । ଯତୀନ୍ଦ୍ରନାଥ ଏ ସମ୍ୱାଦ ପାଇ ନଦୀୟା ଯାତ୍ରା କଲେ । ଦିନେ ସେ ଗୋଟାଏ ବ୍ୟାଘ୍ରର ସମ୍ମୁଖରେ ପଡ଼ିଗଲେ । ଆକ୍ରମଣୋନ୍ମୁଖ ସେହି ହିଂସ୍ର ଜନ୍ତୁର ଉଗ୍ର ସଂହାର ମୂର୍ତ୍ତିରେ ତିଳେହେଲେ ଭୀତତ୍ରସ୍ତ ନ ହୋଇ ସେ ତା ଆଡ଼କୁ ଅଗ୍ରସର ହେଲେ ଏବଂ ଲାଗୁଡ଼ଦ୍ୱାରା ତାକୁ ଭୀଷଣଭାବରେ ପ୍ରହାର କରିବାକୁ ଲାଗିଲେ । ଆଶ୍ଚର୍ଯ୍ୟର କଥା, ବ୍ୟାଘ୍ରଟା ଯେତେ ଚେଷ୍ଟା କଲା ଯତୀନ୍ଦ୍ରଙ୍କୁ କୌଣସି ମତେ କବଳିତ କରିପାରିଲା ନାହିଁ । ଶେଷରେ ଯତୀନ୍ଦ୍ରଙ୍କ ଘନ ଘନ ଲଗୁଡ଼ ପ୍ରହାରରେ ତାକୁ ଜୀବନ ଦେବାକୁ ହେଲା । ସେହି ଦିନଠାରୁ ଏହି ଦୁଃସାହସ ଯୋଗୁଁ ସମଗ୍ର ବଙ୍ଗଳାରେ ଯତୀନ୍ଦ୍ରଙ୍କର ନାମ ହେଲା ‘‘ବାଘା ଯତୀନ୍’’ । ସେତେବେଳକୁ ତାଙ୍କର ବୟସ ସପ୍ତଦଶ ବର୍ଷମାତ୍ର ।

 

ଘଟନାଚକ୍ରରେ ପଡ଼ି ଯତୀନ୍ଦ୍ରନାଥ ସେତେବେଳେ ବଙ୍ଗଳାର ସେକ୍ରେଟେରୀଏଟରେ ଏକ ସରକାରୀ ଚାକିରି କରୁଥାନ୍ତି । ଶିଲିଗୁଡ଼ି ଷ୍ଟେସନରେ ଗୋରା ସୈନିକଙ୍କ ସହ ତାଙ୍କର ଯେଉଁ ସଂଘର୍ଷ ହୋଇଥିଲା, ତାହା ଏହି ଚାକିରି-ଜୀବନର ପ୍ରଥମ ଅବସ୍ଥାର ଘଟନା । ଇଂରେଜ ସରକାରର ଅତ୍ୟାଚାର ଓ ନିର୍ମମ ଶାସନ ନୀତି ଦେଖି ତାଙ୍କର ସ୍ୱାଧୀନ ହୃଦୟ ମଧ୍ୟେ ମଧ୍ୟେ ବିଦ୍ରୋହୀ ହୋଇଉଠୁଥାଏ । ସେହି ସମୟରେ ବଡ଼ଲାଟ ଲର୍ଡ଼ କର୍ଜନ ବଙ୍ଗଳା ଦେଶକୁ ଦ୍ୱିଖଣ୍ଡିତ କରି ଏକ ବିଭ୍ରାଟ ସୃଷ୍ଟି କଲେ । ଦେଶବାସୀଙ୍କ ଶତ ଅନୁରୋଧ ଓ ଆବେଦନ-ନିବେଦନ ନିଷ୍ଫଳ ହେଲା । ବଡ଼ଲାଟ ତାଙ୍କର ଆଦେଶ ଅପରିବର୍ତ୍ତନୀୟ ରଖିଲେ । ଏଥିରେ ବଙ୍ଗବାସୀ ଓ ବଙ୍ଗଭାଷୀମାତ୍ରେ ଉତକ୍ଷିପ୍ତ ହୋଇ ଉଠିଲେ । ସମଗ୍ର ଦେଶରେ ଘୋର ଚାଞ୍ଚଲ୍ୟର ବାତ୍ୟା ବହିଗଲା । ଫଳରେ ଆରମ୍ଭ ହେଲା ବିରାଟ ବଙ୍ଗଭଙ୍ଗ ଆନ୍ଦୋଳନ । ଶ୍ରୀ ଅରବିନ୍ଦ ପ୍ରଭୃତି ବଙ୍ଗୀୟ ନେତୃବୃନ୍ଦ ଉକ୍ତ ଆନ୍ଦୋଳନକୁ ଯଶସ୍ୱୀ କରିବାପାଇଁ ବଦ୍ଧପରିକର ହୋଇ ବାହାରି ପଡ଼ିଲେ ।

 

୧୯୦୫ ମସିହା । ସେତେବେଳକୁ ଯତୀନ୍ଦ୍ରନାଥ ପଚିଶ ବର୍ଷର ଉଦ୍ଦାମ ଯୁବକ । ଜ୍ୱଳନ୍ତ ଅଗ୍ନିସ୍ଫୁଲିଙ୍ଗ ପରି ଶତ ଶତ ଦେଶପ୍ରେମୀ ଯୁବକଙ୍କର ସେ ଅଗ୍ରଣୀ । ସେହି ସମସ୍ତ ତେଜସ୍ୱୀ ଯୁବକଙ୍କୁ ଘେନି ଯତୀନ୍ଦ୍ର ଏକ ବିରାଟ ବିପ୍ଳବୀଦଳ ଗଠନ କଲେ ଏବଂ ଇଂରେଜମାନଙ୍କୁ ବିପନ୍ନ କରି ଏ ଦେଶରୁ ବିତାଡ଼ିତ କରିବା ପାଇଁ ଗୁପ୍ତ ଷଡ଼ଯନ୍ତ୍ର ଆରମ୍ଭ କରିଦେଲେ । ସମସ୍ତେ ମିଳିତ ହୋଇ ପ୍ରତିଜ୍ଞା କଲେ—ଦେଶର ମୁକ୍ତି ପାଇଁ ଯଦି ପ୍ରାଣବଳି ଆବଶ୍ୟକ ହୁଏ, ତେବେ ମଧ୍ୟ କେହି ତହିଁରୁ ପଶ୍ଚାତ୍ପଦ ହେବେନାହିଁ ଏବଂ ଦେଶମାତୃକାର ପବିତ୍ର ଚରଣପୀଠରେ ଜୀବନର ଶେଷ ରକ୍ତବିନ୍ଦୁଟି ପର୍ଯ୍ୟନ୍ତ ଅର୍ପଣ କରିବେ ।

 

ଅତି ଅଳ୍ପଦିନ ମଧ୍ୟରେ ଯତୀନ୍ଦ୍ରଙ୍କ ଯତ୍ନରେ ଚାରିଆଡ଼େ ଗୁପ୍ତସମିତିମାନ ସ୍ଥାପିତ ହେଲା ଏବଂ ସେହି ଗୁଡ଼ିକର ମାଧ୍ୟମରେ ବିଦେଶୀ ସରକାର ବିରୁଦ୍ଧରେ ଘୃଣା ସଞ୍ଚାର କରିବାପାଇଁ ପ୍ରବଳ ଚେଷ୍ଟା ଚାଲିଲା । ଦେଶବ୍ୟାପୀ ଏହି ଗୁପ୍ତସମିତିମାନଙ୍କର ପ୍ରଧାନ କେନ୍ଦ୍ର ହେଲା କଲିକତା ମାଣିକତଲାର ମୁରାରିପୁକୁର ଉଦ୍ୟାନ । ସେହି ଉଦ୍ୟାନର ଭୂତଳଗୃହରେ ବୋମା ପ୍ରଭୃତି ମାରଣାସ୍ତ୍ର ନିର୍ମାଣ କରାଗଲା । ଏହା ଛଡ଼ା ସୁଦୂର ବିଦେଶରୁ ବହୁବିଧ ଅସ୍ତ୍ର ଶସ୍ତ୍ର ଆମଦାନୀ କରାଯାଇ ତତ୍ରତ୍ୟ ଅସ୍ତ୍ରାଗାରରେ ଗଚ୍ଛିତ ରଖାଗଲା । ବିପ୍ଳବିଦଳର ଉଦ୍ଦେଶ୍ୟ ରହିଲା—ସକଳ ପ୍ରକାର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ବୋମାକମାଣ ସଂଗୃହୀତ ହୋଇ ସାରିବାପରେ ପ୍ରବଳପ୍ରତାପୀ ବ୍ରିଟିଶ ସରକାର ବିରୁଦ୍ଦରେ ଯୁଦ୍ଧ ଘୋଷଣା କରିବେ ଏବଂ ସେମାନଙ୍କୁ ପରାଭୂତ କରି ଭାରତରୁ ଚିରଦିନପାଇଁ ବିତାଡ଼ିତ କରିବେ ।

 

ମାତ୍ର ଚତୁର ବ୍ରିଟିଶ ସରକାର ନିକଟରେ ଏ ସକଳ ଗୋପନ ଷଡ଼ଯନ୍ତ୍ର ଅଧିକ ଦିନ ଅଜ୍ଞାତ ରହିଲାନାହିଁ । ୧୯୦୮ ସାଲ ମେ ମାସ ୨ ତାରିଖରେ ହଠାତ୍ ସରକାରୀ ପୁଲିସ ସଦଳବଳରେ ଆସି ମୁରାରିପୁକୁର ଉଦ୍ୟାନରେ ଅନୁସନ୍ଧାନ କଲେ ଏବଂ ଭୂତଳସ୍ଥିତ ବିରାଟ ଅସ୍ତ୍ରାଗାର ଓ ବୋମା ନିର୍ମାଣଶାଳାକୁ ଜବତ କରିନେଲେ । ସେଠାରେ ଥିବା ସମସ୍ତ ବିପ୍ଳବୀ ନେତା ଓ ମୁଖ୍ୟ କର୍ମୀଙ୍କୁ ବନ୍ଦୀ କରାଗଲା । କେବଳ ପୁଲିସ-ଚକ୍ଷୁରେ ଧୂଳି ଦେଇ ସେମାନଙ୍କ ବ୍ୟୂହରୁ ଖସି ପଳାଇଆସିଲା ଜଣେ ଯୁବକ । ସେ ହେଉଛନ୍ତି ଚତୁର-ବୀର ‘ବାଘା ଯତୀନ୍’ । ଏ ପର୍ଯ୍ୟନ୍ତ ରାଜକର୍ମଚାରୀରୂପେ ସେ କାର୍ଯ୍ୟ କରୁଥାନ୍ତି ।

 

ବିପ୍ଳବିଦଳର ମୁଖ୍ୟ ନେତା ଓ ଚାଳକଗଣ ଏହିରୂପେ କାରାବଦ୍ଧ ହେଲାପରେ ଯେଉଁମାନେ ଅବଶିଷ୍ଟ ରହିଲେ, ସେମାନଙ୍କୁ ପରିଚାଳିତ କରିବାର ଦାୟିତ୍ୱ ଏବେ ଯତୀନ୍ଦ୍ରଙ୍କ ଉପରେ ନ୍ୟସ୍ତ ହେଲା । ସେ କେତେକ ସହକର୍ମୀଙ୍କ ସାହାଯ୍ୟରେ କଲିକତାର ବିଭିନ୍ନ ଅଞ୍ଚଳରେ ବୋମା ନିକ୍ଷେପ କରିବାକୁ ଲାଗିଲେ । ସରକାରର ଅତ୍ୟାଚାରୀ ଗୋରା କର୍ମଚାରୀମାନେ ସେହି ବୋମା ଓ ରିଭଲଭର ଗୁଳିରେ ଜଣ ଜଣ ହୋଇ ପ୍ରାଣ ହରାଇଲେ । ଏଥିରେ କ୍ରୋଧୋନ୍ମତ୍ତ ଇଂରେଜ ସରକାର ହତବୁଦ୍ଧି ହୋଇଗଲା । ବିପ୍ଳବୀ ଦେଖିଲାମାତ୍ରେ ସେମାନଙ୍କୁ ବନ୍ଦୀ କରାଗଲା ଏବଂ ଅସଂଖ୍ୟ ସନ୍ତ୍ରାସବାଦୀଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା ଆଗତ ହେଲା । ବାଘା ଯତୀନଙ୍କୁ ମଧ୍ୟ ଏଥିରୁ ନିସ୍ତାର ମିଳିଲାନାହିଁ ।

 

ହାବଡ଼ା ଷଡ଼୍‍ଯନ୍ତ୍ର ମକଦ୍ଦମାରେ ଅଭିଯୁକ୍ତ ହୋଇ ସେ କଲିକତାର ଲାଲବଜାର ଥାନାରେ ଆବଦ୍ଧ ରହିଲେ । ମାତ୍ର ତାଙ୍କ ବିରୁଦ୍ଧରେ କୌଣସି ଦଣ୍ଡନୀୟ ଅଭିଯୋଗ ପ୍ରମାଣିତ ହୋଇ ନ ପାରିବାରୁ ଦୀର୍ଘ ଏକବର୍ଷ ପରେ ଅଗତ୍ୟା ତାଙ୍କୁ ମୁକ୍ତି ଦିଆଗଲା । ବନ୍ଦୀ ଅବସ୍ଥାରୁ ସେ ଏହିରୂପେ ମୁକ୍ତି ପାଇଲେ ସତ୍ୟ, କିନ୍ତୁ ସରକାରୀ ଚାକିରିଟି ତାଙ୍କୁ ହରାଇବାକୁ ପଡ଼ିଲା । ବାଘା ଯତୀନ୍ ଏବେ ସବୁଆଡ଼ୁ ମୁକ୍ତ ଓ ସ୍ୱାଧୀନ । ଦେଶକର୍ମରେ ସମସ୍ତ ସମୟ ବିନିଯୋଗ କରିବାରେ ଏଣିକି ତାଙ୍କର ଆଉ କୌଣସି ଅନ୍ତରାୟ ରହିଲାନାହିଁ । ବ୍ରିଟିଶ ରାଜତ୍ୱର ମୂଳୋତ୍ପାଟନ କରିବା ଉଦ୍ଦେଶ୍ୟୟରେ ସେ ପୁନର୍ବାର ଏକ ବିପ୍ଳବୀଦଳ ଗଠନ କଲେ ଏବଂ ଅତି ଗୁପ୍ତଭାବରେ ବହୁ ଅସମ୍ଭବ କାର୍ଯ୍ୟ ସାଧନ କରିବାକୁ ସମର୍ଥ ହେଲେ ।

 

ପୁଲିସ ବିଭାଗ ତାଙ୍କର ଏହି ବିପୁଳ ଉଦ୍ୟମର ଗନ୍ଧ ସୁଦ୍ଧା ଯେପରି ପାଇ ନ ପାରିବ, ସେଥିପାଇଁ ସେ ଏକ ବିଚିତ୍ର କୌଶଳ କଲେ । ସରକାରୀ ଚାକିରି ଚାଲିଯିବାରୁ ଜୀବିକା ନିର୍ବାହ ପାଇଁ ସେ ଭାରତର ବିଭିନ୍ନ ପ୍ରଦେଶରୁ ତଥା ଭାରତ ବାହାର ବିଦେଶମାନଙ୍କରୁ ନାନାପ୍ରକାର ଜିନିଷପତ୍ର ଆଣି କଣ୍ଟ୍ରାକ୍ଟରି ବ୍ୟବସାୟ କରିବାର ଛଳନା କଲେ । ସରକାର ତାଙ୍କର ଏହି ଛଳନା ଆଦୌ ବୁଝି ପାରିଲା ନାହିଁ ।

 

କିଛି କାଳପରେ ତାଙ୍କ ଗୁପ୍ତଦଳ ପରିପୁଷ୍ଟ ହୋଇଉଠିଲା । ସୌକତ୍ ଆଲି ଓ ମୋହମ୍ମଦ ଆଲି ଭ୍ରାତୃଦ୍ୱୟ, ମୁସଲମାନ ମହାପଣ୍ଡିତ ମୌଲାନା ଆବୁଲ କାଲାମ୍ ଆଜାଦ, ମହାଜ୍ଞାନୀ ରାସବିହାରୀ ବସୁ, ବୀର ଶିଖ ସଂପ୍ରଦାୟ ଏବଂ ବହୁ ମନୀଷୀଙ୍କ ନିର୍ଦ୍ଦେଶ ଓ ଉତ୍ସାହରେ ଦଳଟିର ବଳ ଅଭୂତ ପୂର୍ବଭାବରେ ବଢ଼ିବାକୁ ଲାଗିଲା । ଏହା ସଙ୍ଗେ ସଙ୍ଗେ ଯତୀନ୍ଦ୍ରନାଥ ସ୍ୱଦେଶବତ୍ସଳ କେତେକ ବ୍ୟକ୍ତିଙ୍କ ସାହାଯ୍ୟରେ ଜର୍ମାନୀର ବିପ୍ଳବିଦଳ ସହିତ ମଧ୍ୟ ଯୋଗସୂତ୍ର ଓ ବନ୍ଧୁତ୍ୱ ପ୍ରତିଷ୍ଠା କଲେ ।

 

ଜର୍ମାନ୍ ଲୋକେ ଚିରଦିନ ଇଂରେଜ ବିରୋଧୀ । ସେମାନେ ସର୍ବଦା ବ୍ରିଟିଶ ସାମ୍ରାଜ୍ୟର ଅବସାନ କାମନା କରନ୍ତି । ତେଣୁ ଜର୍ମାନୀର ବିପ୍ଳବୀ ବନ୍ଧୁମାନେ ତାଙ୍କୁ ଅଜସ୍ର ଅର୍ଥ ଓ ଅସ୍ତ୍ରଶସ୍ତ୍ର ଆଦି ଯାବତୀୟ ସାହାଯ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଲେ । ଏଥିରେ ଯତୀନ୍ଦ୍ରନାଥ ନିରତିଶୟ ଉତ୍ସାହିତ ହୋଇ ଜନ୍ମଭୂମିର ମୁକ୍ତିସ୍ୱପ୍ନ ଦେଖିବାକୁ ଲାଗିଲେ । ଏହାପରେ ଭାରତୀୟ ବିପ୍ଳବୀମାନଙ୍କ ଅନୁରୋଧରେ ଜର୍ମାନୀରୁ ଗୋଳାବାରୁଦାଦି ମାରଣାସ୍ତ୍ର ପୂର୍ଣ୍ଣ ଦୁଇଖଣ୍ଡି ଜାହାଜ ଆସିବାର ଆୟୋଜନ ହେଲା । ଏକଥା ସହସ୍ରଚକ୍ଷୁ ଇଂରେଜ ସରକାର କୌଣସି ପ୍ରକାରେ ଜାଣିପାରିଲା ନାହିଁ । ଏହି ଦୁଇଟି ଜାହାଜ ବାଲେଶ୍ୱର ସହର ନିକଟବର୍ତ୍ତୀ ଏକ ଜଙ୍ଗଲମୟ ସ୍ଥାନରେ ଅସ୍ତ୍ରଶସ୍ତ୍ର ଓ ଗୋଳାକମାଣ ଆଦି ଦେଇ ଚାଲିଯିବ ବୋଲି ଠିକ୍ ହୋଇଥିଲା । ସେତେବେଳେ ଜର୍ମାନୀର ଗୋଟିଏ କମ୍ପାନୀ କଲିକତାରେ ବ୍ୟବସାୟ କରୁଥିଲେ । ସେହି କମ୍ପାନୀର ଗୋପନ ସହଯୋଗରେ ଯତୀନ୍ଦ୍ରନାଥ ଏ ସମସ୍ତ ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟ କରିବାକୁ ସମର୍ଥ ହୋଇ ପାରିଥିଲେ ।

 

ଜାହାଜ ଦୁଇଟି ବାଲେଶ୍ୱରରେ ଉପନୀତ ହେବାର ନିର୍ଦ୍ଦିଷ୍ଟ ସମୟ ଆସିଗଲା । ତେଣୁ ଯତୀନ୍ଦ୍ରନାଥ ତାଙ୍କର ଚାରିଜଣ ବିଶିଷ୍ଟ ସହକର୍ମୀଙ୍କ ସହିତ ମୟୁରଭଞ୍ଜର କପ୍ତିପଦା ଜଙ୍ଗଲରେ ଯାଇ ଜାହାଜ ଅପେକ୍ଷାରେ ଆତ୍ମଗୋପନ କରି ରହିଲେ । ଠିକ୍ ଏହି ସମୟରେ ଜର୍ମାନୀ ଷଡ଼ଯନ୍ତ୍ର ସମ୍ପର୍କରେ କଲିକତାସ୍ଥ ଉକ୍ତ ଜର୍ମାନ ବ୍ୟବସାୟୀ କମ୍ପାନୀ ପ୍ରତି ଇଂରେଜ ସରକାରର ସନ୍ଦେହ ହେଲା । ପୁଲିସଦଳ କମ୍ପାନୀର ସମସ୍ତ ଗୃହ ଖାନତଲାସ କଲେ । ସେହିଠାରୁ ପ୍ରାପ୍ତ କେତେକ କାଗଜପତ୍ରରୁ ଜର୍ମାନୀରୁ ଅସ୍ତ୍ରଶସ୍ତ୍ର ବୋଝାଇ ଜାହାଜ ବାଲେଶ୍ୱରକୁ ଆସିବା ଏବଂ ଯତୀନ୍ଦ୍ରନାଥ ଓ ତାଙ୍କର ଚାରି ସହକର୍ମୀ କପ୍ତିପଦାରେ ତାହାରି ଅପେକ୍ଷାରେ ଅବସ୍ଥାନ କରିବା କଥା ଜଣା ପଡ଼ିଗଲା । ତହୁଁ ପୁଲିସ କମିଶନର ଟେଗାର୍ଟ ସାହେବ ବହୁ ସଶସ୍ତ୍ର ପୁଲିସ ଫଉଜ ଘେନି ଯତୀନ୍ଦ୍ରନାଥ ପ୍ରଭୃତି ରହିଥିବା ଜଙ୍ଗଳ ନିକଟରେ ଉପସ୍ଥିତ ହେଲେ ଏବଂ ସଙ୍ଗେ ସଙ୍ଗେ ଉକ୍ତ ଜଙ୍ଗଲକୁ ଚତୁର୍ଦ୍ଦିଗରୁ ଘେରାଉ କରି ପକାଇଲେ । ଶତ୍ରୁପକ୍ଷର ଏହି ଅପ୍ରତ୍ୟାଶିତ ଓ ଆକସ୍ମିକ ଆକ୍ରମଣ ଦେଖି ଯତୀନ୍ଦ୍ରନାଥ ବଡ଼ ନିରୁପାୟ ହୋଇଗଲେ । ସେମାନେ ପାଞ୍ଚଜଣ ମାତ୍ର, ଅଥଚ ପୁଲିସ ସଂଖ୍ୟା ଶତ ଶତ । ତଥାପି ସେ ଆତ୍ମସମର୍ପଣ କଲେନାହିଁ । ବନ୍ଧୁମାନଙ୍କ ସହିତ ମିଶି ସେହି ସଶସ୍ତ୍ର ଗୋରା ପୁଲିସ ଫଉଜ ବିରୁଦ୍ଧରେ ଯଥାରୀତି ଯୁଦ୍ଧ ଆରମ୍ଭ କରିଦେଲେ ।

 

ଭୂମି ଉପରେ ଠିଆହୋଇ ଯୁଦ୍ଧକରିବା ଅସମ୍ଭବ ଦେଖି ଦୁଃସାହସୀ ବୀର ବାଘା ଯତୀନ୍ ଭୂମିର ବିଭିନ୍ନ ସ୍ଥାନରେ ଗର୍ତ୍ତ ଖନନ କଲେ ଏବଂ ପାଞ୍ଚବନ୍ଧୁଯାକ ସେହି ଗର୍ତ୍ତମାନଙ୍କ ମଧ୍ୟରେ ରହି ଶତ୍ରୁ ସହିତ ଯୁଦ୍ଧ କରିବାକୁ ଲାଗିଲେ । ସଂଖ୍ୟାରେ ସାମାନ୍ୟ ପାଞ୍ଚ ଜଣ ହେଲେ କ’ଣ ହେବ, ସେମାନେ ଏପରି ଅବ୍ୟର୍ଥଭାବରେ ଗର୍ତ୍ତଭିତରୁ ଗୁଳି ଚଳାଇଲେ ଯେ, ତା ଚୋଟରେ ପୁଲିସ ଫଉଜରୁ ଅନେକେ ମରି ଟଳିପଡ଼ିଲେ । ଘନ ଘନ ଗୋଳାବୃଷ୍ଟି ଫଳରେ ଜଙ୍ଗଲର ସେ ଅଞ୍ଚଳଟି ଧୂମମୟ ହୋଇଗଲା । ମାତ୍ର ଏତେ ଗୁଡ଼ିଏ ସଶସ୍ତ୍ର ପୁଲିସ ସଙ୍ଗେ ପାଞ୍ଚଟି ମାତ୍ର ଯୁବକର ଯୁଦ୍ଧ କେତେ ସମୟ ବା ଚାଲିପାରେ ? ଅବଶେଷରେ ଯତୀନ୍ ଓ ତାଙ୍କ ବନ୍ଧୁମାନେ ଶ୍ରାନ୍ତ ଓ କ୍ଷୁଧାର୍ତ୍ତ ହୋଇପଡ଼ିଲେ; ଆଉ ଯୁଦ୍ଧ କରିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଲା ।

 

ଏହି ସମୟରେ ବିପକ୍ଷରେ ଗୁଳିଚୋଟରେ ଜଣେ ସହକର୍ମୀ ନିହତ ହେଲା, ଆଉ ଜଣେ ମଧ୍ୟ ସାଙ୍ଘାତିକଭାବରେ ଆହତ ହେଲା । ଚାହୁଁ ଚାହୁଁ ଦୁଇଟା ଗୁଳି ଛୁଟି ଆସି ଯତୀନ୍ଦ୍ରନାଥଙ୍କ ଊରୁରେ ଗୋଟାଏ ଗଳିଗଲା ଓ ଅନ୍ୟଟି ତଳିପେଟରେ ଆଘାତ କଲା । ଆଉ ଉପାୟ ନାହିଁ । ଯୁଦ୍ଧ ଏହିଠାରେ ନିଷ୍ଫଳ ହେଲା । ପୁଲିସମାନେ ଆସି ଚାରି ବିପ୍ଳବୀ ବୀରଙ୍କୁ ଧରିପକାଇଲେ ଏବଂ ସଙ୍ଗେ ସଙ୍ଗେ ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନେଇଗଲେ ।

 

୧୯୧୫ ମସିହାର ସେପ୍ଟେମ୍ୱର ୯ ତାରିଖ । ସେହି ସ୍ମରଣୀୟ ପବିତ୍ର ଦିବସରେ ଭାରତମାତାର ଶୃଙ୍ଖଳିତ ଚରଣରେ ଲୋଟିପଡ଼ିଲା ବୀର ଶହିଦ୍ ବାଘା ଯତୀନଙ୍କ ପୁଣ୍ୟଦେହ । ସେହି ଡାକ୍ତରଖାନାରେ ତାଙ୍କ ଗୌରବଶ୍ରୀମଣ୍ଡିତ ବିପ୍ଳବି-ଜୀବନର ଅବସାନ ହେଲା । ସେତେବେଳେ ବାଘା ଯତୀନ୍‍ଙ୍କ ବୟସ ଛତିଶ ବର୍ଷ ମାତ୍ର ।

 

ଏହି ରୂପେ ସ୍ୱଦେଶମୁକ୍ତିକାମୀ ବୀର ଯତୀନ୍ଦ୍ରନାଥ ଦୁର୍ଦ୍ଦାନ୍ତ ବ୍ରିଟିଶ ସରକାର ବିରୁଦ୍ଧରେ ସମ୍ମୁଖ ସମର କରି ଶେଷରେ ଜନ୍ମଭୂମିର ମହନୀୟ ନାମରେ ଆତ୍ମବଳି ଦେଲେ । ଇଂରେଜମାନଙ୍କୁ ଭାରତରୁ ବିତାଡ଼ିତ କରିବାପାଇଁ ତାଙ୍କ ଜୀବନବ୍ୟାପୀ ଚେଷ୍ଟା ବିଫଳ ହେଲା ସତ, ମାତ୍ର ପରିଣାମରେ ତାଙ୍କ ଉଦ୍ୟମ ବ୍ୟର୍ଥ ହୋଇନାହିଁ । ତାଙ୍କ ତିରୋଧାନର ଠିକ୍ ବତ୍ରିଶ ବର୍ଷ ପରେ ଇଂରେଜମାନେ ଅନନ୍ୟ ଗତି ହୋଇ ଭାରତଭୂମିର ଅଖଣ୍ଡ ଶାସନରେ ଜଳାଞ୍ଜଳି ଦେଇ ସ୍ୱଦେଶକୁ ପଳାଇଗଲେ ।

 

ଭାରତ ତାର ଚିରାକାଙ୍‍କ୍ଷିତ ସ୍ୱାଧୀନତା ଲାଭକଲା । ଆଜି ସ୍ୱାଧୀନ ଭାରତର ଜୟଧ୍ୱଜା ଯତୀନ୍ଦ୍ରଙ୍କ ପରି ଶତ ଶତ ଶହିଦଙ୍କ ରକ୍ତ-ବେଦୀ ଉପରେ ସଗର୍ବରେ ଉଡ଼୍ଡ଼ୀନ ହୋଇ ବିଶ୍ୱଦରବାର ସମକ୍ଷରେ ସେମାନଙ୍କର ବିଜୟକାହାଣୀ ଘୋଷଣା କରୁଅଛି ।

Image

 

ସ୍ୱାଧୀନ ଭାରତର ଜ୍ୱଳନ୍ତ ଶିଖା

 

କଟକ ସହରସ୍ଥିତ ଓଡ଼ିଆବଜାରର ଏକ ନିଭୃତ ପ୍ରାସାଦକକ୍ଷରେ ଯେଉଁଦିନ ନେତାଜୀ ସୁଭାଷଚନ୍ଦ୍ର ଶିଶୁରୂପେ ମାତୃଗର୍ଭରୁ ଭୂମିଷ୍ଠ ହୋଇଥିଲେ, ସେହି ଦିନଟିର ମହତ୍ତ୍ୱ ସେତେବେଳେ କେହି ହୃଦୟଙ୍ଗମ କରି ନ ଥିଲେ । ଆଜି କିନ୍ତୁ କାଳର ନିକଷରେ ସେ ଦିନଟିର ଗୌରବରେ କେବଳ ସେହି କ୍ଷୁଦ୍ର କକ୍ଷଟି ନୁହେଁ, ତା ସଙ୍ଗେ ସଙ୍ଗେ ସମଗ୍ର କଟକ ସହର, ଓଡ଼ିଶା ତଥା ଭାରତର ମୁଖ ଉଜ୍ଜ୍ୱଳ ହୋଇଅଛି । ସେଦିନର ସେହି କ୍ଷୁଦ୍ର ସ୍ଫୁଲିଙ୍ଗଟି ଦିନେ ଯେ ଜ୍ୱଳନ୍ତ ଅଗ୍ନିଶିଖାରେ ପରିଣତ ହୋଇ ଦେଶର ସ୍ୱାଧୀନତା ପାଇଁ ପ୍ରବଳ ପରାକ୍ରାନ୍ତ ଇଂରେଜ ଶକ୍ତି ବିରୁଦ୍ଧରେ ଦାଦାନଳର ବିଭୀଷିକା ସୃଷ୍ଟି କରିବ, ସେତେବେଳେ ଏ କଳ୍ପନା କାହାରି ପ୍ରାଣକୁ ସ୍ପର୍ଶ ସୁଦ୍ଧା କରି ନ ଥିଲା ।

 

କିଶୋର ବୟସରୁ ସୁଭାଷଙ୍କ ଜୀବନରେ ପ୍ରତିଭାର ଯେଉଁ ସ୍ଫୂରଣ ହୋଇଥିଲା, ରୋଗୀ, ଆତୁର ଓ ଦୀନଦୁଃଖୀଙ୍କ ପ୍ରତି ସମବେଦନାର ଯେଉଁ ଗୁପ୍ତଗଙ୍ଗାର ସନ୍ଧାନ ମିଳିଥିଲା, ତାହା ତୁଳସୀ ଦୁଇପତ୍ରରୁ ବାସିଲାପରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଷୋଡ଼ଶ ବର୍ଷ ବୟଃକ୍ରମକାଳରେ ସେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଲିକତାରେ ଉଚ୍ଚଶିକ୍ଷା ଲାଭ କରିଥିଳେ ଏବଂ ତତ୍ପରେ ଭାରତୀୟ ସିଭିଲ ସର୍ଭିସପାଇଁ ବିଲାତରେ ଯୋଗ୍ୟତାର ସହିତ କୃତିତ୍ୱ ଅର୍ଜନ କରିଥିଲେ । ଏହାପରେ କିନ୍ତୁ ତତ୍କାଳୀନ ବିଦେଶୀ ଇଂରେଜ ସରକାରର ଦାସତ୍ୱ ସ୍ୱୀକାର ନ କରି ଦେଶ ଓ ଦେଶର ସେବାରେ ଜୀବନ ଅତିବାହିତ କରିବାକୁ ସେ ସ୍ଥିର କଲେ । ୧୯୨୧ରେ ଏହି ଉଦ୍ଦେଶ୍ୟରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ ଏବଂ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କଲେ । ଏହି କାରଣରୁ ତାଙ୍କୁ ଇଂରେଜ ଶାସକଗୋଷ୍ଠୀର କ୍ରୂରଦୃଷ୍ଟିରେ ପଡ଼ି ଏକାଧିକ ବାର କାରାବରଣ କରିବାକୁ ପଡ଼ିଥିଲା ।

 

ବର୍ଣ୍ଣିତ ସମୟରେ ବଙ୍ଗଳାର ଅନ୍ୟତମ କୃତି ସନ୍ତାନ ରାସବିହାରୀ ବସୁ ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକତା କରୁଥିଲେ ଏବଂ ଜାପାନର ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଜେନେରାଲ ଟୋଜୋଙ୍କ ଭଗିନୀକୁ ବିବାଦ କରିଥିଲେ । ମାତୃଭୂମିଠାରୁ ବହୁଦୂରରେ ଜାପାନର ନାଗରିକରୂପେ ଅବସ୍ଥାନ କରୁଥିଲେହେଁ ଭାରତର ସ୍ୱାଧୀନତାପାଇଁ ସେ ସର୍ବଦା ଚିନ୍ତା କରୁଥିଲେ । ତରୁଣ ସୁଭାଷ‌ କଲିକତାଠାରେ କୌଣସି ଏକ ବିଶେଷ ଘଟନାରେ ଏହି ରାସବିହାରୀଙ୍କ ସଙ୍ଗେ ପୂର୍ବରୁ ପରିଚିତ ହୋଇଥିଲେ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟରେ ୧୯୪୧ରେ ଭାରତ ସରକାର ସୁଭାଷଙ୍କୁ ବିପଜ୍ଜନକ ମନେକରି କାରାଗାରରେ ନିକ୍ଷେପ କଲେ । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟଭଙ୍ଗ ହେବାରୁ ଶେଷରେ କଲିକତାସ୍ଥିତ ନିଜ ବାସଭବନରେ ତାଙ୍କୁ ଗୃହବନ୍ଦୀ ରୂପେ ଆବଦ୍ଧ ରଖିଲେ । ଗୋଟିଏ ନିର୍ଜନ ପ୍ରକୋଷ୍ଠରେ ଧ୍ୟାନରତ ମୁନିପରି ସେତେବେଳେ ସେ ସମୟ ଅତିବାହିତ କରୁଥାନ୍ତି ଏବଂ ବହିର୍ଜଗତ ସଙ୍ଗେ ବିଶେଷ କୌଣସି ସମ୍ପର୍କ ରଖୁ ନ ଥାନ୍ତି । ତଥାପି ବାସଭବନର ଚତୁର୍ଦ୍ଦିଗରେ ଅହର୍ନିଶ ପ୍ରହରୀମାନେ ଜଗି ରହିଥାନ୍ତି ।

 

ସୁଦୂର ଜାପାନରେ ଥାଇ ଚତୁର ରାସବିହାରୀ ଏ ସମ୍ୱାଦ ଅବଗତ ହେଲେ । ସୁଭାଷ ଯେ ଭାରତୀୟ ମୁକ୍ତିଯୁଦ୍ଧର ଯୋଗ୍ୟତମ ଅଗ୍ରଣୀ, ଏ ବିଷୟରେ ତାଙ୍କର କୌଣସି ସନ୍ଦେହ ନ ଥିଲା-। ତେଣୁ ସେ ଶାସକ ଗୋଷ୍ଠୀର ଚକ୍ଷୁରେ ବାଲୁକା ନିକ୍ଷେପ କରି ସୁଭାଷଙ୍କୁ ଗୃହ କାରାବାସରୁ ମୁକ୍ତ କରି ଭାରତ ବାହାରକୁ ଘେନିଯିବାପାଇଁ ଏକ ବିମାନରେ ସାତ ଜଣ ଜାପାନୀଙ୍କୁ କଲିକତା ପ୍ରେରଣ କଲେ । ସେମାନଙ୍କମଧ୍ୟରୁ ତିନି ଜଣ ସୁଭାଷଙ୍କ ସଙ୍ଗେ ସାକ୍ଷାତ୍‍କାରର ଛଳନା କରି ତାଙ୍କ ପ୍ରକୋଷ୍ଠକୁ ଗଲେ ଏବଂ ସେମାନଙ୍କ ଆଗମନର ଉଦ୍ଦେଶ୍ୟ ତାଙ୍କୁ ଅତି ଗୋପନରେ ଜଣାଇଲେ-

 

ସୁଭାଷ ଇତିମଧ୍ୟରେ ଭାରତର ପରାଧୀନତା-ଶୃଙ୍ଖଳ କିପରି ଛିନ୍ନ ହେବ, ସେଥିପାଇଁ ଗଭୀର ଚିନ୍ତା କରୁଥିଲେ । ଭାରତରେ ଥାଇ ପରାକ୍ରାନ୍ତ ଇଂରେଜୀ ସରକାର ସଙ୍ଗେ ଯୁଦ୍ଧକରି ଦେଶମାତୃକାର ବନ୍ଧନ ମୋଚନ କରିବା ଯେ ଅସମ୍ଭବ, ଏ ବିଷୟରେ ତାଙ୍କର କୌଣସି ସନ୍ଦେହ ନ ଥିଲା । ତେଣୁ ଜାପାନ ଆଦି ବୈଦେଶିକ ଶକ୍ତିର ସାହାଯ୍ୟ ସହଯୋଗରେ ବାହାରୁ ଭାରତ ଉପରେ ଆକ୍ରମଣ ଚଳାଇଲେ, ଏ ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ସୁଗମ ହେବ ବୋଲି ସେ ମନେ କରୁଥିଲେ ।

 

ତାଙ୍କର ଏହି ଭାବନାକୁ ରୂପାୟିତ କରବାପାଇଁ ବର୍ତ୍ତମାନ ସୁଯୋଗ ଉପସ୍ଥିତ ହେଲା । ସୁଭାଷ କୌଣସି ପ୍ରକାର ଦ୍ୱିରୁକ୍ତି ନ କରି ସେହି ତିନିଜଣ ଜାପାନୀଙ୍କ ଗୁପ୍ତ ପରାମର୍ଶ ଅନୁସାରେ ଜାପାନୀ ବେଶଭୂଷା ପରିଧାନ କରି ଭାରତ ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଗଲେ । ଯେଉଁ ଜାପାନୀ ବନ୍ଧୁଟିର ବେଶଭୂଷା ସେ ଗ୍ରହଣ କଲେ, ସେ ଜଣକ ସୁଭାଷଙ୍କ ପ୍ରକୋଷ୍ଠରେ ରହିଗଲା ଏବଂ ଅନ୍ୟ ଦୁଇ ଜଣ ଜାପାନୀଙ୍କ ସହ ସୁଭାଷ ପ୍ରହରୀମାନଙ୍କ ଚକ୍ଷୁରେ ଧୂଳି ଦେଇ ବାସଭବନରୁ ବାହାରିଗଲେ । ପ୍ରହରୀମାନେ ଭାବିଲେ, ଆଗନ୍ତୁକ ଜାପାନୀ ତିନି ଜଣ ସୁଭାଷଙ୍କ ସଙ୍ଗେ ଆଳାପ ସାରି ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଯାହାହେଉ, ଏହି ଘଟଣାର କେତେକ ସମୟ ପରେ ଅନ୍ୟ ଜାପାନୀ ଜଣକ ହିନ୍ଦୁବେଶଭୂଷାରେ ସଜ୍ଜିତ ହୋଇ ସୁଭାଷଙ୍କ ବାସଭବନ ତ୍ୟାଗକଲା ଓ କଲିକତାର ଗୋଟିଏ ଜାପାନୀ ପରିବାରରେ ଆଶ୍ରୟ ଗ୍ରହଣ କଲା । ତେଣେ ଛଅ ଜଣ ଜାପାନୀ ବନ୍ଧୁଙ୍କ ସହିତ ଛଦ୍ମବେଶୀ ସୁଭାଷ ବିମାନଯୋଗେ ଟୋକିଓ ଚାଲିଗଲେ । ଅନ୍ୟ କେତେକଙ୍କ ମତରେ ସୁଭାଷ ଆଫଗାନିସ୍ଥାନ ଦେଇ ଟୋକିଓ ଯାଇଥିଲେ । କିନ୍ତୁ ସୁଭାଷ ଯେ ଏହିପରି ଛଦ୍ମବେଶରେ ଚତୁର ଇଂରେଜସରକାରକୁ ପ୍ରତାରିତ କରି ଭାରତ ତ୍ୟାଗକଲେ ଓ ଜାପାନରେ ରାସବିହାରୀଙ୍କ ସଙ୍ଗେ ମିଳିତ ହେଲେ, ତହିଁରେ କାହାରି କୌଣସି ମତଦ୍ୱୈଧ ନାହିଁ ।

 

ଏହି ଘଟନାର ଅଳ୍ପ କେତେଦିନ ମଧ୍ୟରେ ଜାପାନ ସରକାର ଫ୍ରାନ୍ସ, ବ୍ରିଟେନ୍ ଓ ଆମେରିକା ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ଜାପାନୀ ସେନାର ପ୍ରଚଣ୍ଡ ଆକ୍ରମଣ ଫଳରେ ଅଳ୍ପ କେତୋଟି ଦିନମଧ୍ୟରେ ସିଙ୍ଗାପୁର, ମାଲୟ, ଇଣ୍ଡୋଚୀନ ଓ ପୂର୍ବଭାରତୀୟ ଦ୍ୱିପପୁଞ୍ଜର ପତନ ଘଟିଲା । ଏହାପରେ ଜାପାନସୈନ୍ୟ ବ୍ରହ୍ମଦେଶରେ ପ୍ରବେଶକଲେ ଏବଂ ଇଂରେଜବାହିନୀକୁ ପରାଭୂତ କରି ସେ ଦେଶ ମଧ୍ୟ ଅଧିକାର କଲେ । ଏଥିରେ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ବ୍ରିଟିଶ ଶକ୍ତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଗଲା ।

 

ଏହି ଅଞ୍ଚଳମାନଙ୍କୁ ଅଧିକାର କଲାବେଳେ ବିଜୟୀ ଜାପାନୀ ସେନାଦଳ ଇଂରେଜ ପକ୍ଷର ଅସଂଖ୍ୟ ସୈନ୍ୟଙ୍କୁ ବନ୍ଦୀ କରି ସେମାନଙ୍କ ଅସ୍ତ୍ରଶସ୍ତ୍ର ହସ୍ତଗତ କରିଥିଲେ । ସେମାନଙ୍କ ମଧ୍ୟରେ ବହୁ ଭାରତୀୟ ଯୁଦ୍ଧବନ୍ଦୀ ଥିଲେ । ଚତୁର ରାସବିହାରୀ ସେମାନଙ୍କୁ ନିୟମିତ ସୈନ୍ୟରୂପେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ଭାରତର ମୁକ୍ତିଯୁଦ୍ଧରେ ପ୍ରୟୋଗ କରିବାପାଇଁ ଜାପାନ ସରକାର ସଙ୍ଗେ ମନ୍ତ୍ରଣା ଚଳାଇଲେ । ଏ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏକ ବିଶେଷ ଅଧିବେଶନରେ ସ୍ଥିରହେଲା ଯେ, ବ୍ରହ୍ମଦେଶ ଅଧିକାର କଲା ପରେ ଜାପାନ ଆଉ ଭାରତ ଆକ୍ରମଣ କରିବ ନାହିଁ । ଏହି ଯୁଦ୍ଧବନ୍ଦୀ ଭାରତୀୟମାନେ ହିଁ ଭାରତ ଆକ୍ରମଣ କରି ସେମାନଙ୍କ ମାତୃଭୂମିକୁ ସ୍ୱାଧୀନ କରିବେ ଏବଂ ଆକ୍ରମଣପାଇଁ ପ୍ରୟୋଜନୀୟ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଜାପାନ ସରକାର ଯୋଗାଇବ ।

 

ଏହି ସିଦ୍ଧାନ୍ତ ଫଳରେ ଭାରତୀୟ ଯୁଦ୍ଧବନ୍ଦୀମାନଙ୍କୁ ଘେନି ଯେଉଁ ଭାରତୀୟବାହିନୀ ଗଠିତ ହେଲା, ତାର ନାମ ରଖାଗଲା ‘ଆଜାଦ ହିନ୍ଦ୍ ଫୌଜ’ । ନାରୀ-ପୁରୁଷ-ନିର୍ବିଶେଷରେ ସମସ୍ତଙ୍କୁ ଏ ଫୌଜରେ ଗ୍ରହଣ କରାଗଲା । ଯୁଦ୍ଧବନ୍ଦୀମାନଙ୍କ ବ୍ୟତୀତ ବ୍ରହ୍ମ, ଶ୍ୟାମ, ମାଳୟ, ଯାଭା ଓ ସିଙ୍ଗାପୁର ପ୍ରଭୃତି ଅଞ୍ଚଳରେ ବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କ ମଧ୍ୟରୁ ସହସ୍ର ସହସ୍ର ବ୍ୟକ୍ତି ଆସି ଏ ଫୌଜରେ ଯୋଗ ଦେଲେ ।

 

ଇତିମଧ୍ୟରେ ସୁଭାଷ ଜାପାନରୁ ଯାଇ ଜର୍ମାନୀରେ ଅବସ୍ତାନ କରୁଥିଲେ । ନାଜିନେତା ହିଟଲରଙ୍କ ସହିତ ସାକ୍ଷାତ୍ କରି ସେ ଭାରତର ଦୂରବସ୍ଥା ଓ ଜାପାନହସ୍ତରେ ଯୁଦ୍ଧବନ୍ଦୀ ହୋଇଥିବା ସହସ୍ର ସହସ୍ର ଭାରତୀୟ ସୈନ୍ୟଙ୍କ ସଙ୍ଗଠନ କଥା ତାଙ୍କୁ ପୁଙ୍ଖାନୁପୁଙ୍ଖରୂପେ ବୁଝାଇଦେଲେ । ହିଟଲର ଏଥିରେ ଅତିଶୟ ପ୍ରୀତ ହୋଇ ଭାରତୀୟ ସ୍ୱାଧୀନତା-ସଂଗ୍ରାମର ସର୍ବଶ୍ରେଷ୍ଠ ନେତାରୂପେ ତାଙ୍କୁ ଅଭିନନ୍ଦନ କଲେ ।

 

ଏହି ସମୟରେ ଭାରତର ଆଭ୍ୟନ୍ତରୀଣ ଅବସ୍ଥା ଏକ ସଂକଟଜନକ ପର୍ଯ୍ୟାୟରେ ଉପନୀତ ହେଲା । ଭାରତୀୟ ଜାତୀୟ କଂଗ୍ରେସ ୧୯୪୨ ମସିହା ଅଗଷ୍ଟ ମାସ ୯ ତାରିଖରେ ଇଂରେଜମାନଙ୍କୁ ଭାରତ ତ୍ୟାଗକରି ଚାଲିଯିବାପାଇଁ ଦାବୀ ଆଗତ କଲେ ଏବଂ ଏହାର ପ୍ରତିକ୍ରିୟାରେ ଶାସକଗୋଷ୍ଠୀ ଯେଉଁ ଦମନଲୀଳା ଆରମ୍ଭକଲେ, ତାହା ଆକୁମାରୀ ସର୍ବତ୍ର ଗଣଆନ୍ଦୋଳନର ପ୍ରବଳ ସ୍ରୋତ ଛୁଟାଇଦେଲା । ଏ ସ୍ରୋତର ସଫଳ ପ୍ରତିରୋଧ ଉଦ୍ଦେଶ୍ୟରେ ସରକାର ମହାତ୍ମାଗାନ୍ଧୀଙ୍କ ସମେତ ସମସ୍ତ ଭାରତୀୟ ନେତାଙ୍କୁ କରାରୁଦ୍ଧ କଲେ ସତ୍ୟ, କିନ୍ତୁ ଜନସାଧାରଣଙ୍କ ମଧ୍ୟରେ ତାହା ଭୀଷଣ ଉତ୍ତେଜନା ସୃଷ୍ଟି କଲା; ପରିଣାମରେ ଆନ୍ଦୋଳନ କ୍ରମେ ଉଗ୍ରତର ହେଲା ।

 

ଏ ସମ୍ୱାଦ ପାଇବାମାତ୍ରେ ସୁଭାଷ ଆଉ ଜର୍ମାନୀରେ ସ୍ଥିର ହୋଇ ରହିପାରିଲେ ନାହିଁ, ଅବିଳମ୍ୱେ ସିଙ୍ଗାପୁରରେ ଆସି ଉପସ୍ଥିତ ହେଲେ । ସେଠାରେ ଭାରତୀୟମାନଙ୍କର ଏକ ବିରାଟ ସମ୍ମିଳନୀ ଆହୂତ ହେଲା ଏବଂ ନାନା ଆଲୋଚନା ପରେ ଆଜାଦ ହିନ୍ଦ୍ ଫୌଜର ସମସ୍ତ ଦାୟିତ୍ୱ ସୁଭାଷଙ୍କ ହସ୍ତରେ ସର୍ବସମ୍ମତିକ୍ରମେ ଅର୍ପିତ ହେଲା ।

 

ସୁଭାଷଙ୍କ ସଙ୍ଗଠନର ଶକ୍ତି ଅତି ଅଦ୍ଭୁତ । ତେଣୁ ତାଙ୍କ ନେତୃତ୍ୱରେ ‘ଆଜାଦ୍ ହିନ୍ଦ୍ ଫୌଜ’କୁ ସାମରିକ ଦୃଷ୍ଟିରୁ ସ୍ୱୟଂ ସମ୍ପୂର୍ଣ୍ଣ କରାଗଲା ଏବଂ ତାହାର କେତେକ ପରିଚାଳକଙ୍କୁ ଟୋକିଓରେ ସାମରିକ କୌଶଳ ଓ ରଣନୈପୁଣ୍ୟ ଶିକ୍ଷା କରିବାକୁ ପଡ଼ିଲା । ଶିକ୍ଷା ସମାପ୍ତି ପରେ ସେମାନେ ଫେରି ଆସି ଆଜାଦ ହିନ୍ଦ୍ ଫୌଜର ସୈନ୍ୟମାନଙ୍କୁ ସେ ସମସ୍ତ କୌଶଳ ଓ ନୈପୁଣ୍ୟରେ ପାରଦର୍ଶୀ କରାଇଲେ । ଏହିରୂପେ ଅଳ୍ପ କେତୋଟି ମାସ ମଧ୍ୟରେ ଏ ଫୌଜର ସୈନ୍ୟସଂଖ୍ୟା ୬୦ ହଜାର ଓ ଅଫିସର ସଂଖ୍ୟା ୫ ଶହ ହେଲା । ଏହି ସୈନ୍ୟ ଓ ସେନାନାୟକମାନଙ୍କ ମଧ୍ୟରେ ହିନ୍ଦୁ, ମୁସଲମାନ, ଜୈନ, ଖ୍ରୀଷ୍ଟିୟାନ ଓ ପାର୍ଶି ପ୍ରଭୃତି ସକଳ ଜାତି, ବର୍ଣ୍ଣ ଓ ଧର୍ମର ଭାରତୀୟ ରହି ମାତୃଭୂମିର ମୁକ୍ତିଯୁଦ୍ଧ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।

 

ସୁଭାଷ ଏହି ଫୌଜକୁ ପୁଣି ଅନେକ ଗୁଡ଼ିଏ ଦଳରେ ବିଭକ୍ତ କରି ଭାରତର ସ୍ୱନାମଧନ୍ୟ ଜନନାୟକମାନଙ୍କ ନାମାନୁସାରେ ସେଗୁଡ଼ିକର ନାମକରଣ କରିଥିଲେ । ଗାନ୍ଧିବାହିନୀ, ନେହରୁବାହିନୀ, ପଟେଲବାହିନୀ, ସୁଭାଷବାହିନୀ ଓ ଆଜାଦବାହିନୀ ଆଦି ସେହି ନାମମାନଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲା । ନାରୀସେନାମାନଙ୍କୁ ଘେନି ଯେଉଁ ଦଳ ଗଠିତ ହୋଇଥିଲା, ତାର ନାମ ରଖା ଯାଇଥିଲା ଝାନ୍‍ସିରାଣୀବାହିନୀ ।

 

ଏହିରୂପେ ସମସ୍ତ ଆୟୋଜନ ଶେଷ ହେବାପରେ, ଆକ୍ରମଣର ସମୟ ଆସି ଉପସ୍ଥିତ ହେଲା । ନେତାଜୀ ସୁଭାଷ ସ୍ୱୟଂ ଏହି ‘ଆଜାଦ ହିନ୍ଦ୍ ଫୌଜ’ର ପ୍ରଧାନ ସେନାନାୟକରୂପେ ୧୯୪୪ ମସିହା ଫେବୃୟାରୀ ୪ ତାରିଖ ଦିନ ଭାରତ ଓ ବ୍ରହ୍ମଦେଶର ସୀମାନ୍ତରେ ଆସି ପଦାର୍ପଣ କଲେ । ସେତେବେଳେ ସେ ବିପୁଳ ଉତ୍ସାହ ଓ ଉନ୍ମାଦନା ମଧ୍ୟରେ ଫୌଜର ସୈନ୍ୟମାନଙ୍କୁ ଉଦ୍‍ବୋଧନ ଦେଇ କହିଥିଲେ—

 

‘‘ଦେଖ, ସମ୍ମୁଖକୁ ଦୃଷ୍ଟିନିକ୍ଷେପ କରି ଦେଖ, ଦୂରରେ ନଦନଦୀ ଓ ପର୍ବତମାଳାର ଅପରପାର୍ଶ୍ୱରେ ଆମର ଏହି ମାତୃଭୂମି । ଆମେ ଆଜି ଆମର ସେହି ମାତୃଭୂମିକୁ ପ୍ରତ୍ୟାବର୍ତ୍ତନ କରୁଛେଁ । ଏଇ କାନ ଡେରି ଶୁଣ, ମାଆ ଆମକୁ ଡାକୁଛି, ରାଜଧାନୀ ଦିଲ୍ଲୀ ଆମକୁ ଆହ୍ୱାନ କରୁଛି, ଭାରତର ତିରିଶ କୋଟି ଭାଇଭଉଣୀ ଆମକୁ କାତରସ୍ୱରରେ ଡାକ ଛାଡ଼ୁଛନ୍ତି । ହେ ବୀର ସୈନିକଗଣ ! ଉଠ, ଅସ୍ତ୍ର ଉତ୍ତୋଳନ କର, ମନ୍ତ୍ରର ସାଧନ, ନତୁବା ଶରୀରର ପାତନ—ଏହି ମନ୍ତ୍ର ଉଚ୍ଚାରଣ କର, ଏ ଦୁଇଟିମଧ୍ୟରୁ ଯେ କୌଣସି ଗୋଟିଏ ଲାଭକଲେ ମଧ୍ୟ ଆମର ଜୀବନ ସାର୍ଥକ ହେବ । ଦିଲ୍ଲୀର ପଥ ଆମ ସ୍ୱାଧୀନତାର ପଥ—ଏବେ ଦିଲ୍ଲୀ ଚାଲ ।’’

 

ଅଭୂତପୂର୍ବ ଉନ୍ମାଦନାରେ ଆଜାଦ ହିନ୍ଦ୍ ଫୌଜର ସେନାଦଳ ଜନନୀ ଜନ୍ମଭୂମିର ମୁକ୍ତିପାଇଁ ବୀରପଦକ୍ଷେପରେ ବସୁନ୍ଧରା-ବକ୍ଷକୁ ପ୍ରକମ୍ପିତ କରି ଅଗ୍ରସର ହେଲେ । ଏଣେ ସୀମାନ୍ତର ଏ ପାଖରେ ଅସଂଖ୍ୟ ଇଂରେଜସେନା ସମବେତ ହୋଇ ଶତ୍ରୁପକ୍ଷର ପ୍ରତିରୋଧ ଓ ପରାଜୟ ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ମୁକ୍ତିପିପାସୁ ଆଜାଦ ହିନ୍ଦ୍ ଫୌଜ ପ୍ରଚଣ୍ଡ ବିକ୍ରମରେ ଭାରତ ସୀମା ଭିତରକୁ ମାଡ଼ିଆସିଲେ ଏବଂ ଅଳ୍ପ ସମୟମଧ୍ୟରେ ୧୫ ଶହ ମାଇଲରୁ ଅଧିକ ଭୂଖଣ୍ଡ ଅଧିକାର କରି ସେଠାରେ ସ୍ୱାଧୀନ ତ୍ରିରଙ୍ଗାପତାକା ଉଡ଼ାଇଦେଲେ । ସଙ୍ଗେ ସଙ୍ଗେ ସେହି ଅଧିକୃତ ଅଞ୍ଚଳରେ ଆଜାଦ ହିନ୍ଦ୍ ସରକାର ମଧ୍ୟ ପ୍ରତିଷ୍ଠିତ ହୋଇଗଲା ।

 

ଏହା ପଛେ ପଛେ ଇମ୍ଫାଲ, କୋହିମା, ଆରାକାନ ଓ ମଣିପୁର ପ୍ରଭୃତିରେ ଆଜାଦ ହିନ୍ଦ୍ ଫୌଜ ଅପୂର୍ବ ରଣକୌଶଳ ପ୍ରଦର୍ଶନ କରି ଇଂରେଜବାହିନୀକୁ ବ୍ୟତିବ୍ୟସ୍ତ ଓ ଛିନ୍ନଛତ୍ର କରିଦେଲେ-। ରଣକ୍ଷେତ୍ରରେ ସର୍ବତ୍ର ଆଜାଦ ହିନ୍ଦ୍ ଫୌଜର ବିଜୟ-ବୈଜୟନ୍ତୀ ଫର ଫର ହୋଇ ଉଡ଼ିଲା-। ଏହି ବିଜୟର ପରେ ପରେ ବର୍ଷାଋତୁ ଉପସ୍ଥିତ ହେଲା ଏବଂ ଅବିରାମ ବାରିପାତରେ ଏ ଅଞ୍ଚଳ ବହିର୍ଜଗତଠାରୁ ବିଚ୍ଛିନ୍ନ ହୋଇଗଲା । ଏହାଫଳରେ ଆଜାଦବାହିନୀ ନିକଟରେ ଖାଦ୍ୟ-ସାମଗ୍ରୀ ଯଥା-ସମୟରେ ପହଞ୍ଚିପାରିଲା ନାହିଁ । ଅନାହାରକ୍ଳିଷ୍ଟ ଆଜାଦ ସୈନ୍ୟଗଣ ବୁଭୁକ୍ଷା ନିବାରଣପାଇଁ କେବଳ ଘାସ ଖାଇ ପ୍ରବଳ ଇଂରେଜସେନାଙ୍କ ସଙ୍ଗେ କିଛିଦିନ ଯୁଦ୍ଧ ଚଳାଇ ଆତଙ୍କ ସୃଷ୍ଟି କଲେ-

 

ମାତ୍ର ଏହାପରେ ଆଉ ଅନୁକୂଳ ଅବସ୍ଥା ଆସିଲାନାହିଁ । ଆସାମର ଏହି ଅଞ୍ଚଳ ସମଗ୍ର ଭାରତ ମଧ୍ୟରେ ବୃଷ୍ଟିବହୁଳ ହୋଇଥିବାରୁ ସେଠାରେ ବର୍ଷାଋତୁ ଦୀର୍ଘକାଳ ସ୍ଥାୟୀ ହୁଏ ଏବଂ ଅଜସ୍ର ବାରିପାତ ଅନବରତ ଲାଗିରହେ । ପ୍ରାକୃତିକ ଅନ୍ତରାୟ ଓ ଖାଦ୍ୟାଭାବ ହେତୁ ଆଜାଦବାହିନୀର ସୈନ୍ୟବୃନ୍ଦ କ୍ରମେ ଦୁର୍ବଳ ହୋଇଆସିଲେ ଏବଂ ସେମାନଙ୍କ ମଧ୍ୟରେ ଅସ୍ତ୍ରଭାବ ମଧ୍ୟ ଦେଖାଗଲା । ଏଭଳି ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେବା ଫଳରେ ବହୁ ସୈନ୍ୟ ଇଂରେଜମାନଙ୍କ ହସ୍ତରେ ବନ୍ଦୀ ହେଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ବିଶୃଙ୍ଖଳା ମଧ୍ୟ ଉପସ୍ଥିତ ହେଲା । ଏ ଅବସ୍ଥାରେ ଚରମ ବିପର୍ଯ୍ୟୟକୁ ଏଡ଼ାଇବାପାଇଁ ସୁଭାଷ ସୈନ୍ୟମାନଙ୍କୁ ବାଧ୍ୟ ହୋଇ କିଛିଦୂର ପଛକୁ ହଟାଇଆଣି ପରବର୍ତ୍ତୀ ସୁଯୋଗକୁ ଅପେକ୍ଷା କରି ରହିଲେ ।

 

ଏହି ସମୟରେ ଆମେରିକା ସୈନ୍ୟ ଇଂରେଜ ସୈନ୍ୟମାନଙ୍କ ସଙ୍ଗେ ଏକତ୍ର ହୋଇ ବ୍ରହ୍ମଦେଶରେ ପ୍ରଚଣ୍ଡ ମିଳିତ ଆକ୍ରମଣ ଆରମ୍ଭ କଲେ । ଜାପାନ ସେମାନଙ୍କର ଏହି ସମ୍ମିଳିତ ଶକ୍ତି ନିକଟରେ ତିଷ୍ଠି ନ ପାରି ପୃଷ୍ଠଭଙ୍ଗ ଦେଲା ଏବଂ ପୂର୍ବ ପ୍ରତିଶ୍ରୂତି ଅନୁସାରେ ଆଜାଦ୍ ହିନ୍ଦ୍ ଫୌଜକୁ ଅସ୍ତ୍ର ଶସ୍ତ୍ର ଯୋଗାଇବାରେ ଅସମର୍ଥ ହେଲା । ଏହା ଫଳରେ ସୁଭାଷ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ, ତାହା ଆଉ ତାଙ୍କୁ ମିଳିଲାନାହିଁ । ତଥାପି ସେ ନିରାଶ ନ ହୋଇ ୧୯୪୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟମାନଙ୍କୁ ଆଶାର ବାଣୀ ଶୁଣାଇ କହିଥିଲେ—

 

ଆମର ପ୍ରଥମ ଉଦ୍ୟମ ବିଫଳ ହୋଇଥିଲେହେଁ, ତାହା ଆମର ଶେଷ ଉଦ୍ୟମ ନୁହେଁ । ତେଣୁ ଆମକୁ ପୁନର୍ବାର ଉଦ୍ୟମ କରିବାକୁ ହେବ । ପରାଜୟ ସ୍ୱୀକାର କରିବା ଆମ ଜାତକରେ ଲେଖାନାହିଁ । ଦିନେ ଆମେ ନିଶ୍ଚୟ ଏହି ଉଦ୍ୟମ ଫଳରେ ଭାରତମାତାର ମୁକ୍ତି ଓ ସ୍ୱାଧୀନତା ଦେଖିବା । ସେଦିନ ଆଉ ବେଶି ଦୂର ନୁହେଁ—ଅତି ନିକଟ । ହେ ବୀର ସୈନିକବୃନ୍ଦ ! କଳ୍ପନାର ଚକ୍ଷୁଖୋଲି ସେହି ପବିତ୍ର ଦିନଟିକୁ ଦେଖ । ଦିଲ୍ଲୀର ଜାତୀୟ ଭବନରେ ସେଦିନ ଭାରତର ସ୍ୱାଧୀନ ଜାତୀୟ ପତାକା ଫରଫର ହୋଇ ଉଡ଼ିବ, ଐତିହାସିକ ପ୍ରାଚୀନ ଲାଲକିଲ୍ଲାରେ ସ୍ୱାଧୀନତାର ବିଜୟ ଉତ୍ସବ ପାଳନ କରି ଭାରତବାସୀମାନେ ପ୍ରାଣପୂର୍ଣ୍ଣ ଆନନ୍ଦରେ ଉନ୍ମତ୍ତ ହୋଇଉଠିବେ ।’’

 

ନେତାଜୀ ସୁଭାଷଙ୍କ ଏହି ଭବିଷ୍ୟତ ବାଣୀ ଅଳ୍ପକାଳ ପରେ ନିରାଟ ସତ୍ୟରେ ପରିଣତ ହେଲା । ସତେ ଯେପରି ଭବିଷ୍ୟତର ବକ୍ଷ ଭେଦକରି ନିଜର ତୀବ୍ର କଳ୍ପନା-ଚକ୍ଷୁରେ ସ୍ୱାଧୀନ ଭାରତର ମହୋତ୍ସବ ସେତେବେଳେ ସେ ପ୍ରତ୍ୟକ୍ଷ କରୁଥିଲେ । ତାଙ୍କର ଏହି ମହାବାଣୀ ଉଚ୍ଚାରିତ ହେବାର ଠିକ୍ ଦୁଇବର୍ଷ ପରେ ୧୯୪୭ ମସିହା ଅଗଷ୍ଟ ମାସର ସେହି ୧୫ ତାରିଖ ଦିନ ଇଂରେଜ ସରକାର ସ୍ୱତଃପ୍ରବୃତ୍ତ ହୋଇ ଭାରତରୁ ବିଦାୟ ଗ୍ରହଣ କଲା । ସେହିଦିନ ବିନା ଯୁଦ୍ଧରେ, ବିନା ରକ୍ତପାତରେ ଭାରତ ବହୁଦିନରୁ ଅପହୃତ ତାର ସେହି ଚିରାକାଙ୍‍କ୍ଷିତ ସ୍ୱାଧୀନତା-ରତ୍ନ ଲାଭକଲା-

Image